କାହିଁକି ?
କାହିଁକି ?
କାହିଁକି ?
କାହିଁକି ଏ କାନ୍ଦ କାହିଁକି ବୋବାଳି
କାହିଁକି ସହିବ ଏ ମା !
ଛାତିରେ ତାର କାହିଁକି ଦରଦ
କାହିଁକି ଫୁଟିବ କଣ୍ଟା
ହେ ଭାରତ ର ଜନତା
କେତେ ତୁ ସହିବୁ ପଡୋଶୀ ରାଜ୍ୟ ର
ଦୁଃଖ ଭରା ଯନ୍ତ୍ରଣା ।
କେତେ ତୁ କାନ୍ଦିବୁ ହୃଦୟ ଚିପୁଡ଼ି
କୋଳେ ଚାପି ଧରି ତୋର ସନ୍ତାନ ।
ଦେ ସଦବୁଦ୍ଧି ! ଦେ ମା ସାହସ
ହେଉ ଭାବ ପରିବର୍ତ୍ତନ ।
ଭାଙ୍ଗିଯାଉ ଯେତେ ଦୁଃସାହସ ଘର
ଶତ୍ରୁ ର ହେଉ ବିନାଶ ।
ସାହସୀ ଯବାନ ଦେଉ ରେ ଜବାବ
ଗଢ଼ିଉଠୁ ନୂଆ ଇତିହାସ ।
କାହିଁକି ମାଗିବ ପ୍ରାଣ ବଳି ଆଉ
କାହିଁକି ରକ୍ତାକ୍ତ ହେବ ମାଟି
କେଉଁ ଅଧିକାରେ ସନ୍ତାନ ମରିବ
ଶତ୍ରୁ ଆଗେ ଛାତି ପାତି ।
କାହିଁକି ଲିଭିବ ମଥା ର ସିନ୍ଦୁର
କାହିଁକି କାନ୍ଦିବ ପତ୍ନୀ ।
ଲିଭିବ ଯଦି ରେ ଲିଭିଯାଉ ଯେତେ
କାପୁରୁଷତା ର ବହ୍ନି ।
କାହିଁକି କାନ୍ଦିବ ଭଉଣୀ ଭାଇର
କଟା ହାତେ ରାକ୍ଷୀ ଦେଖି।
କଟିବ ଯଦି ତ ମଥା କଟୁ ଶତ୍ରୁ ର
ରାକ୍ଷୀ ଡୋର ପଣ ରଖି ।
କାହିଁକି କାନ୍ଦିବ କଅଁଳା ଛୁଆ ଟା
ତା ବାପା ଶବ ଦେଖି
ହସ ଫୁଟୁ ସେଇ କୁନି କଢ଼ ମୁଖେ
ଯୁଦ୍ଧ ଫେରନ୍ତା ପିତାକୁ ଦେଖି ।
ସମୟ ଆସିଛି ଜାଗି ଉଠୁ ଆହେ
ବିର ଯବାନ ମାଟିର
ଜବାବ ଦେଉ ସେ ରକ୍ତ ବଦଳରେ
ପ୍ରତି ଟି ରକ୍ତ ବିନ୍ଦୁ ର ।
ଏ ଲଢ଼େଇ କେବଳ ନୁହଁ ଯବାନ ର
ଲଢ଼େଇ ମା ପାଇଁ ପୁଅ ର ।
ଏ ଲଢ଼େଇ କେବଳ ନୁହଁ ସିନ୍ଦୁର ର
ଲଢ଼େଇ ଭଉଣୀ ରାକ୍ଷୀ ର ।
ଏ ଲଢ଼େଇ କେବଳ ନୁହଁ ମା ପାଇଁ
ଲଢ଼େଇ ଆମ ସମ୍ମାନ ର।
ଭଗ୍ନ ହେଉ ଦମ୍ଭ , ନଗ୍ନ ହେଉ ଶତ୍ରୁ
ହସି ଉଠୁ ମାଆ ମୋର ।
କେତେ ବା ସହିବ ଦହନ ଗଞ୍ଜଣା
କେତେ ବହୁଥିବ ରକ୍ତ ।
ସମୟ ଆସିଛି ସୁପ୍ତ ସନ୍ତାନ ର
ଜାଗି ଉଠ ମାତୃ ଭକ୍ତ ।
©ଚନ୍ଦ୍ରକାନ୍ତ ପହି