ସମର୍ପଣ
ସମର୍ପଣ
କିଏ ତୁମେ ମୋର
କିପରି ବନ୍ଧନ
ପାଏ ନାହିଁ ଭାବ ପ୍ରିୟତମ ।
ହେଲେ ସ୍ପନ୍ଦନରୁ
ତୁମରି ମୂର୍ଚ୍ଛନା
ଆନମନା କରେ ପ୍ରତିକ୍ଷଣ ।
ଭିଜା ଶିହରଣେ
ଭାବ ପ୍ରବଣତା
ପ୍ରଗଳ୍ଭ କରଇ ମନପ୍ରାଣ ।
ବିମୁଗ୍ଧେ ବତୁରି
ଵିହରେ ତୋ ପ୍ରେମେ
ଚିନ୍ତା ଚେତନାରେ ଆକର୍ଷଣ ।
ମେଘରେ ଖୋଜେ ମୁଁ
ବାଦଲରେ ଖୋଜେ
ଖୋଜଇ ତୁମକୁ ଶୂନ୍ୟାକାଶେ ।
ସପ୍ତରଙ୍ଗୀ ଇନ୍ଦ୍ରଧନୁ
ତୁମେ ମୋର କେଉଁଠି ?
ଅଛ ମୋ ପାଶେପାଶେ ।
ଫଗୁଣରେ ତୁମେ
ଶ୍ରାବଣରେ ତୁମେ
ହସଲୁହେ ମୋର ଭାଗିଦାର ।
ଶୂନ୍ୟ ପ୍ରାଣ ମୋର
ପୂର୍ଣ୍ଣେ ଭରି ଦିଅ
ଝୁରେ ପ୍ରାଣପକ୍ଷୀ ପ୍ରତିବାର ।
ଜୀବନେ ବି ତୁମେ
ଯନ୍ତ୍ରଣାରେ ତୁମେ
ତୁମେ ବି ଆସ ମୋ ସ୍ୱପ୍ନଧାରେ ।
ହେ ଅଦୃଶ୍ୟ ସତ୍ତା
ଅଧ6ର୍ଯ୍ୟ ହଜେ ମୁଁ
ବାରମ୍ବାର ତୁମ ପ୍ରତୀକ୍ଷାରେ ।
ସମୟର ସ୍ରୋତେ
ଭାଗ୍ୟ ପଦାଘାତେ
ହାରିଯାଏ ଯେବେ ଭଙ୍ଗା ମନ ।
ଅଜଣା ଅତିଥି
କିଏ ପଶିଆସି
ସଜାଡି ଦିଏ ମୋ ସତ୍ତାଚିହ୍ନ ।
ଘେନ ପ୍ରିୟତମେ
ଜୀବନର ଯେତେ
ପୂଣ୍ୟ ସମ୍ପତ୍ତିର ସମର୍ପଣ ।
ଅଣଚାଶ ବାୟୁ
ଅଣାୟତ୍ତ ହୁଏ
କେବେ ଧରାଦେଵ ଜୀବଧନ ।
