Kanan Bala Nayak

Tragedy

3  

Kanan Bala Nayak

Tragedy

ଅଭିମାନ

ଅଭିମାନ

4 mins
53



  ବେଳେବେଳେ ଅଭିମାନଟା ଯେ ମଣିଷ ପାଖରୁ ନିଜ ଭଲପାଉଥିବା ଲୋକଙ୍କୁ ଏତେ ଦୂରକୁ ନେଇଯାଏ ସେ କଥା କଣ ସୁନିତାକୁ ଜଣା ଥିଲା l ରାତି ପ୍ରାୟ ଦୁଇଟା ପାଖାପାଖି ହେବ l ହଠାତ୍ ଫୋନଟା ରିଙ୍ଗ ହେଲା l ସୁନିତା ତା ସ୍ୱାମୀ ବିକ୍ରମକୁ ହଲାଇ କହିଲା ଯାଉନ ଟିକେ ଫୋନଟା ଉଠାଇବ l ବିକ୍ରମ ଟିକେ ବିରକ୍ତି ପ୍ରକାଶ କରି ଆଖି ମଳି ମଳି ଉଠିଲେ ଆଉ ବିରକ୍ତ ହୋଇ କହୁଥାନ୍ତି ଏତେ ରାତିରେ କିଏ ସେ ଫୋନ୍ କରୁଛି l ମଣିଷକୁ ଟିକେ ଶାନ୍ତିରେ ଶୁଆଇ ମଧ୍ୟ ଦେବେନି l ସେ ପଟେ କିନ୍ତୁ ଫୋନଟା ବାରମ୍ବାର ରିଙ୍ଗ ହେଉଥାଏ l ବିକ୍ରମ ଫୋନ୍ ଉଠାଇ ହାଲୋ ବୋଲି କୁହନ୍ତେ ସେ ପଟୁ ଗୋଟେ କୋହ ମିଶ୍ରିତ କାନ୍ଦ କାନ୍ଦ ସ୍ୱର ଶୁଣିବାକୁ ପାଇଲେ l ସ୍ୱ ରଟା ହେଉଛି ଦେବାଶିଷ ବାବୁଙ୍କର, ଦେବାଶିଷ ବାବୁ ହେଉଛନ୍ତି ସୁନିତାର ସାଙ୍ଗ ସୁପ୍ରଭାର ସ୍ୱାମୀ l ବିକ୍ରମ କହିଲେ କଣ ହୋଇଛି, ଦେବାଶିଷ ବାବୁ କହିଲେ ଯେ ସୁପ୍ରଭାକୁ ହାର୍ଟ ଆଟାକ୍ ହୋଇଛି l ତାକୁ ଆଦିତ୍ୟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି l କଥାଟି ଶୁଣି ବିକ୍ରମଙ୍କ ହାତରୁ ଫୋନଟି ଖସିପଡିଲା l ସେତେବେଳକୁ ସୁନିତାର ନିଦ ଭାଙ୍ଗି ଯାଇଥାଏ l ବିକ୍ରମ ସୁନିତାକୁ କହିଲେ ଶୀଘ୍ର ବାହାରି ପଡ ଆମକୁ ଆଦିତ୍ୟ କେୟାର ହସ୍ପିଟାଲ ଯିବାକୁ ପଡିବ l ମୁଁ ଗାଡି ବାହାର କରୁଛି l ସୁନିତା ମନକୁ ଅଜବ ଅଜବ ଖିଆଲ ସବୁ ଆସୁଥାଏ l ଗାଡିରେ ବସି ସେ ବିକ୍ରମକୁ ପଚାରିଲା ଏବେ ତ କୁହ କଣ ହୋଇଛି?ଏତେ ରାତିରେ ହସ୍ପିଟାଲ କାହିଁକି? କାହାର କଣ ହୋଇଛି? ବିକ୍ରମ କହିଲେ ସୁପ୍ରଭାକୁ ହାର୍ଟ ଆଟାକ୍ l 

  ସୁନିତା ଆଉ ସୁପ୍ରଭା ଦୁଇ ଜଣ ବହୁତ ଭଲ ସାଙ୍ଗ l ଦୁଇ ଜଣଙ୍କର ସମ୍ପର୍କକୁ ଉଭୟଙ୍କ ପରିବାର ମଧ୍ୟ ବେଶ ଭଲଭାବରେ ଗ୍ରହଣ କରିଥାନ୍ତି l ଦୁଇ ଜଣ ଦୁଇ ଜଣକୁ କଥା ଦେଇଥାନ୍ତି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଉଭୟଙ୍କ ବନ୍ଧୁତା ଅତୁଟ ରହିବ l ଯେତେ ସୁଖ ଦୁଃଖ ଆସିବ ତାକୁ ସମାନ ଭାଗରେ ଭାଗ କରିବେ l ସୁପ୍ରଭାର ଯଦି ଦିନେ ଫୋନ୍ କରିବାରେ ବିଳମ୍ବ ହୁଏ ସୁନିତା ତାକୁ ମଜାରେ କହେ 'Deviation of commitment is very bad' କିନ୍ତୁ ଗତ କିଛି ଦିନ ହେଲା ସୁପ୍ରଭା କାହିଁକି ସୁନିତା ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ଯ କରୁଛି l ଫୋନ୍ ଉଠାଉ ନାହିଁ କି ମେସେଜର ଉତ୍ତର ମଧ୍ୟ ଦେଉନି l ଯେଉଁ ସୁନିତା ଗୋଟେ ଦିନ ଫୋନ୍ ନ କଲେ ରହିପାରେନି ସେ ପୁଣି ଫୋନ୍ ଉଠାଉ ନାହିଁ l ଅଭିମାନ କରିଛି ବୋଧେହୁଏ? ଆଠ ଦିନ ତଳେ ସୁପ୍ରଭା ଆସିଥିଲା ସୁନିତା ଘରକୁ l ଆଉ ଏମିତି ମଜାରେ ମଜାରେ ସୁପ୍ରଭା ତାକୁ କହିଦେଇଥିଲା ଆଠ ଦିନ କଥା ନ ହେଲେ ତୁ ପୁରା ସାଇଜ ହୋଇ ଯିବୁ l ସୁପ୍ରଭା ସିନା ମଜାରେ ମଜାରେ କଥାଟା କହି ଦେଇ ଥିଲା l କିନ୍ତୁ ସୁନିତା ତାକୁ ଗୁରୁତ୍ୱର ସହିତ ନେଇଛି ବୋଧେହୁଏ? ସେଥିପାଇଁ ଫୋନ୍ ଓ ମେସେଜର ଉତ୍ତର ଦେଉନି ଭାବୁଥିଲା ସୁପ୍ରଭା l ହେଉ ତା ଅଭିମାନ କମି ଗଲେ ଆପେ ଆପେ କଥା ହେବ l  

  ଏପଟେ ସୁନିତା ମନକୁ ମନ କହୁଥାଏ ଯେତେ ଫୋନ୍ କରୁଛି କରୁ ଜମାରୁ ଫୋନ୍ ଉଠାଇବି ନାହିଁ l ଭାରି ସାଇଜ କରିବା ବାଲା ହୋଇଛି ଆଠ ଦିନ ପୁରିବା ପରେ ଯାଇ ଫୋନ୍ ଉଠାଇବି l କିନ୍ତୁ ଆଠ ଦିନ ପୁରିବା ପୂର୍ବରୁ ଏମିତି ଘଟଣା ଘଟି ଯିବ ବୋଲି କଣ ତାକୁ ଜଣା ଥିଲା l ସୁନିତାକୁ ଭାରି ଦୋଷୀ ଦୋଷୀ ଲାଗୁଥିଲା l ସେ ଭାବୁଥିଲା ସୁପ୍ରଭା ତାକୁ ଏମିତି କଣ କହିବା ପାଇଁ ଚାହୁଁ ଥିଲା, ଯାହା ପ୍ରକାଶ କରି ନ ପାରି ଆଜି ହାର୍ଟ ଆଟାକରେ ଆକ୍ରାନ୍ତ l ସେ ବିକ୍ରମକୁ କହୁଥାଏ ଗାଡି ଟିକେ ଶୀଘ୍ର ଚଲାଅ l ମୋତେ କାହିଁକି ଭାରି ଡର ଲାଗୁଛି l କିଛି ସମୟ ମଧ୍ୟରେ ସେମାନେ ହସ୍ପିଟାଲରେ ପହଞ୍ଚିଲେ l କିନ୍ତୁ ସେତେବେଳକୁ ଅନେକ ଡେରି ହୋଇ ଯାଇଥାଏ l ସୁପ୍ରଭା ଆଉ ଦୁନିଆରେ ନ ଥାଏ l ଦେବାଶିଷ ବାବୁ କାନ୍ଦି କାନ୍ଦି ବିକ୍ରମଙ୍କୁ କୁଣ୍ଢାଇ ପକାଇ କହିଲେ ବହୁତ ଡେରି କରି ଦେଲେ ଆପଣମାନେ l ତାର ଶେଷ ସମୟରେ ସେ ଖାଲି ସୁନିତାକୁ ଖୋଜୁ ଥିଲା ଏତିକି କହି ସେ ସୁନିତା ହାତକୁ କାଗଜଟିଏ ବଢାଇ ଦେଲେ l  

  ସୁନିତା ଦେବାଶିଷ ବାବୁଙ୍କ ହାତରୁ କାଗଜଟି ଝାମ୍ପି ନେଇ ଏକ ନିଃଶ୍ୱାସରେ ପଢି ଗଲା l କାଗଜରେ ସୁପ୍ରଭାର ଶେଷ ମେସେଜ ଥିଲା ସୁନିତା ପାଖକୁ l 

  ପ୍ରିୟ ସୁନିତା-- 

  ଜାଣୁ ତୋର ଅଭିମାନ ମୋତେ ଭାରି କଷ୍ଟ ଦେଉଛି, ରାତିରେ ନିଦ ମଧ୍ୟ ହେଉନି l ନିଜ ଭିତରେ ଗୋଟେ ଅପରାଧ ବୋଧ ଅନୁଭବ କରୁଛି l ସେଥିପାଇଁ ବାରମ୍ବାର ଫୋନ୍ ଓ ମେସେଜ କରୁଛି l ତୁ କିନ୍ତୁ କିଛି ବି ଉତ୍ତର ଦେଉନୁ l ଏମିତି ରାଗିଛୁ l ମଜାରେ ମଜାରେ କଣ ଟିକେ କହି ଦେଲି ବୋଲି ଏତେ ଅଭିମାନ? ତୁ ତ ଜାଣୁ ମୋର ମୁହଁ ଦେଖି ଦେବାଶିଷ ଜାଣି ପାରନ୍ତି ଯେ ମୁଁ ତତେ ନେଇ ଦୁଃଖିତ l ଅଛି ଆଉ କହନ୍ତି ସୁନିତାର ଫୋନ୍ କି ମେସେଜ ଆସିନି ବୋଧେହୁଏ? ମୋ ମୁହଁ ଶୁଖିଯାଏ l ତୁ ସିନା ମୋ କଥାକୁ ଧରି ମୁଁହ ଫୁଲାଇ ବସିଛୁ, କିନ୍ତୁ ଜାଣିଛୁ ଏ ଭିତରେ ମୋ ଜୀବନରେ ଅନେକ ଘଟଣା ଘଟି ଗଲାଣି l ସେ ଦିନ ତୁମ ଘରୁ ଫେରିବା ପରେ ମୋ ଛାତିରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହେଲା l ଦେବାଶିଷ ମୋତେ ଡକ୍ଟରଙ୍କ ପାଖକୁ ନେଇ ଗଲେ l ସେ ଅନେକ ଟେଷ୍ଟ ପାଇଁ ଲେଖିଲେ ଓ ଔଷଧ ମଧ୍ୟ ଦେଲେ l ତତେ ଅନେକ ଫୋନ୍ ଓ ମେସେଜ କଲି ତୁ କିନ୍ତୁ କିଛି ଉତ୍ତର ଦେଲୁନି l ଜାଣିଛୁ ଛାତିର ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଛି l ତତେ ଦେଖିବା ପାଇଁ ଭାରି ଇଚ୍ଛା ଅଛି l ଜାଣେନି ତୋ ଅଭିମାନ ଭାଙ୍ଗିବା ବେଳକୁ ମୁଁ ଏ ଦୁନିଆରେ ଥିବି ନ ଥିବି କିନ୍ତୁ ଏତିକି ଜାଣିଛି ମୋ ଚାଲି ଯିବା ଖବର ଶୁଣିଲେ ତୁ ନିହାତି ଆସିବୁ l  

  ତୋତେ ମୋ ରାଣ କାନ୍ଦିବୁନି ଜମା କାରଣ ତୋ ଆଖିର ଲୁହ ମୁଁ ଜମା ଦେଖିପାରେନା ବୋଲି ତୁ ଭଲ ଭାବରେ ଜାଣୁ l ଆଉ କାନ୍ଦିବୁ ମଧ୍ୟ କାହିଁକି? ମୁଁ ସିନା ସଶରୀରେ ତୋ ପାଖରେ ନଥିବି କିନ୍ତୁ ମୋ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସବୁ ବେଳେ ତୋ ସହ ଥିବ l ମଣିଷ ସିନା ମରିଯାଏ କିନ୍ତୁ ତା ଭଲପାଇବା କଣ କେବେ ମରେ? ଭିଡ ଭିତରୁ ବାହାରି ତୁ ଯେବେବି ଏକୁଟିଆ ରହିବୁ ମୋତେ ନିହାତି ତୋ ପାଖରେ ପାଇବୁ l ଆଉ ତୋ ଭିତରେ ଖାଲି ପ୍ରତିଧ୍ଵନିତ ହେଉ ଥିବ ମୋର ସେଇ ଶବ୍ଦ ଯାହା ମୁଁ ତୋତେ ସବୁବେଳେ କହେ - 'କିଛି ବ୍ୟସ୍ତ ହେ ନାଁ ମୁଁ ପରା ତୋ ପାଖରେ ଅଛି' l 

  ଚିଠିଟି ପଢି ସୁନିତା ଭିତରେ ପୂଞ୍ଜିଭୂତ ହୋଇ ଥିବା ଅଭିମାନ ସବୁ ନିମିଷକେ ତରଳି ଗଲା ଆଉ ସେ ଚିତ୍କାର କରି କାନ୍ଦି କାନ୍ଦି ସୁପ୍ରଭା ଉଦ୍ଦେଶ୍ୟରେ କହିବାକୁ ଲାଗିଲା

' - - - - Deviation of commitment is very bad'----



Rate this content
Log in

Similar oriya story from Tragedy