ହରି ଜନମ
ହରି ଜନମ
ଅତିଆର୍ତ୍ତେ କରଯୋଡ଼ି କାନ୍ଦେ ବସୁନ୍ଧରୀ l
ଦୁର୍ଗତି ଦୁଃସହ ହେଲା ରକ୍ଷା କର ହରି ll
ଜୀବକୁ କଷଣ ହେଲା ଧର୍ମ ଗଲା ନାଶ l
ସାଧୁ ଜନଙ୍କୁ ପୀଡ଼ୁଛି ଦୈତ୍ୟରାଜ କଂସ ll
ଆଶ୍ୱାସୀଲେ ଧରଣୀକୁ ଗୋଲକ ବିହାରି l
ନିଶ୍ଚୟ ହରିବି ଦୁଃଖ ଜମା ନାହିଁ ଡେରି ll
ଏତେବୋଲି ପ୍ରଭୁ ତହୁଁ ମର୍ତ୍ତ୍ୟକୁ ଚଳିଲେ l
ଦେବକୀମାତାର ଗର୍ଭେ ପ୍ରବେଶ ହୋଇଲେ ll
କଂସର କାରା କୋଠରୀ ଘୋର ଅନ୍ଧକାର l
ଆଲୋକରେ ଉଦ୍ଭାସିତ ଯେହ୍ନେ ଦିବାକର ll
ରୋହିଣୀ ନକ୍ଷତ୍ର ବୃଷରାଶିର ସଂଯୋଗେ l
ଭାଦ୍ର କୃଷ୍ଣ ଅଷ୍ଟମୀର ନିଶାକର ଯୋଗେ ll
ଦେବୀ ଦେବକୀ ମୂର୍ଛିତ ପ୍ରସବି ନନ୍ଦନ l
ଜନମି ଅଛନ୍ତି ନର ଦେହେ ନାରାୟଣ ll
ବେଗି ଚଳିଯାଅ ବସୁଦେବ ହେଲା ବାଣୀ l
ଗୋପେ ରଖି କନ୍ୟା ପାଲଟାଇ ଆଣ ପୁଣି ll
ଚାରି ମେଘ ବୃଷ୍ଟି ସଙ୍ଗେ ଚମକେ ବିଜୁଳି l
ଖୋଲିଲା ବସୁଦେବଙ୍କ ପାଦରୁ ଶିକୁଳି ll
ଶିରରେ ଧରିଲେ ବସୁଦେବ ଜଗନ୍ନାଥ l
କଟୁଆଳ ଉଗ୍ରସେନ ଓଗାଳିଲା ପଥ ll
ଦେଖାଇଲେ ଶିଶୁ କୃଷ୍ଣ ଶଙ୍ଖ ଚକ୍ର ଚିହ୍ନ l
ଉଗ୍ରସେନ ପଥ ଛାଡ଼େ ନମି ନାରାୟଣ ll
ମେଘରେ ତିନ୍ତନ୍ତି ଦେଖି ଜଗତର ନାଥ l
ଛତ୍ରପ୍ରାୟ ଫଣା ଟେକି ଢାଙ୍କିଲେ ଅନନ୍ତ ll
ପଥରେ ପୁଣି ଉଛୁଳା ଯମୁନା ପଡ଼ିଲା l
ଜଳ ଭାଗକରି ଯମଭଗ୍ନୀ ରାସ୍ତା ଦେଲା ll
ଶ୍ରୀକୃଷ୍ଣଙ୍କୁ ରଖିଦେଇ ଯଶୋଦାଙ୍କ କୋଳେ l
କନ୍ୟା ଧରି ବସୁଦେବ ଲେଉଟି ଅଇଲେ ll
ଗୋପ ପୁରେ ମଳୟ ବହୁଛି ମନ୍ଦ ମନ୍ଦ l
ନନ୍ଦର ଘରେ ଗୋବିନ୍ଦ ଯଶୋଦା ଆନନ୍ଦ ll
କେତେ ଲୀଳା ବାକି ଅଛି ପ୍ରଭୁ ଜନାର୍ଦ୍ଦନ l
ଅର୍ଜୁନୀ ଅଜ୍ଞାନ କରେ ଆନନ୍ଦେ ନର୍ତ୍ତନ ll