ଖଜୁରୀ ଗଛର ଛାଇ
ଖଜୁରୀ ଗଛର ଛାଇ


କୋଡ଼ିଏ ବରଷ ପରେ ମେରୁ ତୋଟା
ଦେଖି ହେଲି ଆଚମ୍ବିତ
ବୃକ୍ଷ ହୀନ ଧରା ଭୀଷଣ ଖରାରେ
ସର୍ବ ଜନ ଆତଙ୍କିତ ।
ଶ୍ରୀହୀନ ତୋଟାକୁ ତୋଟା କି କହିବା
ହୋଇଛି ଟାଙ୍ଗରା ଭୂଇଁ
ସେହି ଦିନ ଥିଲା ଶହ ଶହ ବୃକ୍ଷ
ଆଜି ଗୋଟେ କିଆଁ ନାହିଁ?
ଛାୟା ଟିକେ ପାଇଁ ପ୍ରାଣୀ କାୟା ଖୋଜେ
ହେଉ ବଡ ଅବା ଛୋଟ
ପୃଥିବୀ ଉତ୍ତାପ ବଢି ଚାଲି ଅଛି
ସର୍ବେ ଆଜି ଛଟପଟ ।
ଖଜୁରୀ ଗଛର ଛାଇରେ ମଣିଷ
କେମିତି ଆଶ୍ରୟ ନେବ
ଘଡିକ ମଧ୍ୟରେ ଛାୟା ଯେ ତାହାର
ବାରମ୍ବା
ର ଘୁଞ୍ଚି ଯିବ ।
ତଥାପି ମଣିଷ ଚେତା ଫେରୁ ନାହିଁ
କରୁଛି ବୃକ୍ଷ ଛେଦନ
ଶେଷରେ କପାଳେ ହାତ ଦେଇ ନିଜେ
କରେ ଅରଣ୍ୟ ରୋଦନ ।
ସଡକ ଓ କୋଠା ନିର୍ମାଣ ସକାଶେ
କାଟନ୍ତି ସହସ୍ର ଦୃମ
ସ୍ବାର୍ଥନ୍ବେଷୀ ଲୋକ ଜଙ୍ଗଲ କାଟନ୍ତି
ଏ ଯେ ମହାପାପ କର୍ମ ।
ଘରଦ୍ବାର ପକ୍କା ରାସ୍ତାଘାଟ ପକ୍କା
ବୃକ୍ଷ ଲଗା ଅଣଦେଖା
ଭୂମଣ୍ଡଳ ଦିନେ ବିନାଶ ହୋଇବ
କିଏ ବା କରିବ ରକ୍ଷା !
କରେ ଅନୁରୋଧ ଗଛଟେ ଲଗାଅ
ଅତି ଆପଣାର କରି
ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ହେବ
ରଖ ଏ କଥା ସୁମରୀ ।