Pradeep Kumar Panda

Abstract Fantasy Inspirational

4  

Pradeep Kumar Panda

Abstract Fantasy Inspirational

ଅବଲୁପ୍ତ ବସନ୍ତ !

ଅବଲୁପ୍ତ ବସନ୍ତ !

4 mins
6


ଫାଲଗୁନ ଚୈତ୍ର ବସନ୍ତରେ, ମୃଦୁ ମଳୟ ମନ ହରେ’। ଭକ୍ତକବି ମଧୁସୂଦନ ରାଓଙ୍କର ଏହି ଅନୁଭବସିଦ୍ଧ ଉକ୍ତି ଅନୁଯାୟୀ ଫଗୁଣରେ ପତ୍ରଝଡ଼ା ଋତୁ ବିଦାୟ ନେବା ସାଙ୍ଗକୁ ନୂତନ ସୃଷ୍ଟିର ପ୍ରସ୍ତୁତି ନେଇ ଧରାପୃଷ୍ଠରେ ପ୍ରବେଶ କରେ ଋତୁରାଜ ବସନ୍ତ। ଏଥିରେ ଉଲ୍ଲସିତ ହୋଇ ଷୋହଳ କଳାରେ ସଜେଇହୁଏ ପ୍ରକୃତି। ଜନମନ ହରିନିଏ ବସନ୍ତର ମୃଦୁମଳୟ ତଥା ନବମୁକୁଳ ଗହଳରୁ ଭାସିଆସୁଥିବା କୋକିଳର ପଞ୍ଚମ ତାନ। କିନ୍ତୁ ବସନ୍ତର ସେ ପ୍ରାଣପ୍ରାଚୁର୍ଯ୍ୟ ଏବେ କାହିଁ? ଏଥର ତ’ ପହିଲି ଫଗୁଣରୁ ମାଡ଼ି ଆସିଲାଣି ଖରା। ଅଘୋଷିତ ଭାବେ ବଢ଼଼ି ଚାଲିଲାଣି ତାତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପକୁ ଲକ୍ଷ୍ୟ କରି ତା’ର ମୁକାବିଲା ପାଇଁ ସବୁ ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦେଇ ସାରିଲେଣି ସରକାର। ଏଥିପାଇଁ ଜାରି ହୋଇ ସାରିଲାଣି ମାର୍ଗଦର୍ଶିକା। କିନ୍ତୁ ଗଲା ଦୁଇ ଦଶନ୍ଧି ପୂର୍ବରୁ ଏଭଳି ଅବସ୍ଥା ନ ଥିଲା କି ଲୋକେ ଶୁଣି ନ ଥିଲେ ଅଂଶୁଘାତର ନାଁ। ଶୀତତାପ ନିୟନ୍ତ୍ରକ ଯନ୍ତ୍ର ତ’ ଦୂରର କଥା ବିନା ବିଜୁଳିପଙ୍ଖାରେ ଚଳୁଥିଲେ ଗାଁ ଗଣ୍ଡାର ଲୋକେ। ସେତେବେଳେ ଅଧିକାଂଶ ଗାଆଁକୁ ବିଜୁଳି ସଂଯୋଗ ନ ଥିବାରୁ ତାଳପତ୍ର ବିଞ୍ଚଣାରେ କଟୁଥିଲା ତମାମ ଖରାଦିନ। ମୁଣ୍ଡରେ ଠେକା ଖଣ୍ଡେ ଭିଡ଼ି ଦେଇ ଦିନ ଦ୍ୱିପ୍ରହର ଯାଏଁ କ୍ଷେତବାରିରେ କାମ କରୁଥିଲା ଚାଷୀଭାଇ। ଖରାବେଳେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ କଟକଣା ଜାରି ହେଉ ନ ଥିଲା କି ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେଉ ନ ଥିଲା ଜନଜୀବନ। ତାତିର ପ୍ରକୋପ କଥା ପଡ଼ିଲେ ଆଗେ ଆଖିଆଗକୁ ଆସୁଥିଲା ପଶ୍ଚିମ ଓଡ଼ିଶା। ଟିଟିଲାଗଡ଼ ଥିଲା ସବୁଠାରୁ ତତଲା ସହର। ଏବେ କିନ୍ତୁ ଉପାନ୍ତରୁ ଉପକୂଳ ଯାଏ ସବୁଠି ସ୍ଥିତି ଅସମ୍ଭାଳ। କେଉଁଠି ହେଲେ ବାରି ହେଉନି ମୃଦୁମଳୟର ହିଲ୍ଲୋଳ କି ବାସନ୍ତିକ ସୁଷମାର କଲ୍ଲୋଳ।


ଋତୁଚକ୍ରର ଏହି ଅସ୍ୱାଭାବିକତା ଯେ ଏଥର ଆକସ୍ମିକ, ତାହା ନୁହେଁ। ବରଂ ଗଲା କେତେବର୍ଷ ପୂର୍ବରୁ ରାଜ୍ୟରେ ଖୋଲି ସାରିଛି ପାରିବେଶିକ ବିଭ୍ରାଟର ସ୍ଥାୟୀ ଶିବିର। ଦୁଇ ଦଶନ୍ଧି ପୂର୍ବକଥା ଭାବିଲେ ମନେହୁଏ ସେତେବେଳେ ଫଗୁଣରେ ହାରାହାରୀ ତାପମାତ୍ରା ରହୁଥିଲା ୩୩ ଡିଗ୍ରୀ ସେଲ୍‌ସିୟସ୍‌‌ ଭିତରେ। ପରବର୍ତ୍ତୀ ସମୟରେ ତାହା କ୍ରମାଗତ ବଢ଼଼ି ବଢ଼଼ି ପହଞ୍ଚିଲାଣି ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ। ଏହାଦ୍ୱାରା ଆମ ପରିବେଶରୁ ଧରରେ ଧୀରେ କମୁଛି ଋତୁରାଜ ବସନ୍ତର ପ୍ରଭାବ। କେବଳ ବସନ୍ତ ନୁହେଁ, ଅନେକ ଆଗରୁ ନିରୁଦ୍ଦିଷ୍ଟ ଋତୁ ତାଲିକାରେ ଲେଖା ସରିଲାଣି ଶରତ ଓ ହେମନ୍ତର ନାମ। ଏବେ ଗ୍ରୀଷ୍ମ ପରେ ବର୍ଷା ଆସୁଛି ସତ, କିନ୍ତୁ ମଠେଇ ମଠେଇ। ବର୍ଷା ଓ ମୌସୁମୀ ମଧ୍ୟରେ ରହୁନି ତାଳମେଳ। ମୌସୁମୀ ପ୍ରଭାବ ସତ୍ତ୍ବେ ଆଶାନୁରୂପ ବୃଷ୍ଟିପାତ ହେଉନି ବିନା ଲଘୁଚାପରେ। ଲଘୁଚାପ ବର୍ଷା ତ’ ଲଗାମଛଡ଼ା। ବର୍ଷିଲା ତ ବର୍ଷିଲା ସପ୍ତାହବ୍ୟାପୀ। ଯଦି ବାଟବଣା ହେଲା ଚାଷୀ ହତାଶ। ଊଣା ପଡୁଥିବା ବର୍ଷାଋତୁର ଅବଧି ଠାରୁ ଆହୁରି କମିଲାଣି ଶୀତଋତୁର କାୟା। କଥାରେ ଅଛି – ମାଘ ମାସ ଶୀତ ବାଘ ପରି। ବର୍ଣ୍ଣବୋଧରେ ଭକ୍ତକବି ଲେଖିଛନ୍ତି – ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତବାସ। ଅଥଚ ଏଥର ଶୀତର ଲୁଚକାଳି ଖେଳ ମଧ୍ୟରେ ବିତିଗଲା ପୌଷ ଓ ମାଘ ମାସ। ମାଘ ଶେଷ ଆଡ଼କୁ ଶୀତବସ୍ତ୍ର ତ ଦୂରର କଥା ରାତିରେ ଶୋଇଲାବେଳେ ଆବଶ୍ୟକ ହେଲା ପଙ୍ଖା ପବନ। ଶୀତର ପ୍ରକୋପ ନ ରହିବା ଫଳରେ କମୁଛି ଶୀତଦିନିଆ ଫସଲ ଓ ପନିପରିବା ଉତ୍ପାଦନ। ଯାହା କିଛି ଫଳୁଛି, ସେଥିରେ ରହୁନି ତା’ର ଅସଲ ସ୍ୱାଦ। ଏହାର ପ୍ରତିକୂଳ ପ୍ରଭାବ ପଡୁଛି ଆମ ସ୍ୱାସ୍ଥ୍ୟ ଉପରେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶୀତଋତୁରେ ଗରମ ଅନୁଭୂତ ହେବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟି ହେବା ସାଙ୍ଗକୁ ବୃଦ୍ଧି ପାଉଛି ମଶା ବଂଶ। ଋତୁଚକ୍ରର ଆବର୍ତ୍ତନ କ୍ରମରେ ଶୀତ ପରେ ଆସେ ବସନ୍ତ। ତେଣୁ ଯଦି ଶୀତ ନ ଆସିବ ତେବେ କ’ଣ ହେବ ବସନ୍ତର ଅବସ୍ଥା ?


ଋତୁଚକ୍ର ସହିତ ଜୀବଜଗତ ଓ ଉଦ୍ଭିଦ ଜଗତର ଏକ ଅନୁପମ ସମ୍ପର୍କ ଥିବାରୁ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଗଛର ପତ୍ର କଅଁଳେ, ତା’ର ରଙ୍ଗ ବଦଳାଏ, ଗଛ ପତ୍ରଝଡ଼ା ଦିଏ, ଫୁଲ ଫୁଟେ ଓ ଫୁଲର ହାଟରେ ବର୍ଷେ ପ୍ରଜାପତିଙ୍କ ମେଳ। ପକ୍ଷୀର ଶାବକ ଯେତେବେଳେ ଜନ୍ମ ନିଏ, ସେତେବେଳେ ଆଖପାଖ ପରିବେଶରେ ମିଳୁଥାଏ ପ୍ରଚୁର ଆହାର। ପରାଗସଙ୍ଗମ ପାଇଁ ଅନୁକୂଳ ଥାଏ ପାଣିପାଗ। ଆମ୍ବଗଛରେ ବଉଳ ସେତିକିବେଳେ ଖୁନ୍ଦି ହୋଇଯାଏ, ଯେତେବେଳେ ବାତାବରଣରେ ବାରିହୋଇ ପଡ଼େ ନବ ବସନ୍ତର ବାସ୍ନା। ଏହି ସୂକ୍ଷ୍ମ ଭାରସାମ୍ୟ ବିଗିଡ଼ି ଯିବା ଫଳରେ ଏବେ ଫୁଲ ଫୁଟୁନି କି ଫଳ ଧରୁନି ଯଥା ସମୟରେ। ଶୀଘ୍ର ଶୀଘ୍ର ବଦଳି ଯାଉଛି ଫୁଲର ରଙ୍ଗ ଓ ଫଳର ସ୍ୱାଦ। ଅସମୟରେ ବୁଢ଼ା ହୋଇ ଯାଉଛି ଗଛ। ପରାଗସଙ୍ଗମ ତଥା ପରାଗକମାନଙ୍କ ବ୍ୟବହାରରେ ଅସ୍ୱାଭାବିକତା କାରଣରୁ ଅବ୍ୟବସ୍ଥିତ ହୋଇପଡୁଛି ଉଦ୍ଭିଦ ଜଗତର ଛନ୍ଦ, ତାଳ ଓ ଲୟ। ଋତୁ ଅନୁଯାୟୀ ଯାହା ଅନୁଭବ କରିବା କଥା ତାହା ଅନୁଭବ କରି ହେଉନି ଏବଂ ତା’ର ପ୍ରତିକୂଳ ପ୍ରଭାବ ପଡୁଛି ସମଗ୍ର ପରିବେଶ ଉପରେ।


ପ୍ରକୃତି ହେଉଛି ଦିବ୍ୟ ଚେତନାର ବାହ୍ୟତମ ରୂପ। ପ୍ରକୃତି ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ ଈଶ୍ୱରଙ୍କ କଳ୍ପନା, ଭାବନା ଓ ଯୋଜନା। ସେଥିପାଇଁ ପ୍ରକୃତି ଯେମିତି ଶୃଙ୍ଖଳିତ ସେମିତି ସ୍ନେହଶୀଳ। ତା’ର କ୍ରିୟାତ୍ମକ ରୂପ ଅନ୍ତରାଳରେ ଥିବା ସୂକ୍ଷ୍ମ ଦୃଷ୍ଟି ଓ ପରିଣାମଦର୍ଶିତା ପାଇଁ ସଂସାର ଏତେ ମଞ୍ଜୁଳ ଓ ମଧୁମୟ। ମାତ୍ର ଦୁର୍ଭାଗ୍ୟର ବିଷୟ ଆମର ଅପରିଣାମଦର୍ଶିତା ପାଇଁ କ୍ରମାଗତ ବିଗିଡ଼ି ଚାଲିଛି ପ୍ରକୃତିର ଭିନ୍ନ ଭିନ୍ନ ସ୍ୱୟଂକ୍ରିୟ ବ୍ୟବସ୍ଥା। ଋତୁଚକ୍ର ଆବର୍ତ୍ତନରେ ଆଉ ରହୁନି ଧାରାବାହିକତା। ଏକଦା ସବୁଠାରୁ ଥଣ୍ଡା ସହର ଭାବେ ପରିଚିତ ଥିଲା ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଉପକଣ୍ଠରେ ଥିବା ଘଞ୍ଚ ଅରଣ୍ୟ, ସୁନ୍ଦର ସବୁଜିମା ଭରା ପାହାଡ଼ ତଥା କଳକଳ ନାଦ କରି ବହିଯାଉଥିବା ନଦୀ ଓ ଝରଣା ପାଇଁ ତା’ର ଜଳବାୟୁ ଥିଲା ନାତିଶୀତୋଷ୍ଣ ଓ ସ୍ୱାସ୍ଥ୍ୟକର। ଏବେ ଆଉ ସେ ଭୁବନେଶ୍ୱର ନାହିଁ କି ପ୍ରାଣକୁ ଉଲ୍ଲସିତ କରୁନି ତା’ର ଦକ୍ଷିଣା ପବନ। ଜଳଉତ୍ସ ପୋତାଯାଇ ଘର ଓ ଆପାର୍ଟମେଣ୍ଟ ନିର୍ମାଣ କରିବାର ପ୍ରତିଯୋଗିତା, ରାସ୍ତା ନିର୍ମାଣ ପାଇଁ ବୃକ୍ଷ ହନନ ତଥା ପ୍ରଳୟଙ୍କାରୀ ବାତ୍ୟାର ପ୍ରକୋପ ଆଦି କାରଣରୁ ଭୁବନେଶ୍ୱର ହରାଇ ସାରିଛି ତା’ର ସବୁଜ ସମ୍ଭାର। ତା’ର ଆଖପାଖରେ ଥିବା ଜଙ୍ଗଲ ଜମିରେ ଏବେ ଛାଇ ଯାଇଛି କଂକ୍ରିଟ ଜଙ୍ଗଲ। ଲଣ୍ଡା ପାହାଡ଼ର ଆଖ୍ୟା ପାଇସାରିଛି ସବୁଜିମା ଭରା ବରୁଣାଇ ଓ ଖଣ୍ଡଗିରି। ପ୍ରକୃତି ଓ ପରିବେଶ ଉପରେ ଯେମିତି ଅତ୍ୟାଚାର ବଢ଼଼ି ଚାଲିଛି ସେମିତି ଆମ ଠାରୁ ଘୁଞ୍ଚି ଘୁଞ୍ଚି ଯାଉଛି ଋତୁକାଳୀନ ଅନୁଭବ। ଏହା କେବଳ ଭୁବନେଶ୍ୱର ବା ଓଡ଼ିଶା ନୁହେଁ, ଏକ ବିଶ୍ୱବ୍ୟାପୀ ସମସ୍ୟା।


ସାଧାରଣତଃ ଯୌବନକୁ କୁହାଯାଏ ଜୀବନର ବସନ୍ତ, ଯାହାର ଉପଯୋଗରେ ଥାଏ ଉତ୍କର୍ଷର ଉତ୍ସ। ବସନ୍ତ ଆସିଲେ ମନରେ ଭରିଯାଏ ଏକ ମହାର୍ଘ୍ୟ ଅନୁଭବ। ପ୍ରାଣକୁ ବିଭୋର କରେ ବିନମ୍ରଭାବ ଓ କୋମଳ ସ୍ୱଭାବ। ସେଥିପାଇଁ ବସନ୍ତକୁ କିଏ ଫୁଲ ଓ ଫଗୁଣର ଋତୁ କହେ ତ, କିଏ କହେ ପ୍ରେମ ଓ ପ୍ରଣୟର ଋତୁ। କିଏ ଆନନ୍ଦ ଓ ଆକର୍ଷଣର ଋତୁ କହେ ତ, କିଏ କହେ କବି ଓ କବିତାର ଋତୁ। ଦିବ୍ୟ ଉଲ୍ଲାସରେ ଉଦ୍‌‌ବେଳିତ ହେବାର ବେଳା ହେଉଛି ବସନ୍ତଋତୁ। କଥାରେ ଅଛି – ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁଦଶମୀ ଆସି ପ୍ରକୃତିର ରଙ୍ଗ ଫରୁଆରୁ ଫଗୁ ବୁଣିଦେଲେ ଦୋଳମେଳଣ ପାଇଁ ସଜହୁଏ ବିମାନ। ଦୋଳ ବିମାନରେ ବସି ଗାଆଁ କୁ ଗାଆଁ ବୁଲନ୍ତି ରାଧାଗୋବିନ୍ଦ। ରାସ, ରଙ୍ଗ, ହାସ୍ୟ, ଉଲ୍ଲାସ, ଆନନ୍ଦ ଓ ପରମାନନ୍ଦ ଲୀଳା ବିଳାସ ବା କୃଷ୍ଣ ଚେତନାର ଉଲ୍ଲାସରେ ଫାଟିପଡ଼େ ଗାଆଁ ଦାଣ୍ଡ। କବିମାନେ ସାଧାରଣତଃ ସୌନ୍ଦର୍ଯ୍ୟପିପାସୁ ଓ କଳ୍ପନାବିଳାସୀ। ବସନ୍ତର ବାସନ୍ତିକ ସୁଷମାରେ ଉଦ୍‌‌ବେଳିତ ହୁଏ କବିର କଲମ। ସେଥିପାଇଁ ଆମ ସାହିତ୍ୟରେ ବସନ୍ତକୁ ନେଇ ଲେଖାଯାଇଛି ରାଶି ରାଶି କବିତା। ଯାହା ସାଧାରଣ ବ୍ୟକ୍ତି ଆଖିକୁ ଦିଶେନାହିଁ, ତାହା କବି ଦେଖିପାରେ ତା’ର ସୂକ୍ଷ୍ମ ଦୃଷ୍ଟି ବଳରେ। ଆମ ପାଇଁ ଯାହା ଚଇତର ଦକ୍ଷିଣାପବନ। କବି ପାଇଁ ତାହା ଚୋରା ଚଇତାଳି ବା ମଳୟ ପବନ। ମଳୟ ପର୍ବତରୁ ସେ ବୋହିଆଣେ ଚନ୍ଦନ ବାସ୍ନା। ଯଦି ବସନ୍ତ ଆସିବନି କି ପ୍ରାଣକୁ ଉଲ୍ଲସିତ କରିବନି ଚୋରା ଚଇତାଳି, ସହକାର ଶାଖାରୁ କୋଇଲି ଗାଇବନି କି କଳକଳ ନାଦ କରି ବହିବନି ଶୀତଳ ଝରଣା, ତେବେ ସେ ନିର୍ଜୀବ ପୋଡ଼ା ଭୂଇଁରେ ଥାଇ କବି ହୃଦୟରୁ କେମିତି ଝରିବ କବିତାର ଝର ?



Rate this content
Log in

Similar oriya story from Abstract