ପ୍ରକୃତି ସ୍ୱଭାବ
ପ୍ରକୃତି ସ୍ୱଭାବ
ମନୁଷ୍ୟ ପ୍ରକୃତି ହାବଭାବ ଦେଖି
ପ୍ରକୃତି ପାରୁନି ସହି,
ବଦଳାଉଅଛି ପ୍ରକୃତି ନିଜକୁ
ମନୁଷ୍ୟକୁ ତାଳ ଦେଇ ।
ପ୍ରକୃତି କୋଳରେ ଜନମି ମନୁଷ୍ୟ
ପ୍ରକୃତିରେ କଲା ଖେଳା,
ନିଜ ପ୍ରକୃତିର ବଶବର୍ତ୍ତୀ ହୋଇ
ରଚିଲା ତାଣ୍ଡବଲୀଳା ।
ପ୍ରକୃତି ରଚିଲେ ତାଣ୍ଡବ ତାହାକୁ
କିଏ ବା ପାରିବ ସହି ?
ଜନ ମନ ନିଜ ଠିକଣା ଧରୁନି
ସହି କି ପାରିବ ମହୀ ?
ଦେଖାଉଛି ତାର ପ୍ରକୋପ, ଦିନକୁ
ଦିନ ହେଉଛି ଅତିଷ୍ଠ,
ସଂହାରଲୀଳା ବା ଆଉ କେତେଦିନ
ଭୋଗିବ ମୂଢ ମନୁଷ୍ୟ ।
ତେବେ ବି ବଦଳୁନାହିଁ ମନୋଭାବ
ପ୍ରକୃତିର ବଶୀଭୂତେ,
ମହାମାନବ ସେ ଭାବୁଛି ନିଜକୁ
ରାଜୁତି କରିବ ମର୍ତ୍ତ୍ୟେ ।
ପ୍ରକୃତି ତାଣ୍ଡବେ ହେବ ଛାରଖାର
ମନୁଷ୍ୟ ଜୀବନ କେତେ,
ଲୀନ ହୋଇଯିବ ପ୍ରକୃତି ବକ୍ଷରେ
କିଛି ନାହିଁ ତାର ହାତେ ।
ଗର୍ବ ଅହଂକାର ଚୂର୍ଣ୍ଣ ହୋଇଯିବ
ପଡିବ ସେ ରସାତଳେ,
ଲିଭିଯିବ ଯେତେ ଅଭିପ୍ସା ତାହାର
ଉଦ୍ଭବ ମହୀମଣ୍ଡଳେ ।
ବେଳହୁଁ ସତର୍କ ନ ହେଲେ ମନୁଷ୍ୟ
ବାଘ ନିଶ୍ଚେ ଖାଇଯିବ,
ମିଛୁଆ ରାଧୁଆ ପରି ଡାକୁଥିବ
ସାହାରା କେହି ନ ହେବ ।
ଏକା ଆଧ୍ୟାତ୍ମିକ ଭାବ ହେବ ସାହା
ମନରେ ଉଦ୍ରେକ ହେଲେ,
ଅଦୃଶ୍ୟ ଶକ୍ତିର ପ୍ରଭାବ ପଡିବ
ଜୀବନଟା ଯିବା ବେଳେ ।