STORYMIRROR

Dhirendra Kumar Pradhan

Inspirational

3  

Dhirendra Kumar Pradhan

Inspirational

ଜୀବନ ଓ ମୁଁ

ଜୀବନ ଓ ମୁଁ

1 min
145

ଜୀବନର ରାସ୍ତା ନୁହେଁ ସମତୁଲ କେବେ ଖାଲ କେବେ ଢିପ

ଖାଲଢିପେ ଝୁଣ୍ଟି ହୋଇ ପଡେ ଉଠେ କଷ୍ଟ ଏ ଜୀବନ ଗପ।


ସର୍ବେ ସର୍ବ ସ୍ବାର୍ଥେ ବ୍ୟସ୍ତଛନ୍ତି ରହି ଅନ୍ୟ ପାଇଁ ବେଳ ନାହିଁ

ସମ୍ପର୍କ ଜଞ୍ଜାଳ ନୁହଁଇ ସରଳ କର୍ତ୍ତବ୍ୟ ମୁଁ କରୁଥାଇ।


ଥକାମାରି ମୁହିଁ ଦୀର୍ଘଶ୍ବାସ ନେଇ ଲକ୍ଷ ସ୍ଥଳ ଖୋଜୁଥାଇ

ଅର୍ଜୁନ ହୋଇକି ଯୁଦ୍ଧ କରୁଥାଇ କେବେ ପୁଣି କୃଷ୍ଣ ହୋଇ।


ଜୀବନ ରାସ୍ତା ରେ ଭୁଲ ନକରି ବି ଅପମାନ ସହିଅଛି

ତୁମରି ଚୋରି କୁ ମୁଣ୍ଡେଇ ନିର୍ଦ୍ଦୋଷ, ଅପରାଧୀ ପାଲଟିଛି ।


କପଟୀ କପଟ ବୁଝି ମୁଁ ପାରେନି ବୁଝିବାକୁ ବେଳ ନାହିଁ

ପ୍ରୟାସ କରେ ମୁଁ ଦୂରେ ରହିବାକୁ କିନ୍ତୁ ରହିପାରେ ନାହିଁ।


ନିର୍ଦ୍ଦୟୀ ହୋଇକି ପ୍ରତିଶୋଧ ନେବି ହୃଦ ତାର ଭାଙ୍ଗି ଦେଇ

ମାନ ଅଭିମାନ ସତ ରାଗ ସବୁ ଦେଖିଲେ ଯାଏ ମିଳେଇ।


ଅବାଟେ ନଯାଇ ସତପଥରେ ଯିବି ସତ ମୁହିଁ କହୁଅଛି

ଅହଂ ଜୁଆରରେ ଭଟ୍ଟା ମୁଁ ଆଣିବି ବିଶ୍ବାସ ମୋହର ଅଛି ।


କେବେ ଦିନେ ନିଜ ଭୁଲ ମାନିଯାଅ କ୍ଷମା ମୋତେ ମାଗ ନାହିଁ

ସେନେହେ ଆବେଗେ ହାତତ ବଢାଅ ସବୁ ଭୁଲିଯିବି ମୁହିଁ।


ଭୁଲି ମୁଁ ଯାଇନି ତୁମ ଦାନ ସବୁ ଋଣୀ ମୋର ମଥାନତ

ତୁମ ଅସମ୍ମାନ ଦୁଃସ୍ବପ୍ନ ମୋ ପାଇଁ ତଥାପି ତୁମେ ଅଶାନ୍ତ।


ମିଛ ଜିତି ଯାଏ ସତଠାରୁ ଏଠି ପ୍ରମାଣ ସଭିଏଁ ଚାହଁ

କେହିନାହିଁ ଏଠି କହିବାକୁ ପଦେ ନା ସେ ଏମିତି ନୁହଁ।


ଜୀବନ ସାରା ମୁଁ ମୁଣ୍ଡେ ବସାଇବି ତୁମ ମିଛ, ମୋତେ ସତ

ମଦ୍ର ନରେଶ ମୁଁ ଋଣ ସୁଝୁଥିବି ଅଧର୍ମ କୁ ଦେଇ ସାଥ।


କର୍ଣ୍ଣ ପରି ସାଥୀ ସଭିଏଁ ଚାହାଁନ୍ତି ଅଧର୍ମ ରେ ସାଥୀହେବ

ଶ୍ରୀକୃଷ୍ଣ ହେବାକୁ କେହି ରାଜି ନୁହଁ ସୁଦାମାର କଣ ହେବ?


ଜୀବନ ଜଞ୍ଜାଳ କେବେ ମରୁଭୂଇଁ କେବେ ପୁଣି ପାରାବାର

କେବେ କଣ୍ଟାଝଟା କେବେ ଫୁଲବନ କେବେ ପୁଣି ମାୟାପୁର।


କେବେ ଗ୍ରାସି ଯାଏ ଅବେଳରେ କାଳ କେବେ ଲାଗିଯାଏ ନିଆଁ

କେବେ ଭାଙ୍ଗିଦିଏ କେବେ ଯୋଡିଦିଏ କେବେ ପୁଣି ମିଠା ଛୁଆଁ।


ଜୀବନେ ସମ୍ପର୍କ ସବଳ ହୁଅଇ ଯାଚି ନିଃସ୍ବାର୍ଥ ପ୍ରେମକୁ

ହୃଦୟ ର କଥା ହୃଦୟ ବୁଝିଲେ ସମ୍ପର୍କ ଯୁଗଯୁଗକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational