Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉଷୁମ ପରଶ
ଉଷୁମ ପରଶ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

5 Minutes   14.1K    10


Content Ranking

ସୁସ୍ମିତା ପଟେଲ

ଆଖିରେ ଆଖିଏ ଲୁହ, ନା ବୋହି ପାରୁନି, ନା ରୋକି ପାରୁନି ସୁନନ୍ଦା । କାଳେ ବହିଯିବ ସେ ଭୟରେ ଚପେଇବାକୁ ଚେଷ୍ଟିତ ସେ । ମାତ୍ର ଲୁହ ମାନେ ତ ଅମାନିଆ । କୋଉ ସ୍ଥାନ, କାଳ, ପାତ୍ର ଦେଖି କ’ଣ ବୋହିବ ? ଯେଉଁଠି ଅଧିକ ଖୁସି ସେଠି ବି ଗଦ୍ ଗଦ୍ ହୋଇ ବୋହିଯିବ । ଆଉ ଯେଉଁଠି ଟିକେ ଆଘାତ ହେଲେ ବି ବୋହିବ । ପରିସ୍ଥିତି ଯାହା ହେଉନା କାହିଁକି ?

ଥପ୍ ଥପ୍ କେଇ ବୁନ୍ଦା ଲୁହ ନିଗିଡ଼ି ପଡ଼ିଲା ସୁନନ୍ଦା ଆଖିରୁ । ଯେତେ ଲୁଚେଇ ବା ଲୁଚୁଛି କେଉଁଠି । ହଠାତ୍ କାହାର ହାତର କୋମଳ ସ୍ପର୍ଶରେ ଚମକି ପଡ଼ିଲା ସେ । କ’ଣ ହୋଇଛି କିଲୋ ମାଆ ଏମିତି ବସିଛୁ । ମୁହଁ ଏମିତି ଦିଶୁଛି । କ’ଣ ହେଲା କି ମାଆ ର କୋମଳ ପରଶ ରେ ସ୍ୱାଭାବିକ ହୋଇଗଲା ସୁନନ୍ଦା । ଲୁହ ପୋଛି କିଛି ନ ହେବା ପରି ମା ହାତକୁ ଦୁଇ ପାପୁଲିରେ ଜାବୁଡ଼ି ଧରିଲା ସେ ।

କାହିଁ କିଛି ନାହିଁ ତ ମା.........

ଏମିତି ଖାଲି ବସିଛି । କାଲିଠୁ ଦେହ ଟିକେ ନିସ୍ତେଜ ଲାଗୁଛି । ଅସୁସ୍ଥ ଲାଗୁଛି ଏଣୁ ଏପରି ବସିଛି । ମାଆ ବି ତା କଥାରେ ରାଜି । ହେଇ ଶୋଇପଡ଼ । ବସିଛୁ କାହିଁକି ? ମୁଁ ଚା ଟିକେ କରି ଆଣି ଦେଉଛି । କ’ଣ ଗୋଡ଼ ଘଷିଦେବି ?

ମାଆର ବ୍ୟସ୍ତ ବିବ୍ରତ ଦେଖି ଚାଲିଥାଏ ସୁନନ୍ଦା । ମା’କୁ ଆସି ଅଶି ହେଲାଣି, ମୁଁ ବି ପଚାଶରେ ପଦାର୍ପଣ କଲିଣି ? ହେଲେ ବି ସେ କାଲିର ମାଅ, ମୋତେ ତା ଛୋଟ ଛୁଆଟେ ପରି ସେବା କରୁଛି, ଯତ୍ନ ନେଉଛି । ଦେଖିବାକୁ ତ ସିଏ ବି ଦୁର୍ବଳ । ହାଡ଼ କେଇଖଣ୍ଡରେ ଚମଡ଼ା ଲଟକି ଗଲାଣି । ହାଡ଼ୁଆ ମୁହଁ ସାଙ୍ଗକୁ ପାକୁଆ ପାଟି । ଆଉ ମୁଁ...ପଚାଶ ବର୍ଷର ଜଣେ ପୌଢ଼ା । ହେଲେ ବି ତା ପାଖରେ ମୁଁ ଛୋଟ ଛୁଆଟିଏ । ଧନ୍ୟ ସେ ଭଗବାନ । ଯିଏ କି ମାଆ ହୃହୟକୁ ତିଆରିଛି । ଭରିଦେଇଛି ଅମୃତ ପସରା ।

ମୁଁ ବି ଛୋଟ ଛୁଆଟେ ପରି ଶୋଇଗଲି । ମାଆ ଚା’ କରିବାକୁ ଗଲେ । ପୁଣି ଅମାନିଆ ଲୋତକ କାହୁଁ ଥିଲା କେଜାଣି, ବଢ଼ିଲା ନଈ ପରି ବୋହି ଚାଲିଲା । ଥମିବାକୁ ନାଁ ଧରୁନି । ସୁକାନ୍ତ କହୁଥିବା ସମସ୍ତ କଥା ଏବେ ବି କାନରେ ପିଟି ହେଉଛି । କ’ଣ ନା...... ମୁଁ ତାଙ୍କ ପାଇଁ କିଛି ବି କରିନି । କରିଛି ସାନ ପାଇଁ ତାକୁ ବେଶି ଗେହ୍ଲା କରିଛି । ତା ଭାଗର ବି ସ୍ନେହ ସାନକୁ ଦେଇଛି । ଏବେ ବି କୁଆଡ଼େ ସାନର ପୁଅ, ଝିଅକୁ ବେଶି ଭଲ ପାଉଛି । ତା’ର ନାହିଁ । ଆଉ ସେଇ ଏକା କଥା ସାନ ପୁଅ ସନ୍ଦୀପର ବି ।

ହରଡ଼ ଘଣାରେ ପେଶି ହୋଇଯାଉଛି ସୁନନ୍ଦା । କାହା ପାଇଁ କ’ଣ କରିବାକୁ ଗଲେ ଅନ୍ୟ ଜଣେ କହୁଛି । ଦିନ ଥିଲା ଦି ପୁଅକୁ ପାଇ ବେଶ୍ ଖୁସି ହେଉଥିଲା ସେ । କେତେ ସୁଖର ସଂସାର ଥିଲା ତାର । ଭାଇ, ପ୍ରତି ଭାଇର ସ୍ନେହ ବି ଥିଲା ପ୍ରଗାଢ଼ ।

ସେତେବେଳେ ସେ ଦିହେଁ ଥିଲେ ଅବୋଧ । ମୋ କଥା ତାଙ୍କ ପାଇଁ ସବୁ କିଛି । କ’ଣ କରିବେ, କ’ଣ ନାହିଁ ସବୁ ପଚାରିବେ । ଇମିତିକି ତାଙ୍କ ସ୍କୁଲରେ କ’ଣ ହେଲା, କେଉଁ ସାର୍ ତାଙ୍କୁ କ’ଣ କହିଲେ, ଟିକିନିଖି ସବୁ । ଘର କାମ ସାରି ଦି’ଜଣଙ୍କ କଥା ଶୁଣନ୍ତି ସେ ।

ଏକା ମଣିଷ, ସ୍ୱାମୀହରା । ସନ୍ଦୀପକୁ ମାତ୍ର ଚାରିବର୍ଷ ହେଇଥିଲା, ଯେତେବେଳେ ସ୍ୱାମୀ ଏକ ଆକ୍ସିଡେଂଟରେ ଚାଲିଗଲେ । ସେବେଠୁ ସେ ପିଲାଙ୍କର ମା’ ବି ବାପା ବି । ସ୍କୁଲଠୁ ଆରମ୍ଭ କରି ଘରକରଣା ସବୁ ସେ ଏକା ବହନ କରିଛନ୍ତି । ଦିନଟିଏ ବି ଜାଣିବାକୁ ଦେଇନାହାନ୍ତି ବାପାର ଅନୁପସ୍ଥିତି । ଏମିତିକି ରାତି ରାତି କେତେ ଥର ହସ୍ପିଟାଲ ବି ଏକା ଯାଇଛନ୍ତି । ଉଚ୍ଚଶିକ୍ଷା ପାଇଁ ବାରଦୁଆର ହାତ ପତେଇଛନ୍ତି ନିଜ ସ୍ୱାଭିମାନକୁ ଛାଡ଼ି । ମନ କଥା ମନ ଜାଣୁଥାଏ ହେଲେ ବି ତ ଛୁଆଙ୍କୁ ବଡ଼ କରିବାକୁ ହେବ । ଦିନରାତି ଏକ କରିଛନ୍ତି । ତାଙ୍କର ପ୍ରତିପୋଷଣ ପାଇଁ କେଉଁଠି ତାଙ୍କର କ’ଣ ଭୁଲ ରହିଗଲା..........ସେ ଜାଣିପାରୁନାହାନ୍ତି ।

ଆଜି ସୁକାନ୍ତ, ସନ୍ଦୀପ ଦି’ ପୁଅ ବଡ଼ ହୋଇଗଲେଣି । ଚାକିରି ଖଣ୍ଡେ ଖଣ୍ଡେ କରୁଛନ୍ତି । ଯୋଗ୍ୟା ପାତ୍ରୀ ଦେଖି ବି ବାହା କରିଦେଇଛନ୍ତି ସୁନନ୍ଦା । ବଡ଼ପୁଅର ଦି’ଟି ପିଲା ସାନର ବି ଦି’ଟା । ସଭିଏଁ ସମାନ ତା ପାଇଁ । ସମସ୍ତେ ଆଖିର ତାରା । ଏବେ ଘର ତାଙ୍କ ପୁରି ଉଠିଛି ।

ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ- ଏତ ଦୁନିଆର ନିୟମ । ସେ ନିୟମରେ ସୁନନ୍ଦା ବି ବନ୍ଧା । ସେ ବା ବାଦ୍ ପଡ଼ିବେ କିପରି । ଆସ୍ତେ ଆସ୍ତେ ପୁଅ, ପୁଅ ମଧ୍ୟରେ ମତାନ୍ତର ଘଟିଲାଣି । କାହା ପିଲା, କାହାକୁ ବାଡ଼େଇଲା, କିଏ କାହାର ଝାମ୍ପି ନେଲା.......... ପୁଣି କଥା ସେତିକିରେ ରହିନି.... କାହା ସ୍ତ୍ରୀ ବେଶି ଖଟୁଛି । ପୁଣି କିଏ ଘର ଖର୍ଚ୍ଚ ପାଇଁ ବେଶି ପଇସା ଦେଉଛି । କେତେ ଦିନ ବା ସମ୍ଭାଳିବେ ଏସବୁ ।

ପ୍ରଥମେ ପ୍ରଥମେ ସୁନନ୍ଦା କିଛି କହୁଥିଲା । ମାତ୍ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ବି ଚୁପ୍ ହୋଇ ରହିବା ଶିଖିଗଲେଣି । କାହାକୁ କ’ଣ ବା କହିବି.. ଯାହାକୁ କ’ଣ କହିବାକୁ ଗଲେ ଅନ୍ୟକୁ ବେଶି ଭଲ ପାଉଛୁ ବୋଲି ତାଗିଦ୍ । କ’ଣ ବା କରିବେ । ସବୁଠୁ ଚୁପ୍ ରହିବା ଭଲ ।

କାଲି ଦି ପିଲା ଝଗଡ଼ା ଲାଗୁଥିଲେ । ବଡ଼କୁ ଟିକେ ରାଗିକି କହିଦେଲି । କ’ଣ ବା ଭୁଲ କଲି । ମୁଁ ବି ଗୋଟେ ମା । ଜାଣିଛି ଛୁଆଙ୍କୁ ବଢ଼ାଇବା । ପୁଣି ମୋର ତ କିଛି ଅଧିକାର ଅଛି ଛୁଆଙ୍କ ଉପରେ । ନା...... ସେଟା ନାହିଁ ବଡ଼ ପୁଅ କହିଦେଲା ତୁ ସାନ ପୁଅ ଓ ତା ଛୁଆଙ୍କୁ ବେଶି ଭଲ ପାଉଛୁ । ଏଣୁ ଆମ ପୁଅକୁ ରାଗୁଛୁ । ମୁଁ ଜାଣିଛି ତୋ ପାତର ଅନ୍ତର ନୀତି ମୂଳରୁ ସେୟା ସନ୍ଦୀପକୁ ବେଶି ଭଲ ପାଉ । ଛୋଟ ବେଳେ ମୋ ଖେଳଣା ବି ତାକୁ ଦେଇଦେଉଥିଲ । ସେତେବେଳେ ତ ମୁଁ ନିରୀହ, ମାତ୍ର ଏବେ ମୋ ପୁଅ ଉପରେ ଅନ୍ୟାୟ ହେବାକୁ ଦେବିନି । ମୁଁ ଅଲଗା ରହିବାକୁ ଚାହେଁ.... ତୁ ଖୁସିରେ ତୋ ସାନ ପୁଅ ସହ ରହ ।

ଭାବି ପାରିଲାନି ସୁନନ୍ଦା । ଆଖି ବଡ଼ ବଡ଼ କରି ଚାହିଁ ରହିଲା ସେ । ଲୁହର ଜୁଆର ବନ୍ଧ ଭାଙ୍ଗୁଥାଏ । ଲୁହ ପୋଛି ପୋଛି ଘରକୁ ପଶିବା କ୍ଷଣି, ସନ୍ଦୀପର ବି ସେ କଥ........ ଦେଖିଲୁ ବଡ଼ଭାଇକୁ ଆଦର କରିବା, ସମ୍ମାନ ଦେବା ପାଇଁ ମୋତେ ବୁଝାଉଥିଲୁ । ଏ କି ସମ୍ମାନର ପାତ୍ର ? ଯା ମୁଁ ବି ତା ସହିତ ରହିବାକୁ ଚାହୁଁନି ।

ସୁନନ୍ଦାର ପାଦତଳୁ ମାଟି ଖସି ପଡ଼ୁଥାଏ । ଯାହେଲେ ବି ପୁଅ । କହିବା କାହାକୁ ଅଜାଗା ଘା’ ଦେଖେଇ ହୁଏନି କି ଲୁଚେଇ ହୁଏନି ଅବସ୍ଥା । କ’ଣ କରିବ.... ନିଜ ରୁମରେ ବସିଛି । ସକାଳୁ ଉପରତଳ ହେଲାଣି ଚା ଟିକେ ବି ଖାଇନି ଏ ପର୍ଯ୍ୟନ୍ତ କେହି ବି ପଚାରୁନାହନ୍ତି ।

ଆଖିରୁ ଧାର ଧାର ଲୁହ । ସେ ସମୟରେ ମାଆ ପହଂଚିଛି । ଏ ପରିସ୍ଥିତିରେ କ’ଣ ବା କହିବ ସେ । ମାଆର ତ ସେହି ଅବସ୍ଥା । ତାଙ୍କ ପୁଅ ବୋହୂର ଅବସ୍ଥା ବି ସେପରି ।

ମାଆ ଚା’ କପଟେ ଆଣି କିଛି ବିସ୍କୁଟ ଧରି ଆସିଲେ । ନେ ଖା’ । ସକାଳୁ ବୋଧେ କିଛି ଖାଇନୁ । ପିଲା, ପିଲି ଘର । ଏମିତି ଋଷିକି ବସିଲେ ହେବ । ଦେଖ ମୋତେ....... ମୁଁ ବି ତ ବଂଚିବା ଶିଖିଯାଇଛି । କ’ଣ ତୋ ପରି ହଉଛି । ପିଲା ଲୋକ...... ଆମେ ମାଆ ପରା । ସହିବାକୁ ତ ହେବ ।ଛୋଟ ଛୁଆଙ୍କ ପରେ କଇଁ କଇଁ କାନ୍ଦି ଉଠିଲା ସୁନନ୍ଦା । ମା’କୁ ଜାବୁଡି ଧରି ମା’, ତାଙ୍କ ହାଡ଼ୁଆ ମାତ୍ର କୋମଳ ହାତରେ ଆଉଁସି ଚାଲିଥାନ୍ତି ସୁନନ୍ଦା ମୁଣ୍ଡକୁ ଆଉ ସୁନନ୍ଦା ମା’ କୋଳରେ ଅନୁଭବ କରୁଥାଏ ପରମ ଶାନ୍ତି । ଉଷୁମ ପରଶରେ ସତରେ ମା’ ହେବା ଆଉ ଦାୟିତ୍ୱ ତୁଲାଇବାର ସବୁ ପାଠ ମା’ ମାନେ ହିଁ ଜାଣନ୍ତି ।

ସୁନନ୍ଦା ମାଆ ସନ୍ଦୀପ

Rate the content


Originality
Flow
Language
Cover design

Comments

Post

Some text some message..