ବାଉଁଶ
ବାଉଁଶ


ସରୁ ସରୁ ପତ୍ର ବକଳ ବାହାରେ
କେତେ ଡେଙ୍ଗା ଗଛ ତୁହି
ତୋ ବିନା କେହି ତ ତିଷ୍ଠି ପାରନ୍ତିନି
ଏଇ ଚରାଚର ମହୀ ।
ଜନମଠୁ ପୁଣି ମରଣ ପର୍ଯ୍ୟନ୍ତ
ଲୋଡା ହୋଇଥାଉ ତୁହି
ତୋ ବିନା ଜଗତ ନା ସୃଷ୍ଟି ସମ୍ଭବ
ନା ବଞ୍ଚି ପାରଇ କେହି ।
ଏନ୍ତୁଡି ଶାଳରେ ବାଉଁଶ ବତାରେ
ପିଲା ସେକା ଯାଇଥାଏ
ସେଇ ଉତ୍ତାପରେ ପିଲାର ଶରୀରୁ
ଥଣ୍ଡା ଜର ଦୂର ହୁଏ ।
ବାଉଁଶ ଜନମ କୋରଡ ସମୟେ
ତରକାରୀ କରାଯାଏ
ସେଇ ତରକାରୀ ଏତେ ସ୍ବାଦ ଭରା
ଜାଣେ ଯିଏ ଖାଇଥାଏ ।
ଏଇ ବାଉଁଶର କୁଲେଇ ଦେହରେ
ଅନେକ ଶୁଙ୍କ ଯେ ଥାଏ
ପିଲା ମାନେ ତାକୁ ଯତନରେ ବାଲି
ଦେହେ ଘଷିଣ ଛଡାଏ ।
ସେଇ କୁଲେଇର ସାହାଯ୍ୟରେ ସିଏ
ବାଲି ଖେଳ ଖେଳୁ ଥାଏ
ବାଲିକୁ ପାଛୋଡି ସରୁ ବଡ ବାଲି
ଗୋଡି ଅଲଗା କରାଏ ।
ମୋଟା ବାଲିରେ ସେ ଭାତ ରାନ୍ଧି ଦିଏ
ସରୁ ବାଲିରେ ସେ କ୍ଷୀରି
ସେଇ କୁଲେଇଟି ହୁଏ ତା ଭରସା
ମନେ ଖୁସି ଦିଏ ଭରି ।
ସେଇ ବାଉଁଶକୁ ହାଡି ଭାଇ ମାନେ
ପଇସା ଦେଇ କିଣନ୍ତି
କେତେ ସେ ସାମଗ୍ରୀ ତିଆରି କରିଣ
ଗାଆଁ ଗଣ୍ଡାରେ ବିକନ୍ତି ।
ବୋଝ, ଟୋକେଇ, କୁଲେଇ, ଡାଲା ଟୋପି
ଚାଳୁଧୁଆ ଆଦି କେତେ
ଅତି ଯତନରେ ତିଆରି କରନ୍ତି
ଧରି ସରୁପାତ ହାତେ ।
ତାର ବିନା ଚଷା ଭାଇଟି ନା କେବେ
ଅକ୍ଷି ମୁଠି ଧରି ପାରେ
ଚାଷର ପ୍ରଥମ ଦିନରେ ପରା ସେ
ଶୁଭ ଆରମ୍ଭ ସେ କରେ ।
ଧାନ କଟା ଶେଷ ହୋଇଯାଏ ଯେବେ
ପଡେ ଶେଷ ଶନିବାର
ଟୋକେଇ ଦେହରେ ଉଖୁଡାକୁ ନେଇ
କ୍ଷେତ ବଢାଏ ବିଲର ।
ସେଇ ଉଖୁଡାକୁ ସେଇ ତ ବିଲରେ
ପିଲାମାନେ ଖାଇଥାନ୍ତି
ଅନେକ ସୃତି ତ ସେଇଠାରେ ଥାଏ
ନା କିଏ ଭୁଲି ପାରନ୍ତି ।
ବାଉଁଶକୁ ନେଇ ମେଢା ସେ କରନ୍ତି
ବାଡ ବି ପକେଇ ଥାନ୍ତି
ଗୋରୁଙ୍କ କବଳୁ ସେ ବାଡ ସାହାଯ୍ୟେ
ଫସଲ ରକ୍ଷା କରନ୍ତି ।
ସେଇ ଫସଲକୁ ବୋଝରେ ମୁଣ୍ଡେଇ
ହାଟ ବଜାର ଯାଆନ୍ତି
କେତେ କେନ୍ଦୁ କୋଳି ପରିବାକୁ ବିକି
ପଇସା ଗଣି ଆଣନ୍ତି ।
ଗାଆଁ ଗାଆଁ ବୋଲି ଡାକନ୍ତି ସାଆନ୍ତେ
ଆସ କିଣି ନେବ କିଏ
କେତେ ଢଗ ଢମାଳି ସେ କହୁଥାନ୍ତି
ନା ତାକୁ ଭୁଲି ହୁଏ ।
ବୋଝ ଟୋକେଇରେ ଧାନ ଚାଉଳକୁ
ଚାଷୀ ଭାଇ ଭରି ଦିଏ
ଭାର ସେ କରିଣ କାନ୍ଧରେ କୃନ୍ଧେଇ
ବଜାରରେ ବିକୁ ଥାଏ ।
ଗାଆଁ ମାଇପି ଯେ ମୁଣ୍ଡରେ ମୁଣ୍ଡେଇ
ଦୂର ଗାଆଁ ନେଇଥାନ୍ତି
ଚାଉଳକୁ ବିକି ଚଳିବା ସମଗ୍ରୀ
ପଇସା ଘେନି ଆସନ୍ତି ।
ଏଇ ବାଉଁଶରୁ ଘର କରି ନର
ସେ
ଇ ଘରେ ବାସ କରେ
କୁଟୀର ନିର୍ମାଣି ଚାଳକୁ ଚାଉଣୀ
ଉପରେ ବତା ସେ ଭରେ ।
କି ସୁନ୍ଦର ସତେ ସେଇ ତ କୁଟୀର
ଦିବା ସ୍ବପ୍ନ ହେଇ ଯାଏ
ଝାଟି ମାଟି ଘର ଲିପା ପୋଛା ଝୋଟି
କି ସୁନ୍ଦର ପଡି ଥାଏ ।
ଭୁଲେଇ ଦିଏ ସେ ମନର ବ୍ୟଥାକୁ
ତା ପରି ହୋଇବ କିଏ
ଏବେତ ସତେ ଏ ଦିବା ସ୍ବପ୍ନ ହୁଏ
ଧିରେ ଧିରେ ଲୋପ ପାଏ ।
ଯୁଆଡେ ଦେଖିବ ବାରାଟ ମହଲା
ସତେକି ରଜ ମହଲ
ଖରା ଋତୁ ବେଳେ ତା ଭିତରେ ରହି
ନର ହୁଏ କଲବଲ ।
ଖୋଜୁଥାଏ ସିଏ ମାଟି କୁଡିଆକୁ
ଝାଟି ମାଟି ଚାଳ ଘର
ହେଲେ ସେ ପାଇବ ଆଉ ବା କୋଉଠୁ
ବଂଶ ଲୋପ ହୁଏ ତାର ।
ନା ମାନବ ଆଉ ବାଉଁଶ ଲାଗାଏ
ବାଉଁଶର ଯତ୍ନ ନିଏ
ବଡ ହେଇ ଯେବେ ପାକଳ ସେ ହୁଏ
ଖାଲି ବାକି ଜାଣେ ସିଏ ।
ଏଇ ବାଉଁଶରୁ କାଗଜ ହୁଅଇ
ସବାଇ ଘାସରେ ମିଶି
ସେଇ କାଗଜଟି ବଡ ଉପକାରୀ
ଓଠେ ଭରି ଦିଏ ଖୁସି ।
ଆଖି ତ ପକାଅ ଯୁଆଡକୁ ଚାହିଁ
ବାଉଁଶ ରହିଛି ଆଗେ
ମରଣ ବେଳରେ କୋକେଇ ଦେହରେ
ସିଏ ଲୋଡା ହୁଏ ବେଗେ ।
ଛଅ ଖଣ୍ଡ ବାଉଁଶେ ମଶାଣୀକୁ ଯାଏ
ଖେଞ୍ଚା ବାଉଁଶ ବି ଥାଏ
ଶେଷ କୃତ ବେଳେ ବିନା ବାଉଁଶେ ନା
ଶବ ସତ୍କାର ଯେ ହୁଏ ।
ମାଙ୍ଗଳିକ ବେଳେ ଦିଅଁ ତୋଳା ବେଳେ
କୁଲେଇ ମୁଣ୍ଡେଇ ଯାନ୍ତି
ସେଇ କୁଲେଇକି ବେଦୀର ଉପରେ
ସ୍ଥାପନ କରି ଥାଆନ୍ତି ।
ବନ୍ଦାପନା ହୁଏ କୁଲେଇ ଦେହରେ
ସେଇ ବର କନ୍ୟା ଦୁଇ
ବାଉଁଶଟି ଏଠି ଶୁଭ ହେଇଥାଏ
ସବୁ ତୁଣ୍ଡୁ ବାହାରଇ ।
ରାତିରେ ବାଉଁଶ ଦିଆ ଯାଇ ନାହିଁ
ଗାଆଁ ଲୋକେ ମାନି ଥାନ୍ତି
ଏଇ ବାଉଁଶରେ ସିଡି ସେ କରିଣ
ଆଟୁ ଉପରକୁ ଯାନ୍ତି ।
ବୋଝର ସାହାଯ୍ୟ ସିଝା ଧାନ ବୋହି
ଆଟୁରେ ଘାଣ୍ଟି ଦିଅନ୍ତି
ଧାନ ପାଗ ଯେବେ ହେଇ ଯାଏ ସିଏ
ଢିଙ୍କିରେ କୁଟି ଖାଆନ୍ତି ।
କଥାରେ ରହିଛି ଖୋଦୁରୁକୁଣୀରେ
ଶୀତ ଆସଇ ଡାଲାରେ
ଦ୍ବିତୀୟା ଓଷାରେ ବାଉଁଶ ବୋଝରେ
ଶୀତ ଓହ୍ଲେ ଧରା ପରେ ।
ଏଇ ବାଉଁଶରେ ସାତ ସୁର ସୃଷ୍ଟି
କାହ୍ନୁ ହାତେ ଧରି ଥାଏ
ବାଉଁଶରୁ ସୃଷ୍ଟି ବଇଁଶୀ ନାଟି
ନା ଭୁଲି ଥାଏ କିଏ ।
ବାଉଁଶକୁ ନେଇ ଯେତେ ଲେଖୁ ଥିବ
ସେତେ ସିଏ ବଢୁ ଥିବ
ଏଇତ ବାଉଁଶ ଏମିତି ଗୋଟିଏ
ଯୁଗ ଯୁଗ କୀର୍ତ୍ତି ଥିବ ।
ବାଉଁଶ ନ ଥିଲେ କେମିତି ମାନବ
ଚଳିବ ଏଇ ଜଗତେ
ଜନମ ତା ହାତେ ମରଣ ତା ହାତେ
ଲେଖା ହୋଇଛି ତା ଗାତ୍ରେ ।
ବାଉଁଶ ଗଛଟି ବଡ ଉପକାରୀ
ତା ପତ୍ରେ ଔଷଧ ଭରା
ଏବେ ହେ ମନବ ନଷ୍ଟ ନ କରିଣ
ଲଗାଅ ବାଉଁଶ ଧରା ।