ସମ୍ପର୍କର ନଦୀ ତୀରେ
ସମ୍ପର୍କର ନଦୀ ତୀରେ
ଦେବକୀ କହେ ଯଶୋଦା
ହୋଇଲୁକି ବାଇ,
କାହ୍ନୁକୁ ପାଶୋରି ପକା
ମଥୁରା ସେ ଯିବ ନାହିଁ ।
ଧରିବାକୁ ଚାହିଁବୁନି
ସେପରା ମୋର ରକତ
ସାତ ସାଗର ଡେଇଁ ଆସିବ
ପାଇବ ନାହିଁ ତୋ ହାତ ।
ସ୍ମିତ ହସି ଯଶୋମତୀ
କହନ୍ତି ସାଦରେ
ରକତ ଠାରୁ ଶକତ
ସ୍ନେହ ସମ୍ପର୍କରେ ।
ମନେପକା ଅତୀତକୁ
ତୋ ରକତ ଦେଇ କାରାବାସ
କେତେ କେତେ ଗର୍ଭ ତୋର
କରିଛି ବିନାଶ ।
ଅଧୀରେ ଲୁହଝରାଇ
କହଇ ଦେବକୀ,
ଶୂନ୍ୟ କୋଳ ଶୂନ୍ୟ ମୋର କୁଳ
ନଯାକାହିଁ ବାସୁଦେବ
ମୋ କଥା ଶୁଣିଯା ତୁହି ।
ଛଳଛଳ ସଜଳ ନୟନେ
ଯଶୋମତୀ ବାହୁନନ୍ତି,
ଫେରିଆରେ ଶ୍ୟାମଘନ
ତୁପରା ମୋ ଜୀବର ଜୀବନ
ହାରିବି ଏ ପ୍ରାଣ ନିଶ୍ଚେ
ଧନରେ ତୋହରି ବିନେ ।
ବେଗେ କାହ୍ନୁ ଯଶୋମତୀ
ମାଆକୁ ଜାବୁଡି
ଯଶୋଦାକାହ୍ନୁର ଆଉ
କାହ୍ନୁ ଯଶୋଦାର
ତୋତେ ମୁଁ ଯିବିନି ଛାଡି ।
ଏ ଜଗତ ବନ୍ଧା ପରା
ସ୍ନେହ ,ପ୍ରେମ ବନ୍ଧନରେ
ହାତଧରି ଚାଲୁଥିବା ସଦା
ସମ୍ପର୍କର ତୀରେ ।