Ashutosh prasad Mallik

Tragedy

2  

Ashutosh prasad Mallik

Tragedy

ଫସଲ

ଫସଲ

2 mins
808


ମୁଣ୍ଡ ଉପରେ ସୂର୍ଯ୍ୟ ଙ୍କର ଅଗ୍ନ୍ୟୁତ୍ସବ | ଠେକା ଖୋଲି ମୁଣ୍ଡ ରୁ ନିଗିଡି ଆସୁଥିବା ଝାଳ ପୋଛିଲା ଭଜନା ।ହିଡ ମୁଣ୍ଡ ରେ ଥୁଆ ହୋଇଥିବା ନୋଟା ରୁ ଢୋକେ ପାଣି ପିଇଲା । ଦି' ପହର ଖରା ରେ ପାଣି ବି ନିଆଁ । ପିଇ ହେଲାନି ଢୋକେ ରୁ ଅଧିକ । ହିଡ ଉପରେ ବସିପଡିଲା ସେ ।ଥରେ ତା ହସିଲା ଖେଳିଲା ବାଇଗଣ କିଆରୀ ଆଡେ ଚାହିଁଲା । ଏ ଡହ ଡହ ଖରାରେ ସତିକା କେହି ଜଣେ ତା ଉପର ଥଣ୍ଡା ପାଣି ବାଲଟିଏ ଢାଳି ଦେଲା । ଫସଲ କୁ ଦେଖି ଆତ୍ମତୃପ୍ତି ର ହସ ଟେ ହସିଲା ମନେ ମନେ ସେ । ଭୁଲିଗଲା ଦି'ପହର ଖରା ର ତାତି ଭୋକ ଶୋଷ । ଲଷ୍ମୀ ସାଆଁନ୍ତାଣୀ ଙ୍କ କୃପା । ଏ ସନ ଘିଅ ହାଣ୍ଡି ରେ ମୁହଁ ଦେଇଛି ଭଜନା । ତା ଝିଅ କନି ର ବାହାଘର ବେଳେ ରାଧୁ ମିଶ୍ର ଙ୍କ ଠାରୁ ଯେଉଁ ଚାଳିଶି ହଜାରେ ଧାର୍ ଆଣିଛି ସେ ଗତବର୍ଷ , ଏସନ ଆଗ ଶୁଝିଦେବ । ତା ପଛ କୁ ଅଛି ପୁଅ ବବଲୁ ର ଫର୍ମ ଫିଲପ ।କନି ମା' ଟା ବି କେଇ ଝୁଙ୍କ ଲଗେଇଲାଣି ଟିକେ ପୁରୀ ବୁଲି ଆସିବାକୁ । ଟଙ୍କା ନାହିଁ ବୋଲି ସିନା ଭଜନା ଟା ଗୁରୁଗୁରୁ ହେଉଛି ନୋହିଲେ ତା'ର ବି ଅନେକ ଦିନୁ ମନ ବଳିଲାଣି ଟିକେ କଲା ଠାକୁର ଙ୍କୁ ଦେଖିବାକୁ । କିଆରୀ ଆଡେ ଉଠିଗଲା ସେ । ଦେଖିଲା ଭଳିଆ ଦି'ଟା ବାଇଗଣ ଉପରେ ହାତ ଘୁରାଇ ଆଣିଲା ସେ । ମନ ତାର କୁଣ୍ଢେମୋଟ ହୋଇଗଲା ।

ଅମଳ ସମୟ ହୋଇଗଲା । ଅମଳ ଦିନ ବସ୍ତା ରେ ପରିବା ଭରିବା ବେଳେ ଭଜନା ର ଗୋଡ ତଳେ ଲାଗୁ ନଥାଏ ।ଟାଟା ଏସି ବାଲା ଟାକୁ ମାଲିକ ଢଙ୍ଗ ରେ ବହେ ଆକଟି ଗଲା । କୃଷକ ବଜାରରେ ପହଂଚିବା ବେଳକୁ ବେପାରୀ ପାଖରେ ଚାଷୀ ଙ୍କ ଭିଡ । ଦୁଇ ତିନି ଜଣ ଚାଷୀ ହାତ ହଲେଇ ଉଚ୍ଚ ସ୍ୱରରେ ବେପାରୀ ସଂଗେ ଯୁକ୍ତି କରୁଥାନ୍ତି । ବେପାରୀ କହୁଥାଏ ଏ ପରିବା କେଜି କୁ ଦୁଇ ଟଙ୍କାରୁ ଅଧିକା ଦେଇ ପାରିବିନି । ବଜାରରେ କାଟତି ନାହିଁ । ଏତେ ପରିବା ନେଇ କରିବି କଣ ।ନୋକସାନି ହବ । କାଟତି ନାହିଁତ ରେଟ୍ କେମିତି ଚଢା ଅଛି ଆମଠୁ ଦୁଇ ରେ ନେଇ ବଜ଼ାରରେ ୨୦ ରେ ବିକିବ । କହିଲେ କ'ଣ ନ କାଟତି ନାହିଁ- ଜଣେ ଚାଷୀ ଯୁକ୍ତି କରୁଥାଏ । ଦେଲେ ଦିଅ ନହେଲେ ନାହିଁ ବେପାରୀ ସମସ୍ତଙ୍କୁ ରୋକଠୋକ ଶୁଣେଇ ଦେଲା । ଭଜନା ପାଟିରୁ କଥା ବାହାରୁ ନଥାଏ । ଯେଝା ଯେଝା ମାଲ ର ହିସାବ ଦେଇ ଚାଷୀଏ ପଇସା ଗଣୁଥିଲେ ।

ପରିବା ତକ ଦେଇ ଭଜନା ତା ଅର୍ଜନ ତକ ପକେଟ ରେ ଖୋସିଲା ।ବାଟ ରେ ଆସୁ ଆସୁ ସେ ଭାବୁଥିଲା ରାଧୁ ମିଶ୍ର ଙ୍କ କରଜ କଥା ,ବବଲୁ ର ଫର୍ମ ଫିଲପ କଥା । ମଥାରୁ ନିଗିଡି ଆସୁଥିବା କେଇ ବୁନ୍ଦା ଝାଳ ରେ ବାଟ ଟା ତାକୁ ଝାପ୍ସା ଝାପ୍ସା ଦିଶୁଥିଲା। ।

©ଆଶୁତୋଷ ପ୍ରସାଦ ମଲ୍ଲିକ


Rate this content
Log in

Similar oriya story from Tragedy