ତୁମେ ମଣିଷ ନା ପଥର
ତୁମେ ମଣିଷ ନା ପଥର


ପଚାରି ପଚାରି ଥକି ପଡ଼ିଲିଣି
ଦେଉନା କୌଣସି ଉତ୍ତର
ସେଥିପାଇଁ ଭାବିବାକୁ ହୁଏ ବାଧ୍ୟ
ତୁମେ ମଣିଷ ନା ପଥର ।
ଏମିତି ରୂପ ତ ନଥିଲା କେବେ ବି
ଥିଲା ଦୟା ସ୍ନେହ ହୃଦୟେ
କେଉଁ ଭୁଲ୍ ଯୋଗୁ ଅନୁଶୋଚନାରେ
ରହିଛ ପଥର ପରାୟେ ।
ପିଲାଟିଏ ସିନା ଦଣ୍ଡର ଭୟରେ
ତ୍ରୁଟିରେ ତୁଣ୍ଡ ନ ଖୋଲଇ
ବୁଝିବାସୁଝିବା ବୟସରେ କିଏ
ଶିଶୁ ସମ କ'ଣ ହୁଅଇ ।
ଦୁଃଖ ଦେଲେ ବାଣ୍ଟି ଆଶ୍ବାସନା ଧୂପ
ଭେଦି ଯିବ ସିନା ଅନ୍ତର
ନ ବୋଲିଲେ କିଛି କିଏ ବା ଜାଣିବ
କଅଣ ହୋଇଛି ତୁମର ।
ହୁଏ ନାହିଁ ସମସ୍ୟାର ସମାଧାନ
ଥିଲେ ଏମିତି ନିରୁତ୍ତର
ମୋ ରାଣ ଦେଉଛି କହିଦିଅ ପ୍ରିୟ
କାରଣ ନୀରବି ଯିବାର ।
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହଇ
ତାହା ବୋଲି କ'ଣ ଚଳତ୍ ଶକ୍ତିହୀନ
ପଥର ପରି କେ ରହଇ ।