Atanu Rout

Inspirational

1.0  

Atanu Rout

Inspirational

ମୁଁ ଆଉ ବର୍ଷା

ମୁଁ ଆଉ ବର୍ଷା

4 mins
14.5K


-ଆଦ୍ୟ-

ସେଦିନ ଆମ ସ୍କୁଲ୍ ରେ ମୁଁ ପଢୁଥିବା ଦ୍ଵିତୀୟ ଶ୍ରେଣୀରେ ପରୀକ୍ଷା ହେବାର ଥିଲା । ସକାଳୁ ପ୍ରବଳ ବର୍ଷା । ସ୍କୁଲ୍ କୁ ଛତା ଧରି ପହଞ୍ଚିଲା ବେଳକୁ ମୁଁ ସମ୍ପୂର୍ଣ ଭାବେ ଓଦା ହୋଇସାରିଥିଲି । ବାଟରେ ଚାଲିଚାଲି ଯିବା ସମୟରେ ମନେ ମନେ ଭାବୁଥିଲି , ଆଜି ରେନି ଡେ’ ଯଦି ଘୋଷଣା ହୁଅନ୍ତା ଭଲ ହୁଅନ୍ତା । କାରଣ ପରୀକ୍ଷା ପାଇଁ କିଛି ପଢି ନ ଥିଲି । କିନ୍ତୁ ସ୍କୁଲ୍ ରେ ପହଞ୍ଚି ଜାଣିଲି ପରୀକ୍ଷା ନିଶ୍ଚିତ ହେବ । ଠିକ୍ ସମୟରେ ପରୀକ୍ଷା ହେଲା । ପରୀକ୍ଷାରେ ମୋର କିଛି ମନେ ପଡୁ ନ ଥିଲା । ମୋ ପାଖରେ ପ୍ରତିମା ବସିଥିଲା । ସେ ମୋତେ ଅନାଉଥିଲା । ତା’ର ମଧ୍ୟ ମୋ ଭଳି କିଛି ପାଠ ମନେ ପଡୁ ନ ଥିଲା । ମୁଁ ତାକୁ ଠାରି କହିଲି-ଚାଲ ବାହାରକୁ ଯିବା । ତା’ପରେ ମୁଁ ଠିଆହୋଇ ହାତର କାଣୀ ଆଙ୍ଗୁଠି ଦେଖାଇ ବାହାରକୁ ଯିବା ପାଇଁ ଅନୁମତି ମାଗିଲି । ମୋ ପଛେ ପଛେ ପ୍ରତିମା ମଧ୍ୟ ବାହାରକୁ ଆସିଲା । ଆମେ ଦୁଇଜଣ ସ୍କୁଲ ପଛପଟେ ଥିବା ଗାଡିଆ ପାଖକୁ ଗଲୁ । ପୂର୍ବରୁ ମୁଁ ଉତ୍ତର ଖାତାଟିକୁ ପକେଟ୍ ରେ ପୁରାଇ ନେଇ ଆସିଥିଲି । ମୁଁ କହିଲି- ପ୍ରତିମା, ଦେଖ୍ ପରୀକ୍ଷାଖାତା ରହିଲେ ସିନା କିଛି ଲେଖିବା ପାଇଁ ପଡିବ । ଚାଲ ତାକୁ ଡଙ୍ଗା କରି ଭସାଇଦେବା । ସେ ମୋତେ କହିଲା- ହଁ ସେଇଆ କର । ମୁଁ ତା’ପରେ ପରୀକ୍ଷା ଖାତାଟିକୁ ଗୋଟିଏ ଡଙ୍ଗା କରି ସେଇ ଗାଡିଆରେ ଭସାଇଦେଲି । ବର୍ଷା ମାଡରେ ମୋର ଡଙ୍ଗାଟି ବୁଡିଗଲା । ମୋର ଏଇ କାର୍ଯ୍ୟକଳାପକୁ ଆମର କ୍ଳାସ୍ ଶିକ୍ଷକ ଆବିଷ୍କାର କରିବା ପରେ ମୁଁ ଆସାମୀ ପରି କ୍ଳାସ୍ କୁ ଧରାହୋଇ ଆସିଲି ଏବଂ ସେଥିପାଇଁ ମୋତେ ଶାରୀରିକ ଦଣ୍ଡ ସ୍ୱରୂପ ଆଣ୍ଠେଇବାକୁ ପଡିଲା । ଏଥିପାଇଁ ମୁଁ ବର୍ଷାକୁ ବହୁତ ତିରସ୍କାର କରିଥିଲି ।

-ମଧ୍ୟ-

କଲେଜର ସେଦିନର ସ୍ମୃତି ସବୁଦିନ ପାଇଁ ଏକ ଅଭୁଲା ସ୍ମୃତିହୋଇ ରହିଯାଇଛି । କଲେଜରେ ମୋଠାରୁ ଦୁଇବର୍ଷ ତଳେ ପଢୁଥିବା ସ୍ମୃତି ସହ ମୋର ସେତେବେଳକୁ ନୂଆ ନୂଆ କରି ପରିଚୟ ସୃଷ୍ଟି ହୋଇଥାଏ । ସେଦିନ ମୁଁ ଆଉ ସ୍ମୃତି ଆମ କଲେଜ ପଡିଆର କଣରେ ଥିବା ଗୋଟିଏ ବରଗଛ ମୂଳରେ ଅତି ପାଖାପାଖି ହୋଇ ଠିଆହୋଇ କଥା ହେଉଥିଲୁ । ହଠାତ୍ ଜୋରରେ ପବନ ସହ ମେଘ ଆସିଲା । ଆମେ ଦୁଇଜଣ ବର୍ଷା ମାଡ଼ରୁ ରକ୍ଷା ପାଇବା ପାଇଁ ସେଇ ଗଛ ମୂଳରେ ହିଁ ରହିଗଲୁ । ସେତେବେଳେ ଦିନ ହୋଇଥିଲେ ମଧ୍ୟ ବର୍ଷା ପ୍ରଭାବରୁ ଚାରିଆଡେ ଅନ୍ଧକାର ହୋଇଗଲା । ସେହି ସମୟରେ ହଠାତ୍ ଏକ ବଜ୍ରପାତ ହେବାରୁ ସ୍ମୃତି ଭୟରେ ହଠାତ୍ ମୋତେ ଚାପି ଧରିଥିଲା । ସେତେବେଳେ ମୁଁ ଅନୁଭବ କରିଥିଲି ତା’ ଉଷ୍ଣତାକୁ । ମୁଁ ତା’ର ବାହୁ ବନ୍ଧନରୁ ଖସିବାକୁ ଚାହୁଁ ନ ଥିଲି । କିନ୍ତୁ କିଛି ସମୟ ପରେ ସେ ହଠାତ୍ ଚମକିପଡ଼ି ତା’ର ସ୍ଵଭାବିକ ଅବସ୍ଥାକୁ ଫେରିଆସିଥିଲା । ତା’ର ବନ୍ଧନର ଫାଶରୁ ମୋତେ ମୁକ୍ତ କଲା ପରେ ମୁଁ ଦେଖିଥିଲି ତା’ର ଗୋରା ମୁହଁଟି ଯେପରି ଲାଜରେ ଲାଲ ପଡିଯାଇଛି । ସେ ମୋ ମୁହଁକୁ ସଳଖ ଭାବରେ ଚାହିଁ ପାରୁ ନ ଥିଲା । ମୁଁ ଜାଣିଥିଲି ସେ ମୋତେ ନୁହେଁ ବରଂ ବଜ୍ରପାତର ଭୟରେ ଏଭଳି ଅବସ୍ଥାରେ ସେ ମୋତେ ଧରି ପକାଇଥିଲା । ପରବର୍ତ୍ତୀ ସମୟରେ ମୁଁ ବର୍ଷାକୁ ଅଶେଷ ଧନ୍ୟବାଦ ଦେଇଥିଲି । କଲେଜ ଜୀବନର ପଢା ସାରିବା ପର୍ଯ୍ୟନ୍ତ ବର୍ଷା ଦେଖିଲେ ମନେ ପଡିଯାଉଥିଲା ସେହି ଅନ୍ତରଙ୍ଗ ମୂହୁର୍ତ୍ତର ମଧୁର ସ୍ମୃତି । ଆଉ ଏକ ସେହିଭଳି ମୂହୁର୍ତ୍ତର ଅପେକ୍ଷାରେ ଥିଲି, କିନ୍ତୁ ସେ ସୁଯୋଗ ଆଉ ଆସି ନ ଥିଲା ।

-ଉତ୍ତର-

ସେଥର ପାଣିପାଗ ବିଭାଗ ସାରା ରାଜ୍ୟରେ ବନ୍ୟା ପାଇଁ ସତର୍କ ସୂଚନା ଦେଇଥିଲା । ଜନସମ୍ପଦ ବିଭାଗରେ ବରିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲି । ପୂର୍ବରୁ ବନ୍ୟା ନିୟନ୍ତ୍ରଣରେ ମୋର ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେଥର ମଧ୍ୟ ମୁଁ ବନ୍ୟା ନିୟନ୍ତ୍ରଣ କଣ୍ଟ୍ରୋଲ ରୁମ୍ ଦାୟିତ୍ଵରେ ଥିଲି ଏବଂ ଏହି କାମ ମୋ ଅଫିସ ମଧ୍ୟରେ ଚାଲିଥିଲା । ତାହା ଥିଲା ଚବିଶି ଘଣ୍ଟା ଡିଉଟି । ସନ୍ଧ୍ୟା ପଞ୍ଚଟା ହେବା ପରେ ମୋ ଅଫିସରେ ନୂଆ କରି ଚାକିରି କରିଥିବା ଯୁବତୀ ପି.ଏସ . ଜଣକ ଘରକୁ ଯିବା ପାଇଁ ବାହାରିଲା । ସେ ଯିବା ସମୟରେ ମୋତେ କହିଲା- ସାର, ଆପଣ ତ ଆଜି କଣ୍ଟ୍ରୋଲ ରୁମ୍ ରେ ରହିବେ ଘରକୁ ଯିବେ ନାହିଁ । ଆପଣ ଚାହିଁଲେ ମୁଁ ଆପଣଙ୍କ ପାଇଁ ଡିନର୍ ପ୍ୟାକେଟ୍ ନେଇ କରି ଆସନ୍ତି । ମୁଁ ତା’ ଆଖିରୁ ତା’ ମନ ତଳର ଭାଷା ସ୍ପଷ୍ଟ ଭାବେ ପଢିପାରୁଥିଲି । ଏଭଳି ସୁଯୋଗ ପୂର୍ବରୁ କେତେଥର ମୋତେ ଦେଇଥିଲା, ମୁଁ ମଧ୍ୟ ତାହାର ସଦୁପଯୋଗ କରିଥିଲି । ମୋ ଅର୍ଦ୍ଦଳି ମୋର ବରାଦ ମୁତାବକ ଚିକେନ ପକୋଡା ଏବଂ ତା’ ସହିତ ଦାମିକା ସ୍କଚ୍ ଆଣି ମୋତେ ପରଷୁଥିଲା । ତାକୁ ଖାଇବା ପିଇବା ଭିତରେ ଭାବୁଥିଲି ବନ୍ୟା ହେଲେ ମୋର ଯଥେଷ୍ଟ ଲାଭ । ଏଥିପାଇଁ ବନ୍ୟା ପୂର୍ବରୁ ହୋଇଥିବା ଫଲ୍ସ ବିଲ୍ କୁ ଜନ୍ମ କରିଦେବାରେ କିଛି ଅସୁବିଧା ହେବନାହିଁ । ବାହାରର ବର୍ଷା ମୋ ଉପରେ କୌଣସି ପ୍ରଭାବ ପକାଇପାରୁ ନ ଥିଲା । ମୁଁ ଭାବୁଥିଲି ଯେ, ବର୍ଷାଜନିତ ବନ୍ୟା ଯଦି ନିୟନ୍ତ୍ରଣ ହେବ ତେବେ ସରକାର ଖୁସି ହୋଇ ମୋର ପାରିବାପାଣିଆକୁ ପ୍ରଶଂସା କରିବେ । ଅନ୍ୟ ପାଇଁ ପ୍ରଳୟ ସୃଷ୍ଟି କରୁଥିବା ବନ୍ୟା ମୋ ବ୍ୟାଙ୍କ ବାଲାନ୍ସ୍ କୁ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା । ତେଣୁ ମୁଁ ଭାବୁଥିଲି- ବର୍ଷା ତୁମେ ଏଭଳି ବର୍ଷିଚାଲ, ତା’ ସହ ବଢିବାକୁ ମୋର ବ୍ୟାଙ୍କ ବାଲାନ୍ସ୍ । ବର୍ଷା ଜିନ୍ଦାବାଦ ।

-ପ୍ରାନ୍ତ-

ମୁଁ ଏବେ ବଯସର ଅପରାହ୍ନରେ ଉପନୀତ । ଦୁଇଦିନ ଧରି ପ୍ରବଳ ବର୍ଷ ଜାରି ରହିଛି । ଟିଭି ନିଊଜ କହିଛି ବନ୍ୟା ହେବ । ମୁଁ ସମ୍ପୂର୍ଣ ଏକା । ପିଲାମାନେ ବିଦେଶରେ ଊଚ୍ଚ ଦରମାରେ ଚାକିରି କରିଛନ୍ତି । ମୁଁ ଏବେ ଅନୁଭବ କରୁଛି ମୋ ଅପେକ୍ଷା ମୋର ବ୍ୟାଙ୍କ ବାଲାନ୍ସ, ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ସେମାନଙ୍କର ବେଶି ନଜର । ସେମାନେ ମୋତେ ବୋଧହୁଏ ଏକା ବୋଝ ଭଳି ଅନୁଭବ କରୁଛନ୍ତି । ମୁଁ ମଧ୍ୟ ତାଙ୍କ ଉପରେ ବୋଝ ହେବାକୁ ନ ଚାହିଁ ଏକୁଟିଆ ରହିଛି । କେବଳ ଜନ୍ମଦିନରେ ପିଲାଙ୍କଠାରୁ ଶୁଭେଛା ପାଏ । ସ୍ତ୍ରୀ ମୋର କେବେଠାରୁ ମୋତେ ଛାଡିକରି ଚାଲିଯାଇଛନ୍ତି । ଏହା ମଧ୍ୟରେ ମୋର ଦୁଇଟି ଷ୍ଟ୍ରୋକ୍ ହେଲାଣି । ଆଜି ମୋର ଦେହ ଭୀଷଣ ଖରାପ । ମୁଁ ମେଡିକାଲ୍ କୁ ଆମ୍ବୁଲାନ୍ସ ପଠାଇବା ପାଇଁ ଫୋନ୍ କଲି । କିନ୍ତୁ ରାସତାରେ ପାଣି ଆଉ ପାଣି । ପୁଣି ଘରପାଖ ରାସତାରେ ଗଛ ପଡିଯାଇଛି । ମୋ ଦେହର ଯନ୍ତ୍ରଣା ବଢି ଚାଲିଛି । ଇଲେକ୍ଟ୍ରି ନାହିଁ । ଦୁର୍ଯୋଗୋକୁ ଇନ୍ଭଟର ବ୍ୟାଟେରୀର ଚାର୍ଜ ବି ସରିଯାଇଛି । ହଠାତ ଏହି ସମୟରେ ଏକ ବଜ୍ରପାତ ହେଲା । ମୁଁ ଶୋଇବା ସ୍ଥାନରେ ଚମକି ପଡିଲି । ବର୍ଷାକୁ ମନେ ମନେ ପ୍ରାଥନା କଲି ବର୍ଷା, ମୋତେ ଭସାଇ ନେଏ ଏଭଳି ଏକ ଜାଗାକୁ ଯେଉଁଠାରୁ କେହି କେବେ ଫେରନ୍ତି ନାହିଁ ।

Atanu Rout

atanurout98@gmail.com

ACP in the o/o DCP Bbsr.

Phone no.-9437173624.


Rate this content
Log in

Similar oriya story from Inspirational