ଅଶ୍ରୁଜଳରେ ମାର୍ଜଣା
ଅଶ୍ରୁଜଳରେ ମାର୍ଜଣା
ଚାକିରି ପାଇଲା ପରେ ପରେ
ବଦଳି ଯାଇଛି ମୁଁ କୁଆଡେ
ଆଚାରେ ବ୍ୟବହାରେ ବି ମାଡିପଡ଼େ
ଆକାଶ ପାତାଳ ଫରକ ବି ବାରିପଡ଼େ
ଲୋକେ ହେଉଛନ୍ତି ଫୁସୁର୍ ଫାସର୍
କହୁଛନ୍ତି ଇଆଡ଼େ ସିଆଡ଼େ ଚାରିଆଡ଼େ
ଶୁଣିଥିଲି ବୋଧେ
ପଢିଥିଲି କଉଁ ପତ୍ରିକାରୁ
ପଦେ କି ଅଧେ କି
ବାହାଘର ପରେ ପୁଅ ବୋହୁର
ବାପା-ମା' ସବୁ ରହିଯାନ୍ତି ପଛରେ
ଯେମିତି ପ୍ରାଣୀ ଇତର
କିଛି ଗାନ୍ଧୀମାର୍କା କାଗଜ କମେଇବା
ପରେ ପରେ
ବ୍ୟାଙ୍କ ଖାତାରେ କିଛି ସଂଞ୍ଚୟ ରାଶି
ବଢି ଯିବା ପରେ
ସହରରେ ଦୁଇ ଚାରିଟା ଆପାର୍ଟମେଣ୍ଟ
ରେଜିଷ୍ଟ୍ରେସନ ସରିଲା ପରେ
କଥାରେ ଫୁଟାଣି
ଚାଲିରେ ଉଜାଣି
ଆଉ ଅହଁଙ୍କାର ଶୁଣାଣି
ଗାଈ ମୁଣ୍ଡରେ ଶିଙ୍ଗ ଉଠିଲା ପରି
ବିନ୍ଧି ପକାଏ
କଥା କଥାକେ ତୁଣ୍ଡ କମାଣରୁ
ଦୁଇ ଅକ୍ଷରୀ ଚାରି ଅକ୍ଷରୀ ଝଡିପଡ଼େ
ବାବୁଲି ବୋଉ କହୁଥିଲେ ଶୁଣେଇ ଶୁଣେଇ
କେତେ ଥର
ବିବାହ ପୂର୍ବରୁ ଏକୋଇର ବଳା ବିଶିକେଶନ
ଗାଁକୁ ଆସିବାକୁ କରୁନି ତର
କଉଁ ସହରୀ ସୁନ୍ଦରୀ ହାବୁଡେ ପଡିଲାଣି
ନୂଆ ବ୍ୟବସ୍ଥା ତୁରନ୍ତ କର
ନୋହିଲେ କହୁଛି ପସ୍ତେଇବ ବାରମ୍ଵାର
ଅଖା ଧୋଉଥିବ ଗୁଣ ଗାଉଥିବ
ଆଖି କୋଣ ଖାଲି ପଣତେ ପୋଛୁଥିବ
ଉତ୍ତର ନ ଥିବ
ବଢି ଯିବ ସମସ୍ୟା
ଯୋଯନ ଯୋଯନ ଦୂର
ହାତ କୁ ଦି ହାତ ହେଇନି
ନିଶ ଦାଢି ବି ପୂରା ଉଠିନି
କଳା ମାଣିକର କାହାଣି ମାଳା
ବଢି ବଢି ଯାଏ
ମୁଣ୍ଡ ଖରାପ କାହିଁ ହେବନି
ବାପାଙ୍କ ଗର୍ବ ତରଳିଗଲାଣି
ବାଟ ଘାଟକୁ ବାହାରୁଛନ୍ତି କମ୍
ଅପଦସ୍ତ ହୋଇଯିବେ ଛକରେ
ତୁଣ୍ଡ ବାଇଦରେ ନାକେଦମ୍
ଅଣ୍ଟା ଭିଡ଼ିଲାଣି ବୋଉ
ପତ୍ର ଲେଖିଛି କାହାକୁ ନ କହି
ଚାରି ପାଞ୍ଚ ପୁଷ୍ଠାରେ କହୁ
ଲୁହ ଲହୁରେ ଭାବନା ଗୁଚ୍ଛରେ
ଉଗାଳି ଦେଇଛି ମହୁ
ଭାତହାଣ୍ଡିରୁ ପେଜ ଗାଳିବା ପରି
କୋହଭରା କେଇ ପଦ କୁହୁ
ଭୀମ ବଳ କୁଇନ୍ତାକୁ ଜଣା
କାଳିଆ ଠାକୁର ସୁମରି କାନ୍ଦୁଛି
ଛାତିଥରା ଅକୁହା ଅଜଣା
ବାଟବଣା ଧନ କୁ ମୋ'
ଘଣ୍ଟ ଘୋଡେଇବୁ
ଭଲ ବାଟକୁ ନେଇ ଆସିବୁ
କହୁଛି ଅଶ୍ରୁ ଧାରରେ ପ୍ରାର୍ଥନା ମାର୍ଜଣା
