ଅଭିନୟ
ଅଭିନୟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସାବିତ୍ରୀ ଓଷା ଦିନ ଅନ୍ୟ ସ୍ତ୍ରୀ ମାନଙ୍କ ଭଳି ସ୍ନିଗ୍ଧା ମଧ୍ଯ ତା' ସ୍ବାମୀ ରୂପେଶ ଙ୍କ ପାଇଁ ବ୍ରତ କରିବା ସହ ମନ୍ଦିର ଯାଇ ତାଙ୍କ ନାମରେ ପୂଜା କରିଥିଲା।ପୂଜା ସାରି ମନ୍ଦିର ବେଢାରେ ବୁଲୁଥିବା ବେଳେ ଗୋଟିଏ ବୃଦ୍ଧା ଭିକାରୁଣୀ କୁ କିଛି ଭିକ୍ଷା ଦେଲା। 'ଭଗବାନ ତୋ ଇଚ୍ଛା ପୂରଣ କରନ୍ତୁ' ବୋଲି ଆଶୀର୍ବାଦ ଦେଇ ଭିକାରୁଣୀଟି ପଚାରିଲା,'ଆଜି ଠାକୁରଙ୍କୁ କ'ଣ ମାଗିଛୁ ମା' ?'ପ୍ରତ୍ଯୁତ୍ତରରେ ସ୍ନିଗ୍ଧା କହିଲା, "ଯେତେ ଶୀଘ୍ର ସମ୍ଭବ,ସେତେ ଶୀଘ୍ର ମୋ ସ୍ବାମୀଙ୍କ ମୃତ୍ୟୁ।"ଏହାପରେ ମନ୍ଦିର ରୁ ଘରକୁ ଫେରି ପକ୍ଷାଘାତ ସ୍ବାମୀଙ୍କୁ ମୁଣ୍ଡିଆମାରି ପୁଅ ସମୀର କୁ ଖୁଆଇ ପିଆଇ ପୁଣି ସବୁଦିନ ଭଳି ନିଜର ଡ୍ଯୁଟି ମାନେ ପାଖ ମେଡିସିନ ଷ୍ଟୋର ରେ କମ୍ପାଉଣ୍ଡର୍ ହିସାବରେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଚାଲିଗଲା।ଲୋକଗହଳି ପାଇଁ ସେଦିନ ଦୋକାନରୁ ଫେରିବା ସମୟରେ ରାତି ହୋଇଯାଇଥାଏ।ଷ୍ଟ୍ରିଟ୍ ଲାଇଟ୍ ର ଛାପ୍ସା ଆଲୁଅ ଆଢୁ଼ଆଳ ରେ ସେ ଶୁଣିବାକୁ ପାଏ ପଡିଶାଘର ର ସୁନୀତା ମାଉସୀ ଆଉ ରାଧା ମାଉସୀଙ୍କ କଥୋପକଥନକୁ,ଯେଉଁଥିରୁ ସ୍ନିଗ୍ଧା ସ୍ପଷ୍ଟ ବାରି ପାରୁଥାଏ ତା' ବ୍ଯକ୍ତିଗତ ଜୀବନ ପ୍ରତି ସେମାନଙ୍କର ଅତି ଘୃଣ୍ଯ ମନ୍ତବ୍ୟ ଏବଂ ତା' ଚରିତ୍ର ପ୍ରତି କରାଯାଉଥିବା କଦର୍ଯ୍ୟ ଇଙ୍ଗିତକୁ;ଯାହା ତା'କୁ ଚରିତ୍ରହୀନା ଓ କଳଙ୍କିନୀ ବୋଲି ଆକ୍ଷେପ କରିବାକୁ ଯଥେଷ୍ଟ।ତଥାପି ଚୁପ୍ ଚାପ୍ ଘରକୁ ଫେରି ବାକି କାମ ସାରି ସ୍ବାମୀଙ୍କ ସେବା କରୁକରୁ ଦିନଯାକର ଘଟଣାସବୁ ମନେ ପକାଇ ଆଖିରୁ ଲୁହ ଗଡ଼ାଇବା ଭିତରେ କେତେବେଳେ ଯେ ସ୍ବାମୀଙ୍କ ପାଦରେ ମୁଣ୍ଡ ଆଉଜି ଶୋଇପଡ଼ିଛି ନିଜେ ବି ଜାଣିନି।ସକାଳେ ଯେତେବେଳେ ଆଖି ଖୋଲିଛି ଜାଣିପାରିଛି ଯେ ରୂପେଶ ଆଉ ନାହାଁନ୍ତି।କିଛି ସମୟ ମଧ୍ଯରେ ସାଇପଡ଼ିଶା ବନ୍ଧୁବାନ୍ଧବ ସମସ୍ତେ ଆସି ପହଞ୍ଚିଗଲେ ରୂପେଶଙ୍କ ଅନ୍ତିମ ସଂସ୍କାର ପାଇଁ।ଶବଦାହ ପାଇଁ ଯିବାବେଳେ ହଠାତ୍ ସ୍ନିଗ୍ଧା ସାବିତ୍ରୀ ଓଷା ଦିନ ଠାକୁରଙ୍କ ନିକଟରେ କରିଥିବା ମନସ୍କାମନା କଥା ଭାବି ରୂପେଶଙ୍କଙ୍କଙ୍କ ଶବକୁ ଜାବୁଡ଼ି ଧରି ହସିବାକୁ ଲାଗିଲା କିନ୍ତୁ ତା' ଆଖିରୁ ଲୁହସବୁ ଧାରଧାର ହୋଇ ଗଡିଯାଉଥାଏ।କିଛି ଲୋକ କହୁଥାନ୍ତି, ବିଚାରୀଟା ସ୍ବାମୀ ଚାଲିଯିବା ଦୁଃଖ ସହିନପାରି ପାଗିଳୀ ହେଇଗଲା।ଠିକ୍ ଏହି ସମୟରେ ସୁନୀତା ମାଉସୀ କହୁଥାନ୍ତି,ସେ ସମସ୍ତଙ୍କ ସାମ୍ନାରେ ପାଗିଳୀ ହେବାର ଅଭିନୟ କରୁଛି।ଗତକାଲି ପରା ମନ୍ଦିରରେ ସେ ଏଇଆ ମାଗିଥିଲା ବୋଲି ଭିକାରୁଣୀକୁ କହିଲାବେଳେ ମୁଁ ନିଜେ ଶୁଣିଛି।ସ୍ନିଗ୍ଧା ଏବେବି ଚୁପ୍ ରହି ଭାବୁଥାଏ-ହଁ ଅଭିନୟ,ଏଇ ଅଭିନୟ ହିଁ ତ କରିଆସିଛି ଆଜିକୁ ଆଠବର୍ଷ ଧରି।ବାହାଘର ସମୟରେ ସ୍ବାମୀ ସରକାରୀ ଚାକିରିଆ ବୋଲି ତା'କୁ କୁହାଯାଇଥିବାବେଳେ ପରେ ସେ ଜଣେ ଠିକା ରାଜମିସ୍ତ୍ରୀ ବୋଲି ସତ୍ଯତା ଜାଣି ପ୍ରତାରଣା ନାମକ ଶକ୍ତ ଆଘାତ ପାଇବା ସତ୍ତ୍ବେ ସମାଜ ଆଗରେ ଖୁସିରେ ରହିବାର ଅଭିନୟ,ନିଜ ବିକଳାଙ୍ଗ ପୁଅର ଭବିଷ୍ଯତକୁ ନେଇ ଚିନ୍ତିତ ରହୁଥିବାବେଳେ ମାତୃତ୍ଵ ସୁଖର ଅଭିନୟ,ସ୍ବରୋଜଗାର ପାଇଁ ଶାଶୁଘରଲୋକ,ସାଇପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ଗାଳିମନ୍ଦ ଶୁଣି ମଧ୍ଯ ଶାନ୍ତିରେ ରହିବାର ଅଭିନୟ।ଏମିତି ସମାଜ ଆଗରେ ଅଭିନୟ କରୁକରୁ ଜୀବନର ରଙ୍ଗମଞ୍ଚରେ ଗୋଟେ ନିଖୁଣ ଅଭିନେତ୍ରୀ ପାଲଟିଯାଇଥିଲା ସେ।କିନ୍ତୁ ପକ୍ଷାଘାତ ରୋଗରେ ପୀଡିତ ନିରବ ନିଶ୍ଚଳ ସ୍ବାମୀଙ୍କ କଷ୍ଟ ସହିନପାରି ଶେଷରେ ଯେମିତି ତା' ଅଭିନୟର ଜୁଆରରେ ଭଟ୍ଟା ପଡିଗଲା।ସ୍ତ୍ରୀ ଭାବରେ ସ୍ବାମୀଙ୍କ କଷ୍ଟକୁ ଅନୁଭବ କରିଛି ସେ ତେଣୁ ତାଙ୍କୁ ଏଇ ନର୍କଯନ୍ତ୍ରଣାରୁ ମୁକ୍ତି ଅର୍ଥାତ୍ ତାଙ୍କ ମୃତ୍ୟୁ ପାଇଁ ମନ୍ଦିରରେ ପ୍ରାର୍ଥନା କରିଥିଲା।ଆଜି ସ୍ବାମୀଙ୍କୁ ହରାଇବା ଦୁଃଖରେ ତା' ଆଖିରୁ ଲୁହ ଗଡୁଛି ସତ,କିନ୍ତୁ ଭଗବାନ ତା' ଡାକ ଶୁଣିଥିବା ଖୁସିରେ ତା'ର ସେଇ ଛାତିଥରା ହସ ସମସ୍ତଙ୍କ ଭାବନାରେ ଅନେକ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି କରିଛି।