ନିଦ
ନିଦ


କଲ୍ୟାଣୀ କୁଟୀର ରେ ଆଜି ଭାରି ଗହଳି । ପ୍ରାୟ ସବୁବେଳେ ବନ୍ଦ ରହୁଥିବା ଘର ଟା ର ଗେଟ ଆଜି ଦିନ ଦୁଇଟା ରୁ ଅଧା ଖୋଲା ।ଅଜଣା ଆଗନ୍ତୁକ ମାନଙ୍କୁ ଦେଖି ଆଲସେସିଆନ୍ ଟା ଭୁକି ଚାଲି ଥାଏ ଅବିରତ ।ଘର ଭିତରେ ଶଙ୍କାଗ୍ରସ୍ତ ନିଲେଶ ବାବୁ ୟା ଭିତରେ ଦୁଇ ଦୁଇ ଥର ସଂଜ୍ଞା ହରାଇ ପଡି ଗଲେଣି । ପାଖରେ କ୍ରନ୍ଦନରତ ଧର୍ମପତ୍ନୀ ।ଏ.ସି. ଚାଲି ମଧ୍ୟ ଝାଳ ରେ ପୁରା ଭିଜି ଯାଇଛି ନିଲେଶଙ୍କର ପିନ୍ଧା ବସ୍ତ୍ର । ପେପରଟେ ଧରି ସ୍ତ୍ରୀ ବିଞ୍ଚିବାରେ ଲାଗିଥାନ୍ତି ।ଘର ଭିତରେ ଏ.ସି. ର ଶୀତଳ ବାତାବରଣରେ ବି ତପ୍ତ ନିଦାଘର ସ୍ପର୍ଶ ଅନୁଭବ କରୁଥାନ୍ତି ନିଲେଶ ଚୌଧୁରୀ । ସ୍ତ୍ରୀ ଙ୍କର କାନ୍ଦକୁ ଦେଖି ମଝିରେ ମଝିରେ ବିରକ୍ତି ସୂଚକ ଦୃଷ୍ଟି ଅଜାଡି ପକାଉଥାନ୍ତି ସେ ।
ପର୍ଯ୍ୟଟନ ବିଭାଗର କନିଷ୍ଠ କିରାଣୀ ନିଲେଶ ବାବୁ ।ତାଙ୍କ ଘରେ ଆଜି ସରକାରୀ କୁଣିଆ ।ଭିଜିଲାନ୍ସ ବିଭାଗର ଚଢ଼ାଉ । ଜାଲରେ ଆଜି ବଡ ମାଛ ।ରାଜଧାନୀରେ ଡୁପ୍ଲେକ୍ସ ,କଟକରେ ଘର ,ଅନ୍ୟାନ୍ୟ ସହରରେ ବି ଜାଗାବାଡ଼ି । ଲକରରୁ ମିଳିଲା ଆୟବହିର୍ଭୁତ ଅନେକ ସଂପତ୍ତି । ସବୁର ହିସାବ ଚାଲିଛି । ଘରସାରା ଶ୍ମଶାନ ନୀରବତା ।ପଙ୍ଖାର ସରର ସରର ଶବ୍ଦ ବି ଖୁବ୍ ପ୍ରଚଣ୍ଡ ଲାଗୁଛି ।ପତ୍ନୀ କଲ୍ୟାଣୀ ଦେବୀ ଲୁଗା କାନିରେ ବାରମ୍ବାର ଲୁହ ପୋଛୁଥାନ୍ତି । ମଝିରେ ମଝିରେ ଅନେକ ଜଣାଶୁଣା,ଦୂର ନିକଟ ଦେବାଦେବୀଙ୍କ ନାମ ଅସ୍ପୁଟ ସ୍ୱରରେ ଉଚ୍ଚାରୁ ଥାନ୍ତି । ନିଲେଶ ବାବୁ କେତେବେଳେ ପାଗଳଙ୍କ ଭଳି ଘରସାର ବୁଲିଯାଉଥାନ୍ତି ତା କେତେବେଳେ ଗ୍ଲାସ ପରେ ଗ୍ଲାସ ପାଣି ପିଇ ଯାଉଥାନ୍ତି ।
ବନ୍ଦ କବାଟ ଏପଟେ ଚାକର ରଇତୁ । ରଇତୁ ଅପେକ୍ଷା କରିଥାଏ କାଳେ କବାଟ ଖୋଲି ବାବୁ କିଛି ଆଦେଶ ଦେବେ କି ? ସକାଳ ପହରୁ ବାବୁ ଙ୍କ ମୁହଁ ଟା ଭୋଦୁଅଁ ଆକାଶ ଦେରିକା ଦିଶୁଛି । କୋଉଠୁ ଆଇଚନ୍ତି କେଜାଣି ଏ ଥନ୍ତଲ ପେଟୁଆ ବାବୁମାନେ ।ଆସିବା ପହରୁ ଲଗେଇଛନ୍ତି ଅମୁକ ଟା ଦିଅ ସମୁକ ଟା ଦେଖା ।ବଡ଼ ଦିକିଦାର କରିସାଇଲେଣି ବାବୁ ଙ୍କୁ ମୋର ।ଦିନ ସାରା ରଇତୁ କବାଟ ଆର ପଟେ ବସିଛି ।ବସି ବସି ଭାବୁଛି ତା ଗାଁ କଥା ,ଘର କଥା ତା ସ୍ତ୍ରୀ ରାଇମଣି କଥା ,ତା ଝିଅ କୁସୁମ କଥା ।ଏଥର ଆସିବା ବେଳେ କୁସୁମ ଦେହ ଜ୍ବର ରେ ଖଇ ଫୁଟୁଥିଲା ।ରୋଗିଣା ଛୁଆ ଟା କଥା ଭାବିଲା ବେଳକୁ ରଇତୁ ଆଖିରେ ପାଣି ଜକେଇ ଆସୁଥିଲା । ଇଛା ଥିଲେ ବି ନ ରହି ବାବୁଆଜ୍ଞାଙ୍କ କଡା ତାଗିଦ ରେ ସେ ଗାଁ ରୁ ପଳେଇ ଆସିଥିଲା ।କେଜାଣି କେମିତି ଥିବା ତା କୁସୁମର ଦେହ ।ରଇତୁ ଗାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲା ।
ରାତି ଅନେକ ହୋଇଯାଇଥିଲା ତଥାପି ସରି ନଥାଏ ହିସାବକିତାବ ।ନିଲେଶ ବାବୁ ବସୁଥାନ୍ତି ,ଉଠୁଥାନ୍ତି ,ଝରକା ସେପଟକୁ ଚାହୁଁଥାନ୍ତି ଆଉ ଅଫିସରଙ୍କ ପ୍ରଶ୍ନର ଉତ୍ତର ଦେଉଥାନ୍ତି ।ମନେ ମନେ ସେ ଭାବୁଥାନ୍ତି ସେଇ ମୁହୂର୍ତ୍ତରେ ତାଙ୍କର ସମସ୍ତ ସମ୍ପତ୍ତି ବଦଳରେ କିଏ ଆଣି ଦିଅନ୍ତାନି ମହଣ ମହଣ ନିଦ । ସେ ଶୋଇଯାଏନ୍ତେ ଦୁନିଆଁର ସବୁ ଅଡ଼ୁଆ ଅସମୟକୁ ଆଖି ବୁଜି ଦେଇ ।ଭୁଲି ଯାଏନ୍ତେ କାହାକୁ ତାଙ୍କର କୈଫିୟତ ଦେବାର ଅଛି । ଖୋଜିବାକୁ ପଡନ୍ତାନି ତାଙ୍କୁ ତାଙ୍କ କଲା କର୍ମର ଅନେକ ସଫେଇ ।
ନିଲେଶ ବାବୁ ବାହାରକୁ ଚାହିଁଲେ ।ରାତିର କଳା ଚାଦର ତଳୁ ନିଷ୍ପାପ ମୁହଁ ଟି କାଢି ଚାହିଁ ରହିଛି ଜହ୍ନ ।ଦିକି ଦିକି ଜଳୁଥିବା ତାରା ମାନଙ୍କ ଆଖିରେ ସତିକା ବହଳ ନିଦ ।କାହାର କାଉଁରୀ ମନ୍ତ୍ରରେ ଗଛବୃଛ ସବୁ ଘୁମେଇ ପଡିଛନ୍ତି । ଅଥଚ ନିଲେଶ ବାବୁଙ୍କ ଆଖିରେ ନିଦ ନାହିଁ। ସାଙ୍ଗ ସାଥି ମାନଙ୍କ ଆଗରେ ବାହାସ୍ପୋଟ ମାରି ଗପୁଥିବା ନିଲେଶ ବାବୁ କହି ବୁଲନ୍ତି ଦୁନିଆ ଟା କାଳେ ଏକ ବଡ ବିପଣୀ ଆଉ ଏଠି ସବୁ ଜିନିଷ ପଣ୍ୟ । ଅଥଚ ସେ ଦୁନିଆଁରେ ଆଜି ତାଙ୍କ ସମସ୍ତ ଧନ ବଦଳ ରେ ମିଳିପାରିନାହିଁ ତାଙ୍କୁ ଟିକିଏ ନିଦ ।
ଭିଜିଲାନ୍ସ ଅଫିସରଙ୍କ ଡାକରେ ପ୍ରକୃତିସ୍ଥ ହେଲେ ନିଲେଶ ବାବୁ ।କିଛି ପ୍ରଶ୍ନର ଉତ୍ତର ଦେବାକୁ ଉଠିଗଲେ ସେ । ରହି ରହି ଭୁକୁଥିବା ଆଲସେସିଆନ୍ ଟା ଅନେକ ବେଳୁ ତୁନି ପଡ଼ିସାରିଥିଲା ।କ୍ଲାନ୍ତିର କୁହୁକରେ ଶୋଇଯାଇଥିଲା ସାରା ସହର ।ସେପଟେ କଲ୍ୟାଣୀ ଭବନର ଗ୍ୟାରେଜକୁ ଲାଗି ଥିବା ଆଜବେଷ୍ଟସ୍ ଘରୁ ଶୁଭୁ ଥିଲା ଚଇତୁର ଘୁଙ୍ଗୁଡ଼ି ।