ତାଙ୍କ ପାଖୁ କେବେ ଯାଅନା
ତାଙ୍କ ପାଖୁ କେବେ ଯାଅନା
ଯିଏ ସବୁବେଳେ ଆସି ତୁମ ପାଖେ ବସି ଏଣୁ ତେଣୁ କରି ଗପଇ
ୟା ତା ବିରୁଦ୍ଧେ ସର୍ବଦା କହି ନିର୍ଦୋଷ ବୋଲି ନିଜକୁ ଦିଅଇ ସଫେଇ ,
ସାଙ୍ଗ ସାଥିଙ୍କର ପ୍ରଶଂସା ଶୁଣିଲେ ହିଂସାରେ ସଦା ଜଳଇ
ଏହି ପରି ସାଙ୍ଗ ପାଖରେ ରହିଲେ ଶାନ୍ତି କି କେବେ ମିଳଇ ,
ତାଙ୍କ ପାଖୁ କେବେ ଯାଅନା
ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |
ମିଠା କଥା କହି ଯିଏ ତୁମକୁ ଫସାଏ ସ୍ୱାର୍ଥ ହାସଲ ପାଇଁକି
ମୁନାଫା ସକାଶେ କରଇ ପ୍ରଶଂସା ତୁମ ଘରେ ସଦା ଯାଇକି ,
କିଛି ନ ମିଳିଲେ ସ୍ଵାର୍ଥେ ବାଧା ହେଲେ ହିଂସା ପରାୟଣ ହୋଇକି
ମରଣ ମୁହଁକୁ ପେଲି ଦେବା ପାଇଁ ପଛ ଘୁଞ୍ଚା ଦିଏ ନାହିଁକି ,
ତାଙ୍କ ପାଖୁ କେବେ ଯାଅନା
ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |
ସମ୍ପଦରେ ସର୍ବେ ହୋଇଯାନ୍ତି ବନ୍ଧୁ ବିପଦେ ନଥାନ୍ତି କେହିକି
ସଂକ୍ରମିତ ଏହି ମହାମାରୀ ବ୍ୟାଧି ଯା ପାଇଁ ଔଷଧ ନାହିଁକି ,
ବେଳୁ ସାବଧାନ ନ ହୋଇଲେ ତୁମେ ଗୋଡ ଖସିଯିବ ତହିଁକି
ପଙ୍କିଳ ଅଟଇ ସେହି ଗତି ପଥ ଫେରିବା ଉପାୟ ନାହିଁକି ,
ତାଙ୍କ ପାଖୁ କେବେ ଯାଅନା
ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |
ସଚ୍ଚା ବନ୍ଧୁଟିଏ ମିଳୁ ବା ନମିଳୁ ବିବ୍ରତ ନହୁଅ ତହିଁକି
ସାବଧାନ ରୁହ କୁସଂଗିଠାରୁ ଦୁରେଇ ରହିବ ପାଇଁକି ,
ମାନିଲେ ତୁମର ମଙ୍ଗଳ ହେବ ଲେଖିଦେଲି ମୁହିଁ ଏତିକି
ନମାନିଲେ ତୁମ ପରିଣାମ ପାଇଁ ଦାୟୀ ହେବ କିଏ କାହିଁକି ,
ତାଙ୍କ ପାଖୁ କେବେ ଯାଅନା
ଖସି ଆସ ଭାଇ ବିପଦକୁ ତୁମେ ହାତ ଠାରି ଆଉ ଡାକନା |
ଶୈଳେନ୍ଦ୍ର କୁମାର ପତି
