Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନର୍ସ
ଅନର୍ସ
★★★★★

© Atanu Rout

Inspirational

4 Minutes   7.4K    10


Content Ranking

ଜୀବନ ବାବୁ ଚାଲୁଥିଲେ । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଲୋର ପିଏମଜି ଦେଇ ନଅ ତାଲା ଅଫିସ୍ ପର୍ଯ୍ୟନ୍ତ ଯିବାଟା ତାଙ୍କ ଚାକିରିରୁ ଅବସର ନେବା ପରର ସମୟର ଏକ ଅଂଶ ପାଲଟିଯାଇଥିଲା । ତାଙ୍କ ଗାଁ ପାଖ ରେଳ ଷ୍ଟେସନରୁ ପାସେଞ୍ଜର ଟ୍ରେନରେ ଭୁବନେଶ୍ଵରରେ ପହଞ୍ଚି, ପେନସନ୍ ଗଣ୍ଡାକ ପାଇଁ ଅଫିସକୁ ଦଉଡିବା ପୁଣି ସନ୍ଧ୍ୟାରେ ପାସେଞ୍ଜର ଟ୍ରେନରେ ଗାଁକୁ ଫେରିବା ଜୀବନ ବାବୁଙ୍କ ପାଇଁ ନିତିଦିନିଆ ଘଟଣା ହୋଇସାରିଥିଲା । ଏହା ମଧ୍ୟରେ ଦୁଇ ବର୍ଷ ବିତିସାରିଥିଲା । ତଥାପି ସେ ରାଜଧାନୀର ସେଇ ଚଉଡା ପିଚୁ ରାସ୍ତା ଉପରେ ଗତାନୁଗତିକ ଧାରାରେ ଚାଲିଥିଲେ । ଏ ଚାଲିବାର ଅନ୍ତ କେବେ ହେବ? ସେ ନିଜେ ମଧ୍ୟ ଜାଣିନଥିଲେ ।

ଆଜି ମଧ୍ୟ ସେ ଚାଲିଥିଲେ । ହଠାତ୍ ତାଙ୍କ ଆଗରେ ଗୋଟିଏ ନାଲି ବତୀ ଥିବା ଦାମିକିଆ କାର ବ୍ରେକ୍ କଷିଲା । ସେ ହଡବଡେଇ ଗଲେ । ଚାରିପଟକୁ ଅନାଇଲେ । ତାଙ୍କ ମନରେ ସନ୍ଦେହ ହେଲା , ବାର୍ଦ୍ଧକ୍ୟର ଚାପରେ ସେ ରାସ୍ତାର ବାମପଟେ ନଯାଇ ଡାହାଣ ପଟେ ଚାଲୁନାହାନ୍ତିତ ? ସେ ରାସ୍ତାର ଚାରିପଟକୁ ଅନାଇଲେ, ସେ ଠିକ ରାସ୍ତାରେ ଚାଲିଛନ୍ତି ଏବଂ ଠିଆ ମଧ୍ୟ ହୋଇଛନ୍ତି । ତାଙ୍କର ସମସ୍ତ ଭାବନାର ଅନ୍ତ କରି ଗାଡି ମଧ୍ୟରେ ସଫେଦ୍ ଚୁଡିଦାର ପଞ୍ଜାବି ପିନ୍ଧିଥିବା ଜଣେ ବ୍ୟକ୍ତି ଗାଡି ବାହାରକୁ ଆସିଲେ । ତାଙ୍କ ପାଦ ଛୁଇଁ ପ୍ରଣାମ କାଲେ । ଜୀବନ ବାବୁ ହଠାତ୍ ତାଙ୍କ ସାମ୍ନାରେ କ’ଣ ଘଟିଯାଉଛି ସେ ସଂପର୍କରେ ଅନ୍ଦାଜ କରିପାରୁନଥିବେ । ସେ କେବଳ ଜୁଳୁଜୁଳୁ ହୋଇ ତାଙ୍କ ଚଷମାର ମୋଟା ଲେନ୍ସ ମଧ୍ୟରୁ ସେ ବ୍ୟକ୍ତି ଜଣକୁ ଅନାଇ ରହିଥିଲେ । ସେ ଭଦ୍ରଲୋକ ଜୀବନ ବାବୁଙ୍କ ମନରେ ଉଠିଥିବା ସମସ୍ତ ପ୍ରକାର ସନ୍ଦେହରେ ବିରାମ ଲଗାଇ କହିଲେ, ସାର୍ ଆପଣ ମୋତେ ଚିହ୍ନି ପାରୁନାହାନ୍ତି । ମୁଁ ଆପଣଙ୍କ ପ୍ରାକ୍ତନ ଛାତ୍ର ପୁନିଆ ପୂର୍ଣ୍ଣଚନ୍ଦ୍ର ଦାସ । ଆପଣଙ୍କୁ ମୁଁ ବହୁତ ଦିନରୁ ମନେମନେ ଖୋଜୁଥିଲି । ମୋର ପରମ ସୌଭାଗ୍ୟ ଆଜି ଆଜି ଆପଣଙ୍କୁ ପାଇଲି । ମୋ ସାଙ୍ଗରେ ଚାଲନ୍ତୁ । ମୋର କ୍ଵାଟରକୁ ଯିବା । ସବୁ ଆଡୁ କୂଳକିନ୍ନାରା ହରାଇଥିବା ଜୀବନ ବାବୁ ଏ ପର୍ଯ୍ୟନ୍ତ ନିଜକୁ ପ୍ରକୃତିସ୍ଥ କରିପାରୁନଥିଲେ । ସେ ଏକ ଯନ୍ତ୍ର ଚାଳିତ କଣ୍ଢେଇ ପରି ଯାଇ କାର୍ ମଧ୍ୟରେ ବସିଲେ । କାର୍ ଯାଇ ଏକ ବିରାଟ ବଙ୍ଗଳା ମଧ୍ୟରେ ପ୍ରବେଶ କଲା । ସେ କାରରୁ ଓହ୍ଲାଇଲା ବେଳେ ଜାଣିବାକୁ ପାଇଲେ ତାଙ୍କ ସାଙ୍ଗରେ ଥିବା ବ୍ୟକ୍ତି ଜଣକ ଜଣେ ମନ୍ତ୍ରୀ । ସେ ତାଙ୍କୁ ତାଙ୍କ ଡାକବଙ୍ଗଳା ମଧ୍ୟକୁ ନେଇଗଲେ ଏବଂ ତାଙ୍କ ପ୍ରାଇଭେଟ୍ ସେକ୍ରେଟେରୀଙ୍କୁ କହିଲେ, ଆଜି ବାହାରେ ଥିବା ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦିଅ । ଜୀବନ ବାବୁ ମନ୍ତ୍ରୀଙ୍କ ଶୀତ ତାପ ନିୟନ୍ତ୍ରିତ କୋଠରୀରେ ବସି ତାଙ୍କ ଶରୀର ଉପରେ ଶୀତଳତାର ଅନୁଭବ କରୁଥିଲେ କିନ୍ତୁ ତାଙ୍କ ମନ ଉପରେ ତାହାର କୌଣସି ପ୍ରଭାବ ପଡୁନଥିଲା । ସେ ଯେତେ ଚେଷ୍ଟା କାଲେ ମଧ୍ୟ ଏ ସବୁ ଘଟଣାର କାରଣ ଖୋଜି ପାଉନଥିଲା ।

ପୂର୍ଣ୍ଣ ବାବୁ ଆସି ଜୀବନ ବାବୁଙ୍କ ପାଖରେ ବସିଲେ । ସେତେବେଳକୁ ଜୀବନ ବାବୁ ସ୍ଵାଭାବିକ ଅବସ୍ଥାକୁ ଫେରିଆସିଥାନ୍ତି । ସେ ତାଙ୍କୁ ପଚାରିଲେ, ମୋ ଭଳି ଜଣେ ସାଧାରଣ ଅବସର ପ୍ରାପ୍ତ ଅଧ୍ୟାପକକୁ ଆପଣ କଣ ପାଇଁ ଏତେ ଚର୍ଚ୍ଚା କରୁଛନ୍ତି । ଏହି କଥା ଶୁଣି ମନ୍ତ୍ରୀ ମହାଶୟ ହସିଲେ, କହିଲେ ସାର୍ କଣ ପାଇଁ ଭୁବନେଶ୍ଵର ଆସିଥିଲେ ? କେଉଁଠି କିଛି କାମ ଥିଲା କି ? ଏହା ଶୁଣି ଜୀବନ ବାବୁ ତାଙ୍କ ଜୀବନର ଅସହାୟତା ସମ୍ପର୍କରେ ତାଙ୍କୁ କହିଲେ ଯେ, ବାରମ୍ବାର ଅଫିସ ଦଉଡିବା ସତ୍ବେ ତାଙ୍କର ପେନସନ୍ କାଗଜପତ୍ର ଏପର୍ଯ୍ୟନ୍ତ ହୋଇପାରୁନାହିଁ ବୋଲି ବଖାଣିଥିଲେ । ସଙ୍ଗେ ସଙ୍ଗେ ମନ୍ତ୍ରୀ ମହାଶୟ ନିଜର ବ୍ୟକ୍ତିଗତ ସଚିବଙ୍କୁ ଡାକି ନିର୍ଦ୍ଦେଶ ଦେଲେ ଜୀବନ ବାବୁଙ୍କର ପେନସନ୍ ସମ୍ବନ୍ଧିତ କାଗଜପତ୍ର କାମ ସାରି ଆଜି ସନ୍ଧ୍ୟା ପୂର୍ବରୁ ତାଙ୍କ ଘରେ ଆଣି ଦାଖଲ ଦେବାକୁ ନିର୍ଦ୍ଦେଶ ଦେଲେ । ଏହାପରେ ମନ୍ତ୍ରୀ ମହାଶୟ ନିଜ ଆଡୁ କଥା ଆରମ୍ଭ କଲେ । ସେ କହି ଚାଲିଲେ ଏବଂ ଜୀବନ ବାବୁ ଶୁଣି ଚାଲିଲେ ।

ଜୀବନ ବାବୁ ଶୁଣି ତାଙ୍କ ତିରିଶି ବର୍ଷ ତଳର ଅତୀତ ମଧ୍ୟକୁ ଫେରିଯାଇଥିଲେ । ସେ ସେତେବେଳେ ଥିଲେ ଏକ ବେସରକାରୀ କଲେଜର ଇତିହାସ ଅଧ୍ୟାପକ । ନୂଆ ନୂଆ ହୋଇ ସେ ଇତିହାସ ବିଭାଗର ମୁଖ୍ୟ ଭାବେ ଦାୟିତ୍ଵ ନେଇଥାନ୍ତି । ପୁନିଆ ସେତେବେଳେ ତାଙ୍କରି କଲେଜର ଛାତ୍ର । ସେ ବି॰ଏ॰ ରେ ଇତିହାସ ଅନର୍ସ ନେବା ପାଇଁ ଆବେଦନ କରିଥିଲା । କିନ୍ତୁ ଅନର୍ସ ଚୟନ ସମୟରେ ଅନର୍ସ ତାଲିକାରୁ ତା ନାଁ କଟିଯାଇଥିଲା । କାରଣ ଅନର୍ସ ଚୟନ ପାଇଁ ଆବଶ୍ୟକ ହେଉଥିବା ମାର୍କ ତାର ନଥିଲା । ଏଥିପାଇଁ ପୁନିଆ ତାଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ବେ ସେ ତାଙ୍କ ତଥାକଥିତ ଆଦର୍ଶର ଦ୍ଵାହି ଦେଇ ଅନର୍ସ ଚୟନ ପ୍ରକ୍ରିୟାରୁ ବାଦ୍ ଦେଇଥିଲେ । ଏହି ନୀତି ଆଦର୍ଶ ପାଇଁ ସେ କୌଣସି ଜାଗାରେ ଦୀର୍ଘ ସମୟ ରହିପାରିନାହାନ୍ତି । ଯାହାର ପ୍ରଭାବ ଏପର୍ଯ୍ୟନ୍ତ ରହିଛି ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ତାଙ୍କର ପେନସନ୍ ଗଣ୍ଡାକ ସେ ପାଇପାରିନାହାନ୍ତି । ଏ ଘଟଣା ପରେ ପରେ ସେ କଲେଜ ଛାତ୍ର ୟୁନିଅନର ନେତା ବନିଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ଲମ୍ଫ ଦେଇଥିଲା । ସେ ପ୍ରଥମେ ସରପଞ୍ଚ, ପରେପରେ ବ୍ଲକ ଚେୟାର ମ୍ୟାନ ଏବଂ ବିଧାୟକ ମଧ୍ୟ ହୋଇଥିଲା । ଏହା ଭିତରେ ମୋ ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ତା କଥା ସମ୍ପୂର୍ଣ୍ଣ ରୂପେ ପାଶୋରି ଦେଇଥିଲି । ରାଜନୀତି ଏବଂ ରାଜନୀତିଜ୍ଞ ପ୍ରତି ମୋ ମନରେ ଥିବା ଅସୂୟା ଭାବ ଯୋଗୁଁ ଏ ରାଜନୀତି ସମ୍ପର୍କରେ କୌଣସି ଖବର ରଖିନଥିଲି । ଏହା ମଧ୍ୟରେ ପୁନିଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ସାରିଥିଲା । ଏବଂ ଏହାର କାରଣ ସମ୍ପର୍କରେ ପୁନିଆ ଯାହା କହିଥିଲା ମୋ ପାଇଁ ତାହା ଥିଲା ସପ୍ତାଶ୍ଚାର୍ୟ୍ୟ ପରେପରେ ଅଷ୍ଟାଶ୍ଚାର୍ୟ୍ୟର ବିଷୟ ।

ସେ କହି ଚାଲିଥିଲା ଜୀବନ ବାବୁ ଶୁଣି ଚାଲିଥିଲେ । ସାର୍ ଆପଣ ମୋତେ ଅନର୍ସରେ ଚୟନ ନକରିବାଟା ମୋ ପାଇଁ ଏକ ଅଦୃଶ୍ୟ ଆର୍ଶୀବାଦ ଥିଲା । କଲେଜରେ ଆଡମିଶନ କଲାବେଳେ ମୋର ମନରେ ଏକ ଇଚ୍ଛା ଥିଲା ଯେ, ମୁଁ ଉଚ୍ଚ ଶିକ୍ଷିତ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବି କିନ୍ତୁ ଅନର୍ସରେ ଚୟନ ନହେବାଟା ମୋ ଇଚ୍ଛାର ପ୍ରଧାନ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ମୁଁ ସେହି ଦିନୁ ପ୍ରତିଜ୍ଞା କରିଥିଲି ଯେ, ଯେଉଁ ବାଟେ ହେଉ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବି । ଏଥିପାଇଁ ରାଜନୀତି ରାସ୍ତାକୁ ବିକଳ୍ପ ଭାବେ ସ୍ଥିର କଲି । ରାଜନୀତିରେ ମିଶିଲି । ଏଥିପାଇଁ ମୋର ଭାଗ୍ୟ ଦେବୀ ମଧ୍ୟ ମୋର ସାଥି ଦେଲେ। ରାଜନୀତିର ଖସଡା ରାସ୍ତାରେ ମୁଁ ଜଣେ ସଫଳ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଲି । ଏସବୁର ସଫଳତା ପଛରେ କେବଳ ଅନର୍ସ ନ ପାଇବାର ବିଫଳତାର ଗ୍ଳାନି ମୋର ସଫଳତାର ଗୌରବ ଆଣିବାରେ ସାହାଯ୍ୟ କରିଥିଲା । ମୁଁ ଯେଉଁ ଦିନ ମନ୍ତ୍ରୀ ହେଲି ସେଦିନ ଆପଣଙ୍କୁ ମନେ ମନେ ବହୁତ ଖୋଜିଛି । କିନ୍ତୁ ଆପଣଙ୍କ ଅବସ୍ଥିତି ବିଷୟରେ ମୁଁ କିଛି ଜାଣି ପାରୁନଥିଲି । ଆଜି ମୋ ପାଇଁ ଏକ ଆନନ୍ଦର ଦିନ । ମୁଁ ଆଜି ଆପଣଙ୍କର ସାକ୍ଷାତ ପାଇଲି ।

ଏହି ସମୟରେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଗୋଟିଏ ଲଫାପା ଆଣି ମନ୍ତ୍ରୀଙ୍କ ହାତକୁ ବଢାଇ ଦେଲେ । ତା ମଧ୍ୟରୁ ଏକ କାଗଜ କାଢି ଜୀବନ ବାବୁଙ୍କୁ ଧରାଇ ଦେଇ କହିଲେ, ସାର୍ ନିଅନ୍ତୁ ଆପଣଙ୍କର ପେନସନ୍ ଅର୍ଡର । ମୋତେ ସେଦିନ ଆପଣ ଅନର୍ସ ଦେଇନଥିଲେ କିନ୍ତୁ ସେହି ଦିନଠାରୁ ଆପଣଙ୍କୁ ମୁଁ ଯେକୌଣସି ବାଟରେ ଅନର କରିବାକୁ ଚିନ୍ତା କରୁଥିଲି । ସେ ସୁଯୋଗ ଆଜି ଭଗବାନଙ୍କ ଦୟାରୁ ମୋ ପାଖକୁ ଆସିଲା । ଯେଉଁଥିପାଇଁ ମୁଁ ଆଜି ଆପଣଙ୍କୁ ଅନର କରିପାରିଲି । ମନ୍ତ୍ରୀଙ୍କର ଏଭଳି କଥାରେ ଜୀବନ ବାବୁଙ୍କର ଆଖି ବିସ୍ଫୋରିତ ହୋଇଯାଇଥିଲା ।

ଜୀବନ ପୁନିଆ ପୂର୍ଣ୍ଣ ବାବୁ

Rate the content


Originality
Flow
Language
Cover design

Comments

Post

Some text some message..