Narendra Sahu

Inspirational Tragedy

2.3  

Narendra Sahu

Inspirational Tragedy

ସଂପର୍କ ଚୋର

ସଂପର୍କ ଚୋର

4 mins
381


ଉଦୁଉଦିଆ ଖରାବେଳ,ଝାଞ୍ଜି ମୁହଁକୁ ଆସି ଲୋକମାନଙ୍କୁ କହୁଥାଏ,ଯେତେ କାମ ଥାଉ ନା କାହିଁକି ଜମାରୁ ଘରୁ ବାହାରକୁ ବାହରିବାକୁ ମନା କରୁଥାଏ । ଦିନ ୧୦ଟା ବାଜିଲେ ଲୋକମାନେ ଘର ଭିତରେ ତାଟି କବାଟ ପକେଇ ରହୁଛନ୍ତି । ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଏ ବର୍ଷର ଯୋଡା ଜ୍ୟେଷ୍ଠ ଅସହ୍ୟ ଗରମ ଗୁଳିଗୁଳିକୁ ଦ୍ୱିଗୁଣିତ କରି ଦେଉଥାଏ । ବାସନ୍ତୀକୁ ତା'ର ମାଆ ବାରବାର ମନା କରୁଥାଏ,ଆଉ ଦୁଇଟା ଦିନ ରହି ଯା ଖରାଟା ଟିକିଏ କମିଯାଉ,ମଉସୁମୀ ବରଷାଟି ହେଉ ତୁ ତୋର ଗାଆଁକୁ ଚାଲିଯିବୁ । ତା ଛଡା ତୋ ପିଲାମାନଙ୍କର ମଧ୍ୟ ସ୍କୁଲ ଖୋଲିବା ସମୟ ପାଖ ହୋଇଯିବ ସେତେବେଳକୁ ବୋଲି ବହୁତ କରି ବୁଝେଇଲେ ମଧ୍ୟ ବାସନ୍ତି ଜମାରୁ ବୁଝୁନି,ଓଲଟି ମାଆଟାକୁ କୁହେ ତୁ କଣ ଜାଣିବୁ ଲୋ ବୋଉ ଘରଟାରେ ତାଲା ପକାଇ ଦେଇ ଆସିଛି ଯେ ଚୋର ମାଳ ମାଳ ବୁଲୁଛନ୍ତି,ଘରେ ତେଣେ ଧାନ, ଚାଉଳ,ମୁଗ,ମାଣ୍ଡିଆ ସାଙ୍ଗକୁ ମୂଲଚାଲ ଲାଗି ଅରଜିଥିବା ୨୦ ହଜାର ଟଙ୍କା ରଖିଆସିଛି । ଆଉ ମୁଁ ଏଠି ରହିଲେ କି ଲାଭ କହି ନିଜର ଗଣ୍ଠିଲି ବାନ୍ଧୁ ବାନ୍ଧୁ ବାସନ୍ତୀର ୯ ବରଷର ବଡ ପୁଅଟି ଆସି କହିଲା,ଦେ ବୋଉ ମୋତେ କୋଉ ବ୍ୟାଗଟି ଦେବୁ ଦେ କହିବାରୁ,ପୁଅ ହାତକୁ ଗଣ୍ଠି ପକା କନା ବ୍ୟାଗଟି ବଢାଇ ଦେଇ ନିଜେ ସାନ ପୁଅଟିକୁ ଧରି ଆସୁଛି ବୋଉ କହି ମୁହଁ ମୁହଁ ଖରାରେ ଗାଁ ଛକକୁ ଯାଇ ଗାଡିକୁ ଅପେକ୍ଷା କରୁଥାଏ,କିଛି ସମୟ ପରେ ନିଜ ଗାଁ ଅର୍ଥାତ୍ ଶାଶୁଘର ଗାଁକୁ ଯିବା ନିମନ୍ତେ ଗାଡି ମିଳିଗଲା ।

ଗାଡିରେ ପ୍ରାୟ ଦୁଇଘଣ୍ଟା ବସିଲା ପରେ ସେ ଓହ୍ଲାଇବା ଛକଠାରୁ ପ୍ରାୟ ୩ କିମି ବାଟ ଚାଲି ଚାଲି ଯାଉଥାଏ । ଗାଆଁ ମୁହଁକୁ ହୋଇଥାଏ,ଏତିକି ବେଳେ ସମୟ ଆସି ୧୨ଟା ବାଜିସାରିଥାଏ । ରାସ୍ତାଘାଟ ଶୂନଶାନ୍,ବିଲୁଆ କି କୁକୁର ପିଲାଟିଏ ବି ରାସ୍ତାରେ ବୁଲୁନଥାଏ । ଠିକ୍ ଏତିକିବେଳେ ଗାଆଁ ମୁହଁରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଜଣେ ଅର୍ଦ୍ଧବୟସ୍କ ମୁହଁରେ ଦାଢି ମେଞ୍ଚା ମେଞ୍ଚା,ବାଳ ଗୁଡାକ ଜଟ ବାନ୍ଧିବାକୁ ବସିଲାଣି । ଆଖି ଦୁଇଟି ଦେଖିବାକୁ ଚାତକ ଭଳି,ସତେ ଯେମିତି ବହୁ ଦିନରୁ ହଜି ଯାଇଥିବା ଚିତ୍ରକୁ ଦେଖିବାକୁ ବ୍ୟାକୁଳ ହୋଇ ରହିଛି,କଳା କିଞ୍ଚିତ୍ ଚେହେରା ସ୍ମିତ ହାସ୍ୟ ବଦନରେ ବାସନ୍ତୀ ଓ ତା ପୁଅ ପଛେ ପଛେ ଚାଲିଆସିଲା ଏବଂ ତା ପୁଅ ଆଡକୁ ପ୍ଯାକେଟରେ ଥିବା ଚକୋଲେଟଟି ବଢାଇ ତାକୁ ପାଖକୁ ଡାକିବାର ବାସନ୍ତୀ ଦେଖିଦେଇ ପୁଅଟିକୁ ଟାଣି ଟାଣି ନେଇ ଦୌଡି ଗାଁ ଆଡକୁ ଚୋର ଚୋର କହି ରଡି କରି ଦଉଡି ଗଲା । ଗାଁ ଲୋକେ ଚୋର ଚୋର ବୋଲି ଶୁଣିବା ମାତ୍ରେ ଠେଙ୍ଗା,ବାଡି ଧରି ଦୌଡିଗଲେ ଗାଆଁ ମୁହଁ ଆଡକୁ ଏହାରି ଭିତରେ ସେଇ ଯୁବକ ଜଣକ ଗାଆଁ ଭିତରକୁ ଆସି ଯାଇଥାଏ । ସମସ୍ତେ ମିଳିମିଶି ତାକୁ କାବୁ କରି କିଏ ଠେଙ୍ଗାରେ,କିଏ ବାଡିରେ ମାଡ ମାରି ଲହୁଲୁହାଣ କରିଦେଲେ ଓ ଜଣେ ଗାମୁଛାରେ ତାର ହାତ ଦୁଇଟି ବାନ୍ଧି ପକାଇଲେ,ଟାଣି ଟାଣି ନେଇ ଗାଆଁ କୋଠ ଘରେ ବାନ୍ଧିଦେଲେ । ସନ୍ଧ୍ୟା ବେଳେ ଗାଁ ବାରପାଟୁଆ ବୈଠକ ଡକାଯାଇ,ବାସନ୍ତୀକୁ ପଚରା ଗଲା ଯେ ,ତୋର ପୁଅକୁ ଚକୋଲେଟ ଯାଚିଥିବା ଚୋର ଏଇ ଲୋକ ନା । ବାସନ୍ତୀ ମୁଣ୍ଡ ଟୁଙ୍ଗାରି ହଁ ଭରିଲା । ଯୁବକ ଜଣକ କାନ୍ଦି କାନ୍ଦି ହାତ ଠାରି ନାହିଁ ନାହିଁ କହୁଥାଏ,ଆଉ ନିଜ ବେକର ଦଉଡିରେ ଥିବା ରୂପାର ହନୁମାନ୍ ମୂର୍ତ୍ତୀ ଲକେଟ୍ ଦେଖେଇ ନିଜ ଆଡକୁ ହାତ ଦେଖେଇ କାନ୍ଦୁଥାଏ । ହନୁମାନ ଲକେଟ ଦେଖି ବାସନ୍ତି କହିଲା-ନାହିଁ ବାବୁମାନେ ଇଏ ଚୋର ନୁହେଁ ......ଇଏ ଚୋର ନୁହେଁ ବୋଲି କହି କହି କାନ୍ଦି ପକାଇଲା ।

ଗାଆଁ ମୂଖିଆ କହିଲେ- କଣ ହେଲା ଯୋଉ ଲୋକକୁ ତୁ ଟିକକ ଆଗରୁ କହୁଥିଲୁ ଚୋର ବୋଲି ଆଉ ତୋ ପୁଅକୁ ଚକୋଲେଟ ଯାଚୁଥିଲା ବୋଲି,ଏବେ ପୁଣି ମନା କରୁଛୁ?ଗାଁ ମୁଖିଆ ହାତରେ ଧରିଥିବା ଚାବୁକରେ ୨/୪ ଚାବୁକ ପ୍ରହାର କଲେ ଓ କହିଲେ କହ ସତ କହ ତୁ କୋଉଠୁ ରହୁଛୁ କଣ ପାଇଁ ଏ ଗାଁକୁ ଆସିଛୁ?ସେ ହାତ ଠାରି କହିଲା ମୁଁ ଚୋର ନୁହେଁ,ମୁଁ ଏ ଗାଆଁ ଲୋକ(ହାତ ଠାରରେ କହୁଥାଏ) । ଏହା ଦେଖି ମୁଖିଆ କହିଲେ ଦେଖୁଛ ନିଶ୍ଚୟ ଇଏ ବିହାରୀ କି ବଙ୍ଗାଳୀ ହୋଇଥିବ ,ନ ହେଲେ କିଛି କହିଥାନ୍ତା,ନା ଏମିତି ଚୁପ୍ ହୋଇ ରହିଥାନ୍ତା?ଏଇ ତୁମେ କିଛି କହୁନ କାହିଁକି,କହି ଦିଅ ଏମାନଙ୍କୁ ତୁମର ଅସଲ ପରିଚୟଟା କ'ଣ?ବୋଲି ବାସନ୍ତି କହିଲା । ଗାଁ ମୂଖିଆ କହିଲା ଆରେ ରହ ମ ଇଏ କଣ କହିବ,ୟା’କୁ ଆମ ଭାଷା ଆସୁଥିଲେ ସିନା ଇଏ କହିବ ଆରେ ଇଏ ବାହାର ଚୋର ତେଣୁ ମୁହଁ ଖୋଲୁନି ।

ହେଇଟି ଭଲରେ ମାନି ଯା ନ ହେଲେ ପୁଅ ଆଣ୍ଠୁଏ ଗାତ କରି ପୋତିଦେଇ ପେଜ ତୋରାଣି ଦେଇ ରଖିବୁ ଏଇଠି ବୋଲି ମୂଖିଆ କହିଲା । ବାସନ୍ତୀ ବିଚରା କାନ୍ଦି କାନ୍ଦି ନେହୁରା ହୋଇ କହିଲେ କିଏ କାହିଁ ବିଶ୍ୱାସ କରିବ ୟା’ର କଥାକୁ,ସେ ସିନା କିଛି ପାଟି ଖୋଲି କହିଲେ ଲୋକମାନେ ବିଶ୍ୱାସ କରିବେ । ସେ ଦିନ ପାଇଁ ବାରପାଟୁଆ ନ୍ୟାୟ ସେତିକିରେ ସ୍ଥଗିତ ରଖି,ତା ପରଦିନ ପାଇଁ ମହଲତ ଦେଲେ ଗାଁ ମୁଖିଆ ।

ସେଦିନ ବାସନ୍ତୀ ଯାହାକୁ ଚୋର ଚୋର କହିବାରୁ ଲୋକଟି ଅକଥନୀୟ ମାଡ ସିନା ଖାଇଲା । ,ବାସନ୍ତୀ କିନ୍ତୁ ନିଜକୁ କ୍ଷମା ଦେବା ପରିସ୍ଥିତିରେ ନ ଥିଲା । କାରଣ ଯୋଉ ଲୋକଟି ରାସ୍ତାରେ ତା ପୁଅ ଓ ତାର ପଛେ ପଛେ ହାତ ପସାରି କିଛି କହିବାକୁ ଯାଉଥିଲା,ବାସନ୍ତୀର ସାଧାରଣ ଭୂଲ ଯୋଗୁଁ ସେ ଯୋଉ ଦଣ୍ଡ ମୁଣ୍ଡ ପାତି ସହି ନେଉଛି ସେ ସହଜରେ ସେ ସବୁକୁ ଗ୍ରହଣ କରି ପାରୁନାହିଁ । ଯେତେବେଳେ ସେହି ଯୁବକର ବେକରେ ଝୁଲୁଥିବା ହନୁମାନ ଲକେଟ ଦେଖିଛି ସେ ତାର ସ୍ୱାମୀ ରଘୁଆକୁ ସହଜରେ ଚିହ୍ନି ପାରିଛି,ହଁ ଚିହ୍ନିବନି ବା କେମିତି ?ସେ ନିଜେ ପରା ସୂତା ଆଣି ତାକୁ ବନେଇ ରଘୁଆ ବେକରେ ପିନ୍ଧେଇ ଦେଇଥିଲା । ତେବେ ରଘୁଆ କଥା ନ କହି ନଦୀ ଧାରରେ ପଡିଥିବା ତୁଠ ପଥର ଭଳି ମାଡ ଗୁଡାକ ସହି ଯାଉଛି କାହିଁକି?ଆଉ ନିଜ ବଡ ପୁଅକୁ ଦେଖି ତାକୁ କିଛି ନ କହି ତା ପଛେ ପଛେ ଯିବାର କାରଣ କଣ?ଏ ସବୁ ଭାବି ଭାବି ବାସନ୍ତୀ ଯେମିତି ଅଣ ନିଃଶ୍ୱାସୀ ହୋଇ ଯାଉଥାଏ । ନିଜ ଆଖିର ଲୁହକୁ ପୋଛି ଟିକେ ପ୍ରକୃତିସ୍ଥ ହୋଇ ସେ ରଘୁଆ ପାଖକୁ ଯାଇ ତାକୁ ପଚାରିଲା ତୁମେ କାହିଁକି କିଛି କହୁନାହଁ?କଣ ହୋଇଛି ତୁମର?କୁହ କହିଦିଏ ଏମାନଙ୍କୁ ତୁମେ ମୋ ସ୍ୱାମୀ ରଘୁଆ ବୋଲି । ଗାଆଁ ଲୋକେ ପରସ୍ପରକୁ ଚାହିଁ ଆଶ୍ଚର୍ଯ୍ୟ ହୋଇ ରହିଥାନ୍ତି  । କାରଣ ଯଦି ଇଏ ରଘୁଆ ତା ହେଲେ ଇଏ କାହିଁକି ତା ପୁଅକୁ ଟଣା ଓଟରା କରୁଥିଲା?ଆଉ କାହିଁକି ଏଭଳି ଗୋଟିଏ ଗୁଗା ଭଳି ସବୁ ସହି ଯାଉଛି । ଶେଷରେ ରଘୁଆ ନିଜ ପ୍ଯାକେଟରୁ ଗୋଟିଏ କାଗଜ ବାହାର କରି ବାସନ୍ତୀ ହାତରେ ଧରେଇ ଦେଇ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।

ବାସନ୍ତୀ ଚିଠିଟିକୁ ପଢିଲା ଓ ଜାଣିବାକୁ ପାଇଲା ଯେ ୬ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିବା ରଘୁଆର ଗୋଟିଏ ବଡ ଦୁର୍ଘଟଣାରେ ଉଭୟ ସ୍ମୃତି ଶକ୍ତି ଓ ବାକ୍ ଶକ୍ତି ଚାଲି ଯାଇଛି । ସେ ପାଗଳଙ୍କ ଭଳି ବୁଲୁ ବୁଲୁ ହଠାତ୍ ଦିନେ ତାର ସ୍ମୃତି ଶକ୍ତି ଫେରି ପାଇଲା,ମାତ୍ର ବାକ୍ ଶକ୍ତି ନ ପାଇ ସେ ମୁକ ପାଲଟି ଯାଇଛି । ଆଉ ଗାଆଁକୁ ଆସି ଦେଖେ ତ ଘରେ ତାଲା ଝୁଲୁଛି  । ଗାଆଁ ଲୋକେ ବି ତାର ଏ ଦାଢି ଓ ଘଞ୍ଚ କେଶ ଦେଖି କେହି ତାକୁ ଚିହ୍ନି ନ ପାରିବାରୁ ,ସେ ଗାଁ ମୁଣ୍ଡରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରହୁଅଛି । ଆଉ ଯାହା ଘଟିଲା ସେଇଟା ହେଉଛି ନିଜ ପିଲା ପରିବାର ଦେଖି ଟିକେ ଅତୀତକୁ ସାଉଁଟି ସଂପର୍କକୁ ମଜବୁତ୍ କରି ସମସାରକୁ ନୂଆ କରି ଗଢିବାକୁ ପ୍ରୟାସ ଜାକି କରୁଥିଲା ବେଳେ ଏବକାର ପରିସ୍ଥିତିରେ ରଘୁଆ ସଂପର୍କ ଚୋର ସାଜି ସଜା ପାଇଅଛି । (ସମାପ୍ତ)

ରଚନା: ନରେନ୍ଦ୍ର


Rate this content
Log in

Similar oriya story from Inspirational