Paramita Mishra

Tragedy


3  

Paramita Mishra

Tragedy


ବଲ୍

ବଲ୍

3 mins 7.4K 3 mins 7.4K

     କିଛି କାଗଜ, ଫଟା କପଡ଼ାକୁ ମକଚି, ଏଠୁସେଠୁ କିଛି ସୂତା ଟାଣିଆଣି ବବଲୁ ତାକୁ ବାନ୍ଧିପକେଇଲା । କୁନି ଭାଇ ବିନୁ ଆଡ଼କୁ ବଢେଇଦେଇ କହିଲା, “ଦେଖିଲୁ ଏଇଟା କ’ଣ ?” ତିନିବର୍ଷର ପୁଅ ବିନୁ ବଲ୍‌ଟିକୁ ଦେଖି ଭାରି ଖୁସି ହୋଇଗଲା । ବବଲୁ କହିଲା, “ବିନୁ, ଚାଲ ଖେଳିବା” ବଲ୍‌ଟି ଗଡ଼ି ଗଡ଼ି ରୋଡ୍ ଉପରକୁ ଚାଲିଯାଉଥିଲା । ବବଲୁ ଝଅଟ୍ କରି ବଲ୍‌ଟିକୁ ଧରିନେଲା । ବିନୁକୁ ଆଖି ଦେଖେଇ କହିଲା, “ଏଇ ! ରାସ୍ତା ପାଖକୁ କେବେ ଆସିବୁନି । ଦେଖ୍, କେତେ ବଡ଼ ବଡ଼ ଗାଡ଼ି ଯାଉଛି ।” ବିନୁ ଫୁଟ୍‌ପାଥ୍ ଉପରେ ଠିଆହୋଇ ରାସ୍ତା ସେପାଖ ଅଟ୍ଟାଳିକାକୁ ଏକାଲୟରେ ଚାହିଁରହିଥିଲା । ବବଲୁ କହିଲା, “କ’ଣ ହେଲା ? କ’ଣ ଦେଖୁଛୁ ? ଚାଲ ଯିବା ଖେଳିବା ।” ବିନୁ ଅଟ୍ଟାଳିକା ଆଡ଼କୁ ଆଙ୍ଗୁଠି ଦେଖେଇ କରୁଣ ସ୍ୱରରେ କହିଲା, “ଭାଇ, ବଲ୍ !” ସେହି ଅଟ୍ଟାଳିକାର ଗେଟ୍ ଭିତରେ କିଛି ବଡ଼ଘରର ପିଲାମାନେ ଏକ ବଡ଼ ଦାମିକା ବଲ୍‌ରେ ଖେଳୁଥିଲେ । ମାତ୍ର ସାତବର୍ଷର ବବଲୁ ଏକ ଦାୟିତ୍ୱବାନ୍ ଭାଇ ପରି ତାକୁ କୁଣ୍ଢେଇ ଧରିଲା । ନିଜ ଦେହର ଚିରା ସାର୍ଟଟିରେ ସାନଭାଇର ମୁହଁକୁ ପୋଛିଦେଇ ବବଲୁ କହିଲା, “ଜାଣିଛୁ ବୁନୁ ! ଏ ରବିବାର ତୋର ଜନ୍ମଦିନ । ମା’ କହିଛି ତୋ ପାଇଁ ନୂଆଁ ଡ୍ରେସ୍ ଆସିବ ଆଉ ଗୋଟେ ବଡ଼ ବଲ୍ ଆସିବ ।” ବିନୁର ନିଷ୍କପଟ ମନ କ’ଣ ବୁଝିଲା କେଜାଣି, ଆଖି ଦୁଇଟି ଚମକାଇ କହିଲା, “ଭାଇ, ଏତେ ବଡ଼ ବଲ୍ !” ଦୁଇଭାଇ ପୁଣି ଖେଳିବାରେ ଲାଗିଗଲେ ।

     ରବିବାର ଦିନ ବବଲୁର ମା’ ସକାଳୁ ସଅଳ ତିଆର ହୋଇଗଲା । ବବଲୁକୁ ଉଠେଇ କହିଲା, “ବାବାରେ, ମୁଁ ଯାଉଛି ।” ବବଲୁ ଆଖି ମନ୍ଥିମନ୍ଥି କହିଲା, “କୁଆଡ଼େ ମା’ ? ଆଜି ପରା ବିନୁର ଜନ୍ମଦିନ ।” ମା’ କହିଲା, “ଆଜି ବାବୁଘରେ ବହୁତ କାମ ଆଉ ତୁ ତ ଜାଣିଛୁ ଆଜି ଦରମା ମିଳିବ । ମୁଁ ରାନ୍ଧିକି ରଖିଛି, କ୍ଷୀରି କରିଛି ବିନୁ ଲାଗି । ସେ ଉଠିଲେ ତାକୁ ଖୋଇଦେବୁ । ଆଉ ପୁଅ ଧ୍ୟାନ ରଖିବୁ ବାବା ।” ବବଲୁ ମୁଣ୍ଡ ଟୁଙ୍ଗାରି କହିଲା, “ହଁ ମା’ ମୁଁ ବିନୁର ଧ୍ୟାନ ରଖିବି, ତୁ ଯା’ । ଫେରିଲାବେଳେ ବିନୁ ଲାଗି ଭଲ ସାର୍ଟ ଆଉ ଗୋଟେ ବଡ଼ ବଲ୍ ଆଣିଥିବୁ ମା’ । ସେ ସବୁଦିନ ରାସ୍ତା ସେପାଖ ପିଲାଙ୍କର ବଲ୍‌ଟିକୁ ଚାହିଁରହୁଛି ।” “ଠିକ୍ ଅଛି, ଆଣିଦେବି” କହି ମା’ ଚାଲିଗଲା । ବବଲୁ ଭାରି ଆଦରରେ ବିନୁକୁ ଉଠେଇଲା । ଉଠୁଉଠୁ ବିନୁ କହିଲା, “ଭାଇ, ମୋ ବଲ୍ !” ବବଲୁ ବିନୁକୁ କାଖେଇନେଇ କହିଲା, “ମା’ ଆସିଲାବେଳେ ନେଇକି ଆସିବ ।” ବବଲୁ, ବିନୁକୁ ଗାଧୋଇ, ସଫା କରେଇ, ଦୁଇଭାଇ ମିଶିକି କ୍ଷୀରି ଖାଇଲେ । କାଲି ରାତିରେ ମା’ ବିନୁର ଚିରା ଡ୍ରେସ୍‌ଟିକୁ ସଜାଡ଼ିଥିଲେ । ତାକୁ ପିନ୍ଧେଇ ଦୁଇଭାଇ ଖେଳିବାକୁ ବାହାରିଗଲେ ।

     ବସ୍ତିପିଲାଙ୍କ ସାଙ୍ଗରେ ଲୁଚକାଳି ଖେଳୁଥିଲେ ଦୁଇଭାଇ । ବିନୁ ସମସ୍ତଙ୍କୁ ଖୋଜୁଥିଲା; କିନ୍ତୁ କାହାକୁ ପାଉନଥିଲା । ହଠାତ୍ ବିନୁର ନଜର ରାସ୍ତା ଉପରର ବଲ୍ ଉପରେ ପଡ଼ିଲା । ସେପାଖ ପିଲାଙ୍କର ଭୁଲ୍‌ରେ ବୋଧେ ଗଡ଼ିଆସିଛି । ବିନୁ କେତେଥର କହିଲା, “ଭାଇ, ଭାଇ, ବଲ୍, ବଲ୍ !” ହେଲେ ବବଲୁ ତା କଥା ବୁଝିପାରିଲାନି । ମା’ ଯେ କେତେବେଳେ ବଲ୍ ନେଇକି ଆସିବ ! ସତେ ଯେପରି ବଲ୍‌ଟି ହାତଠାରି ଡାକୁଥିଲା ବିନୁକୁ ! କିନ୍ତୁ ଭାଇ ମନା କରିଛି ରୋଡ୍ ଉପରକୁ ଯିବାକୁ । କୁନି କୁନି କଅଁଳିଆ ପାଦ ଦୁଇଟି ଅଜାଣତରେ ରୋଡ଼ ଉପରକୁ ଚାଲିଯାଇଛି । ସମସ୍ତଙ୍କ ଅଗୋଚରରେ ବିନୁ ଯାଇ ବଲ୍ ପାଖରେ ହାଜର୍ । ଟିକେ ଖାଲି ବଲ୍‌ଟିକୁ ଛୁଇଁବାକୁ ଚାହୁଁଥିଲା, ବଲ୍‌ଟିକୁ ହାତରେ ପାଇ ବିନୁର ଖୁସି କହିଲେ ନସରେ । ବଲ୍‌କୁ ଭାଇକୁ ଦେଖେଇବ ବୋଲି ଦୌଡ଼ିଆସିଲା ବିନୁ । ଦ୍ରୁତଗତିରେ ଗାଡ଼ିଟି ଧଡ୍ କରି ବିନୁ ଦେହରେ ପିଟିହୋଇ ଚାଲିଗଲା । ବିନୁର ନିସ୍ତେଜ ଶରୀର ସେଇଠି ଟଳିପଡ଼ିଲା ଆଉ ତା ହାତ ପାଖରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲା ନାଲିଆ “ବଲ୍” ! ! !

*****


Rate this content
Originality
Flow
Language
Cover Design