STORYMIRROR

Nibedita Mishraguru

Inspirational

3  

Nibedita Mishraguru

Inspirational

ପହିଲି ବର୍ଷା ଆସିଚି

ପହିଲି ବର୍ଷା ଆସିଚି

1 min
26.9K


ପହିଲି ବର୍ଷା ଆସିଚି

ଏଇ ଯେ ପହିଲି ବର୍ଷା ଆସିଚି
ଆକାଶରେ ଅନେକ ଘନ କଳା
ବାଦଲଙ୍କ ଭିଡ ପରି
ରକ୍ତର ପ୍ରତିଟି କଣିକାରେ ମୋର
ଅଜସ୍ର କ୍ୟାନ୍ସର ଭୂତାଣୁଙ୍କ ଭିଡ ।

ଏଇ ଯେ ପହିଲି ବର୍ଷା ଆସିଚି
ଝର୍କା ସେପାଖ ବର୍ଷାସ୍ନାତ ସବୁଜିମା
ଆଉ ଭିଜା ମାଟିର ବାସ୍ନା ମତେ
ଆନନ୍ଦରେ ବିଭୋର କରୁଚି।

ଏଇ ଯେ ପହିଲି ବର୍ଷା ଆସିଚି
ମୋ ବେଡ଼ ପାଖ ଝରକା ଫାଙ୍କ ଦେଇ
ଏଇ ଯେ ଡାକୁଚି ମତେ
ଆ' ଚାଲିଆ ଭିଜେଇ ଦେବି ମୁଁ ତୋତେ
ଯେମିତି ଘନ ଘନ ହାତ ଠାରି
ମୃତ୍ୟୁ ଡାକୁଚି ମତେ
ଆ ଚାଲିଆ, ଆଜି ଆଦରରେ
କୋଳେଇ ନେବି ମୁଁ ତୋତେ ।

ଏଇ ଯେ ପହିଲି ବର୍ଷା ଆସିଚି
ମୋର ଯନ୍ତ୍ରଣାସିକ୍ତ ଆର୍ତ୍ତ ଚିତ୍କାର ପରି
ଆକାଶରୁ ରହି ରହି ବିଜୁଳି ଘଡଘଡିର
ଶବ୍ଦ ପ୍ରତିଧ୍ୱନିତ ହେଉଚି।

ଏଇ ଯେ ପହିଲି ବର୍ଷା ଆସିଚି
ମୃତ୍ୟୁ ଶଯ୍ୟାରେ ଶୋଇ ଶୋଇ
ରିମ ଝିମ ବର୍ଷାର ନିଝୁମ ରାତିରେ
ପ୍ରିୟ ସାଥେ ମିଳନର ସ୍ଵପ୍ନ
ମୁଁ ଆଜି ବି ଦେଖୁଚି ।

ଏଇ ଯେ ମୋ ପାଇଁ ଶେଷତମ
ପହିଲି ବର୍ଷା ଆସିଚି
ବାରମ୍ବାର କେମୋଥେରାପି ଦ୍ୱାରା
କେଶହୀନ ସୀମନ୍ତରେ ମୋର
ତଥାପି ମୁଁ ସିନ୍ଦୂର ନାଇଚି
କଙ୍କାଳସାର ବାହୁରେ ମୋ
ସୁଦଶା ବ୍ରତ ବି ବାନ୍ଧିଚି
ଏଇ ଦେଖ, କୋଟରଗତ ମ୍ଳାନ ଆଖି
ମୋର ଏବେ ବି କେମିତି
ଅଜସ୍ର ସୁନେଲି ସ୍ଵପ୍ନରେ ଭରିଚି
ଏଇ ଯେ ମୋ ପାଇଁ ଶେଷତମ
ପହିଲି ବର୍ଷା ଆସିଚି ।

(କ୍ୟାନ୍ସରରେ ପୀଡିତା ଜଣେ ସ୍ୱର୍ଗୀୟା ଆତ୍ମୀୟାଙ୍କ ଉଦ୍ଦେଶ୍ୟରେ ଲିଖିତ )

ନିବେଦିତା ମିଶ୍ରଗୁରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational