STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅହଂକାର ସବୁ ଅନିଷ୍ଟର ମୂଳ

ଅହଂକାର ସବୁ ଅନିଷ୍ଟର ମୂଳ

2 mins
14.2K


ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ ଶିଙ୍ଘ, କେତେ ସୁନ୍ଦର ବଡ ବଡ କାନ । ବଡ ବଡ ଆଖି, ପୁଣି କଳା ରଙ୍ଗର ନାକ । ସତରେ ଭଗବାନ ଏତେ ସୁନ୍ଦର ଶିଙ୍ଘ ଆଉ ଏତେ ମଜବୁତ୍ ଶିଙ୍ଘ ଆଉ କେଉଁ ପଶୁ ମାନଙ୍କୁ ଦେଇ ନାହାଁନ୍ତି । ଏଥି ପାଇଁ ଭଗବାନଙ୍କୁ ମୁଁ ଅଜସ୍ର ଧନ୍ୟବାଦ ଦେଉଛି ।

ଏଥର ସେ ଚାଲିବାକୁ ଲାଗିଲା, ହଠାତ୍ ତା’ର ଗୋଡ ଆଡକୁ ଦୃଷ୍ଟି ପଡିଲା । ସେ ଦେଖିଲା ତାର ଗୋଡ ଗୁଡିକ ପତଳା ତଥା ଲମ୍ବା ଲମ୍ବା । ଗୋଡ ଆଗରେ ଥିବା ଖୁରା ପୁଣି ଦୁଇ ଖଣ୍ଡିଆ । ତା ଭିତରେ ପୋକ ଯୋକ ପଶି ତାକୁ ବହୁତ କଷ୍ଟ ଦିଏ । ଏଥି ପାଇଁ ପୁଣି ସେ ଭଗବାନଙ୍କୁ ପ୍ରାର୍ଥନା କଲା ଭଗବାନ ଏତେ ସୁନ୍ଦର ଶରୀର, ଏତେ ସୁନ୍ଦର ମୁହଁ ଆଉ ଏତେ କୁତ୍ସିତ ଗୋଡ ଦେଇଛ କାହିଁକି? ଏମିତି ଗୋଡ ଦ୍ୱାରା ମୋର ସୁନ୍ଦରତା ମାଟିରେ ମିଶେଇ ଦେଲ ପ୍ରଭୁ !

ଏହି ପରି ଭାବନା ରାଜ୍ୟରେ ବୁଲୁ ଥିବା ବେଳେ ହଠାତ୍ ତା’ର କାନରେ ଶିକାରୀ କୁକୁରର ଆୱାଜ୍ ଶୁଭିଲା । ମଇଁଷିର ସବୁ ଭାବନା ହଠାତ୍ କୁଆଡେ ଉଭେଇ ଗଲା । ବାସ୍ ପ୍ରାଣ ନେଇ ଦୌଡିବାକୁ ଲାଗିଲା । ସେ ଏତେ ଜୋର୍ରେ ଦୌଡିଲା ଯେ ଶିକାରୀ କୁକୁର ମାନେ ତାର ବହୁତ ପଛରେ ରହି ଗଲେ ।

ଏହି ସମୟରେ ମଇଁଷିର ତେଢା ମେଢା ଶିଙ୍ଘ ଦୁଇଟି ଗୋଟିଏ ଲତାର ବୁଦା ଭିତରେ ଅଟକି ଗଲା । ମଇଁଷି ବହୁତ ଚେଷ୍ଟା କଲା ଲତା ଭିତରୁ ଶିଙ୍ଘ କାଢି ବାହାରକୁ ଆଣିବାକୁ । ଏହି ସମୟରେ ପଛରେ ପଡି ଥିବା ଶିକାରୀ କୁକୁର ମାନେ ସେଠାରେ ପହଁଚି ଗଲେ । ଆଉ କୁକୁର ମାନେ ଦଳବଦ୍ଧ ଭାବେ ଆକ୍ରମଣ କରି ମଇଁଷିର ଏତେ ସୁନ୍ଦର ଚେହେରାକୁ ରକ୍ତ ରଞ୍ଜିତ କରି ପକାଇଲେ । ଯେଉଁ ଶରୀର ପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେଉ ଥିଲା, ଯେଉଁ ଶିଙ୍ଘ ପାଇଁ ସେ ଭଗବାନଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରୁ ଥିଲା ସେହି ଶିଙ୍ଘ ହିଁ ତାର ମୃତ୍ୟୁର କାରଣ ହେଲା ।

ମଇଁଷିର ଜ୍ଞାନ ଉଦୟ ହେଲା ଯେ ଯେଉଁ ଗୋଡ ପାଇଁ ସେ ଏତେ ଦୁଃଖିତ ହେଉ ଥିଲା ସେହି ଗୋଡ ହିଁ ତାକୁ ଶେଷରେ ବଂଚାଇବାକୁ ଚେଷ୍ଟା କରି ଥିଲା କିନ୍ତୁ ଯାହାକୁ ନେଇ ସେ ଏତେ ଗର୍ବ କରୁ ଥିଲା ସେହିଁ ତାର ମୃତ୍ୟୁର କାରଣ ହେଲା । ଏଥିରୁ ପ୍ରମାଣିତ ହେଲା ଯେ ଯେଉଁ ପ୍ରାଣୀ ଯାହାକୁ ନେଇ ଏତେ ଗର୍ବ, ଅହଂକାର କରେ ଶେଷରେ ସେ ହିଁ ମୃତ୍ୟୁର କାରଣ ହୁଏ । ବାସ୍ତବରେ ମୁଁ ଯଦି ପ୍ରଥମରୁ ହିଁ ବିଚାର କରି ନେଇ ଥାନ୍ତି ଯେ ସୁନ୍ଦରତା ତା ଭିତରେ ଥାଏ ଯିଏ ନିଜର କାମକୁ ଆସେ । ମୃତ୍ୟୁ ବେଳକୁ ତାର ଜ୍ଞାନ ହେଲା ଯେ – ଅହଂକାର ସବୁ ଅନର୍ଥର ମୂଳ କାରଣ ।


Rate this content
Log in

Similar oriya story from Children