ହଜିଲା ଧନ
ହଜିଲା ଧନ
ମିଳିଯାଏ କେବେ ଭାଗ୍ୟରେ ଯୋଗକୁ
ଖୋଜିଲା ହଜିଲା ଧନ
ଲାଗେ କୋଟିନିଧି ପାଇଲା ପରାଏ
ଆନନ୍ଦ ହୁଅଇ ମନ ।
କହନ୍ତି ସୁଜନେ ହଜେ ନାହିଁ କେବେ
କଷ୍ଟଲବ୍ଧ ସତ ଧନ
ଝଟକି ଉଠଇ ପୋଡିଲେ ନିଆଁରେ
ଯେସନ ଶୁଦ୍ଧ ସୁବର୍ଣ୍ଣ ।
ଭାସଇ ଜଳରେ ଉଡଇ ପବନେ
ମାଟିରୁ ଉଠେ ଗଜୁରି
ସତ ଧନ କେବେ ହଜେ ମରେ ନାହିଁ
ଫୁଲଫଳେ ଉଠେ ଭରି ।
ମାତାପିତାଙ୍କର ଅମୂଲ୍ୟ ରତନ
ଜନ୍ମକଲା ପୁଅଝିଅ
ଘର ପରିବାରୁ କରଇ ବିଚ୍ଛିନ୍ନ
ସମୟ କରାଳ ସୁଅ ।
ହଜିଯାଏ ମନ ହୃଦୟ ଭ୍ରମରେ
ନିଜ ହୁଏ ସାତପର
ସ୍ୱାଧୀନ ସ୍ୱତନ୍ତ୍ର ବୋଲାଏ ମଣିଷ
ସ୍ୱପ୍ନେ ଗଢେ ବାଲିଘର ।
ଘୋର ବନସ୍ତରେ ବୁଲୁଥାଏ ହସ୍ତୀ
ହୋଇପାରେ ବଳବାନ
ରାଜାଙ୍କର ସିଏ ପରିସର ଭୁକ୍ତ
ସମୃଦ୍ଧି ସୁରକ୍ଷା ଧନ ।
ବିଧିର ବିଧାନ ଲାଗଇ ବିଚିତ୍ର
କିନ୍ତୁ ସତ୍ୟ ଆଧାରିତ
କଷ୍ଟ କଲେ କୃଷ୍ଣ ପୁଞ୍ଜି ସତ ଧନ
ଅବଶ୍ୟ ହୁଏ ଅର୍ଜିତ ।
