Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ୟ ଏକ ସିଦ୍ଧାର୍ଥ
ଅନ୍ୟ ଏକ ସିଦ୍ଧାର୍ଥ
★★★★★

© Suniti Devi

Tragedy Others

7 Minutes   7.3K    11


Content Ranking

ସଲୀଳା ! ତୁମେ ଫାଙ୍କି ଦେଇ ଚାଲିଗଲ ଆଗେଆଗେ । ହେଲେ ତମେ ଯେଉଁ ଉପହାରଟେ ଦେଇଯାଇଛ,ମୁଁ ଜୀଵନ ସାରା ଋଣୀ ହେଇ ରହିଗଲି ତମ ପାଖେ । ପୃଥ୍ଵୀକୁ ଅନେକ ସମୟ ଭାଵେ ଆମ ଜୀଵନର ସଵୁ କଥା କହିଦେଵି ସଲୀଳା । କେଜାଣି କାହିଁକି ଏ ଵୁଢା ବୟସରେ ଭାରି ଭୟଭୟ ଲାଗୁଛି।ସତରେ ତମେ ଥିଲେ ମୁଁ ଏତେ ଭୟ କରିନଥାନ୍ତି ସଲୀଳା !ଆମେ ଦୁହେଁ ମିଶି ଵୃଦ୍ଧାଶ୍ରମ ପଳେଇ ଥାଆନ୍ତେ।କିନ୍ତୁ ମୁଁ ଏକାକୀ.... ଆଶ୍ରମ ଯିଵାକୁ ଭୟ ନାହିଁ ଯେ ହେଲେ ଏ ଘରେ ତମେ ଏତେ ଯତ୍ନରେ ସାଇତି ରଖିଥିଵା ଜିନିଷରେ ତୁମରି ସ୍ପର୍ଶ ହିଁ ଅନୁଭଵ କରେ ସଲୀଳା ! ଏତେ ଵଡ଼ ଘରେ ଏକାକୀ ଘୁରି ବୁଲିଲା ବେଳେ ତୁମ ସହିତ କଥା ହେଇହେଇ ସମୟ କଟେ ! ଜାଣିଛ ସଲୀ ! ତୁମେ ଏକ ମହାକାଵ୍ୟ । କେତେ ଵେଦନା,ଆଉ ଲୁହକୁ ଏକାଠି ସାଇତି ରଖି ତମେ ଜୀଇଁଥିଲ କେଵଳ ମୋ ପାଇଁ କହିଲ ! ଓଃ କି ଅଭିମାନିନୀ ତମେ ସଲୀଳା, ସେଦିନ ପୃଥ୍ଵୀ ଜନ୍ମ ନେଵା ପରେ ମୋ ହାତକୁ ତାକୁ ଟେକି ଦେଇ କହିଥିଲ,ମୋତେ ଘୃଣା କରିବନିତ ! ମୋ ଭୁଲ୍ ପାଇଁ କ୍ଷମା କରିଦେଵତ ! ପୃଥ୍ଵୀକୁ ଜନ୍ମ ଦେବାର ଦୁଃଖ ତମକୁ ଭଲପାଇବାର ଆନନ୍ଦଠୁ ଅନେକ ବେଶି ସିଦ୍ଧାର୍ଥ ! କାରଣ ତମେ ହିଁ ମୋତେ ପାପ କରିବାକୁ ପ୍ରଵର୍ତ୍ତାଇଲ । ଏହା କଣ ଜଣେ ସ୍ଵାମୀ ପାଖରେ କେଵେ ସମ୍ଭଵ ହେଇପାରେ ! ଏତେ ଶିଘ୍ର ତୁମେ ନିଜ ପାଖରେ ହାରିଗଲ ସିଦ୍ଧାର୍ଥ ! ସଲୀଳା ! ମୁଁ ତମକୁ କେମିତି ଵୁଝାଇବି । ତମେ ସେମିତି ତମ ମନୁଭାଇର ପ୍ରେମିକା ହେଇ ରହିଗଲ।ଭାରି ଅଭିମାନୀ ଆଉ ସ୍ଵାଭିମାନୀ ତମେ।ମୁଁ ତୁମକୁ ଯେ ଘୃଣା କରିବି ଏକଥା କାହିଁକି ଭାଵିଲ ସଲୀଳା ! ଆମର ବିଵାହ ପରା ସାତ ଜନ୍ମର ବନ୍ଧନ ଥିଲା। ଏଇ ତ ଏ ଜନ୍ମଟା ସାଥି ହେଇ କେତେଦିନ ରହିଲ ମୋ ସହିତ ! କହିଲ,ଆଗରେ ଚାଲିଗଲ ! ଭଲ ହେଲା ତମେ ଚାଲିଗଲ ! ନହେଲେ ମୋ ବିନା କେମିତି ଏକାକୀ ରହିଥାଆନ୍ତ କହିଲ ! ତମ ମନୁଭାଇ ବି ନାହାନ୍ତି । ଆମ ଦିଜଣଙ୍କ ଛଡା ଏ ସଂସାରରେ କିଏ ଆଉ ନିଜର ତମର !ସଲୀଳା ! ତମେ ବିଶ୍ଵାସ କରିବନି ବାସର ରାତି ଦିନ ତୁମେ ଯେମିତି ମୋତେ ପ୍ରଥମ ଦେଖାରେ ତମ ମନୁଭାଇଙ୍କ ସହ ତମର ପ୍ରେମର କାହାଣୀକୁ ମୋ ଆଗରେ ସାହାସର ସହ ଵଖାଣି ଦେଲ,ମୋ ପାଇଁ ସେଇ ମୁହୂର୍ତ୍ତରେ ତୁମେ ଦେବୀ ପାଲଟି ଗଲ।

ମୁଁ ତୁମକୁ ଛୁଇଁଵା ପୂର୍ଵରୁ ତମେ ଓଢ଼ଣା ଉଠାଇ ମୋ ହାତରେ ଚାପ ଦେଲ । କହିଲ,ସିଦ୍ଧାର୍ଥ ! ଆଜୀଵନ ମୁଁ ତୁମର ଦାସୀ ହେଇ ରହିବି,ଇଚ୍ଛା କଲେ ମୋତେ ତୁମେ ତ୍ୟାଗ କରିପାର। କିନ୍ତୁ ତମ ସହିତ ପଵିତ୍ର ଜୀବନ ଯାପନ କରିବାକୁ ହୋମାନଳ ପ୍ରଦକ୍ଷିଣ ସମୟର ଶପଥର ଦ୍ଵାହି ଦେଇ ମୁଁ ମିଛ କହିପାରିବିନି । ସେ ମୋତେ ଅନେକ ଥର ଚୁମ୍ଵନ କରିଛନ୍ତି ସିଦ୍ଧାର୍ଥ। ତାଠୁ ଆଉ ପାଦେ ଵି ମୁଁ ଆଗେଇନି। ମୁଁ ତାଙ୍କର ଅଇଁଠା ହେଇ ସାରିଛି। ସେ ମୋ ମନୁଭାଇ ! ମୋ ପ୍ରେମର ମଉଳାଫୁଲ । ସିଦ୍ଧାର୍ଥ, ଯଦି ତୁମେ ଏହାସତ୍ଵେ ମୋତେ ସ୍ତ୍ରୀର ମର୍ଯ୍ୟାଦା ଦେଇପାରିବ ବୋଲି ଭାବୁଛ ତେବେ ଆଜିରାତିଟା କେଵଳ ଆମ ପ୍ରେମର କାହାଣୀ ଶୁଣିଵ । ମୁଁ ଯଦିଓ ତୁମ କଥାରେ ମୋ ସ୍ଵପ୍ନକୁ ସେଇମୁହୂର୍ତ୍ତରେ ଦଳିମକଚି ଫିଙ୍ଗିଦେଇଥିଲି, ଆଉ ସେଇ ମୁହୂର୍ତ୍ତରେ ଭାବିଲି ମୋର ପ୍ରିୟତମା ହେବା ପୂର୍ବରୁ ତୁମେ କାହାର ପ୍ରେମିକା ହେଇଯାଇଛ,କିନ୍ତୁ ବିସ୍ମୟରେ ଭରିଗଲା ମୋ ମନ,ଏମିତି କଣ ଝିଅଟେ ବାସର ପ୍ରଥମ ରାତିରେ ତା ସ୍ଵାମୀକୁ ନିଜର ପ୍ରେମର ନିଛକ ସତ କଥା କାହାଣୀ ଭଳି କହିପାରେ ! ସେ ଦେବୀ ନା ମାନଵୀ । ମୁଁ ଖାଲି ଗୋଟିଏ କଥା ତୁମକୁ କହିଥିଲି ସେତେବେଳେ, ତମେ ତମ ମନୁଭାଇ ପାଖକୁ ଫେରିବାକୁ ଚାହୁଁଛ ଯଦି ଏହିକ୍ଷଣି ମୁଁ ତମକୁ ଛାଡିଦେଇ ଆସିବି।ସକଳ ନିନ୍ଦା ମୋର ହେବ ସଲୀଳା ! ତୁମେ ଦୃଢ଼ ଭାବରେ କହିଥିଲ,ନା ସିଦ୍ଧାର୍ଥ ! ପ୍ରେମିକକୁ ନେଇ ଵୋଧହୁଏ ସଂସାର କରିହୁଏନା। ନିୟତି ତୁମ ପାଇଁ ମୋତେ ଠିକ୍ କରିଛି ଯେତେଵେଳେ ତାକୁ ମୁଁ ଅପମାନ କରିପାରିବି ନାହିଁ। ତୁମକୁ ମୁଁ ପାଇଛି ସ୍ଵାମୀ ଭାଵରେ। ସତ କହୁଛି , ଆଜିଠାରୁ ମନୁଭାଇଙ୍କୁ ଭୁଲିବାକୁ ଚେଷ୍ଟା କରିବି,ତୁମକୁ ସଵୁ କହିସାରିଲା ପରେ। ଏଵେ ନୁହଁ। ତାପରେ ତମେ କହିଲ ମନୁଭାଇର ପ୍ରେମ କଥା। ମୋ ଆଖିରେ ସେତେଵେଳେ ତୁମେ ପାଲଟିଗଲ ସତେ ଯେପରି ଅନାମପୁରର ସେଇ ଚପଳମତି କିଶୋରୀ ସଲୀଳା। ତୁମ ପ୍ରେମର ଛବି ମୋ ଆଖି ଆଗରେ ସିନେମାର ଚଳମାନ ଛବି ପରି ଭାସି ଉଠୁଥିଲା ତା ସହିତ ତୁମର ଲାଇଭ୍ କମେଣ୍ଟ୍ରି !

ମନୁଭାଇ ଆମର ଦୁଇଟି ଉପର ବ୍ୟାଚରେ ପଢୁଥିଲେ। ଆମ ପଡୋଶୀ ନଟ ସାର୍ ଙ୍କ ପୁଅ। ଅଙ୍କରେ ଖୁଵ୍ ଭଲ ପ୍ରଵେଶ। ମୋର ଅଙ୍କ ହୁଏନା। ମାଟ୍ରିକ ବେଳେ ମୋ ଵୋଉ କହିଲା,ଆରେ ମନୁ! ସଲୀକୁ ଏତେ କଥା ଶିଖାଉଛୁ,ଅଙ୍କ ଟିକେ ଶିଖାଇ ଦେ। ପରୀକ୍ଷାରେ କଣ ସେ ଫେଲ୍ ହଵ। ମନୁଭାଇ କଲେଜ ଯାଉଥାନ୍ତି। ସଂଜ ବେଳକୁ ମୋତେ ଅଙ୍କ ପଢାଇବାକୁ ଆସନ୍ତି। ଅଙ୍କ ନ ଆସିଲେ ମୋ ଚୁଟି ଝିଙ୍କି ଗାଉଁଗାଉଁ କରି ଦିଚାରିଟା ବିଧା ପିଠିରେ ଲଦି ଦିଅନ୍ତି। ମୁଁ ବେଳେବେଳେ କାନ୍ଦେ ରାଗିଯାଏ,ତାଙ୍କୁ ଖତେଇ ହୁଏ। କହେ କାଲିଠୁ ତମେ ଵୋଉକୁ ଅଙ୍କ ପଢେଇବ ମନୁଭାଇ ! ମତେ ଟିକେ କଥାରେ ମାରୁଛ,ମୁଁ ତମ ସହିତ କଥା ହେଵିନି। ଯାହାକଲେ ବି ମନୁଭାଇ ଠିକ୍ ସନ୍ଧ୍ୟାଵେଳକୁ ହାଜର ହେଇଯାଆନ୍ତି ଆମ ପଢାଘରେ। କୋଉଦିନ ମୋ ପାଇଁ ଭୂଇଁଚଣା ତ,କୋଉଦିନ ଡାଳିଖଜା,କୋଉଦିନ ଚେନାଚୁର୍ ତ ଆଉ କୋଉଦିନ ନଡିଆକୋରା। ଲାଞ୍ଚ ଦେଇ ମୋତେ ଅଙ୍କ କଷାନ୍ତି।ଯୋଉଦିନ ମାଟ୍ରିକ ପରୀକ୍ଷାରେ ଖୁଵ୍ ଭଲ ନମ୍ବର ରଖି ମାଟ୍ରିକ ପାଶ୍ କଲି,ଆଉ ମନୁଭାଇ ଖବର କାଗଜ ଧରି ମୋ ଶୋଇବା ଘରକୁ ପଶି ଆସିଲେ,ସେଦିନ ଵୋଉ ଯାଇଥିଲା ମହାଦେଵଙ୍କ ଉପରେ କ୍ଷୀର ଢାଲିବାକୁ,ବାପା ହାଟକୁ ଭାଇ ସ୍କୁଲରେ। ମୁଁ ଶୋଇଛି ମନୁଭାଇ କୁତୁକୁତୁ କରି ଉଠାଇ ଦେଇ ମୋ ଗାଲରେ ଏକାଥରକେ ପୁଞାଏ ଚୁମା ଦେଇ ମୋତେ ତାଙ୍କ ଛାତି ଉପରକୁ ଭିଡିନେଲେ। ତାଙ୍କ ବାହୁଵନ୍ଧନରୁ ମୁଁ ଖସିଯିବାକୁ ଚାହୁଁଥିଲି,ସେ ଗୋଟିଏ ଶବ୍ଦରେ ଚମକାଇ ଦେଲେ,ହୁଣ୍ଡି ମୋର ସଵୁ ଆଶା ପଣ୍ଡ କରି ଫେଲ୍ ହେଇଗଲୁ। ମୁଁ ଖିଁଖିଁ ହେଇ ହସିଲି,କହିଲି ତମେ ଗେଲ କଲ କାହିଁକି। ମୁଁ ପାଶ୍ କରିଛି ମନୁଭାଇ। ତମେ ମିଛ କହୁଛ। ସେ ହସିଲେ,କହିଲେ ତୁ ସଲୀ ଆଜିକାଲି ଭାରି ଚାଲାକ ହେଇ ଗଲୁଣିଲୋ ! ମନୁଭାଇ ତୋ ଟିଉସନ୍ ମାଷ୍ଟର ଟି ! ତୁ ଫେଲ୍ ହେବୁ ! ମାଟ୍ରିକ୍ ପୁଣି ଫାଷ୍ଟ କ୍ଲାସ୍ । ମନୁଭାଇ ସେଇଦିନଠୁ ମୋର ପୁରାପୁରି ଟିଉସନ୍ ମାଷ୍ଟର ହେଇଗଲେ । ବିଏ ପାଶ୍ କଲି ଗାଁ କଲେଜରୁ । ୟା ଭିତରେ ଆମର ଘନିଷ୍ଠତା ଏତେ ବେଶି ହେଇଗଲା ଯେ ମନୁଭାଇକୁ ଛାଡି ମୋର ଯେମିତି ଆଉ କିଛି ନାହିଁ ମୁଁ ଭାବିଲି । ଗାଁଗଣ୍ଡା ହୁଲସ୍ଥୁଲ ଚଷାପୁଅ ମନୁଆ ଦିନେ ଉପର ବ୍ରାହ୍ମଣ ସାହିର ଝିଅ ସଲୀଳାକୁ ଟେକି ନେଇ ବାହାହେଇ ପଡିଵ । ଵୋଉର ଯଦିଓ ସମର୍ଥନ ଥିଲା ଵାପା ରାଜି ହେଲେନି। ମୋର ପାଠ ପଢାରେ ଡୋରୀ ବନ୍ଧା ହେଲା। ମନୁଭାଇ ଇଂରେଜୀ ଏମ୍.ଏ ପଢିବାକୁ ଦିଲ୍ଲୀ ୟୁନିଭରସିଟି ଚାଲିଗଲେ। ୟା ଭିତରେ ମୋ ବାହାଘର ତୁମ ସାଙ୍ଗେ ଠିକ୍ ହେଇଗଲା ସିଦ୍ଧାର୍ଥ। ତୁମକୁ ଯିଏ ଶେଷ ପର୍ଯ୍ୟନ୍ତ ସଵୁ ସତ୍କାର କରୁଥିଲା,ସେ ମୋ ମନୁଭାଇ। ସେ ମୋତେ ବୁଝାଇଦେଲା ଗଣିତର ଉପପାଦ୍ୟ ଭଳି ଆମର ପ୍ରେମର ଅଛିଣ୍ଡା ଗଣିତକୁ। କହିଲା ମୋତେ,ସଲୀ !ତୁ ମୋର ଚିରଦିନ ପ୍ରେମିକା ହେଇ ରହିବୁ। ଆଉ ମୁଁ ତୋର କେଵଳ ମନୁଭାଇ! ଆମ ଅଛିଣ୍ଡା ଗଣିତକୁ ତୁ ଗଲାଵେଳକୁ ଛିଣ୍ଡାଇଦେଇ ଯାଆ।ନହେଲେ ଭାଗଶେଷରେ ଖାଲି ଅବଶୋଷ ଆଉ ଲୁହ ରହିବ।ତୋ ନୂଆ ସଂସାରରେ ମନୁଭାଇ ନୁହଁ ସିଦ୍ଧାର୍ଥ ତୋର ପ୍ରେମିକ। କିଛି ଅବଶୋଷ ରଖିବୁ ନାହିଁ ଲୋ ! ତମ ମନୁଭାଇକୁ ମନେପକାଇ ସେତେବେଳେ ମୁଁ ମୁଗ୍ଧ ହେଲି । କି ଅମାୟିକ ବ୍ୟକ୍ତିତ୍ଵ।ତୁମେ ସରଳ ଗଣିତ ପରି ତୁମ ପ୍ରେମକାହାଣୀକୁ କଷି ବୁଝାଇଦେଲ ମୋତେ। ସତ କହୁଛି,ସେଇ ମୁହୂର୍ତ୍ତରୁ ମୁଁ ତମକୁ ଏମିତି ଭଲପାଇ ବସିଲି ଯେ ଭାବିଲି, ତୁମେ ହିଁ ଗୋଟେ ଫୁଟନ୍ତା ଫଗୁଣ ସଲୀଳା,ତୁମେ ସହଜରେ ଅନେକ ଲୋକଙ୍କର ପ୍ରେମିକା ହେଇ ପାରିବ ନିର୍ଦ୍ଵନ୍ଦ୍ଵରେ,ଏତେ ଭଲପାଇବାର ମଧୁର ମୋହ ଅଛି ତମ ପାଖରେ। ମୁଁ ତୁମକୁ କୁଣ୍ଢାଇ ପକାଇ ଚୁମାଦେଲି, କହିଲି, ସଲୀଳା ! ତୁମ ମନୁଭାଇ ପ୍ରେମର ଫୁଲଟିଏ ତୁମ ହୃଦୟରେ ଫୁଟାଇ ଦେଇଛନ୍ତି। ମୁଁ ତାକୁ ମଉଳିବାକୁ ଦେଵିନାହିଁ କି ତାର ଅମର୍ଯ୍ୟାଦା କରିବିନି। ଦେଖିଵ ମୁଁ ତୁମକୁ ତମ ମନୁଭାଇଠୁ ଆହୁରି ଅଧିକ ଏମିତି ଭଲପାଇଵି ଯେ ତମେ ତାଙ୍କୁ ଭୁଲିଯାଇ ମତେ ଭଲପାଇ ବସିବ। ତାପରେ ଧିରେଧିରେ ଆମର ଜୀବନ କେତେ ସ୍ଵାଭାବିକ ହେଇଗଲା କହିଲ! ତମ ମନୁଭାଇ ଅନେକ ଥର ଆମ ଘରକୁ ଆସିଛନ୍ତି ସ୍ଵଚ୍ଛନ୍ଦରେ। ଆସୁଆସୁ ବଡ଼ ପାଟିରେ କହିବେ,କୁଆଡେ ଗଲୁଲୋ ଓଏସ୍ ର ସ୍ତ୍ରୀ। ତମେ ହସିହସି କେଵେକେଵେ ରୋଷାଈଘରୁ କାନିରେ ଝାଳ ପୋଛିପୋଛି ବାହାରି ଆସୁ କହ,ହେଇଟି ମନୁଭାଇ! ତମ ପ୍ରେମ ଵଡ଼ ପୁରୁଣା ଆଉ ହାଲ୍କା୍ଏଵେ ଓ ଏସ୍ ଅଫିସରଙ୍କ ପ୍ରେମରେ ମୁଁ ଚବିଶ ଘଣ୍ଟା ବନ୍ଧା ପରା! ମୁଁ ବାହାରି ଆସି ଗୋଡ ଲମ୍ଵେଇ ଦେଇ କହେ,ପଡିବନି ବନ୍ଧୁ ପଡିବନି! ପଡିଲେ ଏ ଗଣ୍ଠି ଫିଟିବନି। ହାୟ କାହିଁ ଗଲା,ସେଇ ହସଖୁସିର ଦିନ ଗୁଡା। ତମ ମନୁଭାଇ ଆଉ ବିବାହ କଲେନି। ମୁଁ କେତେ ବୁଝାଇଛି। ସେ ସଵୁଥର ଗୋଟିଏ ଉତ୍ତର ଦିଅନ୍ତି। ପ୍ରେମର ମନ୍ଦାକିନୀ ଧାରାଟି ଏଵେ ବି ମୋ ଛାତି ତଳେ ବହୁଛି ସିଦ୍ଧାର୍ଥ। ମୁଁ ତାକୁ ଶୁଷ୍କ ହେଵାକୁ ଦେବିନି। ଦଶ ବର୍ଷ ବିବାହର ଦାମ୍ପତ୍ୟ ଜୀବନ କାଟିଲା ପରେ ଆମର ଯେତେବେଳେ ପିଲାପିଲି ହେଲେନି,ତମେ ବହୁତ କାନ୍ଦିଲ ସଲୀଳା,ଖାଲି ସଵୁ କଥାରେ ନିଜକୁ ଦୋଷ ଦେଲ।ଡାକ୍ତରୀ ପରୀକ୍ଷାରୁ ମୋର ଅକ୍ଷମତା କଥା ଜାଣି ବି ନିଜକୁ ତମେ କ୍ଷମା କରିପାରିଲନି। ଦିନେ ମୋ ମୁଣ୍ଡକୁ ଏକ କଥା ଆସିଲା। ତମେ ଜିଦ୍ ଧରୁଥିଲ ଆଡପ୍ଟ କରିବା ଆମ ନିକଟସ୍ଥ ଅନାଥ ଆଶ୍ରମରୁ ପିଲାଟିଏ ଆଣି। ମୁଁ ତମକୁ କହିଲି,ଆଚ୍ଛା ମନୁଭାଇଙ୍କ ପିଲା ହେଲେ,ଖୁଵ୍ ଭଲ ହୁଅନ୍ତା ନି। ତମେ ରାଗିଗଲ,ଭୀଷଣ କାନ୍ଦିଲ। କହିଲ,ମୁଁ ତମର ସ୍ତ୍ରୀତ୍ଵର ଅମର୍ଯ୍ୟାଦା କରୁଛି। ପ୍ରାୟ ଛମାସ ରାତିଦିନ ତୁମକୁ ବୁଝାଇଲା ପରେ ତମେ ରାଜି ହେଲ,ମନୁଭାଇଙ୍କ ଆଡୁ ତମର ପିଲାଟେ ପାଇଁ,ଅଥଚ ବହୁ ଧିକ୍କାର କଲ ମତେ। ମୁଁ ବୁଝାଇଲି,ଆଜି ବି କହୁଛି ସଲୀଳା,ଏ ଦେହର ଆଵଶ୍ୟକତା ଦମ୍ପତ୍ତିଙ୍କ ପାଇଁ କେଵଳ ବଂଶରକ୍ଷା ପାଇଁ। ସେ ପୁଅ ହେଉ ବା ଝିଅହେଉ କେବଳ ସଂସାରକୁ ସ୍ଵୀକୃତି ଦେବାପାଇଁ। ଏଦେହ ତ ନଶ୍ଵର। ଧର୍ମ,ଅଧର୍ମ, ଆଶା, ଆକାଂକ୍ଷା, ପାପ,ପୁଣ୍ୟ, ନୀତି,ଅନୀତି,ସୁଖ,ଦୁଃଖ,ଆନନ୍ଦ,ଉଲ୍ଲାସ ସହ ଏ ଦେହ ଜଡ଼ିତ। ଆତ୍ମା ତ ନିସ୍କଳଙ୍କ। ତୁମର ଆତ୍ମା ସହିତ ମନୁଭାଇଙ୍କ ଆତ୍ମା ଆଉ ମୋ ଆତ୍ମା ସହିତ ତୁମ ଆତ୍ମା ଏକାକାର ହେଲା ପରେ ଆମର ଏ ଦେହର କି ପ୍ରୟୋଜନ କହିଲ! ସେତେଵେଳେ ତମ ମନୁଭାଇ ଦିଲ୍ଲୀରେ କେଉଁ ଏକ କଲେଜରେ ଇଂରେଜୀ ପ୍ରଫେସର୍।ତାଙ୍କର ଦେହ ଖରାପ ହେବାର ଖବର ଶୁଣି ଆମେ ଦୁହେଁ ଯାଇଥିଲେ ।ସେଦିନ ବୋଧହୁଏ ଚତୁର୍ଦ୍ଦଶୀର ଜହ୍ନ ଆକାଶରେ ଉଙ୍କି ମାରୁଥିଲା। ଆମେ ତମ ମନୁ ଭାଇଙ୍କ ଘର ଛାତ ଉପରେ ବସିଥିଲେ। ୟା ଭିତରେ ମନୁଭାଇଙ୍କର ସିଗାରେଟ୍ ପିଇବାର ଅଭ୍ୟାସ ବଢି ଯାଇଥିଲା। ସେ ମଝିରେ ମଝିରେ ଲହରାକାଶ କାଶୁଥିଲେ। ତୁମେ ତାଙ୍କ ହାତ ଧରି କହିଲ,ତମେ ଏ ସିଗାରେଟ୍ ପିଇବା ଅଭ୍ୟାସ ଛାଡ଼ିଦିଅ ତ ! ତାଙ୍କ ପାଟିରୁ ବାହାରି ପଡିଲା କଣ ତତେ ଛାଡିଲା ପରି ! ତମେ ହାଲ୍କା କଲ କଥାକୁ,କହିଲ,ଛାଡିଛି କୋଉଠି ମନୁଭାଇ ! ତମ ପାଇଁ ଏକ ସୁନ୍ଦର ପ୍ରସ୍ତାଵ ନେଇ ଆସିଛି। ଏ କଥାରେ ମୋ ପାଇଁ ଯେ ଖୁଵ୍ ଗୋଟେ ବଡ଼ ଆକ୍ଷେପ ଥିଲା ମୁଁ ଜାଣିଲି ଆଉ ହଜମ ବି କରିନେଲି।ତମେ କାହାକୁ ଅପେକ୍ଷା ନକରି ସିଧା କହିଦେଲ,ମନୁଭାଇ ସିଦ୍ଧାର୍ଥ ଗୋଟେ ତମପାଇଁ ଭଲ ପ୍ରସ୍ତାଵ ନେଇ ଆସିଛନ୍ତି। ମାନେ! ମନୁଭାଇ ଚମକି ପଡିଲେ । ତମେ କହିଲ,ତାଙ୍କର ଗୋଟେ ପୁଅ ଦରକାର। ସେଟା ତମେ ଦବ ! ମନୁଭାଇ ରାଗିଯାଇ ତମ ଗାଲରେ ଗୋଟେ ଚାପଡା ମାରିଲେ। କହିଲେ,ତୋର ଏ ଫାଜିଲାମି ବନ୍ଦ କର ସଲୀଳା ! ଵାହା ହେଲା ପରେ ବି ତୁ ଟିକେ ବଦଳିଲୁ ନାହିଁ ! ତମେ ଝରଝର କାନ୍ଦିଲ,କହିଲ,ମୁଁ ସତ କହୁଛି। ତମେ ସିଦ୍ଧାର୍ଥଙ୍କୁ ପଚାରୁନ। ସେ ସ୍ତବ୍ଧ ହେଲେ। ମୁଁ ତାଙ୍କ ହାତ ଧରି ଅନେକ ଵୁଝାଇଲି। କହିଲି,ତମେ ମୋ ଅକ୍ଷମତାକୁ ସାମ୍ନାକୁ ଆଣନି ମନୁ ! ତମର ଗଭୀର ପ୍ରେମର ନିଦର୍ଶନ ହଵ ଏ ତ୍ୟାଗ ମନୁ ! କି ଜଘନ୍ୟ ସିଦ୍ଧାର୍ଥ ତମେ।ପ୍ରତିଶୋଧ ନେଵାକୁ ଚାହୁଁଛ ନା ! ତାଙ୍କ ଆଖିରୁ ଝରଝର ହେଇ ଲୁହ ଖସୁଥିଲା। ମୁଁ କହିଲି,ତମେ ମୋତେ ପିତା ହେବାର ସୁଖ ଦବନି ସତରେ!ତୁମେ ଥାଉଥାଉ ମୁଁ କଣ ହାତପାତିବି ଅନ୍ୟ ପାଖରେ। ଭିକ୍ଷାଂ ଦେହି ବୋଲି କହିଲା ପରେ ବି ତମ ସିଦ୍ଧାର୍ଥକୁ ତମେ ନିରାଶ କରି ଫେରାଇ ଦଵ ମନୁ ! ମନୁଭାଇ ମୋ ହାତରେ ଚୁମା ଦେଲେ।କହିଲେ,ସିଦ୍ଧାର୍ଥ ତମେ ଯେଉଁଠିକି ଯିବ ତୁମ ସୁଗନ୍ଧରେ ସୁଗନ୍ଧିତ ହେଇଯିଵ ଆକାଶ,ବସୁନ୍ଧରା। ସଵୁ ପାପ ପୁଣ୍ୟରେ ପରିଣତ ହେଵ। ସଲୀଳା କି ଭାଗ୍ୟଵତୀ କହିଲ! ମୁଁ ହସିଲି,ତମକୁ କହିଲି,ଯାଅ ଅନ୍ତତଃ ଆଜି ଡିନର୍ ଟା ଭଲ କର।

ଯୋଉଦିନ ପୁଣି ଥରେ ତମ ଦିଜଣଙ୍କ ଅନିଚ୍ଛା ସତ୍ଵେ ମୁଁ ତୁମକୁ ବିନୀତ ଭାବରେ ମିଳିତ ହେବାପାଇଁ ବ୍ୟଵସ୍ଥା କରିଦେଇ ବାହାରି ଆସିଲି,ମନୁ ମୋ ହାତ ଧରି ଅଟକାଇ ପାଦଧୂଳି ନେଲେ ମୋର। କହିଲେ,ତୁମେ ସତରେ ସିଦ୍ଧାର୍ଥ ! କାମନା,ଵାସନା ରହିତ ପରମାର୍ଥିକ ସତ୍ତା,ଭୁଲ୍ ରେ ତମେ ସଲୀଳାର ସ୍ଵାମୀ ହେଇଗଲ ସିଦ୍ଧାର୍ଥ। କେତେ ସନ୍ତର୍ପଣରେ ତୁମେ ମୋତେ ବିଦାୟ ଦେଲ ମୁଁ ଜାଣିଛି। ମୁଁ ପୁରୁଷ ସଲୀଳା,ସେଇମୁହୂର୍ତ୍ତରେ ମୁଁ ଏକ ଛିନ୍ନ ପୃଷ୍ଠା,କେଉଁ ଏକ ଅଜଣା ଝଡ଼ରେ ଉଡିଗଲା ଭଳି ଅନୁଭଵ କଲି ସିନା ନିଜକୁ ନିଜେ ପ୍ରକୃତିସ୍ଥ କରିନେଲି। ରାତି ପାହିଲା,ଛାତିରେ ବୋଝ,ମନରେ କୋହ ନେଇ ତୁମେ ଫେରିଲ ଘରକୁ ମୋ ସହିତ। ତାପରେ ପୃଥ୍ଵୀକୁ ତୁମେ ଜନ୍ମ ଦେଲା ଯାଏ ତମେ ଏକ ଅପରାଧର ବଳୟ ଭିତରେ ଯେମିତି ଘୁରି ଵୁଲୁଥିଲା ଭଳି ମୋତେ ଲାଗୁଥିଲା। ପୃଥ୍ଵୀ ଜନ୍ମ ଦିନ ମନୁ କ୍ୟାନ୍ସର୍ ରେ ପୀଡିତ ହେଇ ସେପୁରକୁ ଗଲେ। କହିଲ,ସେ ଥିଲେ ପୃଥ୍ଵୀକୁ ଦେଖି କଣ ଖୁସି ହେଇ ନଥାନ୍ତେ! ଅଥଚ ଦୀର୍ଘ ଦଶମାସ ଧରି ସେ ତୁମ ସହିତ କିଛି ଵି ସମ୍ପର୍କ ରଖିନଥିଲେ। ତୁମେ ବି ଅଜଣା ଲୋକ ପରି ତାଙ୍କ ସହିତ ଵ୍ୟଵହାର କଲ। ସେଠୁ ଆସିଲା ପରେ ତୁମେ ବିବ୍ରତ ହେଇ ସଵୁଵେଳେ ଜୀବନର ଜଟିଳ ଗଣିତକୁ କଷୁଥିଲ ଵୋଧହୁଏ। ସେଇଥିପାଇଁ ତୁମେ ତୁଣ୍ଡରେ ଥରଟିଏ ପାଇଁ ତମ ମନୁଭାଇ ନାଁ ଉଚ୍ଚାରଣ କଲ ନାହିଁ।ସତରେ ମୁଁ କଣ ଏକ ଅପରାଧି ! ସତ କୁହ ସଲୀଳା,ତମେ ଶେଷରେ ତମ ମନୁଭାଇଙ୍କୁ ଝୁରିଝୁରି ସେପୁରକୁ ଚାଲିଗଲ।ତମେ ପୃଥିବୀର ମାଆ। ଏ ସୁଖରେ ତୁମେ କଣ ଆନନ୍ଦିତ ହେଇନ। ସେ ସୁଖ ତୁଳନାରେ ମୋ ପାପ କଣ ବେଶି ଥିଲା। ତେଵେ ନିଜକୁ ମୁଁ କାହିଁକି ଆଜି କ୍ଷମା କରି ପାରୁନି କହିଲ ! ମୋ ମୃତ୍ୟୁ ପୂର୍ବରୁ ତମେ କଣ ଚାହଁ ମୁଁ ପୃଥ୍ଵୀକୁ ସଵୁ କହିଦିଏ। ବୁଢା ସିଦ୍ଧାର୍ଥ ସଲୀଳାର ଫଟୋ ପାଖରେ ଠିଆ ହୋଇ ଖୁଵ୍ ଜୋରରେ କାନ୍ଦି ଉଠିଲେ। ତରୁଣ ପୃଥ୍ଵୀ ପଛପଟୁ କାନ୍ଧରେ ଚାପ ଦେଲା। କହିଲା,ପାପା,ତମେ ଏତେ ଦୁର୍ବଳ ହେଲେ ହଵ ! ମାମା ଚାଲିଗଲେ ବି ଆକାଶରେ ତାରା ହେଇ ତମକୁ ଚାହିଁ ରହିଥିବ ପାପା ! ଆମ ସୁଖ ଦୁଃଖରେ ସେ ପରା ଛାଇ ହେଇ ଆମ ପାଖେପାଖେ ଅଛି ! ଚାଲିଲ ଇଭିନିଂ ଓ୍ଵାକ୍ ରେ ଯିବା। ମାମା କଣ କହିଥିଲା ମନେ ନାହିଁ କି। ତମ ସ୍ଵାସ୍ଥ୍ୟର ଯତ୍ନ ମୋତେ ଏଥର ନେଵାକୁ ହଵ ଯେ ! ଡୁବନ୍ତା ସୂର୍ଯ୍ୟର ଲାଲ୍ କିରଣ ଝର୍କା ଫାଙ୍କରେ ଆସି ସଲୀଳାର ଫଟୋ ଉପରେ ଚେନାଏ ପଡି ଝଲମଲ ହେଲା। ସିଦ୍ଧାର୍ଥଙ୍କୁ ଲାଗିଲା ସଲୀଳା ଯେମିତି କହୁଛି ସିଦ୍ଧାର୍ଥ, କିଛି ସତ୍ୟ ଗୋପନରେ ରହୁ ! ସୁଖ ଗୋପନରେ ଶାଣିତ ହୁଏ। ତୁମେ ଏ ବୁଢା ଵୟସରେ ଏକାକୀ ଆଉ ଅତୀତର ଓଜନିଆ ପୃଷ୍ଠା ଓଲଟାଅନି ତ ! ପାରିବନି । ରାସ୍ତା ପରା ସରିବା ଉପରେ!

ସୁନୀତି

୩.୦୨.୧୮,ନେଲୋର

ଆନ୍ଧ୍ରପ୍ରଦେଶ

ସଲୀଳା ସିଦ୍ଧାର୍ଥ ସତ୍ୟ

Rate the content


Originality
Flow
Language
Cover design

Comments

Post

Some text some message..