STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୨

ଆକବର ବିରବଲ - ୨

2 mins
15.3K


କୁଆ ଗଣତି

ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ଖୁସିମନରେ ବିରବଲଙ୍କୁ ମନ୍ତ୍ରୀପଦରେ ଅଭିଷିକ୍ତ କଲେ ।

ବିରବଲ ତ’ ଯେମିତି ବିଦ୍ୟାବୁଦ୍ଧିରେ ପ୍ରବୀଣ ସେମିତି ମଧ୍ୟ ଚାଲାକ୍, ଚତୁର । ଦିନକୁ ଦିନ ତାଙ୍କର ଯଶ ଖ୍ୟାତି ବ୍ୟାପିବାକୁ ଲାଗିଲା । ସେ ମୁଖ୍ୟତଃ ତାଙ୍କର କୌତୁକିଆ କଥା, ଥଟ୍ଟା, ମଜା ପାଇଁ ଘରେ ଘରେ ପରିଚିତ ହେଲେ । ଦିନେ ଆକବରଙ୍କ ଦରବାରକୁ ପଡୋଶୀ ରାଜ୍ୟର ଜଣେ ପଣ୍ଡିତ ଆସି ପହଁଚିଲେ । ବିରବଲଙ୍କର ଚତୁରତା କଥା ତ’ ଚାରିଆଡେ ବ୍ୟାପି ଯାଇଥାଏ । ପଣ୍ଡିତ ଜଣକ ବିରବଲଙ୍କୁ କହିଲେ – “ତୁମେ ଯଦି ମୋ ଠାରୁ ବିଦ୍ୱାନ, ପଣ୍ଡିତ, ମହାଜ୍ଞାନୀ, ତା’ହେଲେ ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ କି? ମୁଁ ଜାଣିବାକୁ ଚାହେଁ ଯେ ଆପଣଙ୍କ ସହରରେ କେତେ କୁଆ ବାସ କରୁଛନ୍ତି?”

ପଣ୍ଡିତଙ୍କ ପ୍ରଶ୍ନ ଶୁଣି ବିରବଲ କହିଲେ, “ମହାଶୟ! ମୋତେ ଆପଣ ଗୋଟିଏ ଦିନ ସମୟ ଦିଅନ୍ତୁ । ମୁଁ ଆସନ୍ତା କାଲି ଏହାର ଉତ୍ତରଦେବି ।” ବିରବଲଙ୍କ କଥା ଶୁଣି ମହାରାଜ ମଧ୍ୟ ଚିନ୍ତାରେ ପଡିଗଲେ । ବିରବଲଙ୍କୁ କହିଲେ – “ବିରବଲ! ତୁମେ ମୋ ଦରବାରରେ ଥିବା ଚତୁର ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ । କିନ୍ତୁ କୁଆ ମାନଙ୍କର ସଂଖ୍ୟା ଗଣିବା କିପରି ସମ୍ଭବ?” ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ କେବେବି ମୋ ରାଜ୍ୟର ସମ୍ମାନ ତଳେ ପକାଇ ଦେବି ନାହିଁ ।”

ପରଦିନ ପଣ୍ଡିତ ବ୍ୟକ୍ତି ଜଣକ ବିରବଲଙ୍କୁ ପଚାରିଲେ – “କଣ ମହାଶୟ! ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ?” ସଂଗେ ସଂଗେ ବିରବଲ ଉତ୍ତର ଦେବାକୁ ଯାଇ କହିଲେ, “ମହାଶୟ! ଆମ ସହରରେ ପ୍ରକୃତରେ ୪୭,୮୩୫ଟି କୁଆ ବାସ କରୁଛନ୍ତି । ବିରବଲଙ୍କ କଥା ଶୁଣି ମହାରାଜ ଆକବର, ତାଙ୍କର ସଭାରେ ଉପସ୍ଥିତ ଥିବା ସମସ୍ତ ପାରିଷଦ ବର୍ଗ ଆଶ୍ଚର୍ଯ୍ୟ ହୋଇଗଲେ । ପଣ୍ଡିତ ଜଣକ ବିରବଲଙ୍କ କଥା ଶୁଣି କହିଲେ, “ମୁଁ କେମିତି ତୁମ କଥାରେ ବିଶ୍ୱାସ କରିବି?” ପଣ୍ଡିତ ଜଣଙ୍କର କଥା ଶୁଣି ବିରବଲ କହିଲେ – “ମହାଶୟ! ମୁଁ ଆମ ସହରରେ ଯେତେ କୁଆ ଅଛନ୍ତି ସମସ୍ତଙ୍କୁ ଗଣିଛି । ଏମାନଙ୍କ ମଧ୍ୟରୁ କେତେଜଣ ବିଦେଶକୁ ସେମାନଙ୍କର ସଂପର୍କୀୟମାନଙ୍କ ପାଖକୁ ମଧ୍ୟ ଯାଇଛନ୍ତି । ଆପଣଙ୍କର ମୋ କଥାରେ ଯଦି ସନ୍ଦେହ ହେଉଛି ଆପଣ ନିଜେ ଗଣିପାରନ୍ତି ।”

ବିରବଲଙ୍କ କଥାଶୁଣି ପଣ୍ଡିତ ମହାଶୟ ଆଉ କହିବେ କ’ଣ? ସେ ବା’ ସେଠାରେ କିପରି କୁଆ ଗଣିବେ? ବିରବଲଙ୍କ କଥାକୁ ସ୍ୱୀକାର ନକରି ଅନ୍ୟ କିଛି ବାଟ ନାହିଁ । ଶେଷରେ ସେ ବିରବଲଙ୍କ କଥାକୁ ସ୍ୱୀକାର କଲେ, ଏବଂ ନିଜର ଭୁଲ୍ ବୁଝିପାରି ବିରବଲଙ୍କ ନିକଟରେ କ୍ଷମା ମାଗିଲେ ।

ବିରବଲଙ୍କ ଚତୁରତା ଓ ବୁଦ୍ଧିମତା ପାଇଁ ମହାରାଜ ଆକବର ଖୁସି ହୋଇ ନାନାଦି ମୂଲ୍ୟବାନ ପୁରସ୍କାର ବିରବଲଙ୍କୁ ପ୍ରଦାନ କଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children