ଶିତେଇ ସଞ୍ଜଟି
ଶିତେଇ ସଞ୍ଜଟି
ଶିତେଇ ସଞ୍ଜଟି ଫୁଲେଇ ଲାଜେଇ
ଭିଡ଼ି ନେଲା ପଛଆଡ଼ୁ
ପଣତ ଉହାଡ଼େ ଲୁଚିଲେ ସୁରୁଜ
: ରାତି ଆସେ ବାଡ଼କଡୁ ।
କୁହୁଡି ସଂଜଟି ଧୂଆଁ ଧୂଆଁ କରି
ନଇଁ ଆସେ କ୍ଷେତମାଳୁ
ଘର ପଛ ଆଗ ଫୁଲର ସରାଗ
ସୁବାସିତ ଗଛଫାଳୁ ।
କୋହଲା ସଂଜଟି ବଇରୀ ସାଜିଛି
ହେମାଳ ଆପାଦ ମସ୍ତକ
ସଂଜବତି ଧରି ଚାଲେ ଡରି ଥରି
ହାତ ବଳୟେ ଅଟକ ।
ଗୋଧୂଳୀ ସଂଜଟି ରୋଷିଛି ରାଗିଛି
ଶ୍ରୀଅଙ୍ଗେ ରାଗ ଝଙ୍କାର
କାଲୁଆ ପବନ ଛୁଏଁ ଛାତି କର୍ଣ୍ଣ
ଦମନ ବାଣେ ଜର୍ଜର ।
ମୁକୁଳା ସଂଜଟି ଭାରୀ ଫଟଫଟି
କଂପନ ଆଣେ ବୟସୀ
ହାତ ଶଙ୍କିଯାଏ ଛୁଇଁ ପାଣି ଧିରେ
ମୁଷ୍ଟିବନ୍ଧ ହସ୍ତ ବେସି ।
କୁଆଁରୀ ସଂଜଟି ଭାରି ଲାଜକୁଳି
ଫୁଲ ଚାଦର କୋଳେ
ଅଧା ହସ୍ତ କାଢି କର୍ମ କରେ ବଢି
ଗୁରୁବାର ମୁରୁଜ ତୋଳେ ।
ସୁନ୍ଦରୀ ସଂଜଟି ଗୋଳେଇ ଚକଟି
ଅଙ୍ଗ ଭଙ୍ଗୀ ରମଣୀୟା
ପାଶେ ବସି ବାସି ମନରେ ମନାସୀ
ଉଦାସୀ ପ୍ରେୟସୀ ପ୍ରୀୟ। ।
ବଧୂଲି ସଂଜଟି ନହୁଲି ମହୁଲି
ମାଦକ ଭରେ ଯୌବନେ
ଚାରିକାନ୍ଥ ଘରେ ମରେ ଝୁରେ ସଖୀ
ଏକାନ୍ତେ କାନ୍ତ ବିହୁନେ ।
ବେପଥୁ ସଂଜଟି ଗୁମାନେ ଗୋପନେ
ବଳକା ଆୟୁଷ ସାରେ
ମାନ ଅଭିମାନେ ଶୟନେ ସ୍ୱପନେ
ବିଳାପେ ରୋଦନେ ମରେ ।
ବୟସୀ ସଞ୍ଜଟି ଗୁମୁରି ସୁମରି
ସପନ ଗଡେଇ ଦିଏ
ଜୀବନ ସଳିତା ମିଞ୍ଜି ମିଞ୍ଜି ହୋଇ
ଗୋପତେ ହୃଦୟ ମୋହେ ।
