ନ ଅରୀ ଯସ୍ୟ ସଃ
ନ ଅରୀ ଯସ୍ୟ ସଃ
ଚବିଶ ଘଣ୍ଟିଆ ଦିନଚର୍ଯ୍ୟା ଭିତରୁ
କେବେ କେମିତି କାଢିପାରେ କିଞ୍ଚିତ ସମୟ
ଦେଖେ କଥାକୁହା ସେ ଟିଭି ସ୍କ୍ରିନକୁ
ହଠାତ୍ ଟାଙ୍କୁରିଉଠେ ମୋ ସର୍ବାଙ୍ଗର ମର୍ଦପଣିଆ
ସତେକି ସ୍ୱାଧୀନତା ଦିବସରେ ପ୍ୟାରେଡ଼ କଲା ପରି ,
ଯେତେବେଳେ ଦେଖିଦିଏ ଅର୍ଦ୍ଧନଗ୍ନ ଅର୍ଦ୍ଧଜୀବନ୍ତ ନାରୀକୁ
ପୁଣି ତା'ର ଦୃଶ୍ୟ ଅଦୃଶ୍ୟ ଲୁହକୁ ।
ଧିକ୍କାର୍ ଆସେ ନିଜ ମର୍ଦପଣିଆ ପ୍ରତି
ସମାଜର ଶତ ଶତ ସଂସ୍କାର ନୀତି ଗୁଡାକ ପ୍ରତି
ସମ୍ବିଧାନର ସହସ୍ର ସହସ୍ର ନୀତି-ନିୟମ ଆଇନ-କାନୁନ ପ୍ରତି
ଲକ୍ଷ ଲକ୍ଷ ହୃଦୟ ଗୁଡିକର ଆଃ.. ହା.. ପ୍ରତି ।
ମୋ ମନରେ ଉଙ୍କିମାରେ ପ୍ରଶ୍ନଟିଏ
ବିରାଟ ପ୍ରଶ୍ନବାଚୀ ନେଇ
"ବାସ୍ତବରେ ନାରୀ କିଏ ?"
"ବାସ୍ତବରେ ନାରୀ କିଏ ?"
ସଠିକ୍ ଉତ୍ତର ନପାଇ ଦେଇଚାଲେ ଉଦାହରଣ ଗୁଡିକ
ମାଆ , ଭଉଣୀ , ପତ୍ନୀ ,ଝିଅ , ପ୍ରେମିକା....ଏମିତି କେ..ତେ.. ।
ଏଇଠୁ ବୁଝିପାରେ ନାରୀକୁ..
ତା'ଅସଂଖ୍ୟ ଗୁଣ ଗୁଡିକୁ..
ତା' ହୃଦୟର ଗଭୀରତାକୁ..
ଉତ୍ତର ଦିଏ-
"ଅଗ୍ନି ଯାହାଠୁ ଶିଖିଛି ଜ୍ବଳନ
ଆକାଶ ଯାହାଠୁ ଶିଖିଛି ବ୍ୟାପକତା
ବାୟୁ ଯାହାଠୁ ଶିଖିଛି ଶାଳୀନତା
ବାରି ଯାହାଠୁ ଶିଖିଛି ନିର୍ମଳତା
ମାଟି ଯାହାଠୁ ଶିଖିଛି ସହନଶୀଳତା
ତା'ନାଁ ପରା ନାରୀ
କେବେ ବଞ୍ଚି ନାହିଁ ଯାର ଅରୀ ।
ସାକ୍ଷୀ ଅଛି ଯୁଗ ଯୁଗ
ସତ୍ୟ ,ଦ୍ୱାପର ,ତ୍ରେତୟା ଯୁଗ ।
ସେ ମହାଭାରତ ହେଉକି ରାମାୟଣ
ସେ ଦ୍ରୋପଦୀ ହେଉକି ସୀତା ।
ଛାର୍ ଖାର୍ କରିଦେଇଛି ମହାପ୍ରତାପୀ ଭୀଷ୍ମ ପରି ଅନେକ ରଥୀକୁ
ଶତ ଭାଇ କୌରବକୁ
ମହାମାନୀ ମହାଜ୍ଞାନୀ ରାବଣକୁ ।
ତଥାପି ଆଜି ଏତେ ଶତ୍ରୁ
କିପରି କରନ୍ତି ଆକ୍ରମଣ
ତା' ଉନ୍ମୁକ୍ତ ମନକୁ , ଯୌବନକୁ , ହୃଦୟକୁ..
ମନେହୁଏ କେହିବି ତିଷ୍ଠିବେ ନାହିଁ
ଯେପରି ତିଷ୍ଠି ପାରିନଥିଲେ ସ୍ୱୟଂ ଶ୍ରୀକୃଷ୍ଣ
ସହସ୍ର ଗୋପୀଙ୍କ ଲୁହରେ
ମାତୃ ଆଖିର ଅଶ୍ରୁରେ..
ସମସ୍ତେ ମିଶିଯିବେ ଇତିହାସରେ..
ସେଇ ଧୂସର ପୃଷ୍ଠାରେ..କୌଣସି ଏକ ଲେଖନୀର କାଳିରେ....
ଶେଷରେ ସଠିକ୍ ବସିବ ସେଇ ପୁରୁଣା ସଂସ୍କୃତ ସଂଜ୍ଞା-
"ନ ଅରୀ ଯସ୍ୟ ସଃ" ।
ବଲବନ୍ତ ସାହୁ ( Bab-L-U )
ମୋ- ୯୦୭୮୧୦୫୨୩୪