Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କାଠୁରିଆ ନାଁ ସାରିଆ
କାଠୁରିଆ ନାଁ ସାରିଆ
★★★★★

© Bhubanananda Adhikari

Inspirational Others

3 Minutes   7.4K    21


Content Ranking

ବୈଶାଖର ଧୁ ଧୁ ଖରାବେଳ। ଓୟୁଏଟି ହଷ୍ଟେଲରୁ କିଛି ସ୍ୱତନ୍ତ୍ର କାମ ପାଇଁ ହଠାତ ଆସିଥିଲି ଦିନେ ମୋ ଗାଁକୁ, କୁଜଙ୍ଗ ଜଗନ୍ନାଥପୁରକୁ। ଘରେ ପହଞ୍ଚିବାର କିଛି ବାଟ ପୂର୍ବରୁ ମାନେ ଅଧିକାରୀ ସାହି ପଶିଲା ବେଳକୁ ଜଗୁନି (ମୋ ଗାଁ ସାଙ୍ଗ) ଦେଖାହେଲା ଆଉ କହିଲା ତମ ବାରି ଆଡେ କ’ଣ ଲୋକ ଗଦା ହେଇଛନ୍ତି,ମୁଁ ଆଶ୍ଚର୍ଯ୍ୟ ହେଲି। ଏବେ ତ କିଛି ହବାର ନଥିଲା। ସନ୍ଦେହ ଆଉ ଉତ୍ସୁକତା ବର୍ଷା ଛିଟାରେ ଟିକେ ଟିକେ ଓଦା ହେଇ ଘରେ ପହଞ୍ଚି ବାରି ଆଡେ ଚାହିଁଦେଲି। ସତକୁ ସତ ଦଶଟା ଖଣ୍ଡେ ଲୋକ ଠିଆ ହେଇଛନ୍ତି। ବାଡ଼ି ପଟେ ଆମର ଦୁଇଟା ବିରାଟ ବିରାଟ ଚାକୁଣ୍ଡା ଗଛ। ସେଥିରୁ ଗୋଟେ ଟଳି ପଡିଛି ମାଟିରେ, ଆଉ ଗୋଟାଏ ଗଛରେ ଦଉଡି ବନ୍ଧାବନ୍ଧି ଚାଲିଛି। ବୁଝିବାକୁ ଆଉ ବେଶି ସମୟ ଲାଗିଲାନି ଯେ ଆମର ଗଛ କଟା ହଉଚି। ଇଏ ଚାକୁଣ୍ଡା ଗଛ ଛାଇ ଦଉଥିଲା , ହେଲେ ସେ ଦୁଇଟା ଛାଇରେ କୋଉ ପରିବା କି କଦଳୀ ଗଛ ଉଧଉନଥିଲା।

ଧୁଆ ଧୁଇ ହେଇ ଟିକେ ଖାଇଦେଇ ପହଞ୍ଚି ଗଲି ଗଛ କଟା ଦେଖିବାକୁ।

ଦୁଇଜଣ ଗଛ ମୂଳରୁ ଦୁଇମୁଣ୍ଡିଆ କରତରେ କରକର କରି କାଟିଦେଉଛନ୍ତି , ଆଉ କିଛି ଜ’ଣ ଗଛରେ ଶକ୍ତ ଭାବେ ବନ୍ଧାହୋଇଥିବା ଦଉଡି ଯୋଡାକୁ ବଡ ଜୋରରେ ଭିଡିଦେଉଛନ୍ତି। ଲୋକ ଗୁଡା ଖାଲି ଦେହ, କଳା ଚେହେରା, ଝାଳ ନାଳ ଆଣ୍ଠିଏ ହେଇ ଗଛ କାଟିବାରେ ବ୍ୟସ୍ତ। ମୁହଁରୁ ଅଜବ ଶବ୍ଦର ଚିତ୍କାର ବି ଶୁଭୁଛି। କିଛି ମୁରବି ଲୋକ ଗାଁ ଲୋକ ଠିଆ ହେଇ ଗଛ କଟା ଦେଖୁଛନ୍ତି।

ଏମିତି କିଛି ସାଧାରଣ ପରିବେଶ ଭିତରେ ମୋର ନଜର ପଡିଲା ଗୋଟାଏ ପତଳା ଲୋକଟା ଉପରେ। ପତଳା ଦେହ ସିନା ଭାରି କର୍ମବୀର। ମଝିରେ ମଝିରେ ଯାଇ ଗଛ ମୂଳଟାକୁ କରତରେ କାଟି ପକାଉଥାଏ। ଦଉଡି ଆସି ଅନ୍ୟ ମାନଙ୍କ ସାଙ୍ଗରେ ମିଶି ଦଉଡିକୁ ଝିଙ୍କି ପକାଉଥାଏ ।

ବହୁତ ପରିଶ୍ରମ ପରେ ଶେଷ ଝିଙ୍କାରେ କଡ଼ମଡ଼ ଶବ୍ଦ କରି ଭୂମିରେ ବିଶାଳ ଗଛଟା ଟଳି ପଡିଲା ।ସତେ ଯେମିତି ଭୂକମ୍ପର ଭ୍ରମ ସୃଷ୍ଟି ହେଲା । ସମସ୍ତେ ଠୋ ଠୋ ହେଇ ହସିଲେ ।ଯାହା ହଉ କି ପରିଶ୍ରମ, ବାପରେ ବାପ। ।

ହେଲେ ସେଇ କାଳିଆ ଲୋକଟା କାଇଁ? ଗଛ କଟାରେ ପ୍ରମୁଖ କାର୍ପଟଦାର ସେଇ କାଠୁରିଆ ଭାଇ କାଇଁ?

ହଠାତ ଦେଖିଲା ବେଳକୁ ସେଇ ଲୋକଟି ଲମ୍ବ ହେଇ ସାଷ୍ଟାଙ୍ଗ ପ୍ରଣିପାତ ମୁଦ୍ରାରେ ଲୋଟି ପଡିଛି ସେ ଭୂ-ପତିତ ଗଛ ମୂଳେ। ବେଶ କିଛି କ୍ଷଣ ସାଷ୍ଟାଙ୍ଗ ଦଣ୍ଡବତ କଲା ପରେ ନିଜ କୁରାଢ଼ି ଛୁଆଁଇ କାନ ମୋଡି ଧୀର ଚଟକଣିଟାଏ ନିଜକୁ ମାରିଲା, ତାପରେ ପୁଣି ମୁଣ୍ଡିଆ ମାରି ଉଠି ଆସିଲା ।

ତାର ଏସବୁ ଆଚରଣ ପ୍ରତି ସମସ୍ତେ ଦୃଷ୍ଟିପାତ କରିନଥିଲେ ସୁଦ୍ଧା ମତେ ଭାରି ଆଚମ୍ବିତ କଲା ସେ କାଠୁରିଆର ଏଭଳି ଆଚରଣ। ମୋ ସଂଗେ ଆଉ ଜଣେ ଗାଁ ଲୋକ ବି ସେ କାଠୁରିଆର ଏହି ଅଜବ ଆଚରଣ ଦେଖି ସ୍ତମ୍ଭୀଭୂତ ହେଇ ଯାଇଥିଲେ, ଆଉ ତାକୁ ପଚାରିଲେ,"କିରେ ଇଏ କ’ଣ, ଗଛଟାକୁ କାଟିକି ଏତେ ମୁଣ୍ଡିଆ କ’ଣ ମାରୁଛୁ" ।

ଆଉ ପ୍ରତି ଉତ୍ତରରେ ସେ କହିଲା " ବାବୁ, ଆମେ ପରା ଓଡ଼ିଆ, ବିଜ୍ଞାନ କେତେ କ’ଣ ଦେଲା ଆମକୁ, କେତେ ନୂଆ କଥା ମଣିଷ ଶିଖିଲା, ଅନ୍ଧବିଶ୍ଵାସ ବି ଦୂର ହେଲା, ହେଲେ ଗୋଟାଏ କାଠଗର ଉପରୁ ଆଧ୍ୟାତ୍ମିକ ବିଶ୍ୱାସ କ’ଣ ଦୂର ହେଇପାରିଲା, ନା ଯିଏ ଯେତେ ଚେଷ୍ଟା କଲେ ବି ଓଡ଼ିଆ ମନରୁ ସେ କାଠ ଗର ଉପରେ ଥିବା ଅଖଣ୍ଡ ବିଶ୍ୱାସକୁ ଦୂର କରିଦେଇ ପାରିବ? ଏମିତିଆ ଗୋଟାଏ କାଠ ଗରରେ କୋଟିଏ ଓଡ଼ିଆର ମଉଡମଣି ତିଆରି। ଗଛ ପରା ଓଡ଼ିଆ ମାନଙ୍କ ପାଇଁ ଯୁଗେ ଯୁଗେ ଦେବତା । ସେ ନିମ୍ବ ହଉ, ତୁଳସୀ ହଉ ,ବା ଚାକୁଣ୍ଡା ଗଛଟା ହଉ। କେଡେ ବଡ଼ ଅପରାଧ କଲି ମୁଁ, କେତେ କଷ୍ଟ ଦେଇଛି ଦେବତାଙ୍କୁ ମୋର, ତଥାପି ପେଟ ପାଟଣା କଥା, ଭୁଲ ମାଗିଦେଲି, ସେଇ ଦାରୁଦିଅଁ ସବୁ ବୁଝିବ" ।

ମତେ ଯେମିତି ଲାଗୁଥିଲା ଏ କାଠୁରିଆ ନୁହଁ, ଏ ତ ପ୍ରାଜ୍ଞ, ଏ ତ ପଣ୍ଡିତ। ଏ ତ ଭକ୍ତ ଶିରୋମଣି। କଥାରେ କହନ୍ତି ଗଛ କାଟିଲେ ପାପ। ହେଲେ ଇଏ କୋଉ ପାପ କଲା, ତାହେଲେ ପାପ କିଏ କଲା ଥରେ ଭାବିଲେ? ଗଛ କାଟୁଥିବା ଇଏ ନା ଆଉ କିଏ?

ଏମିତି ଗୁଡାଏ ପ୍ରଶ୍ନ ଉଙ୍କି ମାରୁଥିଲା ମୋ ମନରେ, ସେତିକି ବେଳେ ଦୂରରୁ ଶବ୍ଦ ଶୁଭିଲା "କିରେ ସାରିଆ, କାଲି କୋଉଠି ଅଛି?"

ସେଇ ବିଜ୍ଞ କାଠୁରିଆ ଭାଇଟି ଉତ୍ତର ଦେଲା "କାଲି ନବାଡ଼ିଆ ଗାଁରେ ".। ଜାଣିଲି ସେ "କାଠୁରିଆ ନାଁ ସାରିଆ"। ଧନ୍ୟ ତମ ସୃଷ୍ଟି ମହାବାହୁ। ତମେ ଧନ୍ୟ, ତମ ଭକ୍ତ ବି ଧନ୍ୟ।

ବୈଶାଖ ସାରିଆ ଗଛ

Rate the content


Originality
Flow
Language
Cover design

Comments

Post

Some text some message..