ଚପଲ ଓ ବାପା
ଚପଲ ଓ ବାପା
ଚପଲ......
ପେଟିରୁ ବାହାରି ପାଦ ଛୁଉଁ ଛୁଉଁ
କାମରେ ଲାଗିପଡେ
ଘୋରି ହେବାଯାଏ ।
ଇଚ୍ଛା ଅନିଚ୍ଛା ବୋଲି କିଛି ଶବ୍ଦ
ତା' ଅଭିଧାନରେ ନ ଥାଏ ।
ସେ ହିଁ କହିପାରିବ ଘୋରି ହେବାର ଆନନ୍ଦ ,
ସେ ହିଁ ବୁଝେଇ ପାରିବ
ପାଦ ସହ ପାଦ ହେବାର ସାର୍ଥକତା ।
ସିଂହାସନର ମୋହ କେବେ
କାବୁ କରିପାରେନା ତା'କୁ,
ସେ ଜାଣେ ସେସବୁ ଭାଗ୍ୟର କଥା ।
ସୁଖଦୁଃଖର ଉର୍ଦ୍ଧ୍ବରେ ସେ ସିଦ୍ଧ ସନ୍ନ୍ୟାସୀ ।
କଣ୍ଟାଝଣ୍ଟା,ଫୁଲ,ପଥର ,ମନ୍ଦିର, ମଶାଣୀରେ
ଫରକ ବାରିବାରେ ଚିର ଉଦାସୀ ।
ଗୋଇଠି ତଳ କଣା ହେଇଯାଉ,
ସେଫ୍ଟିପିନ୍ ରେ ଅଟକି ଥାଉ ଆୟୁଷ,
ମୋଚିର ହାଡୁଆ ହାତରେ
ବଢୁଥାଉ ବୟସ ,
ସେଥିକୁ ନଜର ଦବାକୁ ବେଳ କାଇଁ !
ଅଳିଆଗଦାକୁ ନ ଯିବା ଯାଏ
ଘୋଷାଡି ହେଉଥାଏ
ଦୁଇଟି ପାଦର କବଚ ହୋଇ ।
ଠିକ୍ ତା'ରି ପରି ବାପାଟିଏ
ଘୋରି ହେଉଥାଏ ସାରା ଜୀବନ
ତା' କାନ୍ଧରେ ବସା ବାନ୍ଧିଥିବା ଜୀବନ ପାଇଁ ।
ଦୁଃଖ ବୁଜୁଳା ପିଠିରେ ପକେଇ
ସାଉଁଟୁଥାଏ ଖୁସୀର ଗଙ୍ଗଶିଉଳୀ ,
ରାତି ଦିନ ମାତିଥାଏ ତାଳଗଛ ଅଗରେ
ଝୁଲେଇଦବାକୁ ନିଦକ ନୀଡ଼ଟିଏ ,
ଭୁଲିଯାଇଥାଏ......
ନିଜର ବି ଜୀବନଟିଏ ଅଛି ।
ବୟସ ଗଡିଯାଏ ଆଗକୁ,
ସ୍ବପ୍ନମାନେ ରଙ୍ଗୀନ୍ ଡେଣା ନେଇ
ଉଡାଣ ଭରନ୍ତି ଆକାଶରେ ।
ହେଲେ ସେ......!
ଶେଷଯାଏ ସେମିତି ଘୋଷାଡି ହେଉଥାଏ
ନିର୍ବିକାର ଚିତ୍ତରେ,
ତା' ପୋଷା ପାଦମାନଙ୍କର
ମଙ୍ଗଳ ମନାସରେ ।।