Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Biswal

Tragedy Inspirational

4.4  

Pradeep Biswal

Tragedy Inspirational

ଜୀବନ ତ ଏଇମିତି

ଜୀବନ ତ ଏଇମିତି

14 mins
256



      ଏ ସନେ ବରଷା ଯେମିତିକି ଧାରା ଶିରାବଣ । କୋଉ ଦିନ ବି ବାଦ୍ ଯାଇନି । ପାଖାପାଖି ଦି ହପ୍ତା ହେଲା ସବୁରି ଦିନରେ ମୁଷୁଳ ଧାରାରେ ବରଷା । ବିଲ ବାଡ଼ି ସବୁ ବରଷା ପାଣିରେ ବୁଡ଼ି ଗଲେଣି । ସୁନ୍ଦରପୁର ଗାଁ । କେଡ଼େ ସୁନ୍ଦୁରିଆ ନାଁ ଟି ଲାଗୁଛି । ଗାଁ ଚାରିପଟେ ଲମ୍ବି ଯାଇଛି ବୀସ୍ତିର୍ଣ୍ଣ ବିଲ ବାଡ଼ି । ବେଉଷଣ ସମୟ । ଚଷା ପୁଅଟି ଆଖିରେ ଟିକିଏ ବି ନିଦ ନାହିଁ । ସକାଳୁ ଉଠିଲେ ହଳ ଲଙ୍ଗଳ ଯୋଡ଼ି ଖେତକୁ ବାହାରିଯାଏ । ଗାଁ ଟିକୁ ଦେଖିଲେ ଆଖି ଲାଗିଯାଏ । 

     ସେଇ ଗାଁରେ ଜନମ ହରିଆ ନାହାକର । ସେ ଗାଁରେ ନାହାକ ସାଙ୍ଗିଆର ଲୋକମାନେ ପିଲାମାନଙ୍କର ଜାତକ ତିଆରି କରନ୍ତି, ଆଉ ପଣା ସଙ୍କରାନ୍ତିରେ ନୂଆ ପାଞ୍ଜି ବି ପଢନ୍ତି । ଛୁଆ ବେଳେ ହରିଆ ଦେଖିଛି ତା ଜେଜେ ଆଉ ବାଆ ସବୁ ସନରେ ପଣା ସଙ୍କରାନ୍ତି ଦିନ ତା ଗାଁର ଭାଗବତ ଟୁଙ୍ଗିରେ ନୂଆ ପାଞ୍ଜି ପଢିଥାନ୍ତି । ଗାଁ ମିଣିପେ ମାନେ ଚାରିପଟେ ଘେରି ବସିଥାନ୍ତି । ତା ବାଆ ଆଉ ଜେଜେକୁ କେତେ ସନମାନ ଆଉ ଆଦର କରିଥାନ୍ତି । ବରଷକ ସାରା ତାଙ୍କ ଘରେ ନୂଆ ଲୁଗା କିଣା ହୁଏନି । ଗାଁ ଲୋକମାନେ ସେଦିନ ନୂଆ ନୂଆ ମିଣିପେ ଆଉ ମାଇପି ପିନ୍ଧା ଲୁଗା ଦେଇଥାନ୍ତି । ଚାଉଳ, ମୁଗ, ବିରି, କୋଳଥ, ଡାଲି ବି ମିଳିଥାଏ । ବରଷକ ଯାକ ଖାଇ, ପିଇ ପିନ୍ଧି ଆହୁରି ବି ବଳେ । 

     ହରିଆ ତା ବୋଉକୁ କେବେ ବି ଦେଖିନି । ଖାଲି ଶୁଣିଛି ତାକୁ ଜନମ ଦେବାର ସାତ ଦିନ ପରେ ତା ବୋଉ ଆର ପାରିକୁ ଚାଲିଯାଇଛି । ବାଆ ଟା ଥିଲା ଯେ ତାକୁ ବାର ବରଷ ହେଇଥିଲା । ସେ ସନରେ କେଜାଣି କାହିଁକି ଗୋଟେ ଦିନ ଭାରି ଜୋର ଝଡ଼ ତୋଫାନ ଆସିଥିଲା । ଜେଜେ ମୋର ଯେତେ ମନା କଲେ ବି ବାଆ ତା କଥା ଶୁଣି ନଥିଲା । ବାରି ଆଡ଼େ ନଡ଼ିଆ ଗଛରୁ ପବନରେ ନଡ଼ିଆ ଝଡୁଥାଏ । କାହାରି କଥା ନଶୁଣି ବାଆ ମୋର ବାରି ଆଡ଼କୁ ପଳେଇଲା ନଡିଆ ଗୋଟେଇବାକୁ । ମୁଁ ବାଆ ର ଲୁଗାକୁ ଭିଡିକି ଧରିଥାଏ । ମୋ କଥାକୁ କଣ ଶୁଣିଲା । ନଡିଆ ଗୋଟେଇଲା ବେଳେ ଆମ ପୁରୁଣା ନଡ଼ିଆ ଗଛଟା ତା ଉପରେ ଅଜାଡ଼ି ହେଇ  ପଡିଲା । ବାସ୍ ସବୁ ଶେଷ । ବା ମୋର ଯିବାର ବାଇଶି ବରଷ ହେଇଗଲେଣି । ବୁଢା ଜେଜେଟା ତାକୁ ଆଜି ଏଡ଼ିଟିରୁ ଏଡୁଟିଏ କରିଛି । ପାକେଲା ଆମ୍ବ ସେ । ସେ ବା ଆଉ କେଇ ବରଷ ବଞ୍ଚିଥାନ୍ତା । ବା ଯିବାର ଦଶ ବରଷରେ ପଦିଆ ନାହାକ ଝୁଅ ଝୁମୁକିକୁ, ମୋ ବେକରେ ଛନ୍ଦି ଦେଇ ସେ ବି ଚାଲିଗଲା । 

     ଆମ କୁଳ ବେଉଷାକୁ ନେଇ ଚଳିବାକୁ ବୁଢା ମୋ ପଛରେ ପୁରା ପଡିଥିଲା । ହେଲେ କେଜାଣି କାହିଁକି ମୁଁ ମୋଟେ ମନ ଦେଇନଥିଲି । ଘରଡ଼ିହ ଛାଡି ଦେଲେ ବିଲ ଦି ମାଣେ । ପାଠ ସାଠ ବି ହେଲାନି ମୋ ଦେହି । ଚାହାଳିକୁ ଯାଉଥିଲି । ହେଲେ ଅବଧାନଙ୍କ ଜାଉଁଳି ବେତ ମାଡ଼ ଭୟରେ ପଢାରେ ଡୋରି ବାନ୍ଧିଥିଲି । କୁଳ ବେଉଷାକୁ ତ ଛାଡ଼ିଲି । ଆଉ କଅଣ ବା କରିଥାନ୍ତି ଯେ । ଆମର ଦି ମାଣ, ଆଉ ଗାଁ ଠାକୁରାଣୀଙ୍କର ତିନି ମାଣ, ଏମିତି ପାଞ୍ଚ ମାଣ ବିଲକୁ ଚାଷ କରି ଦିନ କାଟିଲି । 

     ଏବେ ମୋ ପରିବାର କହିଲେ ମୁଁ, ଆଉ ମୋ ଝୁମୁକି । ନାଁ ଟି ଯେଇମିତି ସୁନ୍ଦୁରିଆ, ମୋ ତିରିଲା ଦେଖିବାକୁ ବି ସେମିତି ସୁନ୍ଦୂରିଆ । ହା...ହା.....ହା..... ଆମ ଗାଁର ଚଇତନ ବୁଢା ମଜାରେ ମତେ କୁହେ, ନାତି ଟୋକା ତୁ ଗୋଟେ ନୀଳନୟନୀ ହରିଣୀଟିକୁ ପାଇଯାଇଛୁ । ମନ ଭିତରେ ରାଗ ଆସୁଥିଲେ ବି, ବୁଢା କିନ୍ତୁ ଏମିତି ମଜାଳିଆ ଢଙ୍ଗରେ କହିଥାଏ ଯେ, ମୋ ରାଗ କୁଆଡ଼େ ମିଳେଇଯାଏ । 

     ଝୁମୁକି.... ସତରେ; ତା ନାଁ ଟି ଯେମିତି ସୁନ୍ଦୂରିଆ, ଦେଖିବାକୁ ବି ସେମିତି ଡଉଲ ଡାଉଲିଆ । ଆଉ ମୁଁ ନା ପୁରା ଭୁଷୁଣ୍ଡା କାଳିଆ । ମୋ ସାଙ୍ଗମାନେ ପିଲାବେଳେ ମତେ କାଳିଆ ନାହାକ କହି ଚିଡ଼ାଇଥାନ୍ତି । ବହୁତ କାନ୍ଦେ, ଘର କଣରେ ବସି ଏକୁଟିଆ । ଛୋଟିଆଟେ ହେଇ ଥାଏ । ଦିନେ ବାଆ କୁ ମୋର ପଚାରିଲି, ହେ ବାଆ, ତୁ ମୋ ବୋଉକୁ କଅଣ ପାଇଁ କି କହିଲୁନି, ମତେ ଗୋରା କରି ଜନମ ଦେଇଥାଆନ୍ତାଯେ ? ବାଆ ବି କଣ ଉତ୍ତର ଦେଇଥାନ୍ତା ଯେ । କାନକୁ ମୋର ମୋଡ଼ି ଦେଇ, କୁହେ ବଗୁଲିଆଟା ଖେଳିବୁ ଯାଆ । ବାଆ କୁ କିନ୍ତୁ ମୁଁ ଲୁଚି ଲୁଚି ଲକ୍ଷ କରିଥାଏ, ମତେ ବିଦା କରି ଦେଲା ପରେ, ଘର କଣରେ ଆଉଜିକି ବସି ସମସ୍ତଙ୍କ ଆଢୁଆଳରେ ତା ଆଖିରୁ ଲୁହ ଗଡ଼ଉଥାଏ । 

     ମା ଛେଉଣ୍ଡ ଛୁଆଟା ବୋଲି ଗାଁର ସମସ୍ତେ ଆଦର କରିଥାନ୍ତି । ବୋଉ ତ ମୋର ଆଗରୁ ଯାଇଥିଲା । ଆଉ ଏମାନେ, ଜଣେ ଜଣେ କରି ଗୋଟେ ପରେ ଗୋଟେ, ମୋ ବାଆ, ଜେଜେ ମତେ ଏକୁଟିଆ କରି ଚାଲିଗଲେ ତାଙ୍କ ନିଜ ଘରକୁ । ଆଉ ମୁଁ ବାସ୍ ଝୁମୁକିକୁ ନେଇ ଦେଖି ଚାଲିଲି ମୋ ଦୁନିଆକୁ । ଝୁମୁକି ଆମ ଗାଁର ହେଇଥିଲେ ବି, କେବେ ବି ତା ସହିତ ମୁହାଁ ମୁହିଁ କଥା ହେଇ ନଥିଲି । ଭାବିବି ନଥିଲି, ଝୁମୁକି ମୋ ତିରିଲା ହେଇ ଆମ ଘରକୁ ବୋହୁ ହେଇକି ଆସିବ । ବାହାଘରର ଚଉଠି ରାତିର କଥା । ଇଆଡୁ ସିଆଡୁ କେତେ କଥାକୁ ମୁଣ୍ଡରେ ଧରିକି ଚାହିଁ ରହିଥିଲି ଚଉଠି ରାତିକୁ । ମନ ଖୋଲି ସବୁ କଥା ମୋ ଝୁମୁକି କି କହିବି । ସେଦିନ ଏଇମିତି କେତେ କଥା ଭାବି ଭାବି ଗାଁର ସାଙ୍ଗମାନଙ୍କ ସହିତ ଦିନ ସାରା ବୁଲୁ ଥାଏ । 

     ସଞ୍ଜ ବେଳେ ଘରକୁ ଫେରିଲି । ଆମ ସାଇର ଧଡ଼ିଆ ଭାଇର ମାଇପ, ମୋ ମନି ନୂଆବୋଉ, ମତେ ଖାଇଆକୁ ଦେଇ, ଘର ଭିତରକୁ ଠେଲି ଦେଇ ବାହାରୁ କବାଟ କିଳି ଦେଲା । ଅଣ୍ଡିରା ପୁଅଟା ହେଲେ ବି, ମୋ ଗୋଡ଼ ହାତ ଥରୁଥାଏ । ପ୍ରଥମ କରି ଗୋଟେ ଝୁଅ ପିଲାଟା ପାଖରେ ମୁଁ ଏକା ପୁରା ଡ଼ରି ଯାଇଥିଲି । ଡିବିରି ଆଲୁଅରେ ମୋ ଝୁମୁକିର ଆଖି ଦିଇଟା ଦାଉ ଦାଉ ହେଇ ଚମକୁ ଥାଏ । ସିଧା ଆସି ମତେ ମୁଣ୍ଡିଆଟାଏ ମାରି ଦେଇ, ମୋ ହାତକୁ ଧରି ଘର କଣରେ ଜଳୁଥିବା ଦୀପ ପାଖକୁ ନେଇଗଲା । ଆଲୋ, ଆଲୋ ମତେ ଇଆଡିକି କଣ ପାଇଁ କି ଟାଣୁଛୁ ଯେ ? ମୋ ହାତକୁ ଚୁମୁଟି ଦେଇ ଧିରେ କହିଲା କି, କେଡ଼େ ଭବ ଷଣ୍ଢିଆ ଲୋକଟା ତମେ କେଜାଣି, ଏମିତି ଚିଲଉଛ କଣ ? ବାହାରେ ଶୁଣିବେ ଯେ..... ଆସ ଏ ଦୀପ ଉପରେ ହାତ ରଖି, ଆମେ ଦିହେଁ ଶପଥ କରିବା, ଆଉ କହିବା, ଦି ଜଣ ଯାକ ସାରା ଜୀବନ ସାଥି ହେଇ  ରହିବା । ବିଶ୍ଵାସର ଅତୁଟ ବନ୍ଧନ ଭିତରେ ସାରା ଜୀବନ ଆମେ ଏମିତି ବାନ୍ଧି ହେଇ ରହିଥିବା ।

     ଝୁମୁକି ମୋର ପାଠ ପଢିଛି । କଥା ବାରତା ତାର ଭାରି ମଧୁରିଆ । ତାର ଖିଲି ଖିଲି ହସ ହସ ମୁହଁରେ ସମସ୍ତଙ୍କ ମନକୁ କିଣି ନିଏ ସେ । ଯେତେ ଦୁଃଖରେ ଥିଲେ ବି ମଣିଷଟା, ତା ହସ ହସ ମୁହଁକୁ ଦେଖିଦେଲେ ତାର ସବୁ ଦୁଃଖ ହଜେଇ ଦିଏ । ସେଇ ଗୁଣଟି ପାଇଁ ଗାଁରେ ତାର ସବୁରି ଘରେ, ସବୁରି ମୁହଁରେ ଭାରି ଆଦର । ପୁନିଅ ପରବରେ ତ, ଝୁମୁକି ସବୁରି ଘରର ପୁରା ମଉଡ଼ମଣୀ । ମୋର କେଡ଼େ ସୁନ୍ଦୁରିଆ ନାଁ ଟା ହରିଆ । ମୋ ବାଆ ଦେଇଥିଲା । ହେଲେ ଝୁମୁକି ଚୌଠି ରାତି ଦିନ କହିଲା କି ଆଜି ତମେ ନା ମୋ ପାଇଁ ହରିଆ ନୁହଁ, ତମେ ହଉଛ ମୋ ହରିଶଚନ୍ଦ୍ର ।

     ସତରେ, ଝୁମୁକି ମୋର ହେଇକି ଆଇଲା ଦିନଠୁ, ମୋର ଆଉ କୋଉଥିରେ କିଛି ବି ଅସୁବିଧା ହେଇନି । ମୋ ବାଆ, ବୋଉ, ଜେଜେ ସବୁ ଚାଲି ଯାଇଥିଲେ ବି, ଝୁମୁକି ମୋର ଆଇଲା ଦିନଠୁ ସତରେ ଯେଇମିତି ମୋ ବାଆ, ବୋଉ, ଜେଜେ ମୋ ପାଖରେ ସେମିତି ସମସ୍ତେ ଅଛନ୍ତି । ମୁଁ ଉଠିବା ଆଗରୁ, ଝୁମୁକି ମୋର ସକାଳୁ ଆଗୁଆ ଉଠି ଯାଇଥାଏ । ଗୁହାଳ ଗୋଟେଇ ମନୁଆ କୁନୁଆକୁ (ବଳଦ) ମୁହିଁ ଦେଇ, ଲକ୍ଷ୍ମୀ (ଗାଈ)ର କଥା ବି ବୁଝି ସାରିଥାଏ । ବାରି ଘର ଓଳେଇ ଗୋବର ପାଣି ଛିଞ୍ଚି ସାରି ମତେ ଡାକି ଦିଏ । ତର ତର ହେଇ ମୋର ନିଇତି ଦିନିଆ କରମ ସାରି, କଣ ଟିକିଏ ଖାଇ ଦେଇ ବିଲକୁ ବାହାରିଯାଏ । ମହାପରଭୁ ମୁଣ୍ଡ ଉପରକୁ ଉଠିଲେ ଝୁମୁକି ମୋ ପାଇଁ ଖାଇବାକୁ ନେଇ ବିଲ ମୁଣ୍ଡରେ ପହଁଚି ଯାଇଥାଏ । ଯେତେ ମନା କଲେ ବି, ସେ ମୋ କଥାକୁ କେବେ ବି ନିଘା କରେନି । ତାର ଏକା ଜିଦ୍, ମୁଁ ନଖାଇଲା ପରଯନ୍ତ ସେ ବି ଖାଇବନି । ମୁଁ ଖାଉଥିବି, ଆଉ ସେ ମୋ ମୁହଁକୁ ଅନେଇକି ବାସ୍ ସେମିତି ବସିଥିବ । ମୁଁ ଖାଇ ସାରିଲେ ମୋରି ଅଇଁଠା କଂସାରେ ସେ ଖାଇବ । ଭାରି ଜିଦିଆ ଝୁଅ ପିଲାଟା । ମୋ ପାଇଁକି ସବୁବେଳେ ତା ଜୀବନ ଛାଡ଼ି ଯାଉଥିବ । 

     ଏଇମିତି ହସ ଖୁସିରେ ମୋର ତେଲ ଲୁଣର ସଂସାର ଗଡ଼ି ଚାଲିଲା । ବରଷେ ପୁରି, ଦିଇ ବରଷ, ଏମିତି ପାଞ୍ଚ ବରଷ ଗଡ଼ି ଚାଲିଲା । ସେ ସନେ ଆମ ଗାଆଁ ଡାକତରଖାନାକୁ ନୂଆ କରି ଜଣେ ଡାକତର ବାବୁ ଆସିଲେ । ନୂଆ ନୂଆ ଚାକିରି କଲା ପରି ଲାଗୁଥିଲେ । ନାଆଁ ତାଙ୍କର ଡଃ ସାର୍ଥକ ପଟ୍ଟନାୟକ । ଆମରି ଗାଁର ପଧାନ ସାହିରେ ଭଗିଆ ବଡ଼ବାପାଙ୍କର କୋଠାଘରେ ରହୁଥିଲେ । ଡାକତର ବାବୁଙ୍କୁ ଆମ ଆଖ ପାଖ ପନ୍ଦର ଷୋଳଖଣ୍ଡି ଗାଆଁରେ ସଭିଏଁ ଭଲ ପାଉଥିଲେ । ତାଙ୍କର ଅଉଷଧରେ ସମସ୍ତଙ୍କ ରୋଗ ଭଲ ହେଇଯାଉଥିଲା । ଯିଏ ଯେତେବେଳେ ଡାକୁଥିଲା, ସିଧା ଯାଇ ତାଙ୍କ ଘରେ ପହଁଚି ଯାଉଥିଲେ । ପଇସାଟିଏ ବି କାହାଠୁ ନଉ ନଥିଲେ । ଓଲଟି କାହାର ଅସୁବିଧା ଥିଲେ ନିଜ ପକେଟରୁ ପଇସା ଦେଇ ଦଉଥିଲେ । ଦେବତା ଭଳିଆ ମଣିଷଟା ଥିଲା ସେ ।

     ସମୟ ଗଡ଼ି ଚାଲିଲା । ଝୁମୁକି ଆଉ ମୋର ଖୁସିର ଦୁନିଆ ବି ଆଗେଇ ଚାଲିଥିଲା । ଦିନେ ରାତିରେ ଝୁମୁକି ମତେ କହିଲା କି, ହେଇଟି ମତେ କାଇଁ ତିନି ଚାରି ଦିନ ହେଲା ବାନ୍ତି, ବାନ୍ତି ଲାଗୁଛି । ମୁଁ ଡ଼ରିଗଲି, ଆଉ କହିଲି କି କାଲି ଯାଇ ଡାକତର ବାବୁଙ୍କ ଠାରୁ ଅଉଷଧ ନେଇ ଆସିବି । ହସିକି କହିଲା ଚୁପ୍; କୁଆଡ଼େ ଯିବା ଦରକାର ନାହିଁ । ତମେ ଏବେ ବାପା ହବାକୁ ଯାଉଛ । ଆଲୋ ଆଲୋ କଣ କହିଲୁ, କଣ କହିଲୁ, ମୁଁ ବାଆ ହେବି । ଖୁସିରେ ସେଦିନ ତାକୁ ଟେକି କି ନାଚି ଯାଇଥିଲି । 

     କିଛି ମାସ ତଳେ ଝୁମୁକି ମୋର ଜର ହେଇଥିଲା । ଡାକତର ବାବୁ ଆସି ଘରେ ଦେଖି ଅଉଷଧ ଦେବାରୁ ଭଲ ହେଇ ଯାଇଥିଲା । ସେଇ ଦିନଠାରୁ କେଜାଣି କାହିଁକି ଡାକତର ବାବୁ ସବୁଦିନ ସଞ୍ଜ ବେଳେ ଆମ ଘରକୁ ବୁଲି ଆସନ୍ତି । ମୁଁ ଜାଣି ପାରେନି ଡାକତର ବାବୁ କଣ ପାଇଁ କି ଝୁମୁକି ପାଖକୁ ସବୁଦିନ ଆସନ୍ତି । ଝୁମୁକି ବି ତାଙ୍କ ପାଇଁ ନାଲି ଲେମ୍ବୁ ଚା କରିଦିଏ, ଆଉ ଦିହେଁ ବସି କଥା ହୁଅନ୍ତି । ଆମ ଗାଆଁରେ ସେମିତି କେହି ପଢୁଆ ପିଲା ନଥାନ୍ତି । ମୁଁ ଭାବେ କି ଝୁମୁକି ମୋର ପାଠ ପଢିଛି ତ ସେଇଥି ପାଇଁ ବୋଧେ ଡାକତର ବାବୁ ଆସନ୍ତି ତା ସହିତ କଥା ଲାଗିବାକୁ । ମତେ ବି ବହୁତ ଗରବ ଲାଗେ କି ଡାକତର ବାବୁ ମୋ ଝୁମୁକି ପାଖକୁ ଆସୁଛନ୍ତି । ଡାକତର ବାବୁ ମତେ ବି ବହୁତ ଭଲ ପାଆନ୍ତି । ସବୁଦିନ ଏଇପରି ସନ୍ଧିଆବେଳେ ଡାକତର ବାବୁ ଆଉ ଝୁମୁକି କଥା ଲାଗିଚାଲନ୍ତି । ବେଳେ ବେଳେ ଝୁମୁକି ମୋର ବି ଡାକତର ବାବୁଙ୍କ ଆଡ଼େ ମାଡ଼ି ଯାଉଥାଏ । ପଚାରିଲେ କହେ କି ଅଉଷଧ ଆଣିବାକୁ ଯାଇଥିଲି । 

     ଭରଷା ଆଉ ବିଶ୍ଵାସ ଭିତରେ ଆମର ସଂସାର ବାସ୍ ଏମିତି ଚାଲିଥାଏ । ସବୁଦିନ ପରି ସେଦିନ ମୁଁ ସକାଳୁ ସକାଳୁ ବିଲକୁ ହଳ ନେଇ ବାହାରି ଯାଇଥାଏ । ଖାଇବି ନଥାଏ । ବିଲରେ ମଇ ଚଳେଇବା ପରେ, ଆଜି ତଳି ରୁଇଁଆକୁ ପଡ଼ିବ । ସୁରୁଜ ମହାପରଭୁ ମୁଣ୍ଡ ଉପରକୁ ଉଠି ତାଙ୍କ ମାଆ କୋଳକୁ ଯିବାକୁ ବାହାରିଲେଣି । ହେଲେ ମୋ ଝୁମୁକି କିନ୍ତୁ ସେଦିନ ଆସିନଥିଲା । ଅନେଇ ଅନେଇ ରହିଲି । ଦିନ ସାରା ଉପାସ । ଇଆଡେ ଝୁମୁକି ମୋର କଣ ପାଇଁ ଆସିଲାନି ବହୁତ ଡର ମାଡୁଥାଏ । ପୁଣି ପିଲାଟାକୁ ପେଟରେ ମୁଣ୍ଡେଇଛି, ମୋ ଝୁମୁକିର କିଛି ହେଇନି ତ !! ଇଆଡୁ ସିଆଡୁ ଏମିତି ଭାବି ଭାବି ସନ୍ଧିଆ ବେଳକୁ ଘରେ ପହଁଚିଲି । ସବୁଦିନ ଫେରିଲା ବେଳେ ଝୁମୁକି ମୋର ଏରୁଣ୍ଡି ବନ୍ଧକୁ ଆଉଜିକି ଠିଆ ହେଇଥାଏ । କିନ୍ତୁ ସେ ଦିନ ମୋ ଝୁମୁକିକୁ ସେଠି ଦେଖି ନଥିଲି । ବେଳକୁ ବେଳ ଡର ମାଡ଼ି ମାଡ଼ି ପଡୁଥିଲା । ମନଟା ବି ମୋର ଦବି ଦବି ଯାଉଥିଲା । ମନୁଆ କୁନୁଆକୁ ଖୁଣ୍ଟରେ ବାନ୍ଧି ଦେଇ ଅଗଣା ଭିତରକୁ ଗଲି । କିନ୍ତୁ ଏ କଣ !! ଝୁମୁକି ତ ମୋର ନାହିଁ । ଭାବିଲି ହାଣ୍ଡିଶାଳେ ଥିବ, ଦେଖିଲି ସେଠି ବି ନାହିଁ । ଗୁହାଳକୁ ଗଲି ସେଠି ବି ନାହିଁ । ବାରିଆଡ଼କୁ ଗଲି କାଳେ ପୋଖରୀ ପାଣି ଯାଇଥିବ । ହେଲେ ସେ ବାରିଆଡ଼େ ବି ନଥିଲା । ଏଇମିତି ଭାବିକି ବାରି ପିଣ୍ଢାରେ ବସି ରହିଲି । ସଞ୍ଜ ଯାଇକି ରାତି ହେଲା । ଇଆ ତା ସାଇ ଆଡ଼େ ଯାଇ ପଚାରିଲି କିନ୍ତୁ କେହିବି ଉତ୍ତର ଦେଲେନି । ଭାବିଲି କାଳେ ଡାକତର ବାବୁଙ୍କ ଆଡ଼େ ଯାଇଥିବ ବୋଲି ଧାଇଁଲି ସେଠିକି । ସେଠି ଦେଖିଲା ବେଳକୁ ତାଙ୍କ ଘରେ ତାଲା ଝୁଲୁଛି । ଭଗିଆ ବଡବାପାକୁ ପଚାରିଲି । ସେ କହିଲେ କି ଡାକତର ବାବୁଙ୍କର ସହରକୁ ବଦଳି ହେଇଗଲା ତେଣୁ ସେ ଚାଲିଗଲେ । ହେଲେ ମୋ ଝୁମୁକି? ମୋ ଝୁମୁକି କୁଆଡ଼େ ଗଲା !! ବହୁତ ଖୋଜିଲି । ରାତି ସାରା ପାଗଳ ହେଇ, ଏ ଗାଁ ସେ ଗାଁ ବୁଲିଲି । କୋଉଠି ବି ପାଇଲିନି । ମୁଣ୍ଡ ମୋର ଝାଇଁ ଝାଇଁ ହେଇଗଲା । ଗାଆଁକୁ ଫେରିଲା ବେଳକୁ ବାଟରେ ଶରବା ଦେଖା ହେଲା । ମୋ ବିକଳ ଅବସ୍ଥା ଦେଖି ସେ ବହୁତ ଦୁଃଖ କଲା । କାନ୍ଧରେ ମୋର ହାତ ଥାପୁଡେଇ ଦେଇ କହିଲା କି, ତୋ ଝୁମୁକି ଆଉ ଫେରିବନିରେ........ ମୋ ସ୍ତ୍ରୀ ରାଣୀ କହୁଥିଲା କି, ଡାକତର ଆଉ ସିଏ ସବୁବେଳେ କଣ ଟୁପୁରୁ ଟାପର ହୁଅନ୍ତି । ସାଥି ହେଇ ସହରକୁ ପଳେଇବେ ବୋଲି କଣ କଥା ହଉଥିଲେ । ମୋ ମୁଣ୍ଡ ଉପରେ ବଜର ପଡ଼ିଗଲା ଯେମିତି । 

     ମୋ ଝୁମୁକି !! ନା, ନା, ମୋର ମୋଟେ ବିଶୁଆସ ହଉ ନଥାଏ । ଶରବା କହିଲା ଆରେ ସତରେ, ଡାକତର ଆଉ ତୋ ଝୁମୁକି ଦିହେଁ ମିଶି ସହରକୁ ପଳେଇ ଯାଇଛନ୍ତି । ଭାବିଲି ସେ ଡାକତରଟା ମଣିଷ ନା ପଶୁ । ତାକୁ ମୁଁ ଏତେ ବିଶୁଆସ କରୁଥିଲି । ହେଲେ ସେ ଏଇମିତି କଲା !! ପୁଣି ଭାବିଲି, ତାକୁ ଦୋଷ ଦେଇ ଲାଭ ବା କଣ । ମୋ ଝୁମୁକି ତ ମୋର ହେଲାନି । ବହୁତ ବିକଳ ହେଇ କାନ୍ଦିଲି । ମନକୁ ମନ ବହୁତ ବି ରାଗିଲି । ମନ ବୁଝିଲାନି । ଭାବିଲି ଯାହା ହେଲେ ବି ଝୁମୁକି ମୋର ତିରିଲା । ସକାଳ ଗାଡ଼ିରେ ସହରରେ ପହଁଚିଲି । ପହଁଚିଲି ସିନା, କିନ୍ତୁ ଏତେ ବଡ଼ ସହରରେ ତାକୁ ପାଇବି ବା କୋଉଠି । ଏ ବାବୁକୁ, ସେ ବାବୁକୁ ଡାକତର ଠିକଣା ବିଷୟରେ ପଚାରିଲି । କେହି ବି କହିପାରିଲେନି । ଦିଇ ଦିନ ନଖାଇ ନପିଇ, ଏ ଗଳି ସେ ଗଳି ବୁଲି ଖୋଜିଲି । ହେଲେ କୋଉଠି ବି ପାଇଲିନି । କାନ୍ଦି, କାନ୍ଦି ଆଖି ମୋର କୋରଡ଼ରେ ଲାଗିଯାଇଥିଲା । ମନକୁ ମନ କହିଲି, ଆଲୋ ଝୁମୁକି, ତୁ କଣ ମୋ ଉପରେ ଏତିକି ଭରଷା ରଖି ପାରିଲୁନି ? ଡାକତର ଭଳିଆ, ମୁଁ ସିନା ସୁନ୍ଦୂରିଆ କି ପଇସା ବାଲା ନଥିଲି । ହେଲେ ତୋର ସବୁ ଅଳି ଅର୍ଦ୍ଦଳିକୁ ତ ମୁଁ ସମ୍ଭାଳିଥିଲି ନା । ତୁ ପାଖରେ ନ ବସିଲେ ମୁଁ ଖାଏନି । ଦିନସାରା କାମ କରି ଦେହଟା ଥକି ଯାଇଥିଲେ ବି, ତତେ ସନ୍ଧିଆ ବେଳେ ଦେଖିଦେଲେ ମୋର ସବୁ ଭଲ ହେଇଯାଏ । ସେ ଦିନ ତୁ ପରା କହିଥିଲୁ, ଆସ ଦୀପକୁ ସାଖି ରଖି କହିବା କି ସାରା ଜୀବନ ଆମେ ସାଥି ହେଇକି ରହିବା । ସେଦିନ ତାହାଲେ ତୁ ମିଛ କହିଥିଲୁ ନା ? ହଉ ତୁ ଗଲୁ ଯେ ମୋ ପୁଅଟା ହେଲା ପରେ ତୁ ଯାଇଥିଲେ ମତେ କଷ୍ଟ ନାଗି ନଥାନ୍ତା । ଭଲ କଲୁ । ତୁ ପାଠ ପଢିଛୁ । ଏ କାଳିଆ ଭୁଷୁଣ୍ଡାଟାକୁ ତୋ ପିଲାର ବାଆ ବୋଲି କେମିତି ବା କାହାକୁ କହିଥାନ୍ତୁ । ହଉ ଯାଆ ଯୋଉଠି ରହ ଭଲରେ ରହ । କଅଣ ବା ଆଉ କରିଥାନ୍ତି । ଦୁଇ ଦିନ ସହରରେ ବୁଲି ବୁଲି ପାଖରେ ବି ପଇସା ସରିଯାଇଥିଲା । ହେଲପର ଭାଇକୁ ଗୋଡ଼ ହାତ ଧରି କହିବାରୁ ସେ ମତେ ତା ବସରେ ଉଠେଇ ମୋ ଗାଁ ଛକରେ ଛାଡ଼ି ଦେଇ ଯାଇଥିଲା । 

     ଘରକୁ ଆସି ବହୁତ କାନ୍ଦିଲି । ମନକୁ ବହୁତ ବୁଝେଇଲି । ହଁ, ମୁଁ ବା କଣ କରିପାରିବି । ତା ଇଛା ସେ ଗଲା । ତାର ଲୁଗା ପଟା ଶଙ୍ଖା ସିନ୍ଦୁର ପିନ୍ଧା ଜିନିଷ ଗୋଟେ ଗଣ୍ଠିଲିରେ ବାନ୍ଧି ବାକସରେ ପୁରେଇ କୋଠି ଭିତରେ ରଖିଦେଲି । ଭଲ ପାଉଥିଲି, ବହୁତ ଭଲ ପାଉଥିଲି । ରାଗିକି ଲାଭ ବା କଣ....... ଯାଉ ତା ସୁଖ ପାଇଁ ସେ ଗଲା । ମୁଁ କଣ ପାଇଁ କି ରାଗିବି ।    

     କାଇଁ କେତେ ଦିନ ଏଇମିତି ତାକୁ ସବୁବେଳେ ଝୁରି ହେଲି । ପାଗଳଙ୍କ ପରି ଏଣୁ ତେଣୁ ଗପି ଚାଲିଲି । ମନି ଭାଉଜ, ରାଣୀ ଆଉ ଗାଁ ଲୋକ ସବୁ ଆସି ମତେ ବୁଝେଇଲେ । ଆରେ ତୁ ତାକୁ କିଛି କହିନୁ କି ତାକୁ ଅସୁବିଧାରେ ବି ପକେଇନୁ । ସେ ତାର ଗଲା ଯାଉ । ସେ ଯେମିତି ଗଲା ତୁ ବି ସେମିତି ଏବେ ତୋର ନୂଆ ସଂସାର କର । କାହାରି କଥା ମୋ ମନକୁ ପାଇ ନଥିଲା । ସେ ସିନା ଗଲା ତାର ନୂଆ ସଂସାର କଲା । ହେଲେ ମୁଁ କଣ ପାଇଁ ତା ଭଳିଆ ହେବି । ସେ ଭଲ ନ ପାଉ । ମୁଁ ତ ତାକୁ ଭଲ ପାଉଥିଲି ଏବେ ବି ପାଉଛି । ବାସ୍ ଏମିତି ମନକୁ ବୁଝେଇ ଦିନ ପରେ ଦିନ କଟେଇଲି । ମନରେ ଦମ୍ଭ ବି ଆଣିଲି । ଜୀବନ ଅଛି ଯେତେବେଳେ ଜିଇଁ କି ରହିବି ନା............... 

     ସମୟ ଗଡ଼ି ଚାଲିଲା । ମନୁଆ, କୁନୂଆ ଆଉ ଲକ୍ଷ୍ମୀ ତ ମୋର ଅଛନ୍ତି ନା । ଝୁମୁକି ସିନା ଠକି କି ମତେ ଛାଡି ଚାଲିଗଲା । ଏମାନେ ତ ମତେ ଠକି କି କୁଆଡେ ଯିବେନି ନା । ଏମିତି ତ ବାଆ ଆଉ ବୋଉ ଛେଉଣ୍ଡ ଥିଲି । ସେଥିପାଇଁ ଗାଆଁର ସବୁଲୋକ ମତେ ଦୟା କରୁଥିଲେ । ପ୍ରଥମେ ପ୍ରଥମେ ମୁଁ ପାଗଳ ପରି ହେବାରୁ ତିନି ଚାରି ମାସ ସେମାନେ ତାଙ୍କ ଘରେ ରଖି ମୋର ଖାଇଆ ପିଇଆ ବୁଝିଲେ । ଧିରେ ଧିରେ ମନକୁ ମୋର ବୁଝେଇ ନେଲି । ଝୁମୁକି ଗଲା ତା ସୁଖ ପାଇଁ । ଗାଆଁ ଭାଇଙ୍କ ଉପରେ ଆଉ କେତେ ଦିନ ବୋଝ ହେବି । ନିଜ କାମ ନିଜେ କରି, ଜୀବନ ଜିଇଁ ବାକୁ ଚେରେଷ୍ଟା କରି ଚାଲିଲି । ଧିରେ ଧିରେ ସବୁ ପୁରୁଣା କଥା ଭୁଲିବାକୁ ଲାଗିଲି । ନିଜ ବିଲ ବାଡ଼ି ଚାଷ କରି ଭଲରେ ଚଳିଲି । ତାରି ଭିତରେ ପଇସା ସଞ୍ଚୟ କରି ବରଷକୁ ବରଷ ମାଣେ ଦି ମାଣେ ଜମି ବି କିଣିଚାଲିଲି ।

     ଇଆରି ଭିତରେ ଅଣତିରିଶି ବରଷ ବିତି ଗଲେଣି । ମତେ ଏବେ ସତାବନ ବର୍ଷ ହେଲେଣି । ମୋର କଥା ବାର୍ତ୍ତା ଆଉ ଚାଲି ଚଳନ ସବୁଥିରେ ଏବେ ପରିବର୍ତ୍ତନ । ମୁଁ ସେମିତି ଆଉ ଶିରାବଣ, ସଙ୍କରାନ୍ତି, ସନ୍ଧିଆ, ଡାକତର, ତିରିଲା କହୁନି । ପୁରା ବାବୁଙ୍କ ଭଳିଆ ଚଳୁଛି । ସମୟଟା ଏଡ଼େ ଚଞ୍ଚଳ ଗଡିଗଲା ଯେ, କିଛି ବି ଜଣା ପଡ଼ିଲାନି । ମୋ ଝୁମୁକିର କିନ୍ତୁ ଗୋଟିଏ କଥା ଆଜି ମୋ ଜୀବନରେ ସତ ହେଇଛି । ସେଦିନ ଚୌଠି ରାତିରେ ମୋ ଝୁମୁକି କହିଥିଲା ଆଜିଠୁ ତମେ ମୋ ପାଇଁ ହରିଶଚନ୍ଦ୍ର । ମତେ ଏବେ କେହି ହରିଆ ବୋଲି ଡାକୁ ନାହାନ୍ତି । ହରିଶଚନ୍ଦ୍ର ବାବୁ ବୋଲି ଡାକୁଛନ୍ତି । ଦି ବାଟି ସମ୍ପତିର ମାଲିକ ଏବେ ମୁଁ । ଆମ ଜିଲାରେ ସବୁଠୁ ବଡ ଚାଷୀ ମୁଁ । ସେଦିନର ଚାଳ ଘର ଆଉ ନାହିଁ । ବଡ କୋଠା, ଚାକର ବାକର ଟ୍ରାକ୍ଟର, କାର ସବୁ ଏବେ ମୋର । ମନୁଆ, କୁନୁଆ ବୁଢା ହେଇ ଗଲେଣି । କିନ୍ତୁ ଏବେ ବି ମୋ ଖୁଣ୍ଟରେ ବନ୍ଧା ହେଇ ରହିଛନ୍ତି । ଲକ୍ଷ୍ମୀଟା କିନ୍ତୁ ମୋର ଝୁମୁକି କି ଝୁରି, ଝୁରି, ସେ ଗଲାର ପାଞ୍ଚ ମାସ ପରେ ମରି ଯାଇଥିଲା । ଦିହେଁ ଦିହିଁ କି ଭାରି ଭଲ ପାଉଥିଲେ । ଲକ୍ଷ୍ମୀ କଥା କହି ପାରୁ ନଥିଲେ କଣ ହେଲା, ହେଲେ ଝୁମୁକିର ସବୁ କଥାକୁ ମାନୁଥିଲା । ଝୁମୁକି ସିନା ତା ସୁଖ ପାଇଁ କି ସେତେବେଳେ ଏ ଭୁଶୁଣ୍ଡାକୁ ଛାଡ଼ି, ଡାକ୍ତର ବାବୁଙ୍କ ସହିତ ପଳେଇଗଲା । କିନ୍ତୁ ତାର ସେ ଦିନର କେଇ ପଦ କଥା ଏ ହରିଆକୁ ଆଜି ହରିଶଚନ୍ଦ୍ରର ପରିଚୟ ଦେଇଛି, ସେଥିପାଇଁ ମୁଁ ଆଜି ତାର ସେ ମହନୀୟତାକୁ କେବେ ବି ଭୁଲି ପାରିବିନି । 

     ଏ ବର୍ଷର ଜିଲାର ଶ୍ରେଷ୍ଠ ଆଦର୍ଶ କୃଷକ ଭାବେ ମତେ ସମ୍ମାନିତ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଜିଲ୍ଲାପାଳ କୃଷି ମେଳାରେ ମତେ ସମ୍ମାନିତ କରିବେ । ସକାଳୁ ସକାଳୁ ମୋ ଗେଟ ସାମ୍ନାରେ ବ୍ଲକ କୃଷି ଅଧିକାରୀଙ୍କର ଗାଡ଼ି ଲାଗିଲା । ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ସେ ମତେ ନିମନ୍ତ୍ରଣ କରି ନେବାକୁ ଆସିଛନ୍ତି । ମୁଁ ବି ସକାଳୁ ପ୍ରସ୍ତୁତ ହୋଇ ସାରିଥିଲି । ଠିକ୍ ସମୟରେ ପହଁଚିଗଲୁ ଫଙ୍କସନ ସ୍ଥାନରେ । ଜିଲ୍ଲା ଅଧିକାରୀ ମାନେ ମତେ ମଞ୍ଚ ନିକଟକୁ ପାଛୋଟି ନେଲେ । 

     ମଞ୍ଚ ଉପରେ ଅତିଥିମାନେ ମଞ୍ଚାସୀନ ଥାଆନ୍ତି । ଜିଲ୍ଲାପାଳଙ୍କ ଗାଡି ଆସିଲା । ତାଙ୍କ ସହିତ ଓଲ୍ହେଇଥିଲେ, ଜଣେ ବୟସ୍କ ଭଦ୍ର ମହିଳା । ହଠାତ୍ ମହିଳାଙ୍କ ଉପରେ ନଜର ପଡ଼ିଲା ପରେ, ମୋ ମନଟା କେଜାଣି କାହିଁକି ମୋର ପିଛିଲା ଜୀବନକୁ ଫେରି ଚାଲିଥିଲା । ନିଜର ମନକୁ ନିୟନ୍ତ୍ରଣ କରିବାକୁ ଯେତେ ଚେଷ୍ଟା କଲେ ବି, ପାରୁନଥିଲି । ତାଙ୍କୁ ଦେଖି ଲାଗୁଥିଲା କି, ଭଦ୍ର ମହିଳାଙ୍କ ସହିତ କୋଉଠି ନା କୋଉଠି ମୋର ଦେଖା ହେଇଛି । ଜିଲ୍ଲାପାଳ ସେଇ ମହିଳାଙ୍କର ହାତକୁ ଧରି ଆଣି ମୋ ଠାରୁ ଚାରୋଟି ଚେୟାର ଛାଡି ଭିଆଇପି ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଚେୟାରରେ ତାଙ୍କୁ ବସେଇ ଦେଇ ମଞ୍ଚ ଉପରକୁ ଉଠିଗଲେ । ଭିଆଇପି ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜାଗାରେ ସେ ଭଦ୍ର ମହିଳାଙ୍କୁ ଦେଖି, ମନ ଭିତରେ ମୋର ଅନେକ ପ୍ରଶ୍ନ ଉଙ୍କି ମାରିଚାଲୁଥିଲା । ବାଉଳି ଚାଉଳି ମନ ମୋର ହଉଥିଲା । ବ୍ୟସ୍ତ ହେଇ ମୋ ପାଖରେ ବସିଥିବା କୃଷି ଅଧିକାରୀଙ୍କୁ ପଚାରିଲି, ଭଦ୍ର ମହିଳା ଜଣକ କିଏ ବୋଲି ? ତାଙ୍କର ଉତ୍ତର ଥିଲା, ସେ ହେଉଛନ୍ତି ଆମ ସାରଙ୍କର ମାଆ । ସାରଙ୍କର ବାପା ଡଃ. ସିଦ୍ଧାର୍ଥ ପଟ୍ଟନାୟକଙ୍କର ଗତ ବର୍ଷ ରୋଡ଼ ଆକ୍ସିଡେଣ୍ଟରେ ମୃତ୍ୟୁ ହେଇଯାଇଛି । ସାର ହଉଛନ୍ତି ବାପା ମାଙ୍କର ଗୋଟିଏ ପୁଅ । ମୁଣ୍ଡ ପୁରା ଘୁରି ଗଲା । ମୋ ଅନୁମାନ ପୁରା ସତ ହେବାରେ ଲାଗିଲା । ସେଇ ଆଖି, ସେଇ ହସ ହସ ମୁହଁ । ବାସ ଖାଲି ପରିବର୍ତ୍ତନ ଥିଲା, ବୟସର ଛାପ, ଆଉ ବଡ଼ ଲୋକିଆଙ୍କ ଠାଣି । କଣ କରିବି କିଛି ବି ମୋ ମୁଣ୍ଡରେ ପଶୁ ନଥିଲା । ବ୍ଯାକୁଳ ମନ ନେଇ ଏଣୁ ତେଣୁ ଭାବିବାକୁ ଲାଗିଲି । କଣ କରିବି, ରହିବି ନା ଏସ୍ଥାନ ଛାଡ଼ି କିଛି ବାହାନା କରି ପଳେଇବି । ପୁଣି ଭାବୁଥାଏ ଏତେ ଦିନ ପରେ ମୋ ଝୁମୁକି କି ଦେଖୁଛି ପଦେ କଥା ହେବିନି । ପୁଣି ନିଜକୁ ନିଜେ ଗାଳି ଦେଲି । ଆଉ ନିଜକୁ ନିଜେ କହିଲି, ହରିଆ ଏ ତୋର ସେବର ଝୁମୁକି ନୁହଁରେ ସେପରା ଜିଲ୍ଲାପାଳଙ୍କର ମାଆ, ଆଉ ସ୍ଵର୍ଗତ ଡଃ ସିଦ୍ଧାର୍ଥ ପଟ୍ଟନାୟକଙ୍କର ସ୍ତ୍ରୀ । ତୁ ଏମିତି ବାୟାଙ୍କ ଭଳି କଣ ଚିନ୍ତା କରୁଛୁ ? ଠିକ୍ କଥା । ନିଜ ମନକୁ ଟାଣ କଲି ଆଉ ନିଜକୁ ନିଜେ ପୁଣି କହିଲି କି, ମୁଁ ସେଦିନର ହରିଆ ନୁହଁ ମୁଁ ତ ଆଜି ହରିଶଚନ୍ଦ୍ର ନାହାକ । 

     ହଠାତ ମଞ୍ଚ ଉପରେ ମୋ ନାଁ ଡକା ହେଲା । ଜିଲ୍ଲାପାଳ ମୋତେ ଆମନ୍ତ୍ରଣ କରି କହିଲେ କି, ଆମ ଜିଲ୍ଲାର ସୁନ୍ଦରପୁର ଗାଆଁର କୃଷକ ହରିଶଚନ୍ଦ୍ର ନାହାକଙ୍କୁ ଏ ବର୍ଷ ଆମ ସରକାରଙ୍କ ତରଫରୁ ଶ୍ରେଷ୍ଠ ଆଦର୍ଶ କୃଷକ ଭାବେ ସମ୍ମାନିତ କରିବା ସଙ୍ଗେ ସଙ୍ଗେ, ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଦିଆଯିବ । ସମ୍ମାନନୀୟ ହରିଶଚନ୍ଦ୍ର ନାହାକଙ୍କୁ ମଞ୍ଚ ଉପରକୁ ଆଣିବା ପାଇଁ କି ମୁଁ ଆମ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଅନୁରୋଧ କରୁଛି । କିନ୍ତୁ ଏ କଣ !! ଜିଲ୍ଲାପାଳଙ୍କର ମାଆ ପାଗେଳି ଭଳି ଚେୟାର ଉପରକୁ ଉଠି, ସତେ ଯେମିତି ମୋତେ ଖୋଜି ଚାଲିଥିଲେ । ମଞ୍ଚ ଉପରକୁ ଯିବାକୁ ହେଲେ, ତାଙ୍କରି ସାମ୍ନା ଦେଇ ଯିବାକୁ ପଡିବ । ଅଧିକାରୀ ଜଣଙ୍କ ଏପଟେ ପହଁଚି, ମତେ ପାଛୋଟି ନେବା ପାଇଁ ଠିଆ ହେଇଗଲେଣି । କିଛି ବି ଉପାୟ ନଥିଲା । ବାସ୍ ସେଇ ଭଦ୍ର ମହିଳାଙ୍କୁ ନଦେଖିଲା ପରି ଅଭିନୟ କରି ମୁଁ ସିଧା ମଞ୍ଚ ଉପରକୁ ଉଠିଲି । ଜିଲ୍ଲାପାଳ ମତେ ନମସ୍କାର କରି ମଞ୍ଚ ଉପରକୁ ପାଛୋଟି ନେଲେ । ସମ୍ମାନିତ ହେଉଥିବା ବେଳେ ମୁଁ ଦେଖି ଚାଲିଥିଲି ମୋର ଝୁମୁକିକୁ । ଠିଆ ହେଇ ଅବିରତ ତାଳି ମାରି ଚାଲୁଥାଏ । ଆଖିରୁ ଧାର ଧାର ଲୁହ ବି ଗଡ଼ି ଚାଲିଥାଏ । ମୁଁ କିନ୍ତୁ ନିଜକୁ ହରିଶଚନ୍ଦ୍ର ଭାବି ନିଜକୁ ପଥର କରି ନେଇଥିଲି । 

     ମଞ୍ଚ ଉପରୁ ଓଲ୍ହେଇ ସିଧା ଚାଲିଲି ମୋ କାର ପାଖକୁ । ପଛକୁ ଟିକେ ବି ଫେରି ଚାହିଁନି । ଟିକିଏ ଅସାବଧନତା ହେଲେ ମୋ ଝୁମୁକିର ମୁଣ୍ଡ ତଳକୁ ହେଇଯିବ । ଜିଲ୍ଲାପାଳଙ୍କର ମାଆ ସେ । ପୁଣି ମୁଁ ବା କେମିତି ଚାହିଁଥାନ୍ତି, ମୋ ଝୁମୁକିର ସମ୍ମାନ ତଳେ ପଡୁ ବୋଲି । ମୋ ଝୁମୁକିର ଚଉଠି ରାତିର ସେଇ ପଦୁଟିଏ କଥା “ଆଜି ତମେ ନା ମୋ ପାଇଁ ହରିଆ ନୁହଁ, ତମେ ହଉଛ ମୋ ହରିଶଚନ୍ଦ୍ର ।“ ସୁନ୍ଦରପୁରର ସେ ଦିନର ହରିଆ ନାହାକ ଆଜି ହରିଶଚନ୍ଦ୍ର ବାବୁ ନାଆଁରେ ଚାରିଆଡ଼େ ପରିଚିତ । ମୋ ଝୁମୁକିର ସମ୍ମାନ ହଉଛି, ମୋର ସମ୍ମାନ । ଡ୍ରାଇଭରକୁ କହିଲି ଗାଡ଼ି ଷ୍ଟାର୍ଟ କର । ମିରରରେ ଦେଖୁଥାଏ ପଛରେ ମୋ ଝୁମୁକି ନିର୍ବାକ ହେଇକି ଠିଆ ହୋଇ, ସେମିତି ଚାହିଁ ରହିଛି । ଗାଡ଼ି ଆଗକୁ, ଆଗକୁ ଗଡ଼ି ଚାଲିଲା । ଧିରେ ଧିରେ ମୋ ଝୁମୁକିର ମୁହଁଟା ଝାପସା ଝାପସା ହେବାକୁ ଲାଗିଲା । କେଜାଣି କାହିଁକି ଆଖିରୁ ମୋର ଧାର ଧାର ହୋଇ ଲୁହ ବୋହି ଚାଲିଥିଲା । ଝୁମୁକି ବି ବହୁତ ପଛରେ ରହି ଯାଇଥିଲା । 

     ମନ କିନ୍ତୁ ମୋର ଗୋଳେଇ ଘାଣ୍ଟି ହେଲା । ଡାକ୍ତରଙ୍କ ସହିତ ମୋ ଝୁମୁକି ଘରୁ ବାହାରିକି ଗଲା ବେଳେ ସେ ତିନି ମାସର ଗର୍ଭଧାରଣ କରିଥିଲା । ତାହାଲେ ଆମ ଜିଲ୍ଲାପାଳ ପ୍ରତୀକ୍ ପଟ୍ଟନାୟକ..... ସେ କଣ ମୋର ଆଉ ଝୁମୁକିର.........!!! ଗାଡ଼ି ଅଟକିଲା ମୋ ଘର ପାଖରେ । ଘର ଭିତରକୁ ଗଲି । ଅଣତିରିଶି ବର୍ଷ ପରେ ମୋ ଝୁମୁକିକି ଦେଖିଥିଲି । ଖୁସି ଲାଗିଲା କି, ଝୁମୁକି ମୋର ବହୁତ ଭଲରେ ଅଛି... ମନକୁ ବି ମୁଁ ବୁଝେଇନେଲି । ଝୁମୁକି ଯଦି ମୋ ପାଖରେ ଥାଆନ୍ତା, ତାହାଲେ ସେ ପିଲାଟା କଣ ଆଜି ଆମ ଜିଲ୍ଲାପାଳ ହେଇଥାଆନ୍ତା । ଆଜି ଭାବୁଛି, ଝୁମୁକି ମୋର ଯାହା ବି କରିଛି ଠିକ କରିଛି...।

          ମଣିଷଟି ଜନ୍ମ ନେଇ ତା ଲମ୍ବା ଜୀବନ ଭିତରେ ବିଭିନ୍ନ ଅବସ୍ଥା ଦେଇ ଗତି କରିଥାଏ । ସମୟ ଗଡ଼ିବା ସହିତ ଜୀବନର ଅବସ୍ଥାରେ ବି ପରିବର୍ତ୍ତନ ଆସିଥାଏ...ଜୀବନଟା ତ ହଉଛି ବାସ୍ ଏମିତି........।


Rate this content
Log in

Similar oriya story from Tragedy