ପୁଣ୍ୟ ତିଥିରେ ଜାଗର ଜାଳିବି ଶିବ
ପୁଣ୍ୟ ତିଥିରେ ଜାଗର ଜାଳିବି ଶିବ
ଦେଵ ମହାଦେବ ଶିବ ସଦାଶିବ
ଆଦି ଦେଵ ମହେଶ୍ୱର
ସୋମ ଶନିବାର ବାର ଶିବଙ୍କର
ପୁଣ୍ୟ ତିଥି ସପ୍ତାହର ll
ପ୍ରତ୍ୟେକ ମାସର ପବିତ୍ର ବାସର
ପ୍ରତି ପକ୍ଷ ଚତୁର୍ଦ୍ଦଶୀ
ଭକ୍ତ କରେ ଜପ ଓଷା ବ୍ରତ ତପ
ଶିବ ନାମ ମନେ ଘୋଷି ll
ସଂସାର କଲ୍ୟାଣେ କଲେ ବିଷପାନ
ନୀଳକଣ୍ଠ ନାମ ବହି
ହୋଇଲେ ମୂର୍ଛିତ ଭକ୍ତ ଯେ ବ୍ୟଥିତ
ଉଜାଗରେ ସର୍ବେ ରହି ll
ଅଖଣ୍ଡ ଦୀପରେ ଉପାସନା କରେ
ପ୍ରଭୁ ନାମ ତୁଣ୍ଡେ ନେଇ
କୃଷ୍ଣ ଫାଲଗୁଣ ଚତୁର୍ଦ୍ଦଶୀ ଦିନ
ପ୍ରତି ବର୍ଷ ସାକ୍ଷୀ ହୋଇ ll
ଦେଵ ସତ୍ୟ ଶିବ ଓଁକାର ସ୍ୱରୂପ
ପବିତ୍ର ଜାଗର ଦିନ
ଉପବାସେ ଭକ୍ତ କରନ୍ତି ଯେ ବ୍ରତ
ରୁଦ୍ରଙ୍କର ପୂଜାର୍ଚ୍ଚନ ll
ଭଜନ କୀର୍ତ୍ତନ ନାମ ସଂକୀର୍ତ୍ତନ
ପଞ୍ଚାକ୍ଷରୀ ନାମାମୃତ
ଶିବଙ୍କ ପ୍ରୀତିରେ ଜାଗର ତିଥିରେ
ଶିବଙ୍କ ପାଦେ ଆଶ୍ରିତ ll