ସ୍ମୃତି
ସ୍ମୃତି
ସ୍ମୃତି ସାଜେ କେବେ ଜ୍ୟୋସ୍ନା ବିଧୌତ
ମୁଗ୍ଧ ପୁନେଇଁର ରାତି
ସ୍ମୃତି ପୁଣି ଅମାବାସ୍ୟା ଅନ୍ଧକାରେ
ଦିଗହଜା ଅନୁଭୂତି ।
ସ୍ମୃତି କେବେ ପୁଣି ଚୀର କଲ୍ଲୋଳିତ
ତଟିନୀର ସ୍ନିଗ୍ଧ ଧାର
ସ୍ମୃତି କେବେ ପୁଣି ମରୁଭୂମି ପରେ
ପ୍ରଚଣ୍ଡ ନିଦାଘ ଘୋର ।
ସ୍ମୃତି ଆଣଇ ବନ୍ୟା ଅଶ୍ରୁଜଳର
କରେ କପୋଳ ପ୍ଲାବିତ
ସ୍ମୃତିରେ ନିଜକୁ ହଜାଇ କେ ପୁଣି
ଆନନ୍ଦରେ ଉଲ୍ଲସିତ ।
ସ୍ମୃତି କେବେ ସାଜେ ସଜ ଗୋଲାପରେ
ସଜ୍ଜିତା ପ୍ରେମିକା କା'ର
ସ୍ମୃତି ପ୍ରେମିକାର ମନରେ ସଜାଇ
ପ୍ରେମେ ହୁଏ କେ' ଅଧୀର ।
ସ୍ମୃତି ଆଣିଥାଏ ପ୍ରବାସ ବାସରେ
ଜନ୍ମଭୂମିର ବିରହ
ସ୍ମୃତି ମାନସରେ ଝଲସି ଉଠଇ
ଆପଣା ଜନର ମୁହଁ ।
ସ୍ମୃତିର ଉପାସ୍ୟେ କିଏ କରିଥାଏ
ପିତୃମାତୃ ଆରାଧନା
ସ୍ମୃତିର ମଧୁର ଅମୃତ ସ୍ନାନରେ
ଚିତ୍ତ ହୁଏ ଆନମନା ।
ସ୍ମୃତି ପାରିଜାତ ପୁଷ୍ପଟିଏ ହୋଇ
ଦିଏ ମଧୁର ଆଘ୍ରାଣ
ସ୍ମୃତିର ନନ୍ଦନବନେ ଶୁଭେ ପୁଣି
କା' ବିରହ ବଂଶୀସ୍ଵନ ।
ସ୍ମୃତି ଯେ ମଳୟ ସମୀରଣ ଆଣେ
ବସନ୍ତ କାକଳି ସୁର
ସ୍ମୃତି ପୁଣି କାଳ ବୈଶାଖୀର ଝଡ
ଭାଙ୍ଗେ ସ୍ଵପ୍ନ ବାଲିଘର ।
ସ୍ମୃତି ବୃନ୍ଦାବନେ ରାଈ ଝୁରିମରେ
ଶ୍ୟାମ ବଂଶୀ ହାତେ ଧରି
ସ୍ମୃତିର ଯମୁନା ଉଛୁଳି ଉଠଇ
ଦୁଃଖର ଲୋତକ ଭରି ।
ସ୍ମୃତି ବାତ୍ସଲ୍ୟରେ କାହ୍ନୁ ମନେ ପଡେ
ଯଶୋଦା କାନ୍ଦଇ ନିତି
ସ୍ମୃତି ମମତ୍ୱରେ ଦେବକୀ ହସଇ
କୃଷ୍ଣ ଅଛି ତା'ର କତି ।
ସ୍ମୃତି ଯେ ମଧୁର ସ୍ମୃତି ଯେ ବିଧୁର
ହସ-ଲୁହ, ସୁଖ-ଦୁଃଖ
ସ୍ମୃତି ହସ୍ତାକ୍ଷରେ ଲେଖାହେଉଥାଏ
ଜୀବନ ଶ୍ରୁତି-ଆଲେଖ୍ୟ ।
ରଚନା- ବିଜୟ କେତନ ସାହୁ