ତୁମେ ଯିବା ପରେ
ତୁମେ ଯିବା ପରେ
ତୁମେ ଯିବା ପରେ
ଉଇଁନି ସୁରୁଜ
ଫାଟିନି ସିନ୍ଦୁରା
ହସୁନି ଘାସଫୁଲ
ପଡିନି କାକର ।
ତୁମେ ଯିବାପରେ
ଫୁଟିନି ଟଗର
ଝଡ଼ିନି ବାସିଫୁଲ
ବାସୁନି ଗୋଲାପ
ଶୁଖିଲାଣି ଗଛ ପତର ।
ତୁମେ ଯିବାପରେ
ଉଡ଼ୁନି ଗୋଧୂଳି
ଚାଳ ଉପରେ
ରାବୁନି କାଉ
ଆଉ ମନ୍ଦିରେ
ଶୁଭୁନି ଘଣ୍ଟି ।
ତୁମେ ଯିବାପରେ
ରାସ୍ତା ହୋଇଯାଇଛି
ନାଲି ରଙ୍ଗର ।
ରକ୍ତମୟ ହୋଇଯାଇଛି
ପଶ୍ଚିମା ଆକାଶ ।
ତୁମେ ଯିବାପରେ
ବାରିପଟ ଚଉଁରାରେ
ଆଉ ଜଳୁନି ସଞ୍ଜବତୀ
ଶୁଖିଲାଣି ତୁଳସୀ
କାନ୍ଥ ଫାଟି ଆଁ କଲାଣି
ଗିଳିବାକୁ ପୌରୁଷତ୍ବ ।
ତୁମେ ଯିବାପରେ
ରୋଷେଇଘରେ
ଲାଗିନି ନିଆଁ
ଲାଗିଛି କେବଳ ମନରେ,
ଆତ୍ମାରେ ପ୍ରାଣରେ ।
ଆଗୋ ଅଭିମାନୀ
ତୁମେ ଯିବାପରେ
ବାରମ୍ବାର ଜଳି ଉଠିଛି
ମନର ବନ ଟା
ଜଳିପୋଡ଼ି ଅଙ୍ଗାର ସାଜିଛି
ଏ ଭଙ୍ଗା ହୃଦୟଟା ।
ତୁମେ ଯିବାପରେ
କେହି ଆହା ବୋଲି
ପଦେ କହେନି !
ଖାଲି ଧୀକ୍କାର
କୁତ୍ସିତ ରଟନା ଶୁଣି ଶୁଣି
ବଧିର ହେଲାଣି ଛାତି ।
ତୁମେ ଯିବାପରେ
ବରଷା ହୋଇ ବହୁଛି
ଆଖି ଆକାଶରୁ ଲୁହ ।
ଦେହରେ ଫୁଟି ଉଠିଛି ତାତି
ତଥାପି ମଥାରେ ଚୁମ୍ବନଟେ
ଦେବାକୁ ଆସେ ନାହିଁ କେହି ।
ତୁମେ ଯିବାପରେ
ହଜି ଯାଇଛି ରାତି
ଖୋଜିବୁଲୁଛି ନିଦ
ଅହଙ୍କାରୀ ଅନ୍ଧକାର
ମନେ ପକାଉଛି
ବିଛଣାର ବେଡ଼ସିଟ୍ ତଳ
କୋମଳ ସ୍ପର୍ଶ ।
ତୁମେ ଯିବାପରେ
ଅସହ୍ୟ ହେଇ ପଡ଼ିଛି
ପୃଥିବୀ ଟା
କେମିତି ବଞ୍ଚିବି ତୁମ ବିନା !
କୋହ ଗୁଡ଼ା ବାରମ୍ବାର
ଚେଇଁ ଦେଉଛନ୍ତି
ଯମର ଚେଙ୍କଣା ଦେଇ ।
ତୁମେ ଯିବାପରେ
ତିଳେ ମାତ୍ର ଇଚ୍ଛା ନାହିଁ
ବଞ୍ଚିବାକୁ ପୃଥିବୀ ରେ
ମରିପାରୁନାହିଁ, ତୁମ
ସ୍ମୃତି କୁ ଧରି ସାଥିରେ ।
ଫେରିଆସ ! ଆଗୋ ସୁନୟନା !
ଫେରିଆସ !
