ଗୌଣ ସ୍ବପ୍ନ
ଗୌଣ ସ୍ବପ୍ନ


କାଠଭାଡି ସେପଟର ଅପେକ୍ଷାକୃତ ଅନ୍ଧାରିଆ ଜାଗାରେ ସ୍କୁଲ୍ ବସ୍ତାନିଟିକୁ ତଳମୁହାଁ କରି ଝାଡିଦେଉଥିଲା ବେଳେ ଲିଟାକୁ ଦେଖିଦେଲା ତା ନାନୀ ।
- କଣ କରୁଚୁ ଏଠି ? ରହରେ ପୁଅ ବୋଉକୁ ଡାକୁଛି ଏଇନା ?
-ନାଇଁ ନାନୀ ଡାକେନା । ଡାକିଥିବୁ ତ ମୁଁ ଆଉ ତୋ ସାଙ୍ଗ ହେବିନି । ଲୁଚେଇକି ଶିକାରୁ ଆଉ ବରକୋଳି ଆଚାର ଆଣି ଦେବିନି । ଅଭିମାନ ଭରା ଧମକ୍ ଦେଲା ଲିଟା ।
- କଣ କରୁଛୁ ଆଗ କହ ? ଜିନା ପଚାରିଲା ।
କାଲି ନଟା ଆଡେ ଯାଇଥିଲି । ସେ ଯୋଉ ଶାଳବଣୀ ନାହିଁ ତା ଆରପଟେ ମେଞ୍ଚେ କଢି । ଆଜି ଫୁଟି ଯାଇଥିବ ,ଚାଲ୍ ଯିବା ଆଣିବା। ନିଜ କହରା ନୁଖୁରା ଚୁଟି କୁଣ୍ଡାଉ କୁଣ୍ଡାଉ ଲିଟା କହିଲା ।
- ତୁ ସ୍କୁଲ୍ ବନ୍ଦ କରି ଛତୁ ତୋଳିବାକୁ ଯିବୁ। ସେଦିନ ଭଳିଆ ବୋଉ ବାଡେଇବରେ ପୁଅ । ମୁଁ ଯିବିନି ଜମା ।
- ଆଲୋ ହୁଣ୍ଡି ସେଦିନ ବୋଉ ସିନା ମାଇଲା । ମୋ ହାତରୁ ପଇସା ନେଲାବେଳେ ଦାନ୍ତ ଚିପି ଚିପି ହସି ଦେଇନଥିଲା ।
- ହଁ ଯେ ।
- ଚାଲ୍ ଶୀଘ୍ର ଯିବା ଭାରି । ସେ ଡାଙ୍ଗି ବୁଢ଼ୀ ଭାରି ଟାଉକା । ତା ବିଲେଇ ଢିମାରୁ କିଛି ଲୁଚିବନି । ଚାଲ୍ ସିଏ ପହଞ୍ଚିବା ଆଗରୁ ଆମେ ନେଇ ଆସିବା ।
ହଉ ଚାଲ୍ ଚାଲ୍ । ଜିନା ଖାଲି ବ୍ୟାଗଟିକୁ ଚାରି ଚଉତା କରି ତା ଚୁନି ପରି ଘୋଡି ହୋଇ ଥିବା ନାଲି ଗାମୁଛା ତଳେ ଲୁଚେଇ ଦେଲା । ଆଉ ବିଛାଡି ପଡ଼ିଥିବା ବହିଖାତାକୁ କାଠଭାଡି ତଳକୁ ଠେଲି ଦେଲା ।
ଲିଟା ଆଉ ଜିନା ଚୁପ୍ କିନା ବାରି ବାଟେ ବାହାରି ଗଲେ ନଟା ଆଡେ ।
ଛତୁ ତୋଳିବା ବେଳେ ଜିନା ପଚାରିଲା । ହଇରେ ଏ ପଇସା ତ ବୋଉ ନେଇଯିବ । ଆମକୁ ଦବନି । କଣ କରିବା ?
- ନା ଆଜି ଦେବାନି ।
- କଣ କରିବୁ ।
- ମୋ ପାଇଁ ଜିନ୍ ପ୍ୟାଣ୍ଟ୍ କିଣିବି । ସେ ଚିଣ୍ଟୁ ଯେମିତିଆ ପିନ୍ଧୁଚି ।
- ମୋତେ ଦବୁନି ?
- ବଳିଲେ ସିନା ।
ଲିଟା ଉତ୍ତର ଶୁଣି ମୁହଁ ଶୁଖିଗଲା ଜିନାର ।
ତା ଝାଉଁଳା ମୁହଁକୁ ଦେଖି ଫେଁ କିନା ହସି ଦେଲା ଲିଟା । ଆଲୋ ହୁଣ୍ଡି ମୁଁ ପରା ମଜା କରୁଥିଲି । ଏ ପଇସାରେ ତୋ ପାଇଁ ଯନ୍ତ୍ରବାକ୍ସ ଆଣିବା। ତୋର ପା ଚେପା ହେଇ ଯାଇଛି ।
- ଜିନା ମୁହଁ ଉଜ୍ଜଳ ଦିଶିଲା । ହଉ ହଉ ଜଲଦି ଜଲଦି ତୋଳ । ଖୁସିର ଚମକ୍କୁ ହୁକୁମର ଶବ୍ଦ ଭିତରେ ଲୁଚେଇ ଦଉଥିଲା ସେ ।
ଛତୁ ତୋଳି ସେମାନେ ରାସ୍ତାକଡ ବୁଢ଼ା ବର ତଳେ ବସିଗଲେ । ଜିନା ତା ଚୁନୀ ନାଲି ଗାମୁଛାକୁ ତଳେ ପାରି ଦେଲା । ଲିଟା ଶାଳ ପତ୍ର ମେଞ୍ଚେ ତୋଳି ଆଣିଥିଲା । ତାକୁ ପାରିଦେଇ ଛତୁ ଥୋଇ ଦେଲା ସେଥିରେ । ତା ପାଣି ପିଆ ସ୍କୁଲ୍ ବୋତଲରୁ ପାଣି ଅଞ୍ଜୁଳାଏ ଛିଞ୍ଚି ଦେଲା ଛତୁ ଉପରେ । ଆଉ ପୋଖତ ବେପାରୀ ଙ୍କ ପରି ଛତୁ ନିଅ ଛତୁ ... ସଜ ସଜ ... ଛତୁ ନିଅ ଛତୁ ବୋଲି ରାସ୍ତାରେ ଯାଉଥିବା ଗାଡ଼ି ମାନଙ୍କ ଉଦ୍ଦେଶ୍ୟରେ ଡାକ ଟେ ମାରି ଦେଲା ।
ଅନେକ ସମୟ ପାରେ ଗୋଟେ ନାଲିଆ ମାରୁତି ତାଙ୍କ ପାଖେ ଆସି ରହିଲା । ଟିକେ ସଜାଡି ହୋଇ ପଡ଼ିଲା ଜିନା । ଗାଡ଼ିରୁ ଓହ୍ଲେଇ ପଡ଼ିଲେ ଜଣେ ସମ୍ଭ୍ରାନ୍ତ ଦିଶୁଥିବା ମହିଳା ।
- କିରେ ଛତୁ କେତେ ନଉଚୁ ? ମହିଳା ଜଣକ ପଚାରିଲେ ।
- ଠୋଲା ଚାଳିଶି ।
- ଏତେ କଣରେ । ତିରିଶି ନେ ।
ଲିଟା ମନା କରି ଆସୁଥିଲା କି ଜିନା କହିଲା ଦିଦି କେତେ ନେବେ ।
- ଦେ ଦି ଠୋଲା ।
- ହଉ ନିଅ ।
ମହିଳା ଜଣକ ପର୍ସ ଖେଳାଇ ଗୋଟେ ପଚାଶ ଟଙ୍କିଆ , ଆଉ ଗୋଟେ କୋଡ଼ିଏ ଟଙ୍କିଆ ବଢେଇଦେଲେ ।
- ସତୁରୀ କ'ଣ ଅଶି ହେଲା ପା । ଲିଟା ଶବ୍ଦରେ କୋମଳ ବିରୋଧଟିଏ ଥିଲା ।
ଆରେ ଆଉ ନାହିଁ । ପାଁଶ ଟଙ୍କିଆ । ଚେଞ୍ଜ ଦେବୁ ।
- ଥାଉ ସେତିକି ଦିଅ ଦିଦି । ଜିନା ତାଙ୍କ ହାତକୁ ଛତୁ ଦେଇ ପଇସା ଆଣିଲା ।
ସେ ମହିଳା ଙ୍କ ଗାଡ଼ି ବୁଲାଣିରେ ନଦେଖା ଯିବା ଯାଏଁ ଲିଟା କଟମଟ କି ଚାହିଁରହିଥାଏ ଜିନାକୁ ।
ମୋ ସୁନାଟା ଲୋ ରାଗେନି । ତୋ ପାଖେ ପାଁ ଶହ ଟଙ୍କା କଣ ଚେଞ୍ଜ ଥିଲା ।ଜିନା ବୁଝୋଉଥିଲା ତାକୁ ।
ନଥିଲା ତ କ'ଣ ହେଲା ।ଏ ଥରକ ଦେଲୁ ତ ଦେଲୁ ଆଉ ଦେଲେ ଦେଖିବୁ । ଏଇ ଥରକ ଛାଡ଼ି ଦେଲି । ରାଗରେ ଗର ଗର ହେଉଥିଲା ଲିଟା ।
ସେ ରାଗର ନୀରବ ବିଦ୍ରୋହ ଚାଲିଥିଲା ଦି ଜଣ ଙ୍କ ଭିତରେ କିଛି ସମୟ ଯାଏଁ ନିଃଶବ୍ଦରେ । ଅନେକ ଗାଡ଼ି ଯାଉଥିଲେ ବି ଲିଟା ଆଉ ବେପାରୀ ଙ୍କ ପରି ଡାକୁନଥିଲା କି ଜିନା ସଙ୍ଗେ କଥା ବି ହଉନଥିଲା ।
କେତେ ସମୟ ପରେ ଜିନା ଟିକେ ଚିମୁଡି ଦେଲା ତା ଜଙ୍ଘକୁ ।
କାହିଁ ଲାଗୁଛ ମୋ ସଙ୍ଗେ ମଧୁର ଆକଟରେ ଆକେଟିଲା ଲିଟା ।
ହଉ । ହେଇ ଦେଖ ଏ ଦୂରରେ ଯୋଉ ଧଳା ଗାଡ଼ିଟା ଆସୁଛି , ଦେଖିବୁ ସିଏ ନିଶ୍ଚେ ଛତୁ ନବ । ମୋର ଯନ୍ତ୍ରବାକ୍ସ ଦରକାର ନାହିଁ । ସବୁ ଛତୁ ବିକ୍ରି ହେଲେ ତୋ ପାଇଁ ଜିନ୍ ପ୍ୟାଣ୍ଟ୍ କିଣିବା । ହେଲା ।
ଜିନା ଆଶ୍ୱସ୍ତି ଓ ଭରସାର ମଞ୍ଜିଟିଏ ପୋତୁ ଥିଲା ଲିଟାର ମନରେ ।
ସତକୁ ସତ । ସେ ଧଳା ଗାଡ଼ିଟା ତାଙ୍କରି ଆଡେ ମାଡି ଆସୁଥିଲା ।
ଛ ପ୍ ପ୍ ପ୍........
ଖଣ୍ଡେ ଦୂରକୁ ଛିଟିକି ପଡ଼ିଲା ଜିନା । ତା ଗୋଡ଼ ତଳକୁ ଆଉ ହଲଚଲ ହୋଉନଥିଲା । କିଛି ଲୋକଙ୍କ ପାଟି ଶବ୍ଦ ଖାଲି ଶୁଭୁଥିଲା । ଆଖିକୁ ଝାପ୍ସା ଦିଶିଲା ତା ବିନ ଦାଦି .... ଆହୁରି ଅନେକ ଲୋକ...।ନିଶ୍ଚେ ତାକୁ ଖୋଜୁଥିବେ .... ଛତୁ ପାଇଁ.... । ଟାଆଁସିଆ ଖରାବେଳ ଟାରେ ତା ଆଖିରେ ଘୋଟି ଆସୁଥିଲା କେମିତିକା ଗୋଟେ ବହଳିଆ ଅନ୍ଧାର ।
ରାସ୍ତା ସାରା ଛିଟିକି ପଡ଼ିଥିଲା .....
ଲିଟା ....ରକ୍ତ ...ଛତୁ ....
ଛତୁ...ରକ୍ତ...ଲିଟା... ଆଉ କିଛି ଗୌଣ ସ୍ୱପ୍ନଙ୍କ ଭ୍ରୁଣ .....।