Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ ଶାନ୍ତି
ମୁଁ ଶାନ୍ତି
★★★★★

© ସତ୍ୟଜିତ୍ ମହାଂତି

Inspirational Others

4 Minutes   7.1K    20


Content Ranking

ଏଠି ଅତ୍ୟାଚାରୀ ଅନେକ,ଅତ୍ୟାଚାରର ହିସାବ ନାଇ । ଭୁବନେଶ୍ଵରରେ ସ୍ଵପ୍ନ ଅନେକ କିନ୍ତୁ ବାସ୍ତବତାକୁ ଦେଖେ କିଏ ? ରଙ୍ଗୀନ୍ ସହର, ସୁଉଚ୍ଚ ଅଟ୍ଟାଳିକା ଆଉ ସେ ଭିତରେ ଲାଗିଥାଏ ଶୀତ ତାପ ଯନ୍ତ୍ର ।ଯିଏ ବାହାର ର ଯନ୍ତ୍ରଣା କୁ କମେଇ ଦେଇ ଭିତର ର ଯନ୍ତ୍ରଣା କୁ ଘର ଭିତରେ ଚାପି ଦେଇଥାଏ ।

ପ୍ଲଟ ନମ୍ୱର୍ - ୫୪୬ , ଭି.ଆଇ.ପି କଲୋନୀ, ଆଇ.ର.ସି ଭିଲେଜ୍ ।ଆପଣ ସେଇଠିକି ଆସି ମୋତେ କଲ୍ କରନ୍ତୁ ମୁଁ ଗାଡ଼ି ପଠେଇଦେବି ମ୍ୟାଡମ୍ ।ସେପଟୁ ଜଣେ କିଏ ପଚାରୁଥିଲେ - ସାରଙ୍କୁ ଆଜି ଦେଖା କରିହବ ତ ? ସାର୍ ଭୁବନେଶ୍ଵରରେ ଅଛନ୍ତି ତ ? ଏ ଭଳି ପଛକୁ ପଛ ଅନେକ ପ୍ରଶ୍ନ ? ଏପଟୁ ସାମାନ୍ୟ ବିରକ୍ତି ର ସହ ଆରେ ମ୍ୟାଡମ୍ ଆପଣ ଛୁଆଙ୍କ ଭଳି ଏତେ ପ୍ରଶ୍ନ କଣ କରୁଛନ୍ତି ଯେ ?ଆପଣଙ୍କ ପାଇଁ ସାର୍ ଆଜି ସବୁ କାମ କ୍ୟାଂସଲ୍ କରି ଅପେକ୍ଷା କରି ଅଛନ୍ତି ,ଆପଣ କହିଲେ ଆପଣଙ୍କୁ ଆଉ କେତେ ସମୟ ଲାଗିବ । ହଁ ଏଇ ଅଧଘଣ୍ଟା ଭିତରେ ମୁଁ ପହଞ୍ଚି ଆପଣଙ୍କୁ କଲ୍ କରୁଛି ।ଓକେ ..ଆପଣ ଆସନ୍ତୁ ।।

ଆଜି ଦୁନିଆରେ ସେ ଏକା,ବଞ୍ଚିବାକୁ ସଂଘର୍ଷ କରି ଇନ୍ଦୁପୁରରୁ ଭୁବନେଶ୍ୱର ଦୀର୍ଘ ଲମ୍ବା ପଥ କିଭଳି ଅତିକ୍ରମ କରିଛି ସେ ହିଁ ଜାଣିଛି । ଆଖି ରେ ଆଖିଏ ସ୍ଵପ୍ନ ,ସେ ବି ଭାବୁଛି ଦୁନିଆଟା ଦେଖିବାକୁ ଯେମିତି ରଙ୍ଗୀନ୍ ସତରେ କଣ ସେତିକି ରଙ୍ଗୀନ୍ ? କିନ୍ତୁ ଉତ୍ତର ଖୋଜି ପାଉନି ସେ ।ସ୍କୁଲ୍ ରେ ପଢିଲା ବେଳେ କଣ ଥରେ ଅଧେ ସ୍କୁଲ୍ ନାଚ ରେ ପ୍ରଥମ ହେଇଗଲା ଯେ ସମସ୍ତେ କହିଲେ ଗୀତା ତୁ ଭଲ ନାଚିଲୁ ,କିଏ କହିଲା ଆବେ ଗୀତା ତୁ କ’ଣ ନାଚୁଛୁ ବେ ? ଆଉ କିଏ କହିଲା ଗୀତା ତୋ ଦେଇ ପାଠସାଠ କିଛି ହବନି ତୁ ନାଚ ଶିଖେ ।ବାସ୍ ସେଇ ଦିନୁ ବାପା ମାଆ ଛେଉଣ୍ଡର ପରିଚୟ ମିଳିଗଲା "ନାଚବାଲୀ ଗୀତା" ।।

ଗାଁଆରେ ଗଣେଶ ପୂଜାଠୁ ଦେବୀ ଭସାଣି । ଇଲେକସନ୍ ପ୍ରଚାରଠୁ ବର ଯାତ୍ରୀ ସବୁଠି ଖୋଜା ପଡେ ନାଚବାଲୀ ଗୀତା । ମୁହଁରେ ପାଉଡର ତା ସାଙ୍ଗକୁ କଜଳପାତିଆ ଲମ୍ବା ଲମ୍ବା ଆଇବ୍ରୋକୁ ସଜେଇ ଚୁମୁକି ଲଗା ଘାଗରା ପିନ୍ଧି ପହଞ୍ଚିଯାଏ ସେ ।ବାସ୍ ନାଚ ସାଇଲେ ପଇସା ନେଇ ଝପଟି ଝପଟି ଚାଲି ଆସେ ଘର ଆଡେ ।ଯୋଉ ଦିନ ନାଚ ନାଇ ସେଦିନ ଘର କ’ଣରେ ମୁହଁ ମାଡି ସେମିତି ଦିନ ସାରା ପଡି କେତେ କ’ଣ ଭାବୁଥାଏ କେହି ବି ଜାଣି ପାରନ୍ତିନି । ଏମିତି ଦିନେ ଭାବୁ ଭାବୁ ମୁଣ୍ଡରେ ଭୂତ ଚଢ଼ିଲା - ନା...ଆଉ ଗାଁଆରେ ନୁହଁ ମୁଁ  ଭୁବନେଶ୍ୱର ଯିବି ସେଠି ନାଚିବି ।ଏଠି ଶଳେ ଗାଁଆ ଟୋକାଙ୍କୁ କେତେ ଛାଇଛିକର୍ ଦେଖେଇବି ଯେ ।ମୁଁ କ’ଣ ଅସୁନ୍ଦର ନା ନାଚ ଜାଣିନି ବା । ବାସ୍ ପୁଡା ପୁଟୁଳା ଧରି ଛକ ମୁଣ୍ଡରେ ଅପେକ୍ଷା କଲା କେତେବେଳେ "ଶାନ୍ତିଲତା" ବସ୍ ଆସିବ ।

ଅଜଣା ସହରରେ ଏ ଭିତରେ ଦଶ ବର୍ଷ କଟିଗଲାଣି ,ପ୍ରଥମେ ଭୋଇସାହୀ ତାପରେ କାର୍ଗିଲ୍ ବସ୍ତି ଏମିତି କେତେ କୁଡିଆରେ କାଟି ସାରିଲାଣି କେତେ ରାତି ।ଘର ମାଲିକକୁ ଟଙ୍କା ଧରେଇ ଦେଇ ଚାଲି ଯାଏ ସେ ନିଜ ବେପାରକୁ ।ରାତିରେ ସହରଟା ଶୋଇଗଲେ ଗୀତାର ବେଉସା ଆରମ୍ଭ ହୁଏ । ତା ବେପାର ପାଇଁ ନଥାଏ ପିଣ୍ଡି କି ଦୋକାନ ଘର । ଅନ୍ଧାରୁଆ ଜାଗାରେ ଆରମ୍ଭ ହୁଏ ମୂଲଚାଲ ଆଉ ତାପରେ ନରରୂପି ଭଦ୍ରମୁଖା ସୈତାନ୍ ମାନେ ଆସିଥାନ୍ତି ସେଇ ବଦନାମ୍ ଗଳିକୁ ଯାହାର ନାଆଁ କାଳେ ରେଡ ଲାଇଟ୍ ଏରିଆ ।କିନ୍ତୁ ସେ ବୁଝିପାରେନି ରେଡ୍ ଲାଇଟ୍ ଏରିଆରେ କାଇଁ କେତେ ନାଲିବତୀ ଗାଡ଼ି ଆସେ ଆଉ ଚାଲିଯାଏ । ସେଥିପାଇଁ କ’ଣ ଏ ଜାଗାର ନାଆଁ ରେଡ ଲାଇଟ୍ ।

ଏଠି ଯୌବନ ଫିକା ପଡ଼ିଲେ ରୋଜଗାରରେ ଯବନିକା ପଡ଼ିଯାଏ ।ଏ କଥା ବି ଗୀତା ବେଶ୍ ଭଲ ଭାବେ ଜାଣିଥିଲା । ସେଥିପାଇଁ ତ ଖୋଜି ବୁଲୁଥିଲା ସେ ଯୌବନର ଶେଷ ପାହାଚରେ ଜୀବନର ଅନ୍ୟ ଏକ ରାସ୍ତାକୁ ।କିନ୍ତୁ ଏ କ’ଣ ? ଏଠି ଅଜଣା ରାସ୍ତାରେ ଅନେକ ଅଚିହ୍ନା ବାଟୋଇ କିନ୍ତୁ କେହି ଏଠି ଆପଣାର ନୁହନ୍ତି ଯେ । ଏମିତି କେତେ କ’ଣ ଭାବୁ ଭାବୁ ସେ ଆସି ପହଂଚି ଯାଇଥିଲା ଆଇ.ଆର.ସି ଭିଲେଜର ସେଇ ଜାଗାରେ ।ଲମ୍ବା କଳା ରଙ୍ଗର କଳା କାଚ ଲଗା ଗାଡ଼ି ଆଗରୁ ଅପେକ୍ଷା କରିଥିଲା ଗୀତାକୁ ।ଗୀତା ପହଞ୍ଚିବା କ୍ଷଣି ଗାଡ଼ିର ଡୋରଟି ଆପେ ଆପେ ଖୋଲି ଯାଇଥିଲା ଆଉ ଗୀତା ବସିବା କ୍ଷଣି ଗାଡ଼ିଟି ଆଗକୁ ଆଗକୁ ମାଡ଼ି ଚାଲିଥିଲା ।

ପ୍ରଥମେ ରେଜିଷ୍ଟରରେ ନାଁ ଚଢ଼ାଗଲା ।ଜଣେ କିଏ ସନ୍ନ୍ୟାସୀ ଆସି କହିଲେ ମାଆ ଆଜିଠୁ ତୁମେ "ଶାନ୍ତି ମାଆ" ନାମରେ ନାମିତ ହେଲ ।ଗୀତା ବି ଚାହୁଁଥିଲା ଠିକ୍ ସେୟା ।ବାସ୍ ସେଇଦିନୁଁ "ନାଚବାଲୀ ଗୀତା"ରୁ "ଶାନ୍ତି ମାଆ" ପରିଚୟରେ ପରିଚିତ ହେଲା ସେ ।ବଦଳିଗଲା ସବୁ କିଛି ତାପାଇଁ ।ସକାଳୁ ଆଶ୍ରମରେ ଫୁଲ ତୋଳା ଠୁ ଠାକୁର ପୂଜା ସବୁ କିଛିକୁ ଆଦରି ନେଲା ସେ ।କିନ୍ତୁ ଆଶ୍ରମକୁ ଆସୁଥିବା ସେଇ ସୈତାନ୍ ମାନଙ୍କୁ ସେ ଠିକ୍ ଚିହ୍ନି ପାରୁଥିଲା ଯେଉଁ ମାନେ ଭଦ୍ର ମୁଖା ତଳେ ଲୁଟୁଥିଲେ ଅନେକ ସରଳ ନିଷ୍କପଟ ଗୀତା ମାନଙ୍କୁ ।ସେମାନେ ହୁଏତ ଚିହ୍ନି ପାରୁନଥିଲେ ଗେରୁଆ ରଙ୍ଗ ର ମୁଣ୍ଡରେ ତିଳକ ଲଗା ସେଇ ଶାନ୍ତି ମାଆକୁ … ।

ଯେଉଁ ମାନେ ଦେହ ର ଭୋକ କୁ ମେଣ୍ଟେଇବାକୁ ଯାଇ ଖିନଭିନ୍ କରୁଥିଲେ ଗୀତା ମାଆ ର ଶରୀର କୁ ସେଇମାନେ ଆଜି ଶାନ୍ତି ମାଆ ର ପାଦ ତଳେ ଭିକ୍ଷା ମାଗୁଥିଲେ କ୍ଷଣିକ ଶାନ୍ତି ପାଇଁ ।କିନ୍ତୁ ଗୀତା ଠିକ୍ ଚିହ୍ନି ପାରୁଥିଲା ରାକ୍ଷସ ମାନଙ୍କୁ ।

 ସତ୍ୟଜିତ୍ ମହାଂତି ।।

ଅତ୍ୟାଚାରୀ ଭୁବନେଶ୍ୱର ନାଚବାଲୀ

Rate the content


Originality
Flow
Language
Cover design

Comments

Post

Some text some message..