ଦିବ୍ୟ ପଥ
ଦିବ୍ୟ ପଥ
ସେ ଯେଉଁ ଫୁଲ ମୁଁ ସାଉଁଟି ଆଣିଲି
ତଳେ ପଡି ଥିଲା ଲୋଟି,
ସେଇ ଫୁଲ ମୋତେ ମହକ ଦେଉଛି
ଜୀବନର ଶ୍ରେଷ୍ଠ ଭେଟି ।
ତୁମେ ତ ବୁଲିଲ କାନନ କାନନ
ତୋଳିଲ ସୁଗଂଧି ଫୁଲ,
ଆଜି କିଆଁ ବସ ମୁଣ୍ଡେ ହାତ ଦେଇ
ଖୋଜୁଛ ଦୁଃଖର ମୂଲ !!
ସଂସାର ହାଟରୁ ଦୁହେଁ ତ କିଣିଲେ
ଏକା ଦ୍ରବ୍ୟ ଏକା ଦାମେ,
ଘରେ ଖୋଲି ଦେଖେ ଖୁସି ମୁଁ କିଣିଛି
ଦୁଃଖରେ କାନ୍ଦୁଛ ତୁମେ !!
ଆସିଥିଲି ଦିନେ ଜଡ ପିଣ୍ଡ ହୋଇ
ନଥିଲା ଜଣା ଠିକଣା,
ଯାଉଛି ଆଜି ମୁଁ ଚେତନା ଟେ ହୋଇ
ପାଇଛି ମୋର ଅଗଣା ।
ଆସିବା ବେଳ ରେ ଭୂଲିଥିଲି ମୁଁହି
ଫେରିବାର ସେଇ ପଥ,
ଅନ୍ତର କହିଲା ଭୂଲିନା- ଭୂଲିନା
ଏଇ ସେ ଦିବ୍ୟ ପଥ ।
ଭକ୍ତ ଚରଣ ମଲ୍ଲ
14th August 2017.