ବିଦ୍ୟାଳୟ
ବିଦ୍ୟାଳୟ
ଏକୁଟିଆ ଆଜି ଠିଆ ମୁଁ ହୋଇଛି
ନିଃସ୍ବ ପରାୟେ ହୋଇ
ଆଠ ମାସ ହେଲା ନିରବି ଯାଇଛି
କୋଳାହଳ ଶୁଭେ ନାହିଁ ।
କେତେ ଛାତ୍ର ଛାତ୍ରୀ ପଢୁଥିଲେ ପାଠ
ମୋ ଘରେ ବସି ନିଇତି
ଦିନ ସାରା ଏଠି ପାଠପଢା ଚାଲେ
କେତେ ଲୋକ ଆସିଯାନ୍ତି ।
ସେବକ ଭାଇ ମୋ ପରିଷ୍କାର କରେ
ଶ୍ରେଣୀଗ୍ରୃହ ଦାଣ୍ଡ ଦ୍ବାର
ଗଣି ଗଣି ଘଣ୍ଟା ବଜାଇ ଦିଏ ସେ
ପ୍ରତିଦିନ ଆଠ ଥର ।
ଦଶଟା ବେଳକୁ ପ୍ରାର୍ଥନା ଆରମ୍ଭେ
ଧାଡି ହୋଇ ପିଲାମାନେ
ବନ୍ଦନା କରନ୍ତି ସ୍ତୁତି ଗାଇଥାନ୍ତି
ସଭିଏଁ ଭକତି ମନେ ।
ଖେଳଛୁଟି ବେଳେ ଜଳପାନ କରି
ଖେଳନ୍ତି ମୋ ପଡିଆରେ
କବାଡି ବାଗୁଡି ଫୁଟ୍ ବଲ୍ ଖେଳ
ଲୁଚା ଲୁଚି କିଏ ଖେଳେ ।
ଘୋ ଘୋ ନାଦରେ ଉତ୍ଫୁଲିତ ହୋଇ
ମନମୋର ପୁରିଯାଏ
ଅଗଷ୍ଟ ପନ୍ଦର ଜନରାଜ୍ୟଦିବସେ
ପଡିଆଟା ଭର୍ତ୍ତି ହୁଏ ।
ଅତିଥି ଆସିଲେ କୁହନ୍ତି ପିଲାଙ୍କୁ
ନା ନା ଉପାଦେୟ ବାଣୀ
ସେ ବାଣୀକୁ ପିଲେ ପାଥେୟ କରିଲେ
ହୁଅନ୍ତି ଦେଶର ମଣି ।
ଶ୍ରୀ ଗଣେଶ ପୂଜା ସରସ୍ବତୀ ମାତା
ପୂଜା ହେଲେ ବିଦ୍ୟାଳୟେ
ନୂଆ ଡ୍ରେସ୍ ପିନ୍ଧି ପୂଜା କଲେ ମାତା
ଆଶିଷ ଅଜାଡି ଦିଏ ।
ଖେଳ କସରତ ପୂଜା ମହୋତ୍ସବ
ଆଠମାସ ହେଲା ମନା
ମୁହେଁ ମାସ୍କ ବାନ୍ଧ କାହାକୁ ଛୁଅଁନା
ମାଡିଯିବ ଯେ କରୋନା ।
ଗୁରୁଜୀ ଗୁରୁମା ପଢାଉ ଅଛନ୍ତି
ମୋବାଇଲି ଟିପି ପାଠ
ମୁରୁଖ ହୁଅନ୍ତି ପିଲାମାନେ ମୋର
ସେଥିପାଇଁ ମନ ଦୁଃଖ ।
ସାନିଟାଇଜର୍ରେ ହାତ ଧୋଇ ଧୋଇ
ଧଳା ପଡିଲାଣି ହାତ
ତଥାପି କରୋନା ଛାଡୁନି ଦେଶକୁ
ସରକାର ଅଣାୟତ୍ତ ।
କିପରି ବିଚାର କରେ ସରକାର
ଖୋଲିବାକୁ ବିଦ୍ୟାଳୟ
ନାହିଁ ପ୍ରତିଷେଧ ନାହିଁ ଓଉଷଧ
ପିଲା ଯିବା ପାଇଁ ଭୟ ।
ମୁରୁଖ ହୋଇବେ ଆମ ଭବିଷ୍ୟତ
ଛାତ୍ର ଛାତ୍ରୀ ଯେତେଛନ୍ତି
ପ୍ରଭୂ ଜଗନ୍ନାଥ ସାରା ସଂସାରକୁ
କରୋନାରୁ କର ମୁକ୍ତି ।
