Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suniti Devi

Tragedy Inspirational

4.6  

Suniti Devi

Tragedy Inspirational

ମେଘକନ୍ୟା

ମେଘକନ୍ୟା

7 mins
15K


ମିଥିଳା ଭାବୁଥିଲା ସତରେ କଣ ଜଣେ ନାରୀର ସଫଳତା ତାର ଆଖିରେ ପ୍ରତିଫଳିତ ହୁଏ!ହୃଦୟର ପରିଭାଷା କଣ ଆଖିରେ ପଢିହୁଏ!ସେଥିପାଇଁ କଣ ଶୁଭେନ୍ଦୁ ତା ଆଖିଦିଟାକୁ ସହ୍ୟ କରିପାରନ୍ତିନି।ଏଇ ଆଖିଦିଟାକୁ ଦେଖି ଶୁଭେନ୍ଦୁ ଦିନେ ତ ତା ପ୍ରେମରେ ପଡି ତାକୁ ବିବାହ କରିଥିଲେ।ସେତେଵେଳେ କାହିଁ ସେ ତ କହୁନଥିଲେ ତମ ଆଖି ଦିଟାକୁ ମୁଁ ସହ୍ୟ କରିପାରୁ ନାହିଁ ମିଥିଳା।ଆଉ ରାଗିଲେ ତା ଆଡେ ମାଡି ଆସି କହୁନଥିଲେ ଆଖି ଦିଟା ତମେ ତଳକୁ କରି ମୋ ସହିତ କଥା କୁହ ମିଥି ନହେଲେ କୋଉ ମୁହୂର୍ତ୍ତରେ ମୁଁ ତମ ଆଖି ଦିଟାକୁ ଫୁଟେଇ ଦେବି।ଅସମ୍ଭଵ ପୁରୁଷର ଔଦ୍ଧତ୍ୟ!ସେ କଣ ଯାହା ଚାହିଁଲେ ତାହା କରିଦେବ! ଜଣେ ସ୍ତ୍ରୀ ଭାଵରେ କିଛି ହିଁ କଣ ତାର ସ୍ଵତନ୍ତ୍ରତା ନାହିଁ!ହାୟ କଣ ନଥିଲା ତାର।ଧନୀ ଘରର ଦୁଲାଳୀ,ଘରେ ଏତେ ଚାକର ପୁଝାରୀ, ଅଲିଅଳି ଗେଲବସରର ଝିଅ ମିଥିଳା ବାପାଙ୍କର ଏକୋଇର ବଳା, ସେଇ ତାଙ୍କର ପୁଅ,ସେଇ ତାଙ୍କର ଝିଅ।ସତରେ କେତେ ସ୍ଵପ୍ନ ଦେଖିଥିଲେ ତା ବାପା।ସତରେ କଣ ଶୁଭେନ୍ଦୁ କହିଲା ପରି କିଛି ସ୍ଵପ୍ନ ଦେଖାଯାଏ ଭାଙ୍ଗିବାକୁ,ଆଉ କିଛି ଭୁଲିଵାକୁ, ଖୁଵ୍ ଅଳ୍ପ ଚେନାଏ ସତ ହେବାକୁ।ତାହାଲେ ତାର ଚେନାଟେ ସ୍ବପ୍ନ ଭିତରେ କଣ ଶୁଭେନ୍ଦୁ ନଥିଲେ!ନଥିଲା ତାର ଶୁଭେନ୍ଦୁକୁ ନେଇ ଗଢିଥିବା ଏକାନ୍ତ ପୃଥିବୀ!ଶୁଭେନ୍ଦୁଙ୍କ ପ୍ରେମ କଣ ତୁଚ୍ଛା ଶରୀରର ଭୋକ ଥିଲା।ସେ ତ ଏକ ପ୍ରେମରେ ଜୁଡୁଵୁଡୁ ସରସର ପ୍ରେମିକର ମନଟିଏ କେଵଳ ତା ପ୍ରେମିକ ସ୍ଵାମୀଠୁ ଚାହିଁଥିଲା।ହେଲେ ଏତେ ଶିଘ୍ର ଶୁଭେନ୍ଦୁ କେବଳ ଜଣେ ଅର୍ଥୋଡ଼କ୍ସ ସ୍ବାମୀ ପାଲଟି ଯିଵେ ସେ ଆଶା କରିନଥିଲା।ଖୁଵ୍ ଉଚ୍ଚଶିକ୍ଷିତା ମିଥିଳା ସେଦିନ ଶୁଭେନ୍ଦୁ ପ୍ରେମରେ ଅଥୟ ହୋଇ ବାପାଙ୍କର ଭଲ ଭଲ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲାପରେ ନେତାଜୀ ଚୌଧୁରୀ ଅନେକ ବୁଝାଇଥିଲେ ବାପା ହିସାଵରେ ତାକୁ।କାରଣ ସେ ହିଁ ପିଲାଟିଵେଳୁ ତା ବାପା ତା ମାଆ ସଵୁଥିଲେ।ମାଆର ସୁଖ ସେ ଵାପାଙ୍କଠୁ ପାଇଛି।ଭାବେ ଏତେ ଭଲବାପା ବୋଧହୁଏ ପୃଥିବୀରେ ନଥିଵେ ତା ବାପା ପରି!ମାଆ କୋଳରେ ମୁଣ୍ଡ ଗୁଞି ପାରିଲା ନାହିଁ ଵୋଲି ବାପା କୋଳରେ ମଥା ରଖି ସେସୁଖ ସେ ମନ ଭରି ଉପଭୋଗ କରିଛି।ଅଥଚ ଆଜି ସେ ସୁଖ ଚଲା ମେଘ ପରି ଅପସରି ଯାଇଛି।ଏଵେ ଶୁଭେନ୍ଦୁର ସକାଳରୁ ସନ୍ଧ୍ୟା ଵେଳଯାଏ ଅଫିସ ବେଳତକ ଛାଡି ଦେଲେ କଡା ନଜର ତାଉପରେ।ଵସିଲେ,ଉଠିଲେ ସଵୁଥିରେ ସଵୁବେଳେ କଟୁ ମନ୍ତଵ୍ୟ।ସୋସିଲୋଜିରେ ପିଏଚ୍.ଡି କରି କଣ ସେ ଘରେ ଵସି ରହି ରାନ୍ଧି ବାଢି କେଵଳ ଘରକଣରେ ରହିବାକୁ ଶୁଭେନ୍ଦୁଙ୍କୁ ବିବାହ କରିଥିଲା!ଵାପା ଠିକ୍ କଥା କହୁଥିଲେ,ଶୁଭେନ୍ଦୁ କେଵଳ ଧନସମ୍ପତ୍ତି ଲୋଭରେ ତାକୁ ବିବାହ କରି ବୋଧହୁଏ ବାପାଙ୍କ ସମସ୍ତ ସମ୍ପତ୍ତିର ମାଲିକ ହେବାକୁ ଚାହୁଁଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଦିନେ ବି ତ ତା ପାଖରେ ଏକଥା ଉଠେଇ ନାହାନ୍ତି।ଵିବାହ ବେଳେ ଏକ କପର୍ଦ୍ଦକ ବାପ ଘରୁ ଆଣିବାକୁ ଦେଇନାହାନ୍ତି ତାକୁ।ଵାପା ଅନେକ ବୁଝାଇବା ପରେ କେଵଳ ମିଥିଳାର ଆବଶ୍ୟକ ସାମଗ୍ରୀ ଭାବରେ ଆପଣ କିଛି ଦେଲେ ଆପତ୍ତି କରିବି ନାହିଁ ଵୋଲି ଶୁଭେନ୍ଦୁ କହିଥିଲେ।ତେବେ ଅସୁଵିଧା ରହିଲା କେଉଁଠି!ଵାସର ରାତିରେ ଏଇ ଆଖି ଦିଟାର କେତେ ପ୍ରଶଂସା କରିଥିଲେ।ତାହାଲେ ଶୁଭେନ୍ଦୁଙ୍କର ସଵୁ କଣ ତାଙ୍କ ପ୍ରେମର ବିଜୟ ପ୍ରଣୋଦିତ ମିଥ୍ୟା ଇସ୍ତାହାର ଥିଲା।ସେ କଣ ଏମିତି ତାର ଇମୋସନ୍ ସହିତ ଖେଳିଚାଲିଥିଵେ ଆଉ ସେ ପାଟିଫିଟାଇ ପାରୁନଥିଵ।କାହିଁକି!ସେ କଣ ସରଳା,ଦୁର୍ଵଳା ନା ଅଯୋଗ୍ୟା ଅପଦାର୍ଥ!ପିଲାଵେଳୁ ଖୁଵ୍ ସେନସିଟିଭ୍ ଥିଲା ବୋଲି,ଟିକିଏ କଥା ସହିପାରେନି ବୋଲି ବାପାଙ୍କର କଡା ତାଗିଦ୍ ଥିଲା ତାର ଦାଦା,ଆଉ କାକା ମାନଙ୍କୁ।ସେମାନେ ସଵୁ ଵାପାଙ୍କ ସହିତ ଖୁଵ୍ ସହଜ ଥିଲେ ଆଉ ବାପା ସେମାନଙ୍କୁ ଖୁଵ୍ ଭଲପାଉଥିଲେ ବୋଲି ସେମାନଙ୍କ ଚଳପ୍ରଚଳ ଘରେ ଖୁବ୍ ଆରାମଦାୟକ ଥିଲା।ଵାପା ରମନ୍ ଭାଇ,ଛୋଟ କାକାଙ୍କୁ କହି ଦେଇ ଥିଲେ ମିଥିର କୋଉଥିରେ କିଛି ଭୁଲ୍ ହେଲେ ତାଙ୍କୁ କହିବ ସିନା ମିଥିକୁ କିଛି କହିବନି।ତେଣୁ ଏମିତି ଅତି ଗେଲବସରିଆରେ ବଢି ନିଜର ଶକ୍ତି ସାମର୍ଥ୍ୟକୁ ଵହୁଦିନ ପର୍ଯ୍ୟନ୍ତ ବି ଠୁଳ କରିପାରି ନଥିଲା ମିଥିଳା।ଶୁଭେନ୍ଦୁ କିଛି କଡା କରି କହିଲେ,ତାକୁ ପ୍ରତିବାଦ କରିବାକୁ ଚେଷ୍ଟା କଲେ ତା ଓଠ ଥରେ, ଦେହ ଝାଳରେ ବୁଡ଼ି ଯାଏ,ଆଖି ବାଟେ ଲୁହ ପିଚିକି ପଡେ।ଧାଇଁ ଆସି ତକିଆରେ ମୁହଁ ଲୁଚାଇ କାନ୍ଦେ। ପୁଳାଏ ଦୀର୍ଘଶ୍ଵାସ ଛାତି ଭିତରକୁ ଟାଣି ନିଏ।ହେଲେ ଶୁଭେନ୍ଦୁ ପାଖରେ ପହଞ୍ଚନ୍ତିନିକି ବୁଝାନ୍ତିନି।ନିଜକୁ ବୁଝାଇ ଲୁହ ପୋଛି ଉଠେ।ସେତେବେଳେ ମନଭିତର କଣ ହୁଏ ସେ ଜାଣେ।ହେଲେ ବାପା!ଟୋପାଏ ଲୁହ ତା ଆଖିରୁ ବୋହିଥାଏ କି ନାହିଁ ଆସି କୋଳେଇ ନିଅନ୍ତି।କେତେ ବୁଝାନ୍ତି।ସେସଵୁ ହରାଇ ମିଥିଳା କେଵଳ ଯେମିତି ଶୂନ୍ୟତାକୁ ଆଵୋରି ଘର ପାତିଛି ସ୍ଵାମୀ ସହିତ।ଆଉ କଣ ଭାବିଥାଆନ୍ତା ଡାକଵାଲା ଚିଠି ଦେଇଗଲା ଦୁଆର ଖଡଖଡ କରି।ମିଥିଳା କବାଟ ଖୋଲିଲା।ଚିଠି ଡାକବାଲା ହାତରୁ ନେଇ ଖୋଲିଲା। ସରକାରୀ କଲେଜରେ ଅଧ୍ୟାପିକା ଚାକିରୀ ପାଇଁ ଇଣ୍ଟରଭିୟୁ ଦେଇଥିଲା।ନିଯୁକ୍ତି ପତ୍ର ଆସିଛି।ନାଁ ସେ ଚାକିରୀ କରିବ।ଶୁଭେନ୍ଦୁ ଆସନ୍ତୁ କହିବ।ମନକୁ ବାଧିଲା ପରି କିଛି କହିଲେ ସହିଯିଵ ପଛେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବ।କିଛି ନହେଲେ ବାପାଙ୍କୁ କହିବ।ସେଦିନ ରାତିରେ ବିଛଣାରେ ଶୁଭେନ୍ଦୁ ଶୋଇଲା ବେଳେ ମିଥିଳା ତାକୁ ଗରମ କ୍ଷୀର ହାତକୁ ବଢାଇ ଦେଉଦେଉ କହିଲା,ଶୁଭେନ୍ଦୁ ମୋର କଲେଜରୁ ନିଯୁକ୍ତି ପତ୍ର ଆସିଛି,ମୁଁ ଭାବୁଛି ଜଏନ୍ କରିଯିବି।

-ତମେ ଯଦି ସିଦ୍ଧାନ୍ତ ନେଇ ସାରିଛ ମୋତେ ପଚାରୁଛ କାହିଁକି ମିଥି!

-ମାନେ ତମେ ମୋର ସ୍ଵାମୀ!ତମକୁ ପଚାରିଵିନି ତ ଆଉ କାହାକୁ ପଚାରିଵି!

-ଥାଉଥାଉ!ସ୍ବାଧୀନ ହେବାର ରାସ୍ତା ଖୋଜୁଛ ନା!ତମର ସ୍ଵାମୀର ମଞୁର ଏକ ବାହାନା।ପାଠ ପଢି ବଡ଼ ଡିଗ୍ରୀ ପାଇଲେ ବି ତମ ମୁହଁରେ ହେୟ କରିବାର ଵେଖାତିର ଭାବକୁ ମୁଁ କଦାପି ସହ୍ୟ କରିପାରିବି ନାହିଁ।

-ତମେ ମୋତେ ଭୁଲ୍ ଵୁଝୁଛ ଶୁଭେନ୍ଦୁ!ତମ ସୁଖଦୁଃଖର ସାଥି ମୁଁ।ତମ କଥା ମୁଁ ଯେମିତି ବୁଝେ ସେମିତି ତମଠୁ ମୁଁ ଆଶା କରେ।

-ନାଁ ବୁଝିଲ ମିଥି ସଵୁଵେଳେ ତମର ଘରେ ବାହାରେ ତୁଚ୍ଛା ପ୍ରଶଂସା ଶୁଣିବାକୁ ଧୈର୍ଯ୍ୟ ମୋର ଆଉ ନାହିଁ।ତମକୁ ବାହା ହେଇ ମୁଁ ଭୁଲ କଲି।ମସ୍ତବଡ଼ ଭୁଲ୍।

ମିଥିଳା କୋହରେ ଫାଟି ପଡିଲା।କହିଲା କଣ ମୁଁ ତମର କଣ୍ଟା ହେଇଛି!ସଵୁବେଳେ ମୋ ଉପରେ ଦୋଷ ଗୁଡା ଅଯଥା ଅଜାଡି ଦେଉଛ।ବାହା ପୂର୍ଵରୁ ଏକଥା ଜାଣିପାରିଲନି!

-କଣ କରିବ ଚାକିରୀ କରି!ଵାରମ୍ଵାର ମନା କରିଛି ଚାକିରୀ ଆମର ଦରକାର ନାହିଁ।ଵାହାଘର ଚାରିବର୍ଷ ହେଇଗଲା ପିଲାଟେ ତ ଜନ୍ମ କରିପାରିଲନି।କାଇଁ ସେକଥା ତ କହୁନ!

ଭାଙ୍ଗି ପଡିଲା ମିଥିଳା ଖଣ୍ଡଖଣ୍ଡ ହେଇ ନିଜ ଭିତରେ।କି ପ୍ରତାରଣା!ପିଲାଟିଏ ନହେବାର କାରଣ ଶୁଭେନ୍ଦୁଙ୍କ ପାଖରେ ହିଁ ଅଛି।ରାତିରାତି ଅଳି କରିଛି ପିଲାଟିଏ ପାଇଁ ମିଥିଳା ତା ସ୍ଵାମୀ ବୋଲାଉଥିବା ସେଇ ଜଘନ୍ୟ ପୁରୁଷଟି ପାଖରେ।ଅଥଚ ବୁଝାଇ ଦିଏ ସେ ଚଟ୍ କରି ତା ଭାଷାରେ ଯେତେ ଦିନ ପର୍ଯ୍ୟନ୍ତ ତୁମ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ ଥିବ ତମର ସେତେଦିନ ପର୍ଯ୍ୟନ୍ତ ଶୁଭେନ୍ଦୁ ପଟ୍ଟଯୋଶୀର ତମେ ପ୍ରେମିକା ହେଇ ରହିଥିବ ମିଥି।ପୁରୁଷର ସଵୁଠୁ ବଡ଼ ଲୋଭ ହେଲା ନାରୀର ଦେହ ମିଥିଳା।ତମେ ମାଆ ହେଇଗଲେ ମୋର ତମଠାରେ ଲୋଭ ରହିବ ନାହିଁ ।ଭାବିପାରୁଛ ତ।ସେତେବେଳେ ତମେ ଆଉ ମୋତେ ଦୋଷ ଦେଵ ନାହିଁ।ନିରୂପାୟ ହେଇ ନିଜ ହୃଦୟ ପାଖରେ ପରାଜିତ ହୁଏ ମିଥିଳା।କାମନାବାସନା ପରିପୂର୍ଣ ଗୋଟେ କଦାକାର ଅପଦାର୍ଥ ଲୋକଟେକୁ ସ୍ଵାମୀ ବୋଲି ସେଇ ମୁହୂର୍ତ୍ତରେ ମନେମନେ ଘୃଣା କରେ।ଭାଵେ ଶୁଭେନ୍ଦୁ ହିଁ ତା ନାରୀତ୍ଵକୁ ଅପମାନିତ କରୁଛି।ତା ସ୍ଵାଭିମାନରେ ଆଘାତ କରୁଛି ଵାରମ୍ଵାର।ତେଵେ କାହିଁକି ଏ ଭଲ ପାଇବାର ମିଛ ପ୍ରହେଳିକା।ଲାଗେ ସେ ଯେମିତି ଫାଟିଯିଵ।ଧିରେଧିରେ ମିଥିଳା ନଷ୍ଟ ହେବା ଅପେକ୍ଷା ଦିନେ ବିସ୍ଫୋରଣ କରି ଫାଟିଗଲେ ଭଲ।ଶୂନ୍ୟତାରେ ଘୁଣ ଖାଏ ତା ମନ।ସେଥିପାଇଁ ତ ଶୂନ୍ୟତାକୁ ଭୁଲିଯାଇ ସେ ଚାକିରୀ କରିବାକୁ ଚାହେଁ।ମନେମନେ ଶକ୍ତ ହେଲା ସେ।କହିଲା ନାରୀକୁ ମାଆଟିଏ ହେଵାକୁ ସମୟ ଲାଗେନା ଶୁଭେନ୍ଦୁ।ସେ ବିନା ପ୍ରୟାସରେ ଏକ ଜାରଜକୁ ଗର୍ଭରେ ଧାରଣ କରିପାରେ ।କିନ୍ତୁ ସ୍ଵାମୀର ଗଭୀର ଭଲପାଇବାର ସେଇ ମୋହଟି ଯେତେଵେଳେ ମଞରୀତ ହୁଏ ଦେହ ଓ ମନର ଶାଖା ପ୍ରଶାଖାରେ ,ଆନନ୍ଦର ରଙ୍ଗ ଉକୁଟି ଉଠି ପଟୁଆର ମେଲାଏ ଦେହରେ ସେତେଵେଳେ ସେ ମାଆହେଵାର ସ୍ପପ୍ନରେ ଜୁଡୁଵୁଡୁ ହୁଏ।ସେ ଅନୁଭୂତି ତମର ନାହିଁ ଶୁଭେନ୍ଦୁ, ତମେ ଜଣେ ଅପଦାର୍ଥ, ଆଉ ଏ ଅପଦାର୍ଥର ପିତୃତ୍ଵକୁ ମୁଁ ଅବମାନନା କରେ।ଏମିତି ସାଂଘାତିକ କଥା ପ୍ରଥମ ଥର କହି ସେ ବେଡ଼୍ ଉପରେ ଝାଳେଇ ଗଲା।

ଶୁଭେନ୍ଦୁ ଭୟଙ୍କର ରାଗି ଗଲା।କହିଲା,କି ସାହାସ ତମର!ମୋତେ ତୁମେ ଚ୍ୟାଲେଞ କରୁଛ।ଜାରଜ ସନ୍ତାନର ମାଆ ହେଵାକୁ ଧମକ ଦେଉଛ।ମନେରଖ ଆମ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର କେଵେ ଅସ୍ତିତ୍ଵ ନଥିଲା କି ନାହିଁ।

-ଦୁନିଆ ଵଦଳିଛି ଶୁଭେନ୍ଦୁ!ନାରୀ ଏଵେ ଅଧିକ ସ୍ଵଚ୍ଛନ୍ଦ ଭାବରେ ପୁରୁଷ ବିନା ଜୀଇଁ ଶିଖିଲାଣି।ତମ ନିଷ୍ଠୁରତାରେ ସେ ଆଉ ହତବାକ୍ ହେଵନାହିଁ।ସେ ଘାସଫୁଲ ନୁହେଁ ଯେ ତମେ ଦଳି ମକଚି ତାକୁ ରାସ୍ତାରେ ଫିଙ୍ଗିଦବ।ଆଉ ସମସ୍ତେ ତା ଅସହାୟତାର ଫାଇଦା ଉଠାଇବେ!ମନେରଖ ସ୍ତ୍ରୀର ବିନା ସ୍ଵୀକୃତିରେ ସ୍ଵାମୀ ଯଦି ତାଠୁ ଜଵରଦସ୍ତ ଦେହ ସୁଖ ଆଦାୟ କରେ,ତାକୁ ମୈଥୁନ କରେ,ସେଟା ପୁରୁଷର ଅହମିକା ନୁହେଁ ଶୁଭେନ୍ଦୁ।ସେଟା ପ୍ରେମ ନୁହେଁ ଶୁଭେନ୍ଦୁ ତାହା ଧର୍ଷଣ,ଯାହା ଆଜି ପର୍ଯ୍ୟନ୍ତ ତୁମେ ମୋ ସହିତ କରିଆସିଛ!ପ୍ରେମ ନାଁରେ ତୁମ ବଳାତ୍କାରରେ ତୁମେ ପ୍ରତିଟି ରାତି ମୋତେ ଅତିଷ୍ଠ କରିଛ।ମୋ ଦେହକୁ କେଵଳ କ୍ଷତଵିକ୍ଷତ କରିଛ।ମୁଁ ମହମଵତୀ ପରି କେଵଳ ତରଳିଛି ଶୁଭେନ୍ଦୁ।ତମେ ମୋତେ ଶୂନ୍ୟ କରିଛ ସିନା କେଵେ ପୂର୍ଣ କରି ନାହଁ।ତୁମ ରତିରେ ମୁଁ କେବଳ ଅଙ୍ଗାର ହେଇଛି।କିନ୍ତୁ ଆଉ ନୁହେଁ ଶୁଭେନ୍ଦୁ।ତୁମ ପ୍ରତାରଣାର ସେଇ ନୀଳବିଷ ମୁଁ ପିଇବାକୁ ଆଜି ଅକ୍ଷମ!ଶୁଭେନ୍ଦୁ କ୍ରୋଧରେ ଚିତ୍କାର କଲା,ଷ୍ଟପ୍ ମିଥି ଷ୍ଟପ୍!ତମ ସ୍ନାୟୁର ବହ୍ନି ମୋତେ ଜାଳିପାରିବ ନାହିଁ ମିଥି ତୁମେ ଚିରଦିନ ଏମିତି ମିଥ୍ୟା ଆର୍ତ୍ତନାଦ କରୁଥିବ ସିନା ଶୁଭେନ୍ଦୁ ତୁମକୁ କେଵେ ମୁକ୍ତି ଦବ ନାହିଁ।ଅଧିକା ଆଗାଅ ନାହିଁ।ପରିଣାମ ବିଷମ ହେଵ।

ମିଥିଳା କିନ୍ତୁ ଥମିଲା ନାହିଁ।ଆଜି ସେ କାପାଳିକ ସାଜିଛି।ଅଙ୍ଗପ୍ରତ୍ୟେଙ୍ଗରେ ଝଡର ଗଜଲ।ଉଠି ଠିଆହେଲା ସେକହିଲା,ମୁକ୍ତି ମୋତେ ତମେ କଣ ଦେବ ଶୁଭେନ୍ଦୁ।ମୁକ୍ତି ମୋର ଜନ୍ମଗତ ଅଧିକାର!ତୁମ ଫୁତ୍କାରରେ ମୁଁ ରୁଗ୍ଣ ହେବି ନାହିଁ ଵରଂ ତୁମେ ଦିନେ ବାହୁନୁଥିବ ଶୁଭେନ୍ଦୁ।ସେତେବେଳେ ତୁମ ପାଖରେ କେହିନଥିବେ।ତୁମେ ଜଣେ ତ୍ରସ୍ତ ପଳାତକ ପରି ଜୀବନ କୁଞରୁ ପଳାୟନ କରି ତୁମ ଅଥର୍ବ ପୁରୁଷତ୍ବକୁ ନେଇ ପ୍ରଳାପ କରୁଥିଵ।ଏଥର କ୍ରୋଧରେ ଥରି ଉଠିଶୁଭେନ୍ଦୁ ଗୋଟେ ଶକ୍ତ ଚାପୁଡା କଷିଦେଲା ମିଥିଳା ଗାଲରେ।କହିଲା କ୍ରୀତଦାସର ପୃଥିବୀରେ ପୁଣି ବସନ୍ତର କୁହୁ! ମିଥିଳାର ଦୁଇ ନିଷ୍ପାପ ଆଖିରୁ ନିଆଁ ଝୁଲ ଝରୁଥିଲା।ନାଁ ମିଛ ପ୍ରଣୟ ପାଇଁ ସେ ନିଜକୁ ମାମୁଲି ଜଣେ ସ୍ତ୍ରୀ ପରି ନିଷିଦ୍ଧ କରିପାରିଵ ନାହିଁ ସ୍ଵାମୀର ଆନୁଗତ୍ୟ ସ୍ଵୀକାର କରି।ଥରି ଉଠୁଥିବା ଓଠକୁ ସେ ଦାନ୍ତରେ ଚାପି ଧରିଲା।ଝରିପଡିଲା ତାଜା ରକ୍ତର ଟୋପା।ଶୁଭେନ୍ଦୁ ଝଡ଼ ପରି ତା ରୁମ୍ ରୁ ବାହାରି ଗଲା ଆପଣା ଛାଏଁ।ଦୁଃଖ କଲା ନାହିଁ ମିଥିଳା।ସକାଳ ହେଇ ଆସୁଥିଲା।ଅନେକ ରାତି ଏହିପରି କଟିଛି।ଶୀତଳ ଅନ୍ଧକାରରେ ତା ଶୀର୍ଣ ଦେହକୁ ଅଣ୍ଡାଳି ଅଣ୍ଡାଳି ମନେମନେ ଶୁଭେନ୍ଦୁଠୁ ମୁକ୍ତି ଚାହିଁଛି ସିନା ସଂଗ୍ରାମ କରିପାରି ନାହିଁ।ନା ସେ ଏଥର ମୁକ୍ତି ନେଵ।କ୍ରୀତଦାସ ପରି ପୁରୁଷର ସାନିଧ୍ୟ ଆଉ ତାର ଲୋଡା ନାହିଁ।କେଵଳ ତା ଇଚ୍ଛା ବିରୁଦ୍ଧରେ ଶୁଭେନ୍ଦୁ କେତେରାତି ତା ତୃଷ୍ଣାକୁ ନିରବିଚ୍ଛିନ୍ନ ଭାଵରେ ଧୋଇଛି ତା ଦେହର ଉପକୂଳରେ।ସ୍ଵୀକୃତି ନଥାଇ ଦେହକୁ ଉଜୁଡାଇବାର ଧର୍ଷଣ କରିଛି ତାକୁ।କି ଅପାରଗ ତା ସ୍ଵାମୀ!କେଵଳ ଦେହକୁ ଧ୍ଵସ୍ତ କରିବା ଶିଖିଛି ସିନା କେଵେ ବି ତର୍ପଣ କରି ଶିଖିନି ନିଜକୁ, ମନକୁ ତାର ଆପଣେଇ ପାରିନି।ଆଉ ନୁହେଁ, ସେ ମାଗିବ ନାହିଁ ଆଞୁଳି ପାତି ମୁକ୍ତି।ମୁକ୍ତି ହିଁ ତାର ଅଧିକାର!ଆଉ ଅନୁତାପର ଶ୍ରାବଣରେ ଧୋଇବ ନାହିଁ ତା ଅଲୋଡା ଦେହକୁ।ସେଦିନ ସେ ଅଧ୍ୟାପିକା ଚାକିରୀରେ ଯୋଗ ଦେଲା।ଆଉ ଠିକ୍ ତିନିଦିନ ପରେ ଶୁଭେନ୍ଦୁ ଫେରିଲା ଘରକୁ।ସେହି ଘରେ ସେଦିନଠୁ ସେମାନେ ଚଳିଲେ ଅଜଣା ଅଶୁଣା ଦୁଇଟି ମଣିଷ ପରି।ମିଥିଳା ତା କର୍ତ୍ତଵ୍ୟରେ ହେଳା କରେ ନାହିଁ।ଯେମିତି ରାନ୍ଧିବାଢି ଦେବା କଥା ସେମିତି କରେ।ଘର କାମ କରି ସାରି ଟେଵୁଲ୍ ଉପରେ ଖାଇବା ସଜାଡି ଦେଇ କଲେଜ ଯାଏ।ଵେଳେବେଳେ ମଥିତ ହୁଏ ମନ। ଆହା ବିଚରା ଶୁଭେନ୍ଦୁ।କିନ୍ତୁ ଜୀବନକୁ ନୂତନ ଠାଣୀରେ ଦେଖିବାକୁ ସେ ଶପଥ ନେଇଛି।ଆଉ କାହିଁକି ସେ ପଛକୁ ଫେରି ଦୁର୍ବଳ ହେଵ।ତା ଅଧୁରା ଜୀବନକୁ ପୂର୍ଣ ରୂପରେ ଦେଖିବାକୁ ବେଳେବେଳେ ଇଚ୍ଛାହୁଏ ତାର।ହୃଦୟ ହୁଏ ଅଥୟ।ପୁଣି ଭୟ କରେ ସେ।ପୁଣି ପ୍ରତିଶ୍ରୁତି,ପୁଣି ପ୍ରେମ ଭିକ୍ଷା,ପୁଣି କ୍ରୀତଦାସୀର ଅଶ୍ରୁଳ କାଵ୍ୟ।ନାଁ ପ୍ରେମ ତାର ପ୍ରଦୂଷିତ ହେଵା ପରେ ଆଉ ଜୀଵନରେ ସେ ଖଳନାୟକ ଚାହେଁ ନାହିଁ।ତେଣୁ ଏ ବନ୍ଧନକୁ ଭାଙ୍ଗିବାକୁ ହେଵ।ସେଦିନ ରଵିବାରଅପରାହ୍ନ।ଶୁଭେନ୍ଦୁ ବିଶ୍ରାମ ନେଉଛନ୍ତି ତାଙ୍କ କକ୍ଷରେ।ମିଥିଳା ତାର କିଛି ଲୁଗାପଟା ସଜାଡି ବାକ୍ସରେ ଭରିଲା,ତାପରେ ସିଧା ଗଲା ଶୁଭେନ୍ଦୁ ରୁମ୍ କୁ।କହିଲା ଆମେ ଏ ପ୍ରହସନରେ ଆଉ କେତେଦିନ ଚଳିବା!ଦୁଇବର୍ଷ ହେଇଗଲା।ମୋ ଜଞ୍ଜିର ବି ଢିଲା ଲାଗିଲାଣି।ତମେ ତମ ମନ ମୁତାଵକ ପୁନର୍ଵାର ବିବାହ କର ଶୁଭେନ୍ଦୁ!ଉଜୁଡି ଯାଇଛି ଆମ ଦି ଦିନିଆ ପ୍ରେମର କାହାଣୀ।ମୁଁ ତମ ଜୀବନର ଅନ୍ଧାର ଥିଲି।ତମଠୁ ମୁଁ କିଛି ଦାବୀ କରୁନି।ମୁକ୍ତି ମୋର ଅଧିକାର।ମୋତେ ହସିହସି ବିଦାୟ ଦେଲେ ମୁଁ ଖୁସି ହେବି।ଆଉ କଣ ଭାବି ଥାଆନ୍ତା ପୁଅ ଜୀବନ ଆସି କହିଲା ମାମା ଖାଇବାକୁ ଦିଅ। ଚମକି ପଡିଲା ସେ !ଏତେ ସମୟ ଧରି ସେ ଅତୀତର ସେଇ ଛିନ୍ନ ପୃଷ୍ଠା ବାଟ ଓଗାଳି କିଛି ଦୀର୍ଘଶ୍ବାସ ଛାଡିଦେଇ ଯାଇଛି।ନାଁ ଆଉ କାହିଁକି ସେ ଲହୁଲୁହର ଅତୀତକୁ ଉଖାରି ବସି ଯନ୍ତ୍ରଣା ପାଇବ!ଏବେ ସତରେ ଜୀବନ ତାର ପୂର୍ଣ ହେଇଛି। ସେପ୍ରକୃତିସ୍ଥ ହେଇଜୀବନକୁ ଖାଇବାକୁ ଦେବା ପାଇଁ ଉଠିଲା।ସତ୍ୟଜିତ ସହିତ ଏବେ ଅବସର ପରେ ମର୍ଣିଂ ଓ୍ୟାକ୍ କଲାଵେଳେ ସେ ପ୍ରାୟ ଶୁଭେନ୍ଦୁଙ୍କୁ ଭେଟେ। ବୁଢା ଶୁଭେନ୍ଦୁ ଏକଲା ବଙ୍କୁଲି ଵାଡି ଧରି ମର୍ଣିଂ ଓ୍ୟାକ୍ କରେ।ନିଜ ଜୀବନର ପରାଜୟକୁ ଭୁଲି ସତ୍ୟଜିତଙ୍କୁ ହାତ ଟେକି ନମସ୍କାର କରେ।ମିଥିଳାକୁ ଭଲମନ୍ଦ ପଚାରେ।ଦିନେ ମିଥିଳା ତାର କ୍ଷୁଧା ଥିଲା।ଥିଲା ତା ପୁରୁଷ ପଣିଆର ଅହଂକାରର କ୍ରୀତଦାସୀ।ହେଲେ ଅତିକ୍ରାନ୍ତ ସେସଵୁ!ଏଵେ ସେ ସତ୍ୟଜିତ ରାୟଙ୍କ ଜୀବନର ମୋହନ ଵଂଶୀର ମଧୁମୂର୍ଚ୍ଛନା।ତାଙ୍କ ପୁଅ ଜୀବନର ଜନ୍ମଦାତ୍ରୀ।ଶୁଭେନ୍ଦୁ ମୁହଁ ଫେରାଏ ମନେମନେ ପରାଜିତ ଅତୀତକୁ ଉଖୁରାଏ।ସତ୍ୟଜିତ ଆଜିକାଲି ବେଶି ସହଜ ହେଇଯାଆନ୍ତି ଶୁଭେନ୍ଦୁଙ୍କୁ ଦେଖିଲେ।ଫେରିଆସି ଘରକୁ କୁହନ୍ତି ମିଥି!ସତରେ ଏ ଜୀଵନ ଖୁଵ୍ ମିଷ୍ଟ୍ରିୟସ।ତାଠାରୁ ବଳି ଏକ ନାରୀର ଜୀଵନ।ମୁକ୍ତି ମାଗିଲେ ମିଳେନା ମିଥି!ଜୋର ଜବରଦସ୍ତ ଆଦାୟ କରାଯାଏ।ଏକଥା ଯେଉଁଦିନ ଏ ପୁରୁଷପ୍ରାଧାନ୍ୟ ସମାଜରେ ନାରୀ ଜଣେ ଅନୁଭଵ କରିବ ସେଦିନ ସେ ଏକ ଦୀର୍ଘ ଉଡାଣ ଦେବ ।ଆଉ ଥମିବ ନାହିଁ ସେ ଉଡାଣ।ମିଥିଳା କହେ ସତ୍ୟଜିତ ତୁମେ ହିଁ ମୋର ଉଡାଣର ପ୍ରସାରିତ ଡେଣା।ଚିହ୍ନା ମନର ଚଢେଇଟିଏ।ସେଥିପାଇଁ ତ ଆଉ ମୁଁ ମାଟି ମନସ୍କ ନୁହେଁ!ତୁମ ପାଇଁ ମୁଁ ପାଲଟିଯାଇଛି ଏକ ମେଘକନ୍ୟା ସତ୍ୟଜିତ!ତୁମେ ହିଁ ମୋର ଆସ୍ପର୍ଦ୍ଧା!

Written by Dr. Suniti Devi


Rate this content
Log in

Similar oriya story from Tragedy