Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ବୟସ୍କା

ବୟସ୍କା

16 mins 160 16 mins 160

ମୁଁ ଅଠେଈଶ ବର୍ଷୀୟା ଶିକ୍ଷିତା ଅବିବାହିତା ଯୁବତୀ l ଆଜିକାଲି ମୁଁ ନିଜକୁ ଯୁବତୀ କହିଲେ କିଛି ଲୋକ ତାତ୍ସଲ୍ୟ କରି ହସନ୍ତି l ମୁଁ ଜାଣେ ମୋ ପଛପଟେ ସେମାନେ ମୋତେ ଆଉ ମୋ ନାଁ ନଧରି କେବଳ 'ବୁଢ଼ୀ' ବୋଲି ହିଁ ଡାକନ୍ତି l ମୋ ଠାରୁ ଯଥେଷ୍ଟ ବଡ଼ ବିବାହିତା ମହିଳା ମାନେ ମଧ୍ୟ୍ୟ ମୋତେ, "ହେଇ ବୁଢ଼ୀ ଆସିଲାଣି " କହିବା ମୁଁ ଅନେକ ଥର ଶୁଣିଲିଣି l ମୁଁ ଏବେ ବେଳେ ବେଳେ ଭାବେ, "ଏହି ପାଞ୍ଚ ସାତ ବର୍ଷ ତଳେ ତ ମୁଁ ସେମାନଙ୍କ ଭଳି ଆଉ ଜଣେ ମଣିଷ ଥିଲି, ହଠାତ କେମିତି ଅଜବ ଗୋଟେ ଜୀବ ହେଇଗଲି ଯେ ଏମାନଙ୍କର ମୋ ପ୍ରତି ଦୃଷ୍ଟିଭାଙ୍ଗି ସମ୍ପୂର୍ଣ୍ଣ ଭିନ୍ନ ହେଇଗଲା ? ଝିଅମାନେ ଟିକେ ଜଲ୍ଦି ବିବାହ କରିନେଲେ କଣ ବୟସ ଟା ତାଙ୍କର ଅଟକି ଯାଏ ଓ ବିବାହରେ ବିଳମ୍ବ କଲେ ବୟସ ଢେର ବେଶି ବଢ଼ିଯାଏ? " l 


      ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ l ମୋ ବାପା ବଡ଼ କଷ୍ଟରେ ମୋତେ ପାଠ ପଢ଼େଇଥିଲେ l ମୋ ବୋଉ ବି କିଛି କମ ପରିଶ୍ରମ କରିନି ମୋ ପଢା ପାଇଁ l ମୋର ଦୁଇଜଣ ଛୋଟ ଭାଈ ଓ ଭଉଣୀ ଅଛନ୍ତି l ସେମାନେ ମୋ ପରି ଏତେ ମେଧାବୀ ନୁହଁନ୍ତି l ମୁଁ ସ୍କୁଲ୍, କଲେଜ୍ ଓ ୟୁନିଭର୍ସିଟିରେ ଖୁବ ଭଲ ନମ୍ବର୍ ରଖୁଥିଲି l ସତ କହିବାକୁ ଗଲେ ମୁଁ ସର୍ବାଧିକ ନମ୍ବର ଆଣୁଥିଲି, ସ୍ୱର୍ଣ୍ଣ ପଦକ ଲାଭ କରିଥିଲି l ସେବେଠୁ ମୁଁ ମୋ ବାପା ଓ ବୋଉଙ୍କ ଶୁଖିଲା ଆଖି ଚାରୋଟିରେ ଦେଖିଛି କେତୋଟି ଚିକମିକ୍ କରୁଥିବା ଆଶାର କ୍ଷୁଦ୍ର କ୍ଷୁଦ୍ର ଆଲୋକ ରେଖା l ମୁଁ ସେବେ ଶପଥ ନେଇଥିଲି ଏ ପରିବାରକୁ ନିଶ୍ଚୟ ତା ବର୍ତ୍ତମାନ ପରିସ୍ଥିତିର ବିପରୀତ ଦିଗକୁ ନେଇଯିବି l


  ମୋ ସହ ମୋର ସମୟ ସବୁ ବଦଳିଗଲା l ମୁଁ ସରକାରୀ ଚାକିରୀ ପାଇଲି l ମୋ ବୋଉ ମିଠା ବାଣ୍ଟିଲା l ସେହି ମିଠାରୁ ଚେନାଏ ମୋ ପାଟିରେ ବି ବାଜିଥିଲା l ସେଦିନ ମୁଁ ମୋ କଳା ପଡିଆସିଥିବା ଓଠର ଚାରିପଟେ ଜିଭ ବୁଲେଇ ଆଣି ବଳିପଡ଼ିଥିବା ସେହି ମଧୁରତାକୁ ଚାଟିନେଇଥିଲି l ଗୋଟାଏ ରସଗୋଲା କଣ ତମାମ୍ ଜୀବନ ଟାକୁ ମୋର ମିଠାର ସିରା ରେ ବୁଡେଇ ରଖିପାରିଥାନ୍ତା ? ବୋଧେ ନାଁ l ମୁଁ ଜାଣେ, ମୋ ଧର୍ଯ୍ୟ, ପରିପକ୍ୱତା ଓ ସହନଶୀଳତାର ଉପହାର ସ୍ୱରୂପ ମୁଁ ପାଇଛି କେବଳ ମାତ୍ର ଗୁଡ଼ାଏ ତିକ୍ତତା l


     ମୋ ଭାଈ ନିଜକୁ ଏକ ଆଭରେଜ୍ ସ୍ଟୁଡେଣ୍ଟ୍ ଭାବେ ପ୍ରମାଣିତ କରିବା ସତ୍ୱେ ମୁଁ ଖୁବ କଷ୍ଟରେ ଗୁଡ଼ାଏ ଟଙ୍କା ସଂଗ୍ରହ କରି ତାକୁ ଇଞ୍ଜିନିୟରିଙ୍ଗ୍ ପଢାଇଲି l ସାନ ଭଉଣୀଟା ମୋର ବଡ଼ ହେଉଥିଲା l ମୁଁ ଥିଲି ତା'ର ଗାଇଡ୍ l ସେ ବି ତା କ୍ୟାରିୟର୍ ଉପରେ ନିଜର ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କରୁଥିଲା l ମୋଟାମୋଟି ଭାବେ କହିବାକୁ ଗଲେ ସମସ୍ତେ ଖୁସିଥିଲେ l ମୋ ପରିବାର ସତରେ ଏବେ ତା ପୂର୍ବ ଅବସ୍ଥାର ବିପରୀତ ଦିଗରେ ଚାଲୁଥିଲା l


    ମୁଁ ଠିକ୍ ସମୟରେ ଅଫିସ୍ ଯାଉଥିଲି, ଠିକ୍ ସମୟରେ ଫେରୁଥିଲି l ମୋ ବୋଉକୁ କାମରେ ସାହାଯ୍ୟ କରିବାପାଇଁ ଜଣେ ଘରୋଇ ସହାୟୀକା ନିଯୁକ୍ତ କରିଥିଲି l ବୋଉ ଖୁସି ଥିଲା l ବାପା ବି l ସମସ୍ତଙ୍କ ଖୁସିକୁ ଅତିକ୍ରମ କରି ମୁଁ ବେଶିରୁ ବେଶି ପରିପକ୍ଵତା ଲାଭ କରୁଥିଲି l ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମୁଁ ଯେମିତି ଚୁକ୍ତିବଦ୍ଧ ଥିଲି ! ସମସ୍ତେ ତାହା ହିଁ ଧରି ନେଇଥିଲେ l


        ମୁଁ ସତରେ କୌଣସି ଦିନ ନିଜର ଖୁସି ମାନେ ବ୍ୟକ୍ତିଗତ ଭାବେ କେବଳ ମୋ ନିଜ ଖୁସି ବୋଲି ଭାବୁନଥିଲି l ଦିନ ଗଡୁଥିଲା l ସମସ୍ତେ ଧୀରେ ଧୀରେ ବଦଳିବାକୁ ଲାଗିଲେ l ବାପା ଓ ବୋଉଙ୍କର ସବୁ ଦୁଃଖ ଗଲା l ସେମାନଙ୍କର ସମସ୍ତ ପିଲାମାନେ ଉଚ୍ଚ ଶିକ୍ଷିତ,ଶିକ୍ଷିତା ହୋଇ ରୋଜଗାର କ୍ଷମ ହେଇଗଲେ l ମୋ ସାନଭାଈର ଚାକିରୀ ହେଇଗଲା l ସାନ ଭଉଣୀ ବି.ଏଡ୍ ଟ୍ରେନିଙ୍ଗ୍ ନେଉଥିଲା l ଏହି ସମୟରେ ମୋର ବଦଳି ଅର୍ଡ଼ର୍ ଆସିଲା l ମୁଁ ଆଉ ଗୋଟେ ଜିଲ୍ଲାକୁ ଟ୍ରାନ୍ସଫର୍ ହେଇଗଲି l ମୋର ଆଉ ଘରେ ରହିବା ସମ୍ଭବ ହେଲାନାହିଁ l ବାପାବୋଉ ତଥାପି ନିଶ୍ଚିନ୍ତ ଥିଲେ l ଜ୍ୟେଷ୍ଠା ଝିଅ ତାଙ୍କର ଏଭିତରେ ଖୁବ୍ ବଡ଼ ହେଇଯାଇଛି ଯେ ! ତା ପାଇଁ ଆଉ ସେମାନଙ୍କର ଚିନ୍ତା ନଥିଲା l 


     ମୁଁ ଏଠିକୁ ଚାଲି ଆସିଲି l ମୋ ସର୍କାରୀ କ୍ୱାର୍ଟର୍ସ୍ ରେ ମୁଁ ଏକା ରହେ l ସାନ ଭଉଣୀ ମୋ ପାଖକୁ ବେଳେ ବେଳେ ଆସେ l ବାପାଙ୍କ ଆକାଉଣ୍ଟ୍ ରେ ମୁଁ ରୀତିମତ ଟଙ୍କା ଡିପୋଜିଟ୍ କରିଦିଏ l ସେ ଆଉ କଷ୍ଟକରି ଏଠିକୁ ଆସିବାକୁ ଉଚିତ ମଣନ୍ତିନି l ଅନେକ ଆଗରୁ ସାନଭାଈର ଫୋନ୍ ଆସିବା ବନ୍ଦ ହେଇଗଲାଣି l ଦିନେ ମୋ ଘରେ ସମସ୍ତଙ୍କ ଆବଶ୍ୟକତା ପାଇଁ ଡକା ପଡୁଥିବା 'ରୀମା' 'ରୀମା' ନାଁ ଟା ଏବେ ଆଉ ଏତେ ଶୁଭାଯାଏନାହିଁ l ରୀମା ବି ତା ଜୀବନରେ କିଛି ଦରକାର କରେ, ଏକଥା କ'ଣ ସତରେ ମୋ ଘର ଲୋକମାନେ ବୁଝିବାକୁ ସମର୍ଥ ନୁହଁନ୍ତି ?  


       ନିର୍ଦ୍ଧୁମ୍ ଗୋଟେ ଖରାବେଳେ ମୁଁ ସେଦିନ ମୋ ଅଫିସ୍ ପାଖ ବ୍ୟାଙ୍କ୍ କୁ ଯାଇଥିଲି ମୋ ଆକାଉଣ୍ଟ୍ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ବୁଝିନେବା ପାଇଁ l ମୋତେ ଚାରି ନମ୍ବର୍ କାଉଣ୍ଟର୍ କୁ ଯିବାକୁ କୁହାଗଲା l ମୁଁ ଆଗରୁ ଅନେକ ଥର ସେହି ବ୍ୟାଙ୍କ୍ କୁ ଯାଇଛି, କିନ୍ତୁ ତାପସ୍ ବାବୁଙ୍କୁ ଏଇ ପ୍ରଥମ କରି ସେଠି ଦେଖିଲି l ସେ ମୁମ୍ବାଇରୁ ତାଙ୍କ ଇଞ୍ଜିନିୟର୍ ଚାକରୀ ଛାଡି ନୂଆକରି ବ୍ୟାଙ୍କ୍ ର କ୍ଲରିକାଲ୍ ଜବ୍ ରେ ଭର୍ତ୍ତି ହେଇଥିଲେ l ମୋ ଆକାଉଣ୍ଟ୍ ରେ କିଛି ଗୋଳମାଳ ଥିଲା l ତାପସ୍ ବାବୁ ସମସ୍ତ ବିଷୟ ମୋତେ ସୁନ୍ଦର ଭାବେ ବୁଝେଇ କହିଲେ l ସେ ତାଙ୍କ ନମ୍ବର୍ ମୋତେ ଦେଲେ, ପରେ ଅସୁବିଧା ହେଲେ ଜଣେଇବା ପାଇଁ l ମୁଁ ତାଙ୍କୁ ମୋ ଫୋନ୍ ନମ୍ବର୍ ଟି ଦେଇ ମୋ କ୍ୱାର୍ଟର୍ସ୍ କୁ ଫେରିଆସିଲି l 


       ଏହା ପରେ ସେହି ଗୋଟେ ସପ୍ତାହ ଭିତରେ ତାଙ୍କ ସହ ମୋର ସପିଙ୍ଗ୍ ମଲ୍ ଓ ଏଠିକା ବଜାରରେ ଥରେ ଦୁଇଥର ଦେଖା ହେଇଛି l ଆମେ ରହୁଥିବା ଟାଉନ୍ ଟି ଖୁବ୍ ଛୋଟିଆ ଗୋଟେ ଡିଷ୍ଟ୍ରିକ୍ ର ହେଡ୍ କ୍ୱାର୍ଟର୍ l ଏଠି କାହା ସହ ବାରମ୍ବାର ଦେଖାହେବା କିଛି ବିଚିତ୍ର କଥା ନୁହେଁ l ଅର୍ଥାତ୍ ମୋର ତାପସ୍ ଙ୍କ ସହ ଗୋଟେ ମାସରେ ଅନେକ ଥର ଦେଖା ହୁଏ l ଏହା ଭିତରେ ମୋତେ ସେ ହ୍ୱାଟ୍ସଅପ୍ ରେ ମେସେଜ୍ କରନ୍ତି l ମୁଁ ରିପ୍ଲାଇ ଦିଏ l ସେ ଆଗ ମେସେଜ୍ ନକଲେ ମୁଁ ମୋ ତରଫରୁ କେବେ 'ହେଲୋ' କିମ୍ବା 'ହାଏ' ଲେଖେ ନାହିଁ l ମୋବାଇଲ୍ ଧରେ, ଟାଇପ୍ କରେ ଓ ପୁଣି ଲେଖାଗୁଡାକ କାଟିଦେଇ ତାଙ୍କ ମେସେଜ୍ କୁ ଅପେକ୍ଷା କରେ l ମୁଁ ଜାଣୁନଥିଲି ମୁଁ କାହିଁକି ଏମିତି କରେ l ବୋଧେ ମୋତେ ସଙ୍କୋଚ ଲାଗେ, ସେଥିପାଇଁ l 


   ମୁଁ ବୁଝୁଥିଲି, ମୋର ବୟସ ଖୁବ୍ ବେଶି ହେଇଯାଇଛି l ମାନେ ବିବାହର ବୟସ l କିନ୍ତୁ ପ୍ରେମ କରିବା ପାଇଁ ଯେ ଗୋଟେ ବୟସ ସୀମା ଥାଏ, ତାହା ଏଇ ଏବେ ଏବେ ପ୍ରେମରେ ପଡ଼ିଥିବା ମୋ ମନଟା ଆଦୌ ବୁଝୁନଥିଲା l ମୋ ପଡିଶାଙ୍କ ଆକ୍ଷେପ, ଅଫିସ୍ ରେ ମୋ ଜୁନିଅର୍ ଓ ଅନ୍ୟ ବୟସ୍କ ଷ୍ଟାଫ୍ ଙ୍କର ମୋ ପ୍ରତି କଟାକ୍ଷର କାରଣ ଥିଲା ମୋର ଏହି ବୟସରେ ପ୍ରେମ କରି ଅନେକ ସମୟରେ ଅନ୍ୟମନସ୍କ ରହିବା l ଆମ ଅଫିସ୍ ରେ ଜୁନିୟର୍ କ୍ଲର୍କ୍ ଭାବେ ନୂଆ ଜଏନ୍ କରିଥିବା ଓ ସଦ୍ୟ ବୈଧବର ଦୁଃଖରେ ସର୍ବଦା ଆଖି ଛଳ ଛଳ କରୁଥିବା ତୁଳସୀ ନାୟକ ଦିନେ ମୋ ପାଖକୁ ଆସି ମୋତେ କହିଲା, "ମ୍ୟାମ୍, ପ୍ରେମ କରିବା ପାଇଁ ଗୋଟେ ବୟସ ଥାଏ l ଆମେ ଯଦି ଏବେ କଲେଜ୍ ଝିଅଙ୍କ ପରି ନିଜକୁ ସଜେଇ, ମୋବାଇଲ୍ ରେ ଟୁପ୍ ଟାପ୍ କଥା ହେଇ, ପାର୍କ୍ କି ସିନେମା ଯାଇ ସମୟ କଟେଇବା ଲୋକେ ନାକରେ କାଠି ପୁରେଇ ହସିବେ ନାହିଁ ତ ଆଉ କ'ଣ କରିବେ ? ଆପଣ ତ ବୁଝିପାରୁଥିବେ ମୁଁ କଣ କହୁଛି l ସବୁ ଜିନିଷର ଗୋଟେ ସମୟ କାଳ ଥାଏ ନା ଆଉ " l


   ତୁଳସୀ ନାୟକର ସ୍ୱାମୀ ଏହି ସରକାରୀ ଦପ୍ତରରେ ଭଲ ଗୋଟେ ପୋଷ୍ଟ୍ ରେ ଥିଲେ l ତାଙ୍କ ଅନ୍ତେ ତୁଳସୀକୁ ଏଇ କିରାଣୀ ଚାକିରୀଟି ତା ଯୋଗ୍ୟତା ଅନୁସାରେ ମିଳିଛି l ମୁଁ ଦେଖେ ତୁଳସୀ ପ୍ରଥମେ ପ୍ରଥମେ ସବୁବେଳେ ଚୁପଚାପ୍ ରହୁଥିଲା l ଏବେ ଏବେ କିନ୍ତୁ ଖୁବ୍ ଖୁସି ଖୁସି ରହୁଛି l ମୋତେ ଭାଷଣ ଦେଇ ଚାଲିଯିବା ଦିନ ସନ୍ଧ୍ୟାରେ ମୁଁ ତୁଳସୀକୁ ପାରଡାଇଜ୍ ହୋଟେଲ୍ ସାମ୍ନାରେ ମୁହଁରେ କପଡା ବାନ୍ଧି ଜଣେ ପୁରୁଷଲୋକର ହାତ ଧରି ଠିଆ ହେଇଥିବାର ଦେଖିଲି l ମୁଁ କିଛି ସମୟ ଭଲକରି ଦେଖିଲା ପରେ ତା ଡ୍ରେସ୍ ଓ ଭ୍ୟାନିଟି ବ୍ୟାଗ୍ ରୁ କନଫର୍ମ୍ ହେଇଗଲି ସେ ହିଁ ତୁଳସୀ l ତୁଳସୀ ସେହି କିଛି ସମୟ ଭିତରେ ଭିତରକୁ ଚାଲିଯାଇଥିଲା l ମୁଁ ବୁଝୁଥିଲି ମାତ୍ର ଛଅବର୍ଷର ବୈବାହିକ ଜୀବନ ପରେ ସ୍ୱାମୀହରା ହେଇ ଏକାକୀ ଜୀବନ କାଟିବା କେଡେ କଷ୍ଟକର କଥା l ମଣିଷଟେ ନିଜ ଇଚ୍ଛାରେ ସାଥୀଟିଏ ବାଛିନେଇ ଖୁସିରେ ରହିବା କୌଣସି ଅପରାଧ ନୁହେଁ, ବରଂ ତାର ଅଧିକାର ସେଇଟା l ତଥାପି କାହିଁକି କେଜାଣି ମୁଁ ଅନୁଭବ କରେ ସମାଜର ସବୁ ପରିବର୍ତ୍ତିତ ନିୟମ, ଉନ୍ମୁକ୍ତ ଚିନ୍ତାଧାରା ମୋରି ପାଖରେ ଯେମିତି ଆସି ଅଟକିଯାଏ l ସମସ୍ତଙ୍କ ଆଙ୍ଗୁଠି ଯେମିତି ମୋରି ଆଡକୁ ତୋପ ପରି ତୟାର ହେଇ ଲମ୍ବି ଥାଏ ଓ ମୋରି ବିବାହ ଓ ବୟସକୁ ତଉଲିବା ଯେମିତି ସଭିଙ୍କର ଜନ୍ମଗତ ଅଧିକାର ହେଇସାରିଥାଏ l


    ମୋ ସାନଭଉଣୀ ମୋ ଠାରୁ ବହୁତ ସାନ l ତାର ଗୋଟେ ବୟଫ୍ରେଣ୍ଡ୍ ଅଛି l ତା'ରି ବୟସର l ସେ ମୋତେ ଲୁଚାଏ l ମୁଁ କିନ୍ତୁ ଏବେ ଜାଣିପାରେ l କିଛି କହେନି ତା'କୁ l ସେ ଅନେକ ସମୟରେ ମୋ ପାଖରେ ଆସି ରହିବାର କାରଣ ମଧ୍ୟ ତାର ସେହି ପୁରୁଷବନ୍ଧୁ l ମୁଁ ଅଫିସ୍ ପଳେଇଲା ପରେ ସେ ତା ବନ୍ଧୁଟି ସହ ବୁଲିବାକୁ ବାହାରିଯାଏ l ମୋତେ ଫୋନ୍ କରି କହେ, "ଦିଦି, ମୁଁ ଆଜି ଲିଜା ପାଖକୁ ପଢିବାକୁ ଆସିଛି l ତୁ ଖାଇନେବୁ l ବ୍ୟସ୍ତ ହେବୁନି l ମୁଁ ଆଜି ଏଇଠି ଖାଇଦେବି " l ମୁଁ ବି ଦିନେ ସେମିତି ଗୋଟେ ଛୁଟି ଦିନରେ ମୋ ଭଉଣୀକୁ ଫୋନ୍ କଲି, "ସୀମା, ତୁ ଆଜି ଆସିବୁ କି ? "


--ପଚାରୁଛୁ କ'ଣ ? ଛୁଟି ଅଛି, ଆସିବି ତ ? 


--ହଉ ତୁ ଘର ତାଲା ଖୋଲି ଘରେ ଥିବୁ l ମୁଁ ଆଜି ଗୋଟେ କାମରେ ବାହାରକୁ ଆସିଛି l


--କୁଆଡେ ଯାଇଛୁ ? ମୋତେ ଆଗରୁ କହିଲୁନି କାହିଁକି ? ମୁଁ ଜାଣେ ତୁ କାହା ସହ ଅଛୁ l ତୁ କିନ୍ତୁ ଏଇଟା କିଛି ଠିକ କରୁନୁ l 


  ମୁଁ ଆଶ୍ଚର୍ଯ୍ୟ ହେଇଗଲି l କଣ ଏମିତି ଭୁଲଟେ କରିଦେଲି ଯେ ମୋ ଠାରୁ ସାତ ସାନ ଝିଅଟା ମୋ ଭୁଲ ଠିକର ହିସାବ ମୋତେ ଦେଖାଉଛି ? ତାପସ୍ ଙ୍କ ମୁହଁ ଫିକା ପଡିଆସୁଥିଲା l ସେ ମୋର କଷ୍ଟକୁ ଅନୁଭବ କରିପାରୁଥିଲେ l ଗମ୍ଭୀର ହେଇ ମୋତେ କହିଲେ, "ରୀମା, ମୋତେ ବାହା ହେବ ? "


  ମୁଁ ଏହି ପ୍ରଶ୍ନଟା ଆଜିଯାଏଁ କାହାରି ମୁହଁରୁ ଶୁଣିନଥିଲି l ଖୁସି ରେ କାନ୍ଦିପକେଇବି କି ଆଶ୍ଚର୍ଯ୍ୟରେ ବେହୋସ ହେଇଯିବି କିଛି ବୁଝିପାରୁନଥିଲି l ମୁଁ ସତରେ କାନ୍ଦି ପକେଇଲି l ତାପସ୍ ଙ୍କୁ କୁଣ୍ଢେଇ ଧରି କାନ୍ଦିପକେଇଲି l ସେଦିନ ଆମେ ଆମ ପୂର୍ବ ନିର୍ଦ୍ଧାରିତ ଜାଗାକୁ ନଯାଇ ଫେରିଆସିଲୁ l 

  

   ଡୋର୍ ବେଲ୍ ଦେଲାରୁ ସୀମା କବାଟ ଖୋଲିଲା l ମୁହଁଟାକୁ ଭଣ ଭଣ କରି ରଖିଥିଲା l ମୁଁ ପିନ୍ଧିଥିବା ୱେଷ୍ଟର୍ଣ୍ ଡ୍ରେସ୍ ଟାକୁ ବଡ଼ ବଡ଼ ଆଖିରେ ଦେଖିଲା ଓ ପୁଣି ମୋ ମୁହଁକୁ ଚାହିଁ ତା ଲିପିସ୍ଟିକ୍ ଲଗା ଓଠରେ ତାତ୍ସଲ୍ୟର ହସଟେ ଖେଳେଇ ଦେଲା l ମୁଁ କିଛି ନକହି ଚୁପଚାପ ମୋ ରୁମ୍ କୁ ଯାଇ ଡ୍ରେସ୍ ବଦଳାବଦଳି କଲି l ଫ୍ରେସ୍ ହେଇ ଆସି ବୈଠକ ଘରେ ସୀମା ପାଖରେ ଟିଭି ଖୋଲି ବସିଲି l ସେ କ'ଣ ଖାଇବ ପଚାରିଲି l ସେ ବିରକ୍ତ ହେଇ କହିଲା, "କିଛି ଦରକାର ନାହିଁ l ତୁ ତ ଖାଇକରି ଆସିଥିବୁ ନା, ମୋ ପାଇଁ ଚିନ୍ତା କରନା l ମୁଁ ଗୋଟେ ଦିନ ନଖାଇ ବି ରହିପାରେ l "


--ତୋର କ'ଣ ହେଇଛି ସୀମା ? ତୁ ଏମିତି କାହିଁକି କଥାବାର୍ତ୍ତା କରୁଛୁ ? ମୁଁ କ'ଣ ତୁମମାନଙ୍କ ଠାରୁ ବେଶି ମୋ ନିଜ ଚିନ୍ତା କରେ ? 


--ଆଉ ତାହେଲେ କ'ଣ କରୁଛୁ ଏବେ? 


--କ'ଣ କଲି ମୁଁ ? 


--ଜାଣିଛୁ, ସେ ତୋ ଠାରୁ ବୟସରେ ସାନ ହେବେ ଆଉ ପୋଜିସନ୍ ରେ ବି l ସାମାନ୍ୟ ଗୋଟେ ବ୍ୟାଙ୍କ୍ ର କ୍ଲର୍କ୍ ସେ l 


--କ'ଣ ହେଲା ସେଇଠୁ ? ଆଉ ତତେ ଏତେ ସବୁ କଥା କହିଲା କିଏ ? 


--ତୁ କ'ଣ ଭାବୁଛୁ ତୁ ଯାହା କରୁଛୁ କେହି ଦେଖୁନାହାଁନ୍ତି ?ଛିଃ ଛିଃ ଦିଦି, ଏମିତି କାମ କରିବାକୁ ତତେ ସଙ୍କୋଚ ବୋଧ ହେଉନାହିଁ ? ଏ କେମିତିକା ଡ୍ରେସ୍ ପିନ୍ଧି ତୁ ବାହାରକୁ ଯାଉଛୁ ! ମୋତେ ତ ଦେଖିଲେ ଲାଜ ଲାଗୁଛି l ତୁ ପରା ଜଣେ କ୍ଲାସ୍ ଟୁ ଅଫିସର୍ l ଲୋକେ ଦେଖି କ'ଣ ଭାବୁଥିବେ ? ଛିଃ... 


 ସୀମା ଆଗରେ ମୁଁ ସତରେ ବହୁତ ଛୋଟ ହେଇଗଲି l ଖୁବ୍ ବାଧିଲା ସାନ ଭଉଣୀଟିର ଗାଳି ଓ ଆକ୍ଷେପ l ମୋ କପବୋର୍ଡ୍ ରେ ନୂଆକରି କିଣି ଆଣି ସାଇତିଥିବା ସେହି ଭଲ ବ୍ରାଣ୍ଡ୍ ର କ୍ରିମ୍,ଲିପିସ୍ଟିକ୍,କାଜଲ୍ ଆଦି ସୌନ୍ଦର୍ଯ୍ୟ ବର୍ଦ୍ଧକ ସାମଗ୍ରୀ ଗୁଡିକୁ ସୀମା ଦେଖିନେବା ଆଗରୁ ଲୁଚେଇ ଦେଲି ଓ ଆଖିରୁ ଗଡି ପଡୁଥିବା ଲୁହକୁ ଲେସି ହେଇଯାଇଥିବା ମେଞ୍ଚାଏ କଜ୍ଜ୍ୱଳ ସହ ରୁମାଲ୍ ରେ ପୋଛି ସଫା କରିଦେଲି l 


 ଶୋଇବା ପୂର୍ବରୁ ମୋ ମୁହଁକୁ ଥଣ୍ଡା ପାଣିରେ ଧୋଇନେଇ ବେସିନ୍ ସାମ୍ନା ମିରର୍ ରେ ଦେଖୁଥିଲି l ଆହାଃ, ଯତ୍ନର ଅଭାବରୁ କେଡେ ରୁକ୍ଷ ହେଇଗଲାଣି ମୋ ମୁହଁର ତ୍ୱଚା ! ଦୁଇ ଆଖି ତଳେ କଳା ରଙ୍ଗର ଦୁଇଟି ଅର୍ଦ୍ଧବୃତ୍ତ l ମୁଣ୍ଡ ଉପରେ କେଶର ଘନତ୍ବ କମି କମି ଆସି ଖପୁରି ଦେଖାହେଲାଣି l ଦୁଇ ଆଖି କୋଣ ଓ ନାକ ଉପରେ ଚଷମା ପିନ୍ଧା ଦାଗ l ମୁହଁସାରା ଛୋଟ ବଡ଼ ଅନେକ ଦାଗ l ତାପସ୍ ଙ୍କୁ କ'ଣ ସତରେ ମୁଁ ପସନ୍ଦ ଆସୁଥିବି? ମୋର ବିଶ୍ୱାସ ହେଉନଥିଲା l ଆଉ ବେଶି ସମୟ ନିଜକୁ ଆଇନାରେ ଦେଖିବାର ଧର୍ଯ୍ୟ ମୋର ନଥିଲା l ଶୋଇବାକୁ ଆସି ବେଡ୍ ରେ ଗଡ଼ିଲି l ନିଦ ହେଲାନାହିଁ l ମୁଣ୍ଡ ବ୍ୟଥା ହେଉଥିଲା l ଆଖିବୁଜି ପଡିରହିଲି l


   ପରଦିନ ସକାଳୁ ସୀମା କଲେଜ୍ ଯାଇ ପୁଣି ମୋ ପାଖକୁ ଫେରିଆସିବ କହି ଖୁବ୍ ଯତ୍ନରେ ନିଜକୁ ସଜେଇ ବାହାରିଗଲା l ଗଲାବେଳକୁ ପ୍ରତିଥର ପରି ମୋ ଠାରୁ କିଛି ଟଙ୍କା ମାଗିନେଲା l ଅଫିସ୍ ରେ ସମସ୍ତେ ମୋତେ ଦେଖି କଣ ଠରା ଠରି ହେଉଥିଲେ l ମୁଁ ସେଥିପ୍ରତି ଧ୍ୟାନ ନଦେଇ ମୋ ଚ୍ୟାମ୍ବର୍ କୁ ଚାଲିଗଲି l ଲଞ୍ଚ୍ ଆୱାର୍ ରେ ତୁଳସୀ ନାୟକ ମୋ ପାଖକୁ ଆସିଲା l ସେ ଛୁଟି ନେବାକୁ ଚାହୁଁଥିଲା l ତା ଛୁଟିନେବାର କାରଣ ସେ ମୋତେ କହିଲା l ତା ପରେ ସେ ପୁଣି ମୋତେ ବିରକ୍ତ କରିବା ଆରମ୍ଭ କରିଦେଲା l


--ମ୍ୟାମ୍, ଆପଣଙ୍କ ବାହାଘର ପାଇଁ ମାଟ୍ରିମୋନିଆଲ୍ ରେ ପ୍ରୋଫାଇଲ୍ ଖୋଲି ଦିଅନ୍ତୁ l ଆଉ କଣ ଏ ବୟସରେ ନିଜେ ଖୋଜିଲେ ଭଲ ପ୍ରସ୍ତାବ ମିଳିବ ? ବୟସ୍କ ପୁଅ, ଝିଅଙ୍କ ବିବାହ ପାଇଁ ମାଟ୍ରିମୋନିଆଲ୍ ବେଷ୍ଟ୍ l


  ମୁଁ ତୁଳସୀ କଥାରେ ହୁଁ କିମ୍ଵା ହାଁ କିଛି କହିଲିନି l "ଛୁଟି ସାଙ୍କ୍ସନ୍ ହେଇଯିବ", କହି ମୋ ମୋବାଇଲ୍ ଟା ଧରି ମୁଁ ବାହାରକୁ ବାହାରିଆସିଲି l ତାପସ୍ ଙ୍କୁ ଫୋନ୍ ଲଗେଇଲି l ଦୁଇଥର ରିଙ୍ଗ୍ ହେଇ କଟିଲା ପରେ ସେ ଫୋନ୍ ରିସିଭ୍ କଲେ l


: ରୀମା, ମୁଁ ଘରେ ଅଛି l ମମି, ବାପାଙ୍କ ସହ ଏବେ ତୁମରି ବିଷୟରେ ହିଁ କଥା ହେଉଥିଲି l


: ଘରକୁ କେବେ ଗଲ ? ମୋତେ ତ କିଛି କହୁନଥିଲ ? 


: ଆଜି ଆସିଲି l ସକାଳୁ l ମମିର ଦେହ ଟିକେ ଭଲ ନାହିଁ ତ l ତୁମେ ତ ଜାଣିଥିବ ମୁଁ କାହିଁକି ମୋ ଇଞ୍ଜିନିୟରିଂ ଚାକିରୀ ଛାଡି ଓଡିଶା ପଳେଇ ଆସିଲି l ମୁଁ ମୋ ମମି, ବାପାଙ୍କର ଗୋଟିଏ ବୋଲି ପୁଅ l ସ୍ନେହା ମୋଠାରୁ ବହୁତ ସାନ l ଗ୍ରାଜୁଏସନ୍ ପଢୁଛି l ଘରଠୁ ଦୂରରେ ରହି ଚାକିରୀ କଲେ ଏମାନଙ୍କ କଥା ବୁଝିବ କିଏ ? ସେଥିପାଇଁ ପାଇଁ ତ ଏହି କ୍ଳରିକାଲ୍ ପୋଷ୍ଟ୍ ରେ ମୋତେ ସନ୍ତୁଷ୍ଟ ହେବାକୁ ପଡୁଛି l ଶୁଣ ରୀମା ମମି କାହିଁକି ଡାକୁଛି, ମୁଁ ତୁମକୁ ପରେ ଫୋନ୍ କରିବି l


      ମୁଁ ସେମିତି ଫୋନ୍ ଟାକୁ କାନ ପାଖରେ ଲଗେଇ ରଖିଥିଲି l ତାପସ୍ କିନ୍ତୁ ତଥାପି ଲାଇନ୍ ରେ ଥିଲେ l ତାଙ୍କୁ ବୋଧେ ଲାଗିଥିଲା ପ୍ରତିଥର ପରି ଏଥର ବି ମୁଁ ଏପଟୁ ଫୋନ୍ ଡିସକନେକ୍ଟ୍ କରିବି l ମୁଁ କରିନଥିଲି l ତାଙ୍କ ଘରର କୋଳାହଳ ଶୁଣିବାକୁ ମୋତେ ଇଚ୍ଛା ହେଉଥିଲା l ତାପସ୍ ବୋଧେ ତାଙ୍କ ମୋବାଇଲ୍ ଟା ନିଜ ହାତରେ କିମ୍ବା ପକେଟ୍ ରେ ଧରିରଖିଥିଲେ l ସେମାନଙ୍କ କଥା ମୋତେ ପରିଷ୍କାର ଶୁଭୁଥିଲା l ତାପସ୍ ଙ୍କ ମମି କହୁଥିଲେ, "ତପୁ, ତୁ ପରା କୋଉ ଝିଅ କଥା କହୁଥିଲୁ ? କିଏ ସେ ? କୋଉଠି ତା ଘର ? କରେ କ'ଣ ? ଜାତି ଗୋତ୍ର ସବୁ ବୁଝିଛୁ ତ ? "


--ଓହୋ ମମି, ତୁମେ ଏତେ ଗୁଡ଼ାଏ ପ୍ରଶ୍ନ ଏକାବେଳେକେ ପଚାରଯେ ମୁଁ ଅଣନିଶ୍ୱାସୀ ହେଇଯାଏ l ହଁ ସବୁ ବୁଝିଛି l ଆଉ କ'ଣ କିଛି ନବୁଝି ତାକୁ ମ୍ୟାରେଜ୍ କରିବାକୁ ନିଷ୍ପତ୍ତି ନେଇଥାନ୍ତି ? ଜାଣ ମମି ରୀମାର ଦରମା ମୋ ଦରମାର ଦୁଇଗୁଣ l ସେ କ୍ଲାସ୍ ଟୁ ଅଫିସର୍ l ଖୁବ୍ କମ୍ ଦିନ ଭିତରେ ତାର ପ୍ରମୋସନ୍ ହେଇ ସେ କ୍ଲାସ୍ ୱାନ୍ ହେଇଯିବ l 


--ସତରେ ! ବାଃ ବଢିଆ l 


--ହଁ ମମି, କିନ୍ତୁ ଗୋଟେ ଅସୁବିଧା ଅଛି l 


--କ'ଣ କିରେ ? 


--ସେ ବୟସରେ ମୋଠାରୁ ଦୁଇବର୍ଷ ବଡ଼ l ଦେଖିବାକୁ ମଧ୍ୟ ଏତେ ସୁନ୍ଦର ନୁହେଁ l 


--ତାହେଲେ କ'ଣ କହୁଛୁ ? ସେ ଝିଅ ଯଦି ତୋର ପସନ୍ଦ ନୁହେଁ, ଆମେ ଆଉ କୋଉଠି ଦେଖିବା l କାହିଁକି ବୟସ୍କ ଝିଅଟାକୁ ବାହା ହେଇ ଜୀବନଯାକ ମନରେ ଦ୍ୱନ୍ଦ୍ୱ ରଖିବୁ ? ତୁ କ'ଣ ତାକୁ ଭଲ ପାଉନୁ ? କହୁନୁ ସତକଥା କ'ଣ ? 


--ନାଇଁ ମମି, ଭଲପାଇବା ନପାଇବାର କଥା ପଡିନି l କଥା ହେଉଛି, ଏମିତି ଗୋଟେ ଭଲ ଜବ୍ କରୁଥିବା ଝିଅର ପ୍ରସ୍ତାବ ମୋତେ ଭବିଷ୍ୟତରେ ମିଳିନପାରେ l ବୟସ ସାଙ୍ଗରେ କ'ଣ ଅଛି ? କିଏ ଆସି କ'ଣ ମୋ ଘରେ ତା ବାର୍ଥ୍ ସାର୍ଟିଫିକେଟ୍ ଦେଖୁଛି !


  ତାପସ୍ ଙ୍କ ସ୍ବରରୁ ମୁଁ ଏତିକି ଶୁଣିଛି, କାହିଁକି କେଜାଣି ମୋ ଛାତିଭିତରେ ଭୀଷଣଗୋଟେ ରୁନ୍ଧିହେଲା ପରି ଯନ୍ତ୍ରଣା ହେଲା l ମୁଁ ବୋଧେ ଚାହୁଁଥିଲି ତାପସ୍ ତାଙ୍କ ମମିଙ୍କ ପ୍ରଶ୍ନର ଉତ୍ତରରେ କିଛି ସୁନ୍ଦର କଥା କୁହନ୍ତୁ l ମୋ କାନ କିଛି ଅଲଗା ଶୁଣିବାର ଆଶାରେ ଥିଲା l କିନ୍ତୁ ନପାଇ ମନ ମୋର ଚୁନା ହେଇଗଲା l ଦୁଇ ଗାଲରେ ମୋର ନିଆଁ ଲାଗିଗଲା ଯେମିତି, ମୁହଁଟା ମୋର ସେମିତି ପୋଡିଗଲା ପରି ମୋତେ ଅନୁଭବ ହେଲା l ସେହି କ୍ଷଣି ମୁଁ ମୋ ମୋବାଇଲ୍ ଟା ସୁଇଚ୍ଡ୍ ଅଫ୍ କରିଦେଇ ମୋ ଟେବୁଲ୍ ପାଖକୁ ଫେରିଆସିଲି l


    ସେଦିନ ମୋତେ ଆଉ ଭୋକ କିମ୍ବା ଶୋଷ ହେଉନଥିଲା l କ୍ୱାର୍ଟର୍ସକୁ ଫେରି ସବୁ ବାକିଆ କାମ ପକେଇରଖି ମୁଁ ବେଡ୍ ରେ ଶୋଇରହିଥିଲି l ରାତିରେ ସୀମା ଫେରିଲା l ସେ ଖାଇକରି ଆସିଥିଲା l ଡ୍ରେସ୍ ଚେଞ୍ଜ୍ କରି ମୋ ବେଡ୍ ରେ ଆସି ମୋରି ପାଖରେ ଗଡି ପଡିଲା l ମୁଁ ମୁହଁକୁ ତକିଆରେ ମାଡି କାନ୍ଦୁଥିଲି l ସୀମା ତା' ନିଜ ଭିତରେ ଏତେ ମସଗୁଲ୍ ଥିଲା ଯେ ମୋ ବିଷୟରେ କିଛି ଜାଣିପାରୁନଥିଲା l


  ମୋବାଇଲ୍ ମୋର ସାଇଲେଣ୍ଟ୍ ରେ ଥିଲା l ଫୋନ୍ ଟାକୁ ଚେକ୍ କରିବାର ସାହସ୍ ଆଉ ମୋର ନଥିଲା l ଅଧଘଣ୍ଟା ଛାଡି ସୀମାର ଫୋନ୍ ବାଜିଲା l ମୁଁ ଶୋଇଯାଇଛି ଭାବି ସେ ଆଉ ବୈଠକ ଘରକୁ ଉଠିନଯାଇ ସେଇଠି ଫୋନ୍ ରେ ଟୁପ୍ ଟାପ୍ ହେଇ କଥା ହେବାକୁ ଲାଗିଲା l କଥା ମଝିରେ ମଝିରେ ସେ ଖିଲ୍ ଖିଲ୍ ହେଇ ହସୁଥିଲା l ମୋତେ ବେଶିରୁ ବେଶି କାନ୍ଦ ଲାଗିଲା l ମୁଁ ତା ପିଠି ଆଡକୁ ବୁଲିପଡିଲି l ସୀମାର ରେଶମୀ କେଶ ତକିଆ ଉପରକୁ ବିଛାଡ଼ି ପଡିଥିଲା ଆଉ ରୁମ୍ ର ଝାପ୍ସା ବେଡ୍ ଲାଇଟ୍ ରେ ତା ସୁରେଇ ପରି ସୁନ୍ଦର ଗୋରା ବେକଟା ମୋତେ ଦିଶିଗଲା l ସୀମାର ବେକ ସାରା ଛୋଟ ଛୋଟ ଈଷତ୍ ନୀଳ ରଙ୍ଗର ଦାଗ ଦେଖି ମୁଁ ମୋ ଆଖିଦୁଇଟା ବୁଜିଦେଲି l ମୋର ଭୀଷଣ ରାଗ ହେଉଥିଲା ମୋ ନିଜ ଉପରେ l ବହୁତ ବେଶି ରାଗ ହେଉଥିଲା ମୋ ବୟସ ଉପରେ l


   ଦୁଃଖର, ଯନ୍ତ୍ରଣାର ଦିନଗୁଡିକ ଭିତରୁ କେତୋଟିଦିନ ବିତିଗଲା l ସୀମାର ମୁଣ୍ଡ ଉପରେ ଥିଲା ପରୀକ୍ଷାର ବୋଝ l ସେ ଆଉ ଆସୁନଥିଲା l ମୁଁ ଏକ୍ଲା ଏକ୍ଲା ମୋ ଦୁନିଆଁରେ ନିଜକୁ ସଙ୍କୁଚିତ କରି ରଖି ଦେଉଥିଲା ବେଳେ ଦୂରରୁ ଅସରାଏ ଖୁସି କେବଳ ମୋ ପାଇଁ ମୋହରି ପାଖକୁ ଆସୁଥିଲା l ଭୟରେ ସେ ଖୁସିଠାରୁ ମୁଁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲି, କିନ୍ତୁ ସେତିକି ସମୟ ଭିତରେ ସତେଜ୍ ଫୁଲ ପରି ମନକୁ ପୁଲକିତ କରୁଥିବା ସେହି ଖୁସିଗୁଡିକ ମୋର ନିକଟବର୍ତ୍ତୀ ହେଇ ମୋ ଦୁଇ ଆଞ୍ଜୁଳିକୁ ସ୍ନେହଁ, ପ୍ରେମର ସୁବାସରେ ଭର୍ତ୍ତି କରିସାରିଥିଲା l


  ମୋ ନୂଆ ଜୀବନରେ ଅସରନ୍ତି ସୁଖର, ଶାନ୍ତିର, ପ୍ରେମର ଦେଢ଼ମାସ ବିତିଯାଇଥିଲା l ସେହିକିଛି ଦିନ ଭିତରେ ସୀମାର ବି ପରୀକ୍ଷା ସରିଯାଇଥିଲା ଓ ସେ ମୋତେ ନଜଣେଇ ମୋ କ୍ୱାର୍ଟର୍ସକୁ ଆସି ଦେଖିଲା ମୋ ଘର ଆଗରେ ତାଲା ଝୁଲୁଛି l ଅଲଗା ଏକ ବଡ଼ ତାଲାକୁ ଦେଖି ଚିଡିଉଠି ସେ ମୋତେ ଫୋନ୍ କଲା l


: ଦିଦି ତୁ କୋଉଠି ? ଏବେ ଯାଏଁ ଅଫିସ୍ ରୁ ଫେରିନୁ ? 


: ସୀମା ମୁଁ ଓଡିଶାରେ ନାହିଁ l ଗୋଟେ କନ୍ଫରେନ୍ସ୍ ରେ ବାଙ୍ଗାଲୋର୍ ଆସିଛି l


: ମୋତେ କି ବାପା, ମାଆ କାହାକୁ କହିବାକୁ ଉଚିତ ଭାବିଲୁନି ? ଘର ତାଲାଟା ବି ବଦଳେଇ ଦେଇଛୁ ! କ'ଣ ସବୁ ଚାଲିଛି ଦିଦି ? 


" ମୁଁ ନିରୋଦ୍ ର ନମ୍ବର୍ ତତେ ମେସେଜ୍ କରିଦେଉଛି l ତାକୁ ଫୋନ୍ କର୍, ସେ ଆସି ଡୁପ୍ଳିକେଟ୍ କାଠିଟା ଦେଇଯିବ l ତୁ ତାଲା ଖୋଲି ରହିଥାଆ l ମୁଁ ପଅରଦିନ ଫେରିବି l ଏବେ ବ୍ୟସ୍ତ ଅଛି l ରଖୁଛି l", ମୁଁ ଫୋନ୍ ସାଇଲେଣ୍ଟ୍ ରେ ରଖିଦେଲି l


  ଦୁଇଦିନ ପରେ ମୁଁ ଫେରିଲି l ସରି ମୁଁ ନୁହେଁ ଆମେ ଫେରିଲୁ l ମୁଁ ଓ ମୋ ହଜବ୍ୟାଣ୍ଡ୍ ଗୌରବ୍ l ଆମ ରେଜିଷ୍ଟ୍ରି ମ୍ୟାରେଜ୍ କୁ ଦେଢ଼ମାସ ପୁରିଯାଇଥିଲେ ମଧ୍ୟ ଗୌରବଙ୍କ ପରିବାର ଆମକୁ ସେଯାଏଁ ସ୍ୱୀକାର କରିନଥିଲେ l ଗୌରବ ମୋ ସହ ହିଁ ରହୁଥିଲେ l ଆଗାମୀ ଭବିଷ୍ୟତରେ ଆମେ ଦୁହେଁ ଦୁହିଁଙ୍କ ସହ ଏମିତି ଖୁସି ଖୁସି ରହିବାକୁ ଦୃଢ ସଂକଳ୍ପ ନେଇଥିଲୁ l ମୋର ଗୌରବଙ୍କ ସହ ସମ୍ପର୍କ ଓ ବିବାହକୁ ନେଇ ମୋ ଅଫିସ୍ ଓ ଆଖପାଖରେ ଉଠୁଥିବା ବିବାଦକୁ ମୁଁ କିମ୍ବା ସେ ଆଦୌ ଭୃକ୍ଷେପ କରୁନଥିଲୁ l ମୁଁ ସୋସିଆଲ୍ ମିଡ଼ିଆ ଠାରୁ ନିଜକୁ ଦୂରେଇ ରଖୁଥିବାରୁ ଅନେକ ମୋର ସମ୍ପର୍କୀୟ ମୋ ବିଷୟରେ ବିଶେଷ କିଛି ଅବଗତ ନଥିଲେ l ମୋ ବାପା, ମାଆ,ଭାଈ, ଭଉଣୀଙ୍କର ମୋ ପାଖରେ କିଛି ଆବଶ୍ୟକତା ନଥିଲେ ସେମାନଙ୍କର ଫୋନ୍ ମୋ ପାଖକୁ ଆସୁନଥିଲା l ସେଥିପାଇଁ ବୋଧେ ଏହି କଥାଟା ସେମାନଙ୍କ ପାଇଁ ନିହାତି ଅନାବଶ୍ୟକୀୟ ଭାବି ମୁଁ ସେମାନଙ୍କୁ ଜଣେଇନଥିଲି l 


   ଗୌରବ୍ କଲିଙ୍ଗ୍ ବେଲ୍ ଦେବାରୁ ସୀମା ଡୋର୍ ଖୋଲିଲା l ମୁଁ ଠିଆ ହେଇଥିଲି ଗୌରବ୍ ଙ୍କ ଦକ୍ଷିଣ ପାର୍ଶ୍ୱରେ l ମୁଁ ତରବରରେ କବାଟଟା ଠେଲି ଦେଇ ଭିତରକୁ ପଶିଗଲି l ମୋର ଟୟଲେଟ୍ ଯିବାକୁ ଥିଲା l ପଛରୁ ଶୁଣୁଥିଲି ସୀମା କହୁଥିଲା, "ଗୌରବ୍ ତୁମେ ଏଠି ? ଦିଦି ସାଙ୍ଗରେ ? "


    ମୋ ବେଡ଼ରୁମ୍ ରେ ମୁଁ ଆଉ ଗୋଟେ ତାଲା ଝୁଲେଇ ଯାଇଥିଲି l ସୀମା ଦୁଇଦିନ ହେବ ଗେଷ୍ଟ୍ ରୁମ୍ ରେ ଶୋଉଥିଲା l ମୁଁ ବାଥରୁମ୍ ରୁ ବାହାରିଆସିଲା ବେଳକୁ ଗୌରବ୍ ଆମ ରୁମ୍ ର ତାଲା ଖୋଲି ବେଡ୍ ସିଟ୍ ଝାଡ଼ି ସଜାଡି ପକାଉଥିଲେ l ମୋତେ ଦେଖି ମୁରୁକି ହସିଦେଲେ l ମୁଁ ବି ଟିକେ ହସିଦେଲି l ମୁଁ ସୀମାକୁ ଖୋଜି ଖୋଜି ଡ୍ରଇଂ ରୁମ୍ ଆଡକୁ ଗଲାରୁ ଶୁଣିଲି ସେ ବଡ଼ ବିରକ୍ତ ହେଇ କାହା ସହ କଥା ହେଉଛି l ମୋତେ ଦେଖି ଡୋର୍ ଖୋଲି ବାହାରକୁ ପଳେଇ କଥା ହେଲା l ମୁଁ ଫେରିଆସି କିଚେନ୍ ରେ ତିନି କପ୍ ଚା' ବସେଇଲି l ବୋଉର ଫୋନ୍ ଆସିଲା l


--ରୀମା, ମୁଁ ଏ କ'ଣ ଶୁଣୁଛି ? 


--ଠିକ୍ ଶୁଣିଥିବୁ ବୋଲି ଭାବୁଛି l ଗୌରବ ଗଭର୍ନମେଣ୍ଟ୍ ଇଞ୍ଜିନିଅର୍ l ଏଇଠି ଏବେ ନୂଆ ଜଏନ୍ କରିଛନ୍ତି l 


--ଆମେ କ'ଣ ତୋର ଏତେ ପର ହେଇଗଲୁ ? 


--ମୁଁ ଏଯାଏଁ ସେମିତି ଭାବିନି l କିନ୍ତୁ ମୋ ପାଖରେ ସତରେ ଆଉ ସମୟ ନଥିଲା l ଯେମିତି ତୁମମାନଙ୍କ ପାଖରେ ମୋ ପାଇଁ ସମୟ ନଥାଏ l ହଉ ତୁ ରଖ୍ ଚା' ଉତୁରି ଆସିଲାଣି l


   ସୀମା ଆସି ମୋ ପାଖରେ ଠିଆ ହେଲା l ତା' ହାତକୁ ଗରମ ଚା' କପ୍ ଟା ବଢ଼େଇଲା ବେଳକୁ ସେ ଖୁବ୍ ଉତ୍କ୍ଷିପ ହେଇ ମୋ ଆଡେ ଚାହିଁରହିଲା l ହାତ ଆଗକୁ ଆଣିଲା ନାହିଁ l 


--କ'ଣ ହେଲା ସୀମା ? ଚା' ପିଇବୁ ନାହିଁ ? 


--ଦିଦି, ଗୌରବ୍ ମୋ ପ୍ଲସ୍ ଟୁ ଫ୍ରେଣ୍ଡ୍ l 


--ହଁ ଜାଣେ l ସେ ମୋତେ ସବୁ କହିଛନ୍ତି l


--ତାପରେ ବି ତୁ.. ଛିଃ ଦିଦି ! ମୋତେ ବହୁତ ଲାଜ ଲାଗୁଛି l ତୁ ତୋ ବୟସ ଆଉ ତା ବୟସର ତାରତମ୍ୟ ବିଷୟରେ ଟିକେ ବି ଚିନ୍ତା କରିପାରିଲୁନି ? 


  ସୀମା କହିଚାଲିଥିଲା l ମୁଁ ନୀରବ ରହିବାକୁ ପସନ୍ଦ କଲି l ଆଉ ଦୁଇଟା କପ୍ ରେ ଚା' ଛାଙ୍କି ରଖିସାରିଥିଲି l ବୋଧ ହୁଏ କପ୍ ଗୁଡ଼ାକରେ ଚା' ଥଣ୍ଡା ହେଇଯାଉଥିଲା l ଗୌରବ୍ ଆସି ମୋ ପାଖରେ ଠିଆ ହେଲେ l ମୋ ହାତରୁ କପ୍ ନେଇ ପ୍ୟାନ୍ ରେ ଚା' ତକ ଢାଳି ଦେଲେ l ଆଉଥରେ ଗରମ କରିବାକୁ ପ୍ୟାନ୍ ବସେଇ ଗ୍ୟାସ୍ ଲାଇଟର୍ ଟିପିଲେ l ସୀମା ଆଡକୁ ଲକ୍ଷକରି କହିଲେ, "ସୀମା ଶୁଣିଲି ତୁମେ କୁଆଡେ ତୁମ ଏକ୍ସ ବୟଫ୍ରେଣ୍ଡ୍ ଅଜୟ ସହ ବ୍ରେକଅପ୍ କରିଦେଇଛ ? ପ୍ରଫେସର୍ ଦାସଙ୍କ ସହ ତୁମର ଆଫେୟାର୍ କ'ଣ ସତ ? "


-- ହଁ ଶହେ ପ୍ରତିଶତ ସତ l ଆମେ ବିବାହ କରିବାକୁ ଯାଉଛୁ, ସେ ବି ଦୁହିଁଙ୍କ ପରିବାରର ସହମତିରେ l କେବଳ ଦିଦିର ବାହାଘର ପାଇଁ ଯାହା ଆମ ବାହାଘର କଥା ଆଗେଇ ପାରୁନଥିଲା l ସମସ୍ତେ କହୁଥିଲେ ବଡ଼ ଭଉଣୀ ଥାଉଁ ଥାଉଁ.. 


-- ଓହୋ ଆଚ୍ଛା, ଏବେ ତ ଆଉ ମ୍ୟାରେଜ୍ ରେ କିଛି ଅସୁବିଧା ହେବନି ବୋଲି ମୁଁ ଭାବୁଛି l କିନ୍ତୁ ଫ୍ରଫେସର୍ ଦାସ ଯେ ବୟସରେ ତୁମଠାରୁ ଠାରୁ ଅନେକ ବଡ଼ ! ତୁମେ ଓ ତୁମ ପରିବାରଙ୍କର କ'ଣ ଏ ବିବାହରେ କୌଣସି ଆପତ୍ତି ରହିବନାହିଁ ? 


-- କାହିଁକି ଆପତ୍ତି ରହିବ ? 


ଗୌରବ୍ ଏଥର ଅଳ୍ପ ହସି କହିଲେ, "ଠିକ ଆପତ୍ତି ନରହିବା ଉଚିତ l କିନ୍ତୁ ଏଇ ଟିକକ ଆଗରୁ କିଛି ଗୋଟେ ବୟସକୁ ନେଇ ଏଠି ଖୁବ୍ ଆଲୋଚନା ଚାଲିଥିଲା ଭଳି ମୋତେ ଶୁଭିଲା ତ ସେଥିପାଇଁ ପଚାରିଦେଲି l"


   ସୀମା ପାଖରେ କହିବାକୁ ଆଉ କିଛି ନଥିଲା l ଗୌରବ୍ ଚା' ଛାଙ୍କି ମୋ ହାତକୁ ଗୋଟେ କପ୍ ଧରେଇଲେ ଆଉ ଗୋଟେ କପ୍ ନିଜ ଡାହାଣ ହାତରେ ଧରି ବାଁ ହାତଟା ମୋ କାନ୍ଧରେ ରଖି ମୋତେ ଡ୍ରଇଂ ରୁମ୍ ଆଡକୁ ଯିବାକୁ ଇସାରା ଦେଲେ l 


    ଆମେ ଅନେକବେଳ ଯାଏଁ ଡ୍ରଇଂ ରୁମ୍ ରେ ବସି ରହିଥିଲୁ l ଟିଭି ଦେଖୁଥିଲୁ l ଥକ୍କି ଯାଇଥିବା ମୋ ଗୋଡ଼ ଦୁଇଟାକୁ ନିଜ କୋଳକୁ ଟାଣି ଆଣି ଗୌରବ୍ ନିଜ ହାତରେ ମାଲିସ୍ କରିଦେଉଥିଲେ l ସୀମା ସମ୍ଭବତଃ ଗେଷ୍ଟ୍ ରୁମ୍ ରୁ 

ବାହାରୁନଥିଲା l ରାତି ରୋଷେଇ ପାଇଁ ମୁଁ ବ୍ୟସ୍ତ ହେଇ ଗୌରବଙ୍କ କାନ୍ଧରୁ ମୋ ମୁଣ୍ଡ ଉଠେଇ ଆଣି କିଚେନ୍ ଆଡେ ଯିବାକୁ ବାହାରିଲି l ସେ ମୋ ହାତ ଧରି ମୋତେ ଅଟକେଇ ଦେଲେ l

 : ଆରେ କ'ଣ ହେଲା ଉଠିଲ କାହିଁକି ? 


 : ଗୌରବ, ରୋଷେଇ !


 : ଏତେ ବ୍ୟସ୍ତ କାହିଁକି ? ରୁହ ମିଶିକରି କରିଦେବା l କେତେ ସମୟ ଲାଗିବ ଯେ ? ତୁମେ କ'ଣ ଜାଣିନ ମୁଁ ରୋଷେଇରେ ଏକ୍ସପର୍ଟ୍ ? ବସ ଟିକେ ମୋ ପାଖରେ l 


  ମୁଁ ଆଶ୍ଚର୍ଯ୍ୟ ହେଇ ପିଲାଟାକୁ ଦେଖୁଥିଲି l ସତରେ ତାଙ୍କୁ ଦେଖିଲେ ମୋ ଜୀବନରେ ଘଟିଥିବା ସବୁଯାକ ଅପମାନଜନକ କଥା ଗୁଡାକ ମୁଁ ଭୁଲିଯାଏ l ମୁଁ ଭୁଲିଯାଏ ମୋ ସହ ବିତିଯାଇଥିବା ମୋର ଅଣତିରିଶଟି ବସନ୍ତକୁ l ମୋତେ ଲାଗେ ଏଇ ଯେମିତି ମୁଁ ଏବେ ଏବେ କୈଶୋରରୁ ଯୌବନରେ ପାଦ ଦେଉଥିବା ଚୁଲବୁଲି ଝିଅଟେ l ଗୌରବଙ୍କୁ ଦେଖିଦେଲେ ମୋ ବୟସ ଆଉ ମୋତେ ଉପହାସ କରେନାହିଁ, ବରଂ ଭୟପାଇ ଖୁବ୍ ପଛକୁ ଫେରିଯାଏ l


  ମୁଁ ଅନ୍ୟମନସ୍କ ହେଇପଡୁଥିବା ଦେଖି ଗୌରବ୍ ମୋତେ ହଲେଇ ଦେଇ କହିଲେ, " କ'ଣ ଭାବୁଛ ? ଶୁଣ, ମୁଁ ଏମିତି ହିଁ ସବୁଦିନ ତୁମର ସବୁ ଦୁଃଖକଷ୍ଟ ଓ ହସଲୁହରେ ତୁମରି ହାତଧରି ଠିଆ ହେଇଥିବି l କେବେ ମଧ୍ୟ ତୁମକୁ ଏକ୍ଲା ଅନୁଭବ ହେବାକୁ ଦେବିନି l "


    ସେଦିନ ରାତିରେ ଡିନର୍ ପାଇଁ ଡାଇନିଂ ରେ ତିନୋଟି ପ୍ଲେଟ୍ ଥୋଇ ଗୌରବ୍ ସୀମାକୁ ଡାକିବାକୁ ଗଲେ l ଆମେ ସାଙ୍ଗ ହେଇ ଖାଇଲୁ l ସକାଳୁ ସକାଳୁ ସୀମା ବସ୍ ଷ୍ଟାଣ୍ଡ୍ ଯିବାକୁ ବାହାରୁଥିଲା ଆଉ ମୁଁ ଅଫିସ୍ ପାଇଁ ରେଡି ହେଉଥିଲି l ଗୌରବ୍ ସୀମାକୁ ଡାକି କହିଲେ, "ରୁହ ସାଙ୍ଗ, ମୁଁ ନେଇ ତୁମକୁ ଛାଡିଦେଇ ଆସିବି l "


  ସୀମା ଅଟକିଲା ଆଉ କହିଲା," ମୁଁ କିନ୍ତୁ ତୁମର ଶାଳୀ ହେଇପାରିବିନି l "


: କିଏ କହୁଛି ହେବାକୁ ? ସେ ନାଁଟା ଆଉ ତା ସହ ଯୋଡ଼ାଯାଇଥିବା ଅନ୍ତଃର୍ନିହିତ ଅର୍ଥଟା ମୋତେ ବି ଭଲଲାଗେନି l ହଉ ଚାଲ ଏଥର l 


  ସେମାନେ ଦୁଇଜଣ ଚାଲିଗଲେ l ମୁଁ ମୋ ଫାଇଲ୍ ସବୁ ସଜାଡି ରଖି ଯିବାକୁ ବାହାରୁଛି ବୋଉର ଫୋନ୍ ପୁଣିଥରେ ଆସିଲା l " ରୀମା, ବାପା ବହୁତ ରାଗିଛନ୍ତି ତୋ ଉପରେ l କହୁଥିଲେ ତୋର ଆଉ ଟଙ୍କା ପଠେଇବା ଦରକାର ନାହିଁ l "


  ବୋଉ ଆଉ ଦୁଇପଦ କଥା କହି ତା ଆଡୁ ଫୋନ୍ କାଟିଦେଲା l ମୁଁ ମୋ ଆଖିରୁ ଲୁହକୁ ପୋଛି ପୋଛି ଗେଟ୍ ପାର କରିଗଲା ବେଳକୁ ଭାବୁଥିଲି, " ସାନଭାଈଟାର ଏବେ ଏବେ ପ୍ରୋମସନ୍ ହେଇଛି l ସେ ବାହା ହେଇନି l ସେ କ'ଣ ସତରେ ମୋ ବାପାମାଆଙ୍କ ଦାୟିତ୍ୱ ଏମିତି ସବୁଦିନ ନେଇପାରିବ? " l 

  

  ମୋତେ ଆଜିବି ଭାବିବାକୁ ହୁଏ l କେମିତି ନଭାବିବି ? ବଡ଼ଝିଅ, ବୟସ୍କାଝିଅଟେ ପରା ମୁଁ l ବୟସ ବେଶି ହେଇଯାଉଥିବା ମୋ ଅବୁଝା ବାପା, ବୋଉଙ୍କ କଥା ମୁଁ ଚିନ୍ତା ନକଲେ ଆଉ କରିବ କିଏ    


     



Rate this content
Log in

More english story from Lopamudra Mishra

Similar english story from Classics