STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୩୫

ଆକବର ବିରବଲ - ୩୫

2 mins
15.1K


ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର

ଦିନେ ମହାରାଜ ଆକବରଙ୍କର ଦରବାର ଚାଲିଥାଏ । ନାନାଦି ସମସ୍ୟା ସଂପର୍କରେ ରାଜା ପଚାରି ବୁଝୁଥାଆନ୍ତି । ରାଜାଙ୍କର ତ’ ପ୍ରତିଦିନ ବିରବଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଅଭ୍ୟାସ । ସେ ଦିନ ବା’ କେମିତି ବାଦ ଯିବ । ରାଜା ହଠାତ୍ ତାଙ୍କର ସଭ୍ୟମାନଙ୍କୁ କହିଲେ, “ମହାଶୟ! ଆଜି ଏକ ଅଦ୍ଭୁତ ଘଟଣା ଘଟିଗଲା । ଘଟଣାଟି କ’ଣ ନା, ମୁଁ ଶୋଇଥିବା ସମୟରେ କେହି ଜଣେ ଆସି ମୋ ଦାଢିକୁ ଟାଣୁଥିଲା । ଆପଣମାନେ ତ’ ସମସ୍ତେ ବିଜ୍ଞ ପଣ୍ଡିତ । ଆପଣମାନେ ବିଚାର କରନ୍ତୁ ଦାଢି ଟାଣୁଥିବା ବ୍ୟକ୍ତିକୁ କି ପ୍ରକାର ଦଣ୍ଡ ଦିଆଯିବ?”

ରାଜାଙ୍କ କଥା ଶୁଣିବାପରେ ସଂଗେ ସଂଗେ ଜଣେ ମନ୍ତ୍ରୀ ଠିଆ ହୋଇ ପଡି କହିଲେ, “ମହାରାଜ! ଯେଉଁ ଲୋକ ଏପରି କୁକାର୍ଯ୍ୟ କରିବାକୁ ଚେଷ୍ଟା କରିଛି ତାକୁ ଆପଣ ହାତୀ ପାଦତଳେ ପକାଇ ଦିଅନ୍ତୁ ।” ଅନ୍ୟ ଜଣେ ସଂଗେ ସଂଗେ ଠିଆ ହୋଇ ପଡି କହିଲା, “ମହାରାଜ! ଏ ପ୍ରକାର ଅପକର୍ମ କରିଥିବା ବ୍ୟକ୍ତିର ହାତ ହାଣିଦେବା ଦରକାର୍ ।” ଏହାପରେ ଆଉ ଜଣେ ଉଠିପଡି କହିଲା ଏପରି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବା ଆବଶ୍ୟକ । ଏହିପରି ଜଣେ ଜଣେ ସେମାନଙ୍କର ମନ୍ତବ୍ୟ ଦେଇ ଚାଲିଥାଆନ୍ତି । ବିରବଲ କିନ୍ତୁ କାହାକୁ କିଛି ନକହି ଚୁପ୍ଚାପ୍ ବସିଥାଆନ୍ତି । ଶେଷରେ ରାଜା ବିରବଲଙ୍କର ଉତ୍ତର ଜାଣିବାକୁ ଚାହିଁଲେ । ବିରବଲ ହସି ହସି ଉତ୍ତର ଦେଲେ, “ମହାରାଜ! ଅପରାଧୀମାନଙ୍କୁ ପ୍ରଥମେ ଆପଣ ଆଦର କରନ୍ତୁ ଏହାପରେ ସେମାନଙ୍କୁ ମିଠା ଖାଇବାକୁ ଦିଅନ୍ତୁ ।”

ବିରବଲଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଆକବର କହିଲେ, “ବିରବଲ! ତୁମେ କ’ଣ କହୁଛ ତାହା ନିଜେ ଜାଣିପାରୁଛ ତ’?” ବିରବଲ କହିଲେ, “ମହାରାଜ! ଆଜି ପର୍ଯ୍ୟନ୍ତ ମୁଁ କୌଣସି ଉତ୍ତର ବିନା ଭାବିଚିନ୍ତି ଦେଇନାହିଁ । ଆପଣଙ୍କ ନାତି ନାତୁଣୀ ବ୍ୟତୀତ ଆଉ କିଏ ଏ ପ୍ରକାର ଦୁଃସାହସିକ କାର୍ଯ୍ୟ କରିପାରିବ ।” ପ୍ରକୃତରେ ସେଦିନ ଆକବରଙ୍କ ନାତି ନାତୁଣୀମାନେ ତାଙ୍କ ସହିତ ଖେଳୁଥିଲେ । ବିରବଲଙ୍କ କଥା ଶୁଣି ଆକବର ହସିଦେଲେ ଏବଂ ମନେ ମନେ ବିରବଲଙ୍କ ଚତୁରତାର ପ୍ରଶଂସା କରୁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children