Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh prasad Mallik

Tragedy

4.7  

Ashutosh prasad Mallik

Tragedy

ଓଏସିସ୍

ଓଏସିସ୍

10 mins
592


କ୍ଷିପ୍ର ଗତିରେ ବାଲକୋନୀରେ ପଦଚାରଣ କରୁଥିଲେ ସମରେଶ ବାବୁ ।ଗଛ ଫାଙ୍କରୁ ଝରି ଆସୁଥିଲା ମହଳଣ ଜହ୍ନ ଆଲୁଅ ।ବେଡ଼ରୁମ ଟେବୁଲ୍ ଉପରେ ଖାଇବା ଥାଳିରେ ଖାଦ୍ୟ କେତେବେଳୁ ଶୁଖିଗଲାଣି ।ମଝିରେ ଯାଇ ସେ କେବଳ ପାଣି ଗ୍ଲାସେ ଯାହା ପିଇ ଆସିଥିଲେ ।

                                    ଅଙ୍କୁଶର ଦେହ ଖରାପ ହେଲେ ଏମିତିରାତିରାତି ନିଦ ହୁଏନି ତାଙ୍କୁ ।ନିଜ ଖାଇବାପିଇବା ଭୁଲିଯା'ନ୍ତି । ଏଇ କିଛି ଦିନ ହେବ ଅଙ୍କୁଶର ଦେହ ପ୍ରାୟ ଖରାପରହୁଛି । ପ୍ରଥମେ ତ ସେ ଋତୁ ପରିବର୍ତ୍ତନ ଜନିତ ଦେହ ଖରାପ ବୋଲି ଭାବି ନେଇଥିଲେ । କିନ୍ତୁ  ଦେହ ଖରାପଟା ବେଶି ଦିନ ଲାଗିରହିଲାଣି । ବିବ୍ରତ ହେଇପଡିଲେଣି ସେ । ଅଙ୍କୁଶ ତାଙ୍କର ଏକ ମାତ୍ର ପୁଅ । ଏତେ ବଡ ଦୁନିଆଁରେ ସେ ହିଁ ତାଙ୍କ ଜିଇଁ ବାର ହେତୁ । ଅଙ୍କୁଶକୁ ମାତ୍ର ଚାରି ବର୍ଷ ହେଇଥିଲା ଯେତେବେଳେ ସରିତା ଦେବୀ ତାଙ୍କୁ ଦୁନିଆରେ ଏକଲା କରିଦେଇ ଚାଲିଗଲେ । ସମରେଶ ବାବୁଙ୍କ ପାଇଁ ଛାଡ଼ିଦେଇଯାଇଥିଲେ ଗୋଟେ ମା ଛେଉଣ୍ଡ କଅଁଳ ଶିଶୁର ଲାଳନ ପାଳନର ଦାୟିତ୍ୱ ।ସେବେଠାରୁ ସମରେଶ ଅଙ୍କୁଶ ପାଇଁ ଉଭୟ ମମି ବି ଆଉ ଡାଡି ବି ।ଛୋଟରୁ ଛୋଟ ଜିନିଷର ବି ଖିଆଲରଖନ୍ତି ସେ ଅଙ୍କୁଶର ।

  

     ଅଙ୍କୁଶକୁ ନିଜେ ନେଇ ଗଲେ ସବୁ ମେଡିକାଲ ଟେଷ୍ଟ ପାଇଁ ।ଟେଷ୍ଟରିପୋର୍ଟ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଗଲା ଯେମିତି । ଅଙ୍କୁଶର କିଡନୀ ଦୁଇଟା ଯାକ ନଷ୍ଟ ହେଇଯାଇଛି । ସମରେଶଙ୍କ ଆଖି ଆଗରେ ଅନ୍ଧାର ଛାଇଗଲା ।ତାଙ୍କ ସବୁଜ ସରଳାର୍ଥର ଦୁନିଆଁରେ କିଏ ଯେମିତି ନିଆଁ ଲାଗେଇଦେଲା ।ତାଙ୍କ ହସଖୁସିର ମରୁଦ୍ୟାନରେ ଏକସଙ୍ଗେ ବର୍ଷିଗଲା ଆକାଶର ସମସ୍ତ କକ୍ଷଚ୍ୟୁତ ଉଲ୍କା ।ସରିତାଙ୍କୁ ସେ କ'ଣ ମୁହଁ ଦେଖେଇବେ ।ଯେ ଦେଇ ଯାଇଥିବା ଦାୟିତ୍ୱକୁ ବି ଠିକରୂପେ ତୁଲେଇ ପାରିଲେନି ସେ ।ମା ପରି ଜଗିରଖି ପାରିଲେନି ଅଙ୍କୁଶର ଦେହକୁ ।ନିଜ ପାଖେ ଦୋଷୀ ହୋଇଯାଉଥିଲେ ସମରେଶ ।


                   ସାଙ୍ଗ ସାଥି ବନ୍ଧୁ ପରିଜନ ସମସ୍ତଙ୍କ ପାଖେ ଗୁହାରି ହେଲେ । ସମ୍ବାଦପତ୍ରରେ ଵିଜ୍ଞାପନ ଦେଲେ ।ନିଜ ପୁଅର ଜୀବନ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କଲେ ।ସେ ବି କିଡନୀ ଦେଇ ପରିଥାନ୍ତେ ।କିନ୍ତୁ କିଛି ବର୍ଷ ତଳୁ ସେ ବି ତ ଗୋଟେ କିଡନୀରେ ଜୀଉଁଛନ୍ତି । ପୁଅ ପାଇଁ ସେତକ ବି ସେ ଦେଇଦେବାକୁରାଜି; କିନ୍ତୁ ଅଙ୍କୁଶ ଯେ ଏଯାଏ କୂଳରେ ଲାଗିନି ।ମୁଣ୍ଡ ଭିତରେ ଯେମିତି ସହସ୍ର ବୃଶ୍ଚିକ ଏକାବେଳେ କାମୁଡିବାରେ ଲାଗିଥିଲେ ତାଙ୍କର ।ଲୁଣ ପରି ଚିନ୍ତା ତାଙ୍କୁ ଖାଇ ଚାଲୁଥିଲା ।ମଣିଷକୁ ତ ଏମିତି ବାଡବାନଳରେ ସାରା ଜୀବନ ତିଳ ତିଳ ଦଗ୍ଧ ହେବାକୁ ପଡେ । ଆଃ ।ଏରୋଗ, ଶୋକ, ସକଳ ବିପତ୍ତିଙ୍କୁ ଜିଇଁବାଟା ଯଦି ଜୀବନ ତେବେ ମୃତ୍ୟୁ ୟା ଠୁ ବରଂ ଶ୍ରେୟଷ୍କର ।କିନ୍ତୁ ଆଜି ସମୟ ଏ ପାହାଚରେ ସମରେଶ ମୃତ୍ୟୁର ହାତ ବି ଧରି ଯାଇ ପାରିବେନି ଗୋଟେ ଅଲଗା ଦୁନିଆଁକୁ । ଓଃ ବିଡମ୍ବନା ।


     ଚାରି ଦିନ ହେବ ସେ ଅଫିସ ଯାଇନଥିଲେ । ତାଙ୍କ ଟେବୁଲ୍ ଉପରେ ଗଦାଏ ଫାଇଲ ।ସେ ଫାଇଲ ଖୋଲିଲେ ଦିଶି ଯାଉଛି ଅଙ୍କୁଶର ପାଣ୍ଡୁର ମୁହଁଟା ।ଅଜାଣତରେ ଦୁଇ ଧାର ଲୁହ ନିଗିଡି ଆସିଲା ତାଙ୍କ ଗଣ୍ଡ ଦେଶ ଦେଇ ।ଉଷ୍ଣ ଲୁହ ବୁନ୍ଦାରେ ବତୁରିଗଲା ଫାଇଲର କାଗଜ । ଅଫିସର ଜଣେ ହାର୍ଡ ଟାସ୍କ ମାଷ୍ଟର ଆଖିରେ ଲୁହ ।କେହି ଦେଖିବା ଆଗରୁ ସେରୁମାଲରେ ଲୁହ ପୋଛିଲେ ।ଏତିକି ବେଳେରିଂ ହେଲା ତାଙ୍କ ମୋବାଇଲ୍ ।ସମରେଶ ଦେଖିଲେ ଅଜଣା ନମ୍ବର ।ହାତ ଅନିଚ୍ଛା ସତ୍ୱେ ଚାଲିଗଲା ଫୋନ୍ରିସିଭି କରିବାକୁ । ଫୋନ୍ ସେପଟରୁ ନାରୀ କଣ୍ଠ । ସେପଟର ନାରୀ ସ୍ୱର କହୁଥାଏ ଆଜ୍ଞା ଆପଣଙ୍କ ପୁଅର କିଡନୀ ଦର୍କାର ।ମୁଁ ଦେବି ।ଏତକ ଶୁଣିବା ପରେ ସମରେଶ ବାବୁଙ୍କୁ ଆଶାର ନୂଆ ଉଦ୍ଭାସ ଟିଏ ଦିଶିବାକୁ ଲାଗିଲା ।ଆନନ୍ଦାତିଶଯ୍ୟାରେ ତାଙ୍କ ପାଟିରୁ କଥା ବାହାରୁ ନଥାଏ ।କୃତଜ୍ଞତା ଭରା ଶବ୍ଦ ସବୁ ଅଭାବ ପଡୁଥିଲେ ତାଙ୍କ ନିକଟରେ ।ଫୋନ୍ରଖିଲେ ସେଇ ଅଜଣା ମହିଳା ।କିଏ ସେ ଅଜଣା ମହିଳା ? ଯିଏ ବି ହୁଅନ୍ତୁ ନା କାହିଁ ଭଗବାନ ଠୁଁ ତ କମ ନୁହନ୍ତି ସେ ତାଙ୍କ ପାଇଁ ।


                  ଡାକ୍ତରଙ୍କ ସହ କଥା ହେବ ପରେ କିଡନୀ ଟ୍ରାନ୍ସପ୍ଲାଣ୍ଟେସନର ଡେଟ୍ ଫିକ୍ସ ହେଇଗଲା ।ମେଡିକାଲ ବେଡ଼ରେ ଅଙ୍କୁଶ । ହସ୍ପିଟାଲ ଲନ ବେଞ୍ଚରେ ବସିଛନ୍ତି ସମରେଶ । ଆଜି ସେ ମହିଳା ଆସିବେ ମେଡିକାଲ ଯାଞ୍ଚ ଲାଗି । ସବୁ କିଛି ଠିକ୍ ଠାକ୍ ଥିଲେ ହେବ କିଡନୀ ଟ୍ରାନ୍ସପ୍ଲାଣ୍ଟ । ସମରେଶ ଫୋନ୍ ଲଗେଇଲେ । ଥରେରିଙ୍ଗ ହେବାପରେ ଫୋନ୍ ବିଜି ଦେଖେଇଲା । ବୋଧହୁଏ ମହିଳା ଜଣକ ବ୍ୟସ୍ତ ଥିଲେ।ନାନା ଆଶଙ୍କାରେ ଆନ୍ଦୋଳିତ ହେଲା ସମରେଶଙ୍କ ହୃଦୟ । ପର ମୁହୂର୍ତ୍ତରେ ସମରେଶ ବାବୁ ଡାକରେ ସେ ପଛକୁ ବୁଲି ଚାହିଁଲେ । ସେଇ ମୁହୂର୍ତ୍ତରେ ଯେମିତି ସମୟ ସ୍ଥାଣୁ ହୋଇଗଲା ।ଅଜବ ଏକ ଆବେଗରେ ସମରେଶଙ୍କ ଆଖି କୋଣ ଚମକି ଆସିଲା । ଆଖି କୋଣରୁ ଉଛୁଳି ଆସୁଥିବା ଆବେଗକୁ ଜୋର କରି ଚାପି ଦେଲେ ସମରେଶ ।ଆରେ ମୃଣାଳିନୀ ତୁମେ ଏଠାରେ ।ଏତେ ବର୍ଷ ପରେ ।


ମୃଣାଳିନୀ । ମୃଣାଳିନୀରାୟ । ତାଙ୍କ କଲେଜ ସମୟର ବାନ୍ଧବୀ ।

ମୁଁ ତୁମକୁ ଦେଖି ସାରିଥିଲି ସମରେଶ । ସେଥିପାଇଁ ତୁମ ଫୋନ୍ କାଟିଦେଲି ।

ଓଃ । ମୃଣାଳିନୀ ତୁମେ ।ଏଥର କିନ୍ତୁ ନିଜ କୁ ନିୟନ୍ତ୍ରଣ କରିପାରିଲେନି ସମରେଶ । ଛୋଟ ପିଲା ଭଳି କଇଁ କଇଁ ହୋଇ କାନ୍ଦି ଉଠିଲେ ।

ଧୈର୍ଯ୍ୟ ଧର ସମରେଶ୍ । ସବୁକିଛି ଠିକ୍ ହୋଇଯିବ । କିଛି କଳାକାରଙ୍କ ଲାଗି ଅଲଗା କିଛି ଅଭିନୟ ସଜାଡିରଖିଥାନ୍ତି ବିଶ୍ଵ ନିୟନ୍ତା ।ଆମେ ଆମର କ୍ଷୁଦ୍ର ଚେତନ ଶକ୍ତିରେ ସେ ସବୁକୁ ବୁଝିବା ସମ୍ଭବପର ହୋଇନଥାଏ ।ସମରେଶଙ୍କ ହାତ ଉପରେ ହାତରଖିଲେ ମୃଣାଳିନୀ । 

ତୁମେ ଦେବ ମୋ ପୁଅକୁ କିଡନୀ ମୃଣାଳିନୀ । ମୋତେ ଆଜୀବନ ଋଣୀ କରିଦେଲ ତୁମେ । ଓଃ ସମରେଶ ତୁମେ ଏତେ ଭାବ ପ୍ରବଣ ହୁଅନା । ଚାଲ ଯିବା ସବୁ ଫର୍ମାଲିଟିଜ୍ ପୂରଣ କରିବାକୁ ପଡିବ। 


          ଅଙ୍କୁଶର କିଡନୀ ଟ୍ରାନ୍ସପ୍ଲାଣ୍ଟେସନ ଭଗବାନଙ୍କ ଦୟାରୁ ଭଲରେ ଭଲରେ ହେଇଗଲା ।ଅଙ୍କୁଶ ଜୀଉଥିଲା ଗୋଟେ ନୂଆ ଜୀବନ ।ସେଦିନ ମେଡିକାଲରୁ ଡିସଚାର୍ଜ ହେବା ଦିନ ଅଙ୍କୁଶ କହିଥିଲା ଆଣ୍ଟି ଆପଣଙ୍କ ଯୋଗୁ ମୁଁ ନୂଆ ଜନ୍ମ ଟେ ପାଇଲି ଜାଣ ମୃଣାଳିନୀ ଟିକେ ହସିଲେ ଆଉ ଅଙ୍କୁଶର ଗାଲ କୁ ଆଉଁସି ଦେଲେ । ମେଡିକାଲରୁ ଡିସଚାର୍ଜ ହେବା ଦିନ ଅଙ୍କୁଶ ଠୁ ବିଦାୟ ନେବା ବେଳେ ସମରେଶ ମୋଟାରାଶିର ଚେକ୍ ଟେ ଗୁଞ୍ଜି ଦେଲେ ମୃଣାଳିନୀଙ୍କ ହାତରେ ।ଏ କ'ଣ ସମରେଶ ? ଏ କିଛି ନୁହେଁ ମୃଣାଳିନୀ । ତୁମେ ମୋ ପାଇଁ ଯାହା କରିଛ ଏ ଜନ୍ମରେ ମୁଁ ଭୁଲି ପାରିବିନି । ଚୁପ୍ ଥିଲେ ମୃଣାଳିନୀ । ଛାତି ଭିତରୁ କି ଦଲକାଏ ଗରମ ପବନ ଆଖି ଦେଇ ବାହାରି ଆସିବାକୁ ଚାହୁଁଥିଲା । କିନ୍ତୁ ଅସଫଳ ହେଲା । ଆହତ ହୃଦୟରେ ଝଡ ବେଗରେ ସେଠୁ ବାହାରି ଗଲେ ମୃଣାଳିନୀ ।


     ମେଡିକାଲରୁ ଆସି ବା ପରେ ସମରେଶ ବାବୁ ଟିକେ ଆଶ୍ୱସ୍ତ ଥିଲେ ।ଅଙ୍କୁଶର ସ୍ବାସ୍ଥ୍ୟ ପ୍ରତି ସେ ଆହୁରି ଯତ୍ନବାନ ହେଇଯାଇଥିଲେ ।ସତରେ ବଡ କଷ୍ଟ ମା ଟିଏ ହେବା ।ଆଜି ଯଦି ମୃଣାଳିନୀ ଦେବୀ ଟିଏ ସାଜି ଆସି ନ ଥାନ୍ତେ ତେବେ କଣ ସେ ସତରେ ନିଜକୁ କ୍ଷମା ଦେଇ ପରିଥାନ୍ତେ ।

        

        ମୃଣାଳିନୀ ।ମୃଣାଳିନୀ ରାୟ । ସତରେ ଦେବୀ । ଦେବୀ ନୁହେଁ ତ ଆଉ କଣ ।ନହେଲେ ଆଜିର ବସ୍ତୁବାଦୀ ଦୁନିଆଁରେ କେହି କଣ ଏମିତି ବିନା କୌଣସି ସ୍ୱାର୍ଥରେ ଏତେ ବଡ ପଦକ୍ଷେପ ନେଇପାରିଥାନ୍ତେ ।ଖାଲି ଯେ ସେ କିଡନୀ ଦେଇ ଅଙ୍କୁଶର ଜୀବନ ବଞ୍ଚେଇଲେ ତା ନୁହେଁ , କମ ଦିନରେ ଅଙ୍କୁଶ କୁ ବି ତାଙ୍କ ସ୍ନେହ ଋଣରେ ଋଣୀ କରିଦେଇଗଲେ ।ସେଦିନ ଖାଇବା ଟେବୁଲରେ ଅଙ୍କୁଶ କହିଲା ଡାଡି ସେ ଆଣ୍ଟି ବହୁତ ଭଲ ନ। ।ସମ୍ମତି ଭରିଲେ  ସମରେଶ ।ମେଡିକାଲରୁ ଆସିବା ପରଠୁ ଅଙ୍କୁଶ ପ୍ରାୟ ସମୟ ତାଙ୍କ ସହ କଥା ହୁଏ କିନ୍ତୁ କେଜାଣି କାହିଁକି ଏତେ ଚୁପଚାପ ରଖନ୍ତି ମୃଣାଳିନୀ ନିଜକୁ । ।ଅଙ୍କୁଶ କିଛି ପଚାରି ପାରେନା ।


                 ଅଙ୍କୁଶ କମ୍ପିଟେଟିଭ ପାଇଁ ନିଜକୁ ପ୍ରିପେୟାର କରୁଥିଲା ।ତେଣୁ ଅନେକ ଦିନ ହେବ ସେ ମୃଣାଳିନୀଙ୍କ ସହ କଥା ହେଇନି। ସମରେଶ ବି କାମରେ ବ୍ୟସ୍ତରହି ତାଙ୍କ ସହ କଥା ହେଇପାରନ୍ତି ନାହିଁ । ସମୟ ବି କାହାକୁ ଅପେକ୍ଷା କରିଛି ।ୟା ଭିତରେ ଅନେକ ବର୍ଷ ଅତିକ୍ରାନ୍ତ ହେଇଯାଇଛି ।ନାନା ଋତୁ ପୃଥିବୀ କୁ ଆସିଛନ୍ତି ଆଉ ନିଜରାଜୁତି ପରେ ଫେରି ଯାଇଛନ୍ତି । ଆଉ ପୁଣିଥରେ ଫେରିବାକୁ ଅପେକ୍ଷା କରିଛନ୍ତି । ଜୀବନ ଟା ଗୋଟେ ଅପେକ୍ଷା ।ଏଠି କିଏ ପ୍ରାପ୍ତିକୁ ଅପେକ୍ଷା କରେ ତ କିଏ ମୁକ୍ତିକୁ ।


        ୟା ଭିତରେ ଅନେକ ବର୍ଷ ବିତି ଯାଇଥିଲା ସମରେଶ କି ଅଙ୍କୁଶ କେହି ଆଉ ଖୋଜ ଖବର ରଖି ନଥିଲେ ମୃଣାଳିନୀଙ୍କର ।ନିଜ ନିଜ ଜଞ୍ଜାଳ ଭିତରେ ବ୍ୟସ୍ତ ଥିଲେ ସମସ୍ତେ ।ମୃଣାଳିନୀ ବି ତ କାହିଁ ଫୋନ କରୁନଥିଲେ। 

             ଅନେକ ଦିନ ପରେ ଅଙ୍କୁଶ ଫୋନ୍ କୁ ଗୋଟେ କଲ୍ ଆସିଲା ।ଆରେ ମୃଣାଳିନୀ ଆଣ୍ଟି ନମସ୍କାର ।ଏତେ ଦିନ ପରେ ।ନା ମୁଁ ତାଙ୍କ ମେଡ୍ କହୁଛି। ମାଙ୍କ ଦେହ ସିରିୟସ୍ ।ସେ ଆପଣଙ୍କୁ ଦେଖିବାକୁ ଚାହୁଁଛନ୍ତି ।ହଁ ହଁ ମୁ କାଲି ଆସୁଛି କହି ଅଙ୍କୁଶ ଫୋନ ରଖିଲା ।ୟା ଭିତରେ ସତରେ ସେମାନେ କେତେ ସ୍ୱାର୍ଥପର ସାଜି ଯାଇଛନ୍ତି ।ଏତେ ବର୍ଷ ଭିତରେ ଥରୁଟିଏ ବି ମୃଣାଳିନୀ ଆଣ୍ଟିର ପତ୍ତା ନେଇ ନାହାନ୍ତି ।କଣ ହେଇଚି ତାଙ୍କର ।


           ତାପର ଦିନ ଅଙ୍କୁଶ ଭୁବନେଶ୍ୱରରେ ମୃଣାଳିନୀଙ୍କ ଘରେ ପହଞ୍ଚିଲା ।ବହୁତ ବଡ ଘର ।କିବନ୍ତୁ ଲୋକବାକ କେହି ଦିଶୁନଥାନ୍ତି ।ଘରର ମେଡ୍ ଆସି ପଚାଲିଲା ଅଙ୍କୁଶ ବାବା କି ?ହଁ । ଆସନ୍ତୁ କହି ସେ ନେଇଗଲା ଗୋଟେ ବେଡ଼ରୁମ କୁ ଯୋଉଠି ମୃଣାଳିନୀ ଶୋଇଥାନ୍ତି ।ଓଃ । ଏ କ'ଣ ସେଇ ମୃଣାଳିନୀ ଆଣ୍ଟି ।ଏତେ କ୍ଷୀଣ ସ୍ୱାସ୍ଥ୍ୟ ହେଇଯାଇଛି ୟା ଭିତରେ । ଦେହରେ ହାଡ ଗଣି ହେଇ ଯାଉଛି ।ଆଖି କୋରଡରେ ପଶି ଯାଇଛି ।


        କାନ୍ଦ କାନ୍ଦ ଲାଗିଲା ଅଙ୍କୁଶକୁ ।ଆଣ୍ଟି ସେ ଧୀରେ ଡାକିଲା ।ଆଖି ଖୋଲିଲେ ମୃଣାଳିନୀ ।ଅଙ୍କୁଶ ବାବା ତୁମେ ଆସିଛ ।ସେ ବେଡ଼ରୁ ଉଠିବାକୁ ଚେଷ୍ଟା କରି ଅସଫଳ ହେଲେ ।ଅଙ୍କୁଶ ପାଖରେ ଯାଇ ବସିଲା ।ସେ ଥର ଥର ହାତରେ ଅଙ୍କୁଶ ଗାଲରେ ଥରେ ହାତ ବୁଲେଇ ଆଣିଲେ । ସମରେଶ ଆସିନାହାନ୍ତି ଅନେକ କଷ୍ଟରେ ସେ ପଚାରିଲେ । ନା ଡାଡି ଅଫିସ କାମରେ ବାଙ୍ଗାଲୋର ଯାଇଛନ୍ତି ।ଦୁଇ ଦିନ ପରେ ଆସିବେ ।

ସେ କିଛି କହିବାକୁ ଯାଉଥିଲେ କି ମେଡ୍ କହି ଉଠିଲା ମାମ୍ ଆପଣ ରେଷ୍ଟ ନିଅନ୍ତୁ ଡାକ୍ତର ଆପଣଙ୍କୁ ବେଶି କଥା କହିବାକୁ ମନା କରିଛନ୍ତି ପରା । ଏତକ କହି ସାରି ସେ ଅଙ୍କୁଶକୁ ଆଖିରେ ଆସିବାକୁ ଈଶାରା ଦେଲେ ।ଅଙ୍କୁଶ କହିଲା ଆଣ୍ଟି ଆପଣ ଶୋଇଯାନ୍ତୁ ।ଆମେ କଥା ହେବା ମୁଁ ଏଇଠି ଅଛି । ମୃଣାଳିନୀଙ୍କ ଉପରେ ବ୍ଲାଙ୍କେଟ୍ ଟା ଘୋଡେଇ ଦେଇ ପଦାକୁ ଆସିଲା ଅଙ୍କୁଶ ।

           

            ଅଙ୍କୁଶ ଜାଣିବାକୁ ଚାହୁଁଥିଲା ଆଣ୍ଟିଙ୍କର କ'ଣ ହେଇଚି ।ମେଡ୍ କହିଲା କିଡନୀ ଦେବା ପର ଠାରୁ ସେ ପ୍ରାୟତଃ ଅସୁସ୍ଥ ରହୁଛନ୍ତି । କାମ ସାଙ୍ଗକୁ ନିଜ ଦେହର ଯତ୍ନ ନନେଇ ତାଙ୍କର ଆଜି ଏ ଅବସ୍ଥା ।


ଆଣ୍ଟିଙ୍କର ପୁଅ ଝିଅ ? ସେ କ'ଣ ଆପଣଙ୍କୁ କହି ନାହାନ୍ତି ଯେ ସେ ଅବିବାହିତ ବୋଲି। ତାଙ୍କ ସମ୍ପତ୍ତି ପାଇଁ ଆତ୍ମୀୟ ସ୍ବଜନମାନେ ଏଠି ଭିଡ ଜମାନ୍ତି ।କିନ୍ତୁ ସେମାନଙ୍କ ଠୁ ଦୁରେଇରହନ୍ତି ସେ । ସମ୍ପତ୍ତି ପାରିଲେନି ବୋଲି ତାଙ୍କର ଏ ରୋଗ ଶଯ୍ୟାରେ ତାଙ୍କ ପାଖେ କେହି ନାହାନ୍ତି ।

କେତେ ସେଲଫିସ୍ ଏ ଦୁନିଆଁ ଅଙ୍କୁଶ ଭାବୁଥିଲା । ମେଡ୍ କହିଲା ମାଁ ଚାହାନ୍ତି ଆପଣ ଏ ସମୟରେ ତାଙ୍କ ପାଖେ ଟିକେ ରୁହନ୍ତୁ ।

ହଁ ।ଅଙ୍କୁଶ ସମ୍ମତି ଭରିଲା ।ଫୋନ ଲଗେଇଲା ସମରେଶ ବାବୁଙ୍କୁ ।ମୃଣାଳିନୀଙ୍କ କଥା ଶୁଣି ସମରେଶ ବ୍ୟସ୍ତ ହୋଇପଡିଲେ।ଯଥା ଶୀଘ୍ର କାମ ସାରି ଫେରିଆସିବା ପାଇଁ କହିଲେ ।


               ସେ ରାତିରେ ମୃଣାଳିନୀଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେଲା। ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ସେଇ ମଧ୍ୟରାତ୍ରରେ ମୃଣାଳିନୀ ନିଜକୁ ସମର୍ପି ଦେଇଥିଲେ ମୃତ୍ୟୁର ଶୀତଳ ବାହୁରେ ।ସାଙ୍ଗସାଥିଙ୍କୁ ଧରି ଅଙ୍କୁଶ ହିଁ ସବୁ କର୍ମ କଲା ,ମୁଖାଗ୍ନି ଦେଲା । ସମରେଶ ପହଞ୍ଚିବା ବେଳକୁ ତାଙ୍କର ପ୍ରତୀକ୍ଷାରେ ଥିଲା କେବଳ ଏକ କରୁଣ ସୂର୍ଯ୍ୟାସ୍ତ ; ଅନେକ ଭାର ଦୁଃଖଙ୍କ ହାହାକାର । ସମରେଶଙ୍କ ଭିତରୁ ବାହାରି ଆସୁଥିଲା ଦାରୁଣ କୋହ ।


         ମେଡ୍ ଆସି ତାଙ୍କ ହାତରେ ଧରେଇ ଦେଲା ଏକ ବାକ୍ସ ଯାହା ସମରେଶଙ୍କୁ ଦେବାପାଇଁ କହିଥିଲେ ମୃଣାଳିନୀ ।ସମରେଶ ବିସ୍ମୟ ସହ ସେ ବାକ୍ସଟିକୁ ନେଲେ ।ତା ଭିତରେ ଥିଲା ସଯତ୍ନେ ସାଇତା ଚିଠି ଟିଏ , ଏକ ଚାବିକାଠି, ଆଉ ଏକ ଉଇଲ । ବିସ୍ମିତ ସମରେଶ ଉଇଲ ଟିକୁ ପଢ଼ିଲେ ସେଥିରେ ମୃଣାଳିନୀଙ୍କର ସବୁ ସଂପତ୍ତି , ଭୁବନେଶ୍ୱର ଘର ଅଙ୍କୁଶ ନାଁରେ କରାଯାଇଛି । ଆଶ୍ଚର୍ଯ୍ୟର ସୀମା ରହିଲାନି ତାଙ୍କର ।ତରତରରେ ସେ ଚିଠି ପଢିବାକୁ ଲାଗିଲେ।ଥର ଥର ହାତରେ ଲିଖିତ ଅକ୍ଷର ଗୁଡିକ ସତେକି ଚାତକ ନୟନରେ ଅନାଇ ବସିଥିଲେ କିଛି ବଖାଣି ବାକୁ । ସେ ଚିଠି ତାଙ୍କ ନାଁରେ ମୃଣାଳିନୀ ଦେଇଛନ୍ତି ।


ସେ ଲେଖିଛନ୍ତି-

     

               ସମରେଶ ମୋର ଅନ୍ତରର ସମସ୍ତ ଭଲ ପାଇବା ନେବ ।ମହାକାଳ ମୋତେ ସୁଯୋଗ ଦେଲାନି ଅନ୍ତତଃ ଯିବା ପୂର୍ବରୁ ତୁମ ସହ ଟିକେ ମନ ଖୋଲା କଥା ହେବାକୁ ।ଛାଡ ଏହା ହିଁ ମୋ ପ୍ରାରବ୍ଧ । କଲେଜରେ ପଢ଼ିବା ସମୟରେ ଭଲ ପାଇବାର ମଧୁର ଅନୁଭୂତିର ସଂସ୍ପର୍ଶରେ ତୁମେ କେବେ ଆସିନାହିଁ ସମରେଶ ।କାରଣ ତୁମେ ଖୁବ୍ ଲାଜକୁଳା ଥିଲ ନା , କଲେଜର ବେଷ୍ଟ ଷ୍ଟୁଡେଣ୍ଟ୍ । ସେମିତି ମୁହଁ ତଳକୁ କରି ଆସ ଆଉ ପଢା ପରେ ଏକ ମୁହାଁ ଘର କୁ ଫେରି ଯାଅ । କିନ୍ତୁ ତୁମେ କଣ ଜାଣୁ ଥିଲ ତୁମ ଅଜାଣତରେରେ କେହି ଜଣେ ତୁମକୁ ବାନ୍ଧି ରଖିଥିଲା ତା ହୃଦୟର ଫ୍ରେମ୍ ରେ । ତୁମେ ହାତରଖି ଥିବା ଟେବୁଲ୍ ଉପରେ ତୁମେ ଗଲା ପରେ ସେଫ୍ଟି ପିନ୍ ରେ କାଟି ଲେଖି ଦେଉଥିଲା ଏସ୍ ପ୍ଲସ ଏମ୍ । ତୁମ ନାଁରେ ଯଦି ଲେଡ଼ିଜ୍ କମନ୍ ରୁମ୍ ରେ କେହି ଆଲୋଚନା କରୁଥିଲା ତା ସହ ଝଗଡା କରୁଥିଲା କେହି ଜଣେ । ନା ସମରେଶ ତୁମେ ଏସବୁର ସୁରାକ ବି ପାଇ ନଥିବ । ତୁମେ କାଳେ ଦିନେ ସାଙ୍ଗଙ୍କ ସହ ଚର୍ଚ୍ଚା କରୁଥିଲ କି ପ୍ରେମରେ ପଡିଲେ କାଳେ ଜୀବନ ନଷ୍ଟ । ଆଉ ଯେ ତୁମକୁ ତା ପ୍ରାଣ ଠୁଁ ଅଧିକ ଭଲ ପାଉଥିଲା ସେ କ'ଣ କେବେ ତୁମ ଜୀବନ ନଷ୍ଟ କଥା ଭାବି ପାରିବ । ତମେ ବି କଲେଜ୍ ରେ ପାଠ ଛଡା ଆଉ କିଛି ବି ବଡ ବୋଲି ଭାବି ନାହଁ । କେମିତି ତୁମକୁ କହିଥାନ୍ତା ସେ ଯେ କେତେ ଭଲ ପାଏ ତୁମ କୁ ।କଲେଜ୍ ସରିଗଲା ତୁମେ ଟପ୍ପର ହେଲ କଲେଜ୍ରେ । ତା ପରେ ପି ଜି । ଜବ୍ । ବାହାଘର ।ସେ ଅଧ୍ୟାୟ ତୁମ ପାଖେ ସେମିତି ଗୋପନୀୟରହିଗଲା । କିନ୍ତୁ ତୁମେ ଗୋପନୀୟ ନଥିଲା ଡିଅର ।ସେ ଜିଦ୍ଦି ପ୍ରେମିକା ତୁମର ସବୁ ଖବରରଖିଥିଲା । ତୁମେ ବାହା ହେଇ ଗଲ କିନ୍ତୁ ତୁମକୁ ଦେବତା ବୋଲି ମାନି ନେଇଥିଭା ସେ ଝିଅ କ'ଣ ବାହା ହେଇ ପାରିଲା । ନା ବରଂ ବାପାଙ୍କ ସହ , ସମାଜ ସହ ଯୁଦ୍ଧ କରି ଅବିବାହିତରହିଲା । ଜବ ଆଉ ତୁମର ଫଟୋ କୁ ଧ୍ୟେୟ କରି ଜୀବନ ଟା ବିତେଇ ଚାଲିଲା । ଏ ପ୍ରେମ ନା ବଡ଼ ଅଜବ ଚିଜ ସମରେଶ ।ବିଲକୁଲ୍ ଗୋଧୂଳି ଲଗ୍ନର ଛାଇ । ବୟସର ଅପରାହ୍ନରେ ବେଶି ବେଶି ମନେ ପଡେ । ଛାଡ ସେ କଥା । ତୁମେ ଯେ ହସ ଖୁସିର ଏକ ଜୀବନ ଜିଉଁଚ ତାହା ସେ ଝିଅ ପାଇଁ ଥିଲା ଗୋଟେ ସୁଖବର । ତୁମ ପତ୍ନୀ ବିୟୋଗ ହେଲା । କିଛି ଦିନ ଭାଙ୍ଗି ପଡିଥିଲ ତୁମେ ।କିନ୍ତୁ ସେ ଝିଅ କ'ଣ ଆସି ପାରିଥାନ୍ତା ତୁମ ସାମ୍ନା କୁ ।ବରଂ ତୁମେ ସେ ଦୁଃଖରେ ନିଜକୁ ଭିତରୁ ମଜବୁତ କର ସେ ଚାହୁଁ ଥିଲା । କିନ୍ତୁ ଅଙ୍କୁଶ ଖବର ଶୁଣି ଆଉ ଧୈର୍ଯ୍ୟ ଧରିରହି ପାରିଲାନି ସେ । ତାର ଆଉ କିଛି ଚାରା ନଥିଲା ସମରେଶ । ଅଙ୍କୁଶ କ'ଣ ତା ପୁଅ ନୁହେଁ ଯଦିଓ ସେ ତା ରକ୍ତ ନୁହେଁ । କିନ୍ତୁ ସେଦିନ ତୁମେ ଯେଉଁ ଦଶ ଲକ୍ଷର ଚେକ୍ ଟା ତା ହାତ କୁ ବଢେଇ ଦେଲା ଜାଣିଚ ସେ ମୁହୂର୍ତ୍ତ ଥିଲା ଖୁବ୍ ବେଦନାଦାୟୀ । ସେଦିନ ସେ ଭାଙ୍ଗି ପଡ଼ିଲା ସମରେଶ ଯେମିତି ଦିନେ ଭାଙ୍ଗି ପଡ଼ିଥିଲା ଅନ୍ତିମ ଶଯ୍ୟାରେ ତା ବାପାଙ୍କ ଶୁଖିଲା ଲୁହ ଧାର ଦେଖି । ବାପା ଥର ଥର କଣ୍ଠରେ କହିଥିଲେ ଯା ମାଁ ଯା ଭଲରେ ଥା । ଆଉ ପୁଣି ଥରେ ଉଠିଲା ସେ ମର୍ମଭେଦୀ ଝଡ ଯେଉଁ ଦିନ ତୁମେ ସେ ଚେକ୍ ଟା ବଢେଇ ଦେଇଥିଲା ସେ ଝିଅକୁ । ଆଉ କିଛି ଲେଖି ହେଉନି ସମରେଶ ।ରାତି ଆଉ ଯନ୍ତ୍ରଣା ଢେର୍ ହେଲାଣି ।ଏତକ ଲେଖିବାକୁ ପଡ଼ିଲା କାରଣ ସେ ଝିଅର ସୌଭାଗ୍ୟରେ ତୁମ ସିନ୍ଦୂର ନଥିଲା କିନ୍ତୁ ଅନ୍ତତଃ ଏତକ କହି ନଥିଲେ ତା ଆତ୍ମା ବୋଧେ ଶାନ୍ତି ପାଇ ନଥାନ୍ତା । ଗୋଟେ କାମ କରିବ ସମରେଶ ଥରୁଟିଏ ସେ ଯେଉଁ ବନ୍ଦ କୋଠରୀ ଅଛି ତାକୁ ଖୋଲିବ । କିଛି ସମୟ ସେଠି ବସିବ । ଅନ୍ତତଃ ସେ ଝିଅ ସେତିକିରେ ଖୁସି ହେଇଯିବ ‌। ଭୁଲ ଥିଲେ ତାକୁ କ୍ଷମା କରି ଦେବ ସମରେଶ । ଖୁବ୍ ଖୁସିରେ ରୁହ । ଅଙ୍କୁଶକୁ ଢେର୍ ସାରା ଭଲ ପାଇବା । ବିଦାୟ .. ବିଦାୟ...।


                       ଇତି 

                     ମୃଣାଳିନୀ


କୋହରେ ଫାଟି ପଡ଼ିଲେ ସମରେଶ । ଓଃ ମୃଣାଳିନୀ । ଦୀର୍ଘ ଶ୍ଵାସ, ଲୁହ, ଦୁଃଖ ସବୁ ମିଶି ଅଣନିଶ୍ବାସୀ କରି ଦେଉଥିଲା ସମରେଶଙ୍କୁ ।ସେ ପାଗଳଙ୍କ ପରି ଧାଇଁଲେ ସେ କୋଠରୀକୁ । ତାଲା ଖୋଲି ଭିତରକୁ ପଶିଗଲେ ।

       କୋଠରୀ ସାରା ତାଙ୍କର କଲେଜ ଓ ତା ପର ସମୟର ଫଟୋ । ବର ବେଶର ଗୋଟେ ଫଟୋ ପାଖେ କେବେକାର ମଉଳା ଗୋଲାପ ଫୁଲଟେ । ଗୋଟେ ଫ୍ରେମରେ ତାଙ୍କ ଫୋଟ ସହ ଆଉ ଗୋଟେ ଫୋଟ ପାଇଁ ଖାଲି ଜାଗାଟେ । 

          ସମରେଶ ପାଖରେ ଥୁଆ ହେଇ ଥିବା ମୃଣାଳିନୀଙ୍କ ଫଟୋ ନେଇ ସେ ଫ୍ରେମରେ ରଖିଲେ । ଥରେ ଆଉଁସି ଦେଲେ କାଚ ଫ୍ରେମରେ ମୃଣାଳିନୀଙ୍କ ଫଟୋକୁ ।ଦୁଇ ବୁନ୍ଦା ଲୁହ ଖସି ପଡ଼ିଲା ଫ୍ରେମ୍ ର କାଚରେ । ଉତ୍ତୁରି ଆସିଲା ତାଙ୍କ ଛାତିରୁ ଏକ ଦୀର୍ଘ ଶ୍ଵାସ ।


           ଝରକା ଖୋଲିଲେ ସମରେଶ । ଦଲକାଏ ଶୀତଳ ପବନ ତାଙ୍କୁ ଛୁଇଁ ଘର ଭିତରକୁ ପଶିଆସିଲା । ତାଙ୍କୁ ଲାଗିଲା ସେହି ଶୀତଳ ଛୁଆଁ ଥିଲା ଯେମିତି ମୃଣାଳିନୀଙ୍କ ପ୍ରଥମ ଓ ଶେଷ ସ୍ପର୍ଶ । ଝର୍କା ଦେଇ ବାହାରକୁ ଚାହିଁଲେ ସେ । ଅନେକ ବେଳୁ ପାହାଡ଼ ଉହାଡରେ ସୂର୍ଯ୍ୟ ଲୁଚି ସାରିଥିଲେ । ଦିଗବଳୟରେ ଏକ କରୁଣ ସଂଜ ଧିରେ ଧିରେ ଓହ୍ଲାଇ ଆସୁଥିଲା ପୃଥିବୀର ଛାତିକୁ ......।


Rate this content
Log in

Similar oriya story from Tragedy