Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାଉ ମରଣ
କାଉ ମରଣ
★★★★★

© Ashok kumar Sethi

Inspirational

4 Minutes   7.5K    28


Content Ranking

ଧୀରେ ଧୀରେ ଗାଁ ଲୋକ ସବୁ ରୁଣ୍ଡ ରାଉଳ ଘର ସମ୍ମୁଖରେ | ଏହି ଗଜା ଟୋକା ତା ଏମିତ ଏ ବୟସରେ ଆର ପାରିକୁ ଚାଲିଯିବା କଥା କିଏ ଗ୍ରହଣ କରିପାରୁନଥିଲେ ସୁଦ୍ଧା | ଏ ତ ସବୁ ନିୟତିର ଖେଳ | ବିଧିର ବିଧାନ କେ କରିବ ଆନ..! ରଖିଥିବୁ ପାଚିଲା ବାଛିନେବୁ କଞ୍ଚାରେ କୁମର..! | ସମସ୍ତଙ୍କ ମୁହଁ ବିଷର୍ଣ୍ଣତାର ଭାରି ଭାରି | ଘର ଅଗଣାରେ ରାଉଳ ସ୍ତ୍ରୀ ର ବୁକୁ ଫଟା ଚିତ୍କାର | ରାଉଳର ଦେଢ଼ ବର୍ଷର ଝିଅ ତା ମା’ କୁ କେବଳ ବଲ ଵଲ ହୋଇ ଚାହିଁ ରହିଛି | ତା ବୁଝିବା ବାହାରେ ନିଶ୍ଚିତ ଏ ଘଟଣା | ରାଉଳ ସ୍ତ୍ରୀ ଏ ଭିତରେ ଦି ଥର ଚେତା ଶୂନ୍ୟ ହେଇଗଲାଣି | ଖାଲି ଗୋଟିଏ କଥା କହି ଝୁରି ହେଉଥାଏ, " ମୋ ସଂସାର ତ ଉଚ୍ଛନ ହେଇଗଲା..! କାହା ମୁହଁ ଚାହିଁ ରହିବି..ଏମିତ ଆକୁଳ ହୋଇ ଅଗଣା ରେ ଝୁରି ହୋଇ ଭୂଇଁ ଦରାଣ୍ଡି ହେଉଥାଏ | ରୁଣ୍ଡ ହୋଇଥିବା ଲୋକେ ଗୁଣୁ ଗୁଣୁ ହୁଅନ୍ତି ,” ଆହାଃ..ବିଚାରି କେଡେ ହତଭାଗୀଟିଏ ...!” ଏଇତ ଦି ବର୍ଷ ହେବ ରାଉଳର ବାହାଘରକୁ | ଦାଣ୍ଡ ପିଣ୍ଡା କାନ୍ଥରେ ଲେଖା ହୋଇଥିବା ଶୁଭ ବିବାହ ସେମିତି ଚକ ଚକ କରୁଛି ରାଉଳ ସହିତ ମନୀଷା ବଡ ପାନ ଭିତରେ ଦୁହିଁଙ୍କ ନାଁ |

ରାଉଳର ମୃତ୍ୟୁ ଖବର ପହଂଚିବା କ୍ଷଣି ସମସ୍ତେ ମର୍ମାହତ | ନିଶ୍ଚିତ ଭାବେ ଅଧିକା ଆଘାତ ପାଇଛି ରାଉଳ ସ୍ତ୍ରୀ | ବେଳୁ ବେଳ ତୀବ୍ରତର ତା ବୁକୁଫଟା ଚିତ୍କାର | ରାଉଳ କିଛି ଦିନ ଟ୍ରକରେ ହେଲ୍ପର ରହିବ ପରେ ଏବେ ପାଞ୍ଚ ମାସ ହେବ ଡ୍ରାଇଭର ହୋଇଛି | ଦୂର ଦୂରାନ୍ତ ଯାଏଁ ବି ଟ୍ରକ ଚଳେଇବାର ଦକ୍ଷତା ହାସଲ କରିସାରିଲେଣି | ତା ସହ ଜଣେ ହେଲ୍ପର ବି ସେ ଟ୍ରକରେ ଯାଏ | ଆଜି ସେ ହେଲ୍ପର ଟୋକା ସକାଳେ ଖବର ଦେଲା ରାଉଳ ଭାଇ ଆଉ ନାହାନ୍ତି | ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଗଲେ | ଏମିତ ଏକ ଦୁଃଖଦ ଖବର ସଭିଁକୁ ମର୍ମାହତ କରିଥାଏ | ଗାଁ ମୁଖିଆ ଆସି ସଭିଁକୁ ସାନ୍ତ୍ୱନା ଦେଲେ | ଯାହା ହେଇଯାଇଛି ଆଉ କଣ ଫେରି ଆସିବ ? ଅନ୍ତିମ ସଂସ୍କାର ପାଇଁ ବିଭିନ୍ନ ଆନୁସଙ୍ଗିକ ଯୋଗାଡ କରିବା ପାଇଁ ମୁଖିଆ କିଛ ଗାଁ ଲୋକଙ୍କୁ ଦାଇତ୍ୱ ନ୍ୟସ୍ତ କଲେ | କୋକେଇର ଵ୍ୟଵସ୍ଥା ଓ ଜୁଇ ପାଇଁ ପାଖ ମୁଣ୍ଡିଆରୁ ଗଛ କାଟିବାକୁ ଏ ସବୁ ପାଇଁ ବି ଵ୍ୟଵସ୍ଥା କରାଗଲା. | ହେଲେ ତା ମର ଶରୀର କଣ ଏବେ ଡାକ୍ତରଖାନରେ ବ୍ୟବଚ୍ଛେଦ ହେବାରେ ବିଳମ୍ବ ହେଉଛି କି ?

ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସବୁ ଯୋଗାଡ଼ ସରିଯାଇଥାଏ | କୋକେଇ ସଜଡା ହୋଇ ସରିଥାଏ | ବାଉଁଶ, ମାଠିଆ, ଖଇ ସବୁ ଯୋଗାଡ଼ ସରିଛି | ସବୁ ମାଲ ମାନେ ବି କେତେବେଳୁ ଆସି ଦାଣ୍ଡ ପିଣ୍ଡାରେ ବସିଲେଣି | ପଡ଼ିଶାଘର ସବୁ ଯାହା ସବୁ ରନ୍ଧା ରନ୍ଧି କରିଥିଲେ , ମାରା ହୋଇଯାଇଥିବାରୁ ବାରି ଆଡେ ସବୁ କୁଢ଼େଇ ଦେଇ ଆସିଲେ | ପାଲଟା ଲୁଗା ଧୋଇ କେ ହକାଳି କେ ଫେରିଲେଣି ଘରକୁ | ଯେଉଁ ସବୁ ସ୍ତ୍ରୀ ଲୋକ ମାନେ ଆସିଥିଲେ ସଞ୍ଜ ପହରେ ପାଲଟା ଲୁଗା, ମୁଣ୍ଡ ଧୋଇ ହକାଳି ଘରକୁ ଫେରିଲେଣି | ସକାଳୁ ଏଇ ସଞ୍ଜ ହେବାକୁ ବସିଲାଣି | ମାଛି ଅନ୍ଧାର ହେବ ହେବ ହେଉଛି ଏ ଯାଏଁ ଶବ କାହିଁ ପହଂଚି ନାହିଁ ବୋଲି ଗାଁ ମୁଖିଆ ୟାକୁ ତାକୁ ପଚାରି ବୁଝୁଥାନ୍ତି |

ଅପେକ୍ଷା କରି କରି ସଭିଏଁ ଅତିଷ୍ଠ ର ଭାବ ସଭିଙ୍କ ମୁହଁରୁ ଜଳ ଜଳ ଦେଖା ଗଲାଣି | ରାଉଳ ର ସ୍ତ୍ରୀ ର କାନ୍ଦଣା ଧୀରେ ଧୀରେ ଧିମା ପଡିଆସିଲାଣି | ସମସ୍ତେ ଚାହିଁ ବସିଥାନ୍ତି କେମିତି କାମ ତୁଟିଲେ ତା ପରେ ବି ଅନେକ କ୍ରିୟା କର୍ମ ଅଛି | ବର୍ଷା ଦିନ ମେଘ ବି ଢାଙ୍କି ରଖିଛି | ଗୋଟେ ଅସରା ଝିପି ଝିପି କରି ଥରେ ପଳେଇଗଲାଣି | ଶୁଖିଲା କାଠ ବଡ କଷ୍ଟରେ ଯୋଗାଡ଼ ହୋଇଛି, ସେ ବି ଦର କଞ୍ଚା |

ଅପେକ୍ଷା କରି କରି ସଭିଏଁ ଅତିଷ୍ଠ ର ଭାବ ସଭିଙ୍କ ମୁହଁରୁ ଜଳ ଜଳ ଦେଖା ଗଲାଣି | ରାଉଳ ର ସ୍ତ୍ରୀ ର କାନ୍ଦଣା ଧୀରେ ଧୀରେ ଧିମା ପଡିଆସିଲାଣି | ସମସ୍ତେ ଚାହିଁ ବସିଥାନ୍ତି କେମିତି କାମ ତୁଟିଲେ ତା ପରେ ବି ଅନେକ କ୍ରିୟା କର୍ମ ଅଛି | ବର୍ଷା ଦିନ ମେଘ ବି ଢାଙ୍କି ରଖିଛି | ଗୋଟେ ଅସରା ଝିପି ଝିପି କରି ଥରେ ପଳେଇଗଲାଣି | ଶୁଖିଲା କାଠ ବଡ କଷ୍ଟରେ ଯୋଗାଡ଼ ହୋଇଛି, ସେ ବି ଦ୍ୱାରା କଞ୍ଚା | ଏତେ ଉଛୁର ହେବାରୁ ଯେଉଁ ସ୍ତ୍ରୀ ଲୋକ ମାନେ ଆସିଥିଲେ ବିଧବାର ନୀତି କର୍ମ କରିବା ଲାଗି | ସେମାନେ ବହୁ ବୁଝା ବୁଝି କରି ରାଉଳ ସ୍ତ୍ରୀ କୁ ନେଇ ପୋଖରୀ କୁ ଗଲେ | ପୋଖରୀ ତୁଠରେ ସଧବା ର ଯବନିକା ପଡିବ | ବିଧବାର ବେଶ ସବୁ ମାଙ୍ଗଳିକ କର୍ମରୁ ବଂଚିତ ହେବାର ଆୟାରମ୍ଭ | ସିମନ୍ତରୁ ସବୁଦିନ ପାଇଁ ଲିଭିଯିବ ସିନ୍ଦୁର | କୋ ଜନ୍ମର ପାପକୁ ଓଲଟ ପାଲଟ କରି ଖୋଜୁଥାଏ ରାଉଳର ସ୍ତ୍ରୀ | ହେ..! ବିଧାତା ମୋ କପାଳେ କାଇଁ ଏ ମନ୍ଦ ବିହି ..!!

ନା, ଏଥର ପୁଛିବାକୁ ପଡିବ ଏତେ ଉଛୁର ହେବାର ହେତୁ ? ରାଉଳ ତ ଗୋଟିଏ ପୁଅ, ତା ବାପା ମାଙ୍କ ଜୀବନ ଏବେ ବା କୁ ବତା ! ଜୀବନର ଶେଷ ପାହାଚରେ |

ଘର ଠାରୁ କିଛି ଦୂରରୁ ଗାଡି ଲାଇଟି ଦେଖା ଗଲା କ୍ରମଶଃ ନିକଟତର ହେଉଥାଏ | କିଛି ଦୂରରେ ଗାଡିଟି ଅଟକି ଗଲା ସେଥିରେ କେହି ଜଣେ ଓହ୍ଲେଇବାର ଜଣା ପଡୁଥାଏ | ହାତରେ ଗୋଟେ ବଡ ବ୍ୟାଗ ଧରି ଯେଉଁ ଲୋକଟି ମୁଚକୁନ୍ଦ ହସି ହସି ଆଜି ଦୁଆର ମୁହଁରେ ଉପସ୍ଥିତ ହେଲା ସେ ନିଜେ ଥିଲା ରାଉଳ |

ଗାଁ ମୁଖିଆ ରାଗରେ ପଞ୍ଚମ..! କାନ ମୂଳ ତୋର ତତେଇ ଦେବି ଜାଣିଛୁ..! ହଇରେ, " ତୁ କି ପାଲା ଲଗେଇଛୁ ଏଠି ..?"

ନାଇଁ ମ ଦାଦା , ମୁଁ ଗାଡି ଚଳାଉଥିଲା ବେଳେ ବାୟସ ଦମ୍ପତି ଙ୍କ ନିବିଡ ମୁହୂର୍ତ୍ତ ମୋ ଆଖିରେ ପଡିଗଲା | ଆପଣ ତ ବୟୋଜ୍ୟେଷ୍ଠ ସେ ଦୃଶ୍ୟ କେତେ ଅଶୁଭ ..?? ଏମିତ ଗୁଜବ ପ୍ରଚାର କଲେ ଵିପଦ ଟଳି ଯାଏ ବୋଲି ମୁଁ ପୁରୁଖା ମାନଙ୍କଠାରୁ ଶୁଣିଥିଲି | ସେଥିପାଇଁ ମୁଁ ଏମିତି କରିଥିଲି | ହେଲ୍ପର କୁ କହିଥିଲି ଜଣେଇବାକୁ | ସେ ମରଣ ନୁହେଁ ; କାଉ ମରଣ ବୋଲି ..

ଝଅଟ ପୋଖରୀ ତୁଠକୁ ଯା..ଆଉ କିଛି ଘଟିବା ଆଗରୁ ସେଠି ଅଟକା..! ଆଉ ଟିକେ ପରେ ନଚେତ ସବୁ ଯିବ ସରି..

ରାଉଳ ପଡି ଉଠି ପୋଖରୀ ତୁଠେ ପହଞ୍ଚି,ରୁହ ରୁହ ଦୂରୁ ପକେଇଲା ହୁରି.. କାଉ ମରଣ, କାଉ ମରଣ କହି ଛାଡୁଥାଏ ହୁରି..

ଅଶୋକ କୁମାର ସେଠୀ

କଲ୍ୟାଣପୁର, ନୟାଗଡ

ମୋ 9861060152

କାଉ ମରଣ ମୃତ୍ୟୁ ଗଛ

Rate the content


Originality
Flow
Language
Cover design

Comments

Post

Some text some message..