ମୋ ରଥେ ସାରଥୀ
ମୋ ରଥେ ସାରଥୀ
ତୁହି କନ୍ଦାଉଛୁ ତୁହି ହସାଉଛୁ
ତୋର ମାୟା ତୋତେ ଜଣା।
ଗୋଟେ ଦ୍ୱାର ତୁହି ବନ୍ଦ କରିଦେଇ
ଖୋଲୁ ଯେ' କେତେ ଅଗଣା।
କି' ଲୀଳା କରି ତୁ' ଚାଲିଛୁ କାଳିଆ
ବୁଝି ପାରୁ ନାହିଁ ଜମା।
ଉଆଁସ ରାତିରେ ଅନ୍ଧାର ଭିତରେ
ଦେଖେଉ ତୁହି ଚନ୍ଦ୍ରମା।
ଭକତର ଡାକ ସର୍ବଦା ଶୁଣିଛୁ
ଏତିକି ଜାଣିଛି ମୁହିଁ।
ମୋ' ଜୀବନ ରଥେ ସାରଥୀ ହୋଇଥା
ହେ' ମୋର କଳା ଗୋସାଇଁ।
ମିଛ ଦୁନିଆଁରେ ତୁହି ଏକା ସତ
ଦାରୁବ୍ରହ୍ମ ଜଗନ୍ନାଥ।
ଜୀବ ଗଲା ବେଳେ ତୋତେ ଡାକୁଥିବି
ଯୋଡି ମୋର ଦୁଈ ହାତ।
ଭଣେ ତେଜସ୍ୱିନୀ ଶର୍ମିଷ୍ଠା ଭକ୍ତିରେ
ହେ' ମୋର କଳା ବାମନ।
ସତ୍ୟ ଯଦି ତୋର ପତିତପାବନ
ବୁଝିବୁ ନିଶ୍ଚେ ମୋ' ମନ।
କବି ତେଜସ୍ୱିନୀ ଶର୍ମିଷ୍ଠା ପଲାଇ।