ଶୀତୁଆ ସଞ୍ଜ
ଶୀତୁଆ ସଞ୍ଜ
ସୁରୁଜ ଲୁଚିଲେ ପାହାଡ଼ କୋଳରେ
ମାଡ଼ି ଆସେ କଳା ଛାଇ।
ଗାଆଁ ଦାଣ୍ଡ ଧୂଳି ଉଡ଼ାଇ ଫେରନ୍ତି
ହମ୍ବା ଡାକ ଦେଇ ଗାଈ।
ଧାଡ଼ି ଧାଡ଼ି ହୋଇ ନୀଡ଼କୁ ବାହୁଡେ
ନୀଳ ଆକାଶରେ ପକ୍ଷୀ।
କିଚିରି ମିଚିରି ଶବଦେ ତାଙ୍କର
ମନ ଯାଇଥାଏ ଲାଖି।
ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ବୋହୂ
ସଞ୍ଜ ବତି ଜାଳି ଦିଏ।
ଦୂର ପରବାସି ମୋ ମନ ମଣିଷ
ଘରେ ଫେରୁ ବୋଲି କୁହେ।
ଗୁଡ଼ିଆ ଘରର ତେଲ କଡାଇରେ
ପାଣି ଲାଗି କରେ ଚାଇଁ।
ଆରିସା କାକରା ଦୁଇପୁଞ୍ଜା ଦିଅ
ଚାହିଁ ବସି ଅଛି ଆଈ।
ଚୁଲ୍ଲୀ ମୁଣ୍ଡେ ବସି ନାହାକ ମଉସା
ଛାଡ଼ୁ ଅଛି ବିଡି ଧୁଆଁ।
ଘରଣୀ ତାହାର ତାଟିଆରେ ବାଢ଼ି
ଧରାଇ ଦେଉଛି ଚାହା।
କୁନା କୁନି ବସି ଡ଼ିବିରି ଆଲୁଏ
ଧରି ପଢୁଛନ୍ତି ବହି।
କାଳିଆ ସିଂଘାଣି ପୋଛୁଥାଏ ମାଆ
କାନିକୁ ବଢାଇ ଦେଇ।
ଉସୁମୁ ପାଉଁଶ ଆବୋରି ସୋଇଛି
ଆମ ଘର ସଙ୍ଖୀ ବିଲୀ।
ଛୁଆଏ ତାହାର ଡଉଲ ଡାଉଲ
ଖୋଳି ଦେଉଥିଲେ ଛୁଲ୍ଲୀ।
ପଖାଳ ଦେହକୁ ଦୁଲୁକାଇ ଦିଏ
ପାଖରୁ ହଟାଇ ନେଲ!
ଗରମ ଭାତ କୋଳଥ ଡାଲି
ଦେହ ପାଇଁ ପରା ଭଲ।
ସେ କାଳ ଶୀତ ଆଉ ଏବେ କାହିଁ
ନାହିଁ ପରା ଶୀତ ସଞ୍ଜ।
ବୁଢ଼ୀ ମାଆ ଗପ ଚୂଲ୍ଲୀକୁ ଗଲାଣି
ମୋବାଇଲ ଟିଭି ଖୋଜ।