ଯା ଦେବୀ ସର୍ବ ଭୂତେଷୁ
ଯା ଦେବୀ ସର୍ବ ଭୂତେଷୁ
ଆଜି ଯଦିଓ ପ୍ରଥମ ଟ୍ରିପ ନଥିଲା, କିନ୍ତୁ ପ୍ରଥମ ଟ୍ରିପ ଭଳି ଅନେକ ଦୃଷ୍ଟାନ୍ତ ଥିଲା. ସେଦିନ ସାନ ଭାଇ, ଟୁଟୁ ବାହାଘର ରିସେପସନ ଦିନ ବିନିଙ୍କ ସ୍ୱାମୀଙ୍କୁ ଯେଉଁ କାମଟି ମିଳିଥିଲା, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ସ୍ପର୍ଶକାତରପୂର୍ଣ୍ଣ.ଭୋଜିକୁ ଅନିମନ୍ତ୍ରିତ ବ୍ୟକ୍ତି ସବୁ ଚାଲିଆସୁଥିଲେ ନିମନ୍ତ୍ରିତ ଭଦ୍ର ବ୍ୟକ୍ତିଙ୍କ ଭଳି ଭୋଜି ଖାଇବାକୁ ତ ଦେଖାଗଲା ଚିକେନ ସରି ସରି ଯାଉଛି, ଆଉ ଦୁଇଥର ମଗେଇବା ପରେ ମଧ୍ୟ ସେଇ ଅବସ୍ଥା ତ ଶେଷକୁ ବଡ଼ ଭିଣୋଇଙ୍କୁ ମିଳିଲା ଅତିଥିଙ୍କୁ ଚିହ୍ନି ଭିତରକୁ ଛାଡିବା, ଦାଇତ୍ୱ.ବଡ଼ ଭିଣୋଇ ମାନେ ବିନିଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ଅଲଗା ଭାବର ଲୋକ. ଲୋକଙ୍କୁ ଡାକି ହାକି ଭୋଜି ଖୁଆଇବାକୁ ବସେଇବା ତାଙ୍କ ପ୍ରଥମ ପସନ୍ଦ , ପୁଣି ବଳିପଡିଲେ ତାଙ୍କରି ଭାଷାରେ ଖଇରାତି କରେଇବା ମଧ୍ୟ ତାଙ୍କର କାମ ହେଇଥିଲା ବେଳେ ଏଠି ଶଳା ବାହାଘର ଭୋଜିରେ ଯେଉଁ କାମ ମିଳିଲା ସେଇଟା ତାଙ୍କୁ ଜମା ବି ଭଲ ଲାଗୁନଥିବା ବେଳେ, ସେ ଗୋଟେ ପିଲାକୁ ଧରିଲେ. ପିଲାଟି, ଅନିମନ୍ତ୍ରିତ ହୋଇଥିଲେ ବି ସାଙ୍ଗରେ ଗିଫ୍ଟ ଆଣିଥିଲା, ଆଉ ସେହି ଗିଫ୍ଟଟିକୁ ଖୋଲି ସେହିଠାରେ ଦେଖିଲା ବେଳକୁ ଖଣ୍ଡିଆ ସିଲଟଟିଏ ଥିଲା.ସୁନ୍ଦର ଭାବେ ପ୍ୟାକ କରାଯାଇଥିଲା. ସମସ୍ତେ ମିଶି ପିଲାଟିକୁ ଘଉଡ଼ାଇ ସାରିଥିଲେ ମଧ୍ୟ ଭିଣୋଇ ଅଜଣାତରେ କାନ୍ଦୁଥିଲେ, ସେକଥା କେହି ଦେଖିପାରୁନଥିଲେ ମଧ୍ୟ ବିନି ଉପଲବ୍ଧି କରିପାରୁଥିଲେ କାରଣ ତାଙ୍କ ସ୍ୱାମୀଙ୍କ ପିଲାଦିନ କଥା ତାଙ୍କୁ ଶାଶୁ କହିଥିଲେ. କଥାଟି ଥିଲା, ତାଙ୍କ ସ୍ୱାମୀ ଯେବେ ଛୋଟ ଥିଲେ ଆଉ ସ୍କୁଲରେ ପଢୁଥିଲେ ତାଙ୍କୁ ମିକୁ ବୋଲି ସମସ୍ତେ ଜାଣିଥିଲେ.
ସାର ଆଗରୁ କହି ସାରିଥିଲେ ଯେ ସବୁ ପିଲାମାନେ ତୁମ ପସନ୍ଦର ହିରୋମାନଙ୍କ ଫୋଟୋ ଗୋଟିଏ ଲେଖାଏଁ ଆଣି ଆସିବ, ତାପରେ ତୁମେ କାହିଁକି ତାଙ୍କୁ ଭଲପାଅ,କି ଭକ୍ତି କର , ଶ୍ରଦ୍ଧା କି ସମ୍ମାନ କର ଲେଖିବ. ତା ସହିତ ତାଙ୍କର ଫଟୋଟିଏ ଆଙ୍କିବ. ସବୁପିଲା ନିଜ ସହ ଗୋଟେ ଗୋଟେ ଫଟୋ ଧରି ଆସିଥାଆନ୍ତି. କିଏ ସାହାରୁଖ ଖାଁଙ୍କର, ତ କିଏ ଦିଲ୍ଲୀପ କୁମାର, କିଏ ଅଜୟ ଦେବଗନଙ୍କର ତ କିଏ ଜିତେନ୍ଦ୍ରଙ୍କର. ସବା ଲାଷ୍ଟ ଧାଡ଼ିରେ ବସି ମିକୁ କିଛି ଲେଖୁଥିଲେ ସତ ହେଲେ ଅନ୍ୟ ପିଲାମାନଙ୍କ ଭଳି ଫୋଟୋ ରଖି ପାଖରେ, ଦେଖି ଦେଖି ଚିତ୍ର ଆଙ୍କୁନଥିଲେ . ସାର ମିକୁ ବସିଥିବା ସ୍ଥାନରେ ଯାଇ ଦେଖିଲେ ମିକୁ ଗାନ୍ଧିଜୀଙ୍କର ଏକ ସୁନ୍ଦର ଛବି ଆଙ୍କିଛନ୍ତି , ଆଉ ଗାନ୍ଧୀଙ୍କ ବିଷୟରେ ଲେଖୁଛନ୍ତି . ସବୁ ପିଲାମାନେ, ସିନେମା ହିରୋ ମାନଙ୍କର ନାଚ, ଗୀତ, ଫାଇଟିଙ୍ଗ ଓ ଜୀବନ୍ତ ଅଭିନୟ ବିଷୟରେ ଲେଖିଲା ବେଳେ, ମିକୁ ଗାନ୍ଧିଜୀ କାହିଁକି ତାଙ୍କର ହିରୋ, ସେସବୁ ଲେଖିବା ଭିତରେ ଲେଖିଥିଲେ ଏମିତି କିଛି.
ଗାନ୍ଧୀ ତାଙ୍କ ପିଲାଦିନେ ବାପାଙ୍କ ପକେଟରୁ ପଇସା ନେଇ ଗୋଟେ ଗରୀବ ବାଳକକୁ ଦେଇ ଭଲ କାମ କରିଥିଲେ ମଧ୍ୟ, ଚୋରୀ କରିଥିବାରୁ ସତ ମାନି ବାପାଙ୍କୁ କ୍ଷମା ମାଗିବା କଥାଟି, ଶୁଣି ସେ ଲେଖିଚାଲିଥିଲେ, ମୁଁ କେବେ ଚୋରୀ କରିନାହିଁ. ମୋର ପ୍ରିଙ୍ଗଲ୍ସ ଚିପ୍ସ ଖାଇବାକୁ ଇଛା ଥିଲେ ମଧ୍ୟ, କେବେ ବାପାଙ୍କ ପକେଟ ବା ମାଆ ଭ୍ୟାନିଟରୁ ଚୋରୀ କରିନି. ତା ଛଡା ଗରୀବ ଭଳି ଜଣା ପଡୁଥିବା ବାଳକ ବାଳିକାଙ୍କୁ ଦେଖି ପ୍ରିଙ୍ଗଲ୍ସ ଚିପ୍ସ କେବେ ଖାଇବାକୁ ମାଆ ବାପାଙ୍କୁ ମାଗିନାହିଁ.ସେହି ଭଳି ଗାନ୍ଧିଜୀଙ୍କୁ ତାଙ୍କ ଗୁରୁ ପାଞ୍ଚଗୋଟି ଶବ୍ଦରୁ ଗୋଟିଏ ଭୁଲ ହୋଇଯାଇଥିବାରୁ, ପାଖ ପିଲାଠାରୁ ଦେଖିକରି ଅର୍ଥାତ କପି କରି ଲେଖିଦେବାକୁ କହିଥିଲେ ମଧ୍ୟ ସେ ଲେଖିନଥିଲେ. ପରବର୍ତ୍ତୀ ଜୀବନରେ ମହାତ୍ମା ରୂପେ ପରିଚିତ ହୋଇଥିବା ସେହି ବାଳକଙ୍କ ପିଲାଦିନ କପି ନକରିବାର ଭାବନା ମିକୁଙ୍କୁ ଖୁବ ଭଲ ଲାଗେ ବୋଲି ଲେଖିବା ସହ ପାଠ ପଢି ସାରଙ୍କ କଥା ମାନିବା ଉଚିତ ହେଲେ ମଧ୍ୟ, ଖାରାପ କଥା କହିବି ନାହିଁ, ଖରାପ କଥା ଶୁଣିବି ନାହିଁ, ଖରାପ କଥା ଦେଖିବି ନାହିଁ ସହିତ ଖାରାପ କଥା କରିବି ନାହିଁ ଗୁଣଟି ଗାନ୍ଧିଜୀଙ୍କଠୁ ଶିଖିବାକୁ ମତେ ଖୁବ ଭଲ ଲାଗେ ବୋଲି ଲେଖିଥିଲେ . ତାଙ୍କ ଲେଖାଟି ପଢି, ଭିତରେ ସାର କାନ୍ଦି ପକେଇଥିଲେ ମଧ୍ୟ ଉପରକୁ କହିଥିଲେ ମିକୁ ତୁ ଗାନ୍ଧିଜୀଙ୍କ ଫୋଟୋ ନଆଣି, ତାଙ୍କର ଏଡ଼େ ସୁନ୍ଦର ଛବି କେମିତି ଆଙ୍କି ପାରିଲୁ ରେ ବାବୁ?? ମିକୁ କହିଥିଲେ ତାଙ୍କ ଫଟୋ ମୋ ହୃଦୟରେ ରହିଛି ସାର. ତା ଛଡା ତାଙ୍କ ଛବି ଆଙ୍କିବା ଭାରି ସହଜ, ଧୋତି ପିନ୍ଧା ସାଙ୍ଗକୁ, ଅଣ୍ଟାରେ ଘଣ୍ଟା ବନ୍ଧା, ଆଖିରେ ଚଷମା ଓ ହାତରେ ବଙ୍କୁଲି ବାଡ଼ି ଧରିଥିବା ବାପୁ ଖୁବ ସୁନ୍ଦର. ତାଙ୍କ ପିଲାଦିନ ଛବି ମୋ ପାଖରେ ନାହିଁ, ପାଇଲେ ଆଣି ତାଙ୍କ ଚିତ୍ର ଆଙ୍କି ଦେଖେଇବି ସାର. ସାରଙ୍କ ପାଟିରୁ ଶବ୍ଦ ବାହାରି ନଥିଲା. ଗୁରୁ ଦିବସ ଦିନ ସବୁ ପିଲାଙ୍କୁ ଗୋଟିଏ ଲେଖାଏଁ ପ୍ରିଙ୍ଗଲ୍ସ ଚିପ୍ସ ଡବା ସହ ଗାନ୍ଧିଜୀଙ୍କ ପିଲାଦିନର ଫୋଟୋ ଖଣ୍ଡିଏ ଲେଖାଏଁ ବାଣ୍ଟି ସାର ମୁଗ୍ଧ ହେଲାବେଳେ ମିକୁ ଚମତ୍କୃତ ହୋଇଥିଲେ.ଏକଥା ଶୁଣେଇଲା ବେଳେ ଶାଶୁ କାନ୍ଦିପକାନ୍ତି କହନ୍ତି ମୋ ପୁଅ ଏ ଯୁଗର ନୁହଁ. ତା ମନରେ ଦୟା, କ୍ଷମା, ପ୍ରୀତି ମୈତ୍ରୀର ଫଲଗୁ ଧାର ବୋହୁଥାଏ ନିରନ୍ତର, ତେଣୁ ତାଙ୍କ ବିଚାରଧାରା ଉର୍ଦ୍ଧରେ ଭୋଜି ଖାଇବାକୁ ପଶିଆସୁଥିବା ଲୋକଙ୍କୁ ଠାଵ କରି ଧରିବା ଖୁବ କଷ୍ଟକର ବ୍ୟାପାର ଥିଲା ନିଶ୍ଚୟ.
ଏହି ପ୍ରଥମ ଟ୍ରିପ ପରି ଆଜି ମଳାଶୁରଙ୍କ ଘରେ ମଳାଶୁରଙ୍କ ମୃତ୍ୟୁ ବାର୍ଷିକୀ ଥିଲା. ଆଉ ସାନ ଶଳା, ନିଜ ଗାଡି ଆଣି ଘରୁ ଭଉଣୀ ଭିଣେଇଙ୍କୁ ନେଇ ଆସିଥିଲା ସାଙ୍ଗରେ. ପୁରୀର ଆଖଣ୍ଡଳ ମଣିଙ୍କ ପୀଠରେ, ପ୍ରଥମ ବ୍ୟାଚର ପଙ୍ଗତରେ ବସି ଯାଇ ଗାଡି ଡ୍ରାଇଭରକୁ ଖୋଜୁଥିଲେ ମିକୁ ଓରଫ ବିନିଙ୍କ ସ୍ୱାମୀ. ପଙ୍ଗତରୁ ଉଠିସାରିଲା ପରେ, ମାମୁଁ ଶଶୁରଙ୍କ ପୁଅ ଲିପୁ ଯେବେ କହୁଥିଲା ଦେଖୁଛନ୍ତି ଭାଇ ଏଠାରେ କେତେ ଅନିମନ୍ତ୍ରିତ ଲୋକ ପଶିଆସୁଛନ୍ତି. ଚମକି ପଡି ମିକୁ କହିଲେ ଆରେ ନା ନା ସେ ପରା ମୋ ଶଳା ମାନେ ତୋ ଟୁଟୁଭାଇ ଗାଡି ଡ୍ରାଇଭର. ମାମୁଙ୍କ ପୁଅ ଲିପୁ କହୁଥିଲା ନା ଭାଇ ସେ ନୁହେଁ ମ, ତାଙ୍କୁ ତ ମୁଁ ଜାଣେ, ଆହୁରି ଅନେକ ଲୋକ ପରା ଆସି ସାମିଲ ହେଇ,ବସିଯାଉଛନ୍ତି. ସେତେବେଳକୁ ବିନି ଲକ୍ଷ କରୁଥିଲେ, ସ୍ୱାମୀ ତାଙ୍କର, ମନ୍ଦିର ଦର୍ଶନାର୍ଥୀଙ୍କ ଭିତରେ ଦୁଇ ଚାରିଜଣ ଚିହ୍ନା ପରିଚୟ ଜଣାଶୁଣା ଲୋକଙ୍କୁ ପ୍ରସାଦ ସେବନ କରିଯାଆନ୍ତୁ ବୋଲି ଠାବ କରି ଡାକିବାକୁ ବାହାରିଥାନ୍ତି ତ ବିନି କହିଲେ ଏଠି ଆଉ ଗାନ୍ଧୀ ହୁଅନି. ଲିପୁ କହିଗଲା ଶୁଣିଲ ନାହିଁ?? ନିଅଣ୍ଟ ଅଣ୍ଟ ହେବ, ତୁମେ କାହିଁ ଚିହ୍ନାଜଣା ଲୋକ ଡାକି ବସେଇବ?? ବିନିଙ୍କ ଭାଇ, ଟୁଟୁ ମଧ୍ୟ ମନେ ପକେଇଦେଲା ମୋ ବାହାଘର କଥା ମନେ ନାହିଁକି ଭାଇ, କେମିତି, ଯେତେ ଚିକେନ ମଗେଇଲେ ବି ନିଅଣ୍ଟ ପଡି ଆଉ ଅଣା ଯାଉଥିଲା. ଶେଷକୁ ଆପଣ ଗୋଟେ ପିଲାକୁ ଧରିଥିଲେ.ମନେ ପକେଇଦେଲା ଭାଇ ଟୁଟୁ ସିନା ମିକୁ ବାବୁ କିନ୍ତୁ ଚହଲି ଗଲେ. ସେ ଭଙ୍ଗା ସିଲଟର କାହାଣୀ ଏଯାଏଁ ସେ ଭୁଲିପାରୁନଥିବା ବେଳେ କହୁଥିଲେ ନାଇଁ ନାଇଁ ପ୍ରସାଦ ବହୁତ ବଳିବ ନାଉଲୁ ଛାଉଲୁ ହେବା ଅପେକ୍ଷା ଲୋକ ଖାଇଦେଲେ ଭଲ, ମଙ୍ଗଳ ହେବ. ତୋ ବାହାଘରକୁ କଣ କମ ଚିକେନ ବଳିଲା ନା କଣ!ବାଣ୍ଟି ପାରିନଥିଲେ କେହି , ଖାଲି ଫିଙ୍ଗା ହେଲାବେଳେ ସେ ପିଲାଟି କଥା ମୋର ଖୁବ ମନେ ପଡିଲେବି, ମୋ ବାହାଘର ପରର ଶଶୁର ଘର ଭୋଜିର ପ୍ରଥମ ଟ୍ରିପ ହେଇଥିବାରୁ ମୁଁ ସେ ପିଲାକୁ ଠାଵ କରିପାରିନଥିଲି ନହେଲେ ତାକୁ କଣ ତା ପରିବାର ଡାକି ଚିକେନ ଦେଇଦେଇ ଥାଆନ୍ତି.
ଏତିକି କହୁ କହୁ ମିକୁ ବାବୁଙ୍କର ପରିଚିତ ସେହି ବ୍ୟକ୍ତି ବିଶେଷମାନେ ମିକୁ ବାବୁଙ୍କ ପାଖରେ ପହଞ୍ଚି ଯାଇଥିଲେ, ମିକୁ ବାବୁ ତାଙ୍କୁ ପ୍ରସାଦ ସେବନ ପାଇଁ ଡାକିବା ପୂର୍ବରୁ ତାଙ୍କ ଶଳା ଟୁଟୁ ସେମାନଙ୍କୁ ଆସନ୍ତୁ ଚା ପାନ କରିବା କହି ବାହାର ହୋଟେଲ ନେଇଯାଇଥିବା ବେଳେ, ମାମୁଁ ଶଶୁରଙ୍କ ପୁଅ ଲିପୁ କହୁଥିଲା କେତେ ପ୍ରସାଦ ବଳି ପଡିଲା ଭାଇ କଣ କରିବି ବୁଦ୍ଧି ବାଟ ଦିଶୁନି.ଠାକୁରଙ୍କ ପ୍ରସାଦ ନଷ୍ଟ ହେବ. ମିକୁ ବାବୁ ଉଠିଆସିଲେ ରାସ୍ତାକୁ ଯାହାକୁ ଦେଖିଲେ, ଆଜ୍ଞା କିଛି ଭାବିବେନି, ପ୍ରସାଦ ମୁଠେ ପାଇବା ହୁଅନ୍ତୁ କହି ନେଇଆସିଲେ ମନ୍ଦିର ଭିତରକୁ, ଦେବୀ ମାଆ ପାର୍ବତୀଙ୍କ ବେଢା ସାମ୍ନାରେ ନିଜେ କଦଳୀ ପତ୍ର ପକାଇ ପରଷିବା କାମରେ ଲାଗିପଡିବା ଦେଖି, ବିନି ଯେବେ ବିରକ୍ତ ହେଉଥିଲେ ଦୁଇ ଭାଇ କହୁଥିଲେ ତୁ ଭାଗ୍ୟବତୀ ଅପା. ଦେବୀ ତୋ ଉପରେ ପ୍ରସନ୍ନ ବୋଲି ଏମିତି ବର ପାଇଛୁ ମିକୁ ଭାଇଙ୍କୁ ଆମର.ସିଆଡେ ମିକୁ ଡାକ ପକେଇଥିଲେ ଅନ୍ନ ଦେବିକି?କାହାକୁ ପୁଣି ବଢ଼େଇଦେଉଥିଲେ ପାଣି ବୋତଲ. ସମସ୍ତେ ପ୍ରାୟେ ସନ୍ତୁଷ୍ଟରେ ପ୍ରସାଦ ପାଇ କହୁଥିଲେ ଯଜମାନଙ୍କ ଜୟ ହେଉ.ହସୁଥିଲେ ଦୁଇ ଶଳା କହୁଥିଲେ,ସାକ୍ଷାତ ଗୋପବନ୍ଧୁ ତ, ମିକୁ ଭାଇ ସାକ୍ଷାତ ଗାନ୍ଧୀ ଜାଣ ଭାଇ ଆମର. ପୁଣି ଗାଡିରେ ଆଣି ଦୁଆରେ ଭଉଣୀ ଭିଣେଇଙ୍କୁ ଛାଡ଼ି ଯିବା ବେଳେ ବିନି କାନ୍ଦିପକେଇଥିଲେ ଯେ ଦୁଇଦିନ ପରେ ରାକ୍ଷୀ, ତୁ ଅନ୍ତତଃ ରାକ୍ଷୀଟିଏ ନେଇଯା ଟୁଟୁ ମୋ ସୁନା ଭାଇ. ଅଟକି ଗଲା ଟୁଟୁ କହିଲା ହଁ ହଁ ଦେ, ନହେଲେ ଭାଇଙ୍କ ଟ୍ରିପ ଖରାପ ହେଇଯିବ.ଭାଇ ଆଣିଦେଇଥିବା ରାକ୍ଷୀ ତୋ ହାତରୁ ନନେଲେ ଦେବୀ ମାଆଙ୍କ ଆଶୀର୍ବାଦ ପାଇବା ସମ୍ଭବ ନୁହେଁ. ବିନି ଖୁସିରେ ରାକ୍ଷୀ ଆଣି ଦେଲା ବେଳେ ମିକୁ ଡାକ ଛାଡିଥିଲେ ଆରେ ତୋ ପାଇଁ ଷ୍ଟିମ କେକ ଆଣିଥିଲି ନେଇଯା. ଭାଇ ଭଉଣୀ ଦୁହେଁ ହସୁଥିଲେ.ଷ୍ଟିମ କେକ ସହ ମିକୁ ଭାଇ ପହଞ୍ଚି ଯାଇଥିଲେ ପୁଣି ଗାଡି ପାଖରେ. ଟୁଟୁ ଭଉଣୀ ଭିଣୋଇଙ୍କ ଗୋଡ ଛୁଇଁ ପ୍ରଣାମ କରୁ କରୁ ଟ୍ରିପ କେମିତି ଲାଗିଲା ଭାଇ?? ଉତ୍ତରରେ ମିକୁ ବାବୁ କହୁଥିଲେ ସବୁ ଅବଶୋଷ ଦୂର ହୋଇଗଲା ଆଜି. ହସି ହସି ରାକ୍ଷୀ ଧରିଭାଇ ଟୁଟୁର ଯିବା ବାଟକୁ ଚାହିଁ ବିନି କହୁଥିଲେ, ହେ ଦେବୀ ମାଆ, ମୋ ଭାଇକୁ ଆୟୁଷ ଆଶିଷ ଦେଇ ନିରୋଗ ରଖିଥା ମାଆ ଘଣ୍ଟଘୋଡେଇ.
