ସ୍ଥିରୀକୃତ ଲକ୍ଷ୍ୟ ଓ ସଫଳତା
ସ୍ଥିରୀକୃତ ଲକ୍ଷ୍ୟ ଓ ସଫଳତା
ଲକ୍ଷ୍ୟ କରି ସ୍ଥିର ହୁଅ ଆଗୁସାର
ମନରେ ନ ରଖ ଦ୍ୱିଧା
ସେଥିରୁ ବିଚ୍ୟୁତ ନ ହୋଇବା କେବେ
ଆସୁ ଯେତେ ଘୋର ବାଧା ।।
କେବେ ହରାଅନି ଧୈର୍ଯ୍ୟ ଓ ସାହସ
ବଦଳାଅ ନାହିଁ ଆଦର୍ଶ
ଯେତେ ଝଡ ଝଞା ଆସୁ ଏ ଜୀବନେ
ହୁଅନାହିଁ କେବେ ଅଧୈର୍ଯ୍ୟ ।।
ଦୁର୍ବଳ କରନା ନିଜ ମନୋବଳ
ସ୍ଥିର କର ଲକ୍ଷ୍ୟ ସ୍ଥଳ
ହୋଇବ ସଫଳ ନିଶ୍ଚେ ଏ ଜୀବନେ
ହୁଅ ନାହିଁ ଟଳମଳ ।।
ଦୁର୍ବଳ ଦେଖିଲେ ସମସ୍ୟା ଗ୍ରାସିବ
ପରିସ୍ଥିତି ହେବ ଜଟିଳ
ସବଳ ହୋଇଲେ ସମସ୍ୟା ନ ଆସେ
ପଥ ହୁଏ ଅନୁକୂଳ ।।
ମନରେ ସ୍ଥିରତା ଥିବ ଯଦି ରଖି
ସବୁ କିଛି ହୁଏ ଆହ୍ୱାନ
ସଫଳତା ପାଇଁ ଆଜ୍ଞାଧୀନ କରି
ରଖ ଆପଣାର ମନ ।।
ଚେଷ୍ଟା ଜାରି ରଖ ଅବିରତ ଭାବେ
ମନକୁ କରିଣ ଶାନ୍ତ
ସୀମା ସରହଦ ଡିଅଁ ନାହିଁ କେବେ
ସର୍ବଦା ହୁଅ ଜାଗ୍ରତ ।।
ସୁଶାନ୍ତ ପ୍ରଧାନ
ବନ୍ଧହୁଡା
ନରସିଂହପୁର କଟକ