ବାପା
ବାପା
ଛାଇ ଆଲୁଅର ଲୁଚକାଳି ଖେଳ
ଖେଳି ଖେଳି ଆଜି କ୍ଳାନ୍ତ ।
କେବେ ମରୁଥାଏ କେବେ ବଞ୍ଚୁଥାଏ
ତୁମ ସ୍ମୃତି ଦିଏ ଦମ୍ଭ ।।
ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ
ସ୍ବପ୍ନକୁ କଲ ପୁରଣ ।
ତୁମ ଆଶୀର୍ବାଦ ଅମୃତ ସମାନ
କି ଗାଇବି ତୁମ ଗୁଣ ।।
ତୁମେ ସାଥେ ଥିଲେ ଡରେନା ଦୁନିଆ
ତୁମେ ମୋ ଜୀବ ଜୀବନ ।
ତୁମ ବଳିଦାନେ ସମସ୍ୟା ପାହାଡ଼
ହୋଇଯାଏ ରୁଇ ସମ ।
ଶାସନ ତୁମର ବଜ୍ରଠୁ କଠିନ
ହୃଦୟ ଆକାଶ ସମ ।।
ଅନୁଶାସନର ଗଭୀର ପ୍ରେମରେ
ଜୀବନ ହୋଇଛି ଧନ୍ୟ ।
ଈଶ୍ୱର କିଏସେ ଜାଣିନି ଏଯାଏଁ
ତୁମେ ସାକ୍ଷାତ ଈଶ୍ୱର ।
ପୂଜୁଥିଲି ପୂଜୁଅଛି ପୂଜୁଥିବି
ସର୍ବଦା ତୁମ ପୟର ।।
ପାଦରେ ମୋ ଆଉ ଫୁଟିବନି କଣ୍ଟା
ତୁମ ପଥ ଅନୁସରି ।
ଲକ୍ଷସ୍ଥଳେ ନିଶ୍ଚେ ପହଞ୍ଚିବ ସତ୍ୟ
ଆଶିଷ ଦିଆ ହେ ଢାଳି ।।
ପିତା ତୁମେ ଧର୍ମ ପିତା ତୁମେ ସ୍ବର୍ଗ
ତୁମେ ମୋ ସକଳ ଶକ୍ତି ।
ତୁମେ ମୋ ତପସ୍ୟା ତୁମେ ମୋ ଭକ୍ତି
ତୁମ ପାଦ ପଦ୍ମେ ମୁକ୍ତି ।।
