ଝଡ ର ହୃଦୟ ଥିଲା
ଝଡ ର ହୃଦୟ ଥିଲା
ସତରେ ସେ ଘୁର୍ଣିଝଡ
କେତେବେଶି ଭୟଙ୍କର ଥିଲା !
ଘଡିକରେ ଛିନଭିନ୍ କରିଦେଲା,
ଜଙ୍ଗଲଠୁଁ ଜନପଦ,
ସବୁଆଡେ ଆଙ୍କିଦେଲା ପ୍ରଳୟର ଚିତ୍ର,
ଚାରିଆଡୁ ଶୁଭୁଥିଲା ଖାଲି ହାହାକାର ।
ତିନି-ପାଂଚ ପୁରୁଷ ପୁରୁଣା ,
ସେ ଯେଉଁ ବୁଢା ବରଗଛ !
ମୂଳ କଥା କିଏବା ପଚାରେ,
ଅଜଗର ପ୍ରାୟ ତା'ର କେତେଯେ ଓହଳ,
ପଥୁରିଆ ମାଟି ଛାତି ଚିରି,
କାହିଁକେତେ ଗଭୀରକୁ ମାରିଥିଲେ ଚେର।
ଦମ୍ଭିଲା ସେ ଗଛବି ଦୋହଲି ଗଲା
ନିର୍ଦ୍ଦୟ ଝଡପାଖେ ମାନିନେଲା ହାର୍।
ଏତେବେଶୀ ଭୟାନକ୍ ଥିଲା ସେଇ ଝଡ଼
ଟାଣିଭିଡି ମାଟିତଳୁ ସବୁଯାକ ଜଡ ,
ନିମିଷକେ ମାଟିରେ ଶୁଆଇ ଦେଲା ।
ଆକାଶକୁ ମାରି ଆଖିଠାର
ଅକ୍ଷତ ଯୌବନା ଷୋଡଶୀର,
ସମୁନ୍ନତ ତୀର୍ଯ୍ୟକ୍ ବକ୍ଷୋଜ ପ୍ରାୟ,
ସଗର୍ବେ ଦଣ୍ଡାୟମାନ,
ମାଳମାଳ ନଭଶ୍ଚୁମ୍ବୀ ଅଟ୍ଟାଳିକା ,
ଭୁଇଁପରେ ଆଉଜି ପଡିଲେ,
କ୍ଷୀର ଖିଆ କଅଁଳା ଛୁଆଙ୍କ ପରି,
ମୁହୂର୍ତ୍ତକେ; ଆଖି ପିଛୁଡାକେ।।
ଝଡପରେ କିଏବା କହୁନ'ଥିଲା,
ଭୟଙ୍କର ସେ ଅଦିନ ଝଡଟା
କେତେବେଶି ବେଦରଦୀ ଥିଲା !!
ମାତ୍ର ପରତେ ଯାଉନଥିଲା
ବରଗଛ ପାଖର ସେ ସରୁ ଗବଗଛ
ସମ୍ପୂର୍ଣ୍ଣ ଅକ୍ଷତ ଥିଲା,କହୁଥିଲା,
"ନାଁ, ସେ ଝଡର ବଡ଼ ହୃଦୟଟେ ଥିଲା"
ଝଡପରେ ବିଲକୁଲ୍ ଅକ୍ଷତ୍ ସେ
ଝାଟିମାଟି କୁଡିଆ ଘରଟା ବି
କହୁଥିଲା ସେଇ ଏକାକଥା
"ହଁ; ଝଡ ଖୁବ୍ ଭୟଙ୍କର ଥିଲା,
ମାତ୍ର ପରାକ୍ରମୀ ସେ ଝଡର ହୃଦୟ,
ଫୁଲପରି ଖୁଉବ୍ କୋମଳ ଥିଲା ,
ପରତେ ଯାଅ ବା ନ'ଯାଅ କେହି,
ମୁଁ କହିବି ଅନୁଭବ ମୋ'ର,
ବିଧ୍ଵଂସି ସେ ଝଡର ହୃଦୟଟେ ଥିଲା "।।