Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Binay Mohapatra

Tragedy Inspirational


4  

Binay Mohapatra

Tragedy Inspirational


ସନାତନ

ସନାତନ

10 mins 529 10 mins 529

ସନାତନ ଆମ ଗାଆଁର ସେମିତି କୋଉ ବଡ ନାମଜାଦା ଲୋକ ନଥିଲା ନା ବଡ ଚାଷୀଟାଏ ଥିଲା । ବେଶି ପାଠୁଆ ନଥିଲା କି ସେମିତି କିଛି ବଡ କିମ୍ବା ଛୋଟ ମୋଟ ନେତାଟିଏ ବି ନଥିଲା, ଆପଣମାନେ ଭାବୁଥିବେ ମୁଁ ତା ବିଷୟରେ କିଛି କହିବାକୁ କାହିଁକି ବାଛିଲି ? ଏତେ ଲୋକ ଗାଆଁରେ ଆଛନ୍ତି, ସେମାନଙ୍କ ବିଷୟରେ କହିବାକୁ ବହୁତ କିଛି ମସଲା ମିଳିଥାନ୍ତା, ହେଲେ ସେମାନଙ୍କୁ ଛାଡି ମୁଁ ସନେଇ ମାନେ ସନାତନ କଥା କହିବାକୁ କାହିଁକି ଭାବିଲି ?


ଏଇଥି ପାଇଁ କହୁଛି ସନେଇ କଥା, କାରଣ ତା ଘରଟା ଆମ ଗାଆଁ ମୁଣ୍ଡରେ, ମେଲଣ ପଡିଆ ପାଖ ଯେଉଁ ବରଗଛଟା ତାଠାରୁ ଅଳ୍ପ ଦୂରରେ । ତା ଅଗଣାରେ ଠିଆହେଲେ ବରଗଛଟା ପୁରା ଦେଖାଯାଏ । ବରଗଛ ତଳେ କିଏ ବସିଛି କିଏ ଠିଆ ହୋଇଛି ପୁରା ଚିହ୍ନି ହୋଇଯାଏ । ସନେଇ ହେଉଛି ଆମ ସମାଜର ଗୋଟିଏ ନିର୍ଭିକ ସୈନୀକ । ଦେଶର ସୀମାର ବନ୍ଦୁକଧରି ପହରାଦେଉନିସିନା ହେଲେ ଦେଶସେବା କରିବାକୁ ଦେଶବାସୀଙ୍କ ଥାଳିରେ ଭାତମୁଠାଏ ଦେବାକୁ ହଳ ବଳଦ ନେଇ ଭାଗ ଜମିରେ ତାର ରକ୍ତ ନିଗାଡି ଦିଏ । ଛନ୍ଦ କପଟ ଜାଣେନା, ରାଜନୀତିରେ ମୁଣ୍ଡ ଖେଳାଏନି । ଦେଶ କଥା ଜାଣେନା, ହେଲେ ତାର ଅଜାଣତରେ ଦେଶପାଇଁ କେତେକାମ କରିଯାଏ । କୃଷକଟିଏ ତାର ଜମିରେ ତାର ଝାଳନିଗାଡିଦିଏ । ତାଆରି ଝାଳନିଗିଡା ଫସଲୁ ଅସଲ ଲାଭ ବେପାରୀ ଖାଇଯାଏ ଆଉ ତାରି ପିଶ୍ରମର ଫଳ ଆମ ଖାଇବା ଥାଳିରେ ପରଶି ଦିଆଯାଏ । ସେମିତି ନିରିହ ଚାଷିଟିଏ ସନିଆ । ଦିନେ ତାକୁ ପଚାରିଲି, ଆରେ ସନେଇ ତୁ ଶୁଣିଛୁ ! ଆମ ନେତା କହୁଛନ୍ତି ଭଲ ଦିନ ଖୁବ୍ ଶିଘ୍ର ଆସିବ ! ସମସ୍ତଙ୍କର ସପନ ପୁରା ହୋଇଯିବ । ଭଲ ଦିନ କହିଲେ ତୁ କଣ ଭାବୁ ? ସନେଇ ଯାହା ଉତ୍ତର ଦେଲା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସତରେ କହନ୍ତି ମାଟିର ମଣିଷଟିଏ, ଯିଏ ମୁଣ୍ଡରୁ ନୁହେଁ ହୃଦୟରେ ଭାବେ । ସନେଇ କହିଲା, ଆଜ୍ଞା, ଯେଉଁଦିନ ମୋ ବୁଢିମାଆ, ମୋ ପୁଅ, ଝିଅ, ମୋ ସ୍ତ୍ରୀ ଦି ବକତ ପେଟ ପୁରେଇ ଖାଇବେ, ଯେଉଁ ଦିନ ଝଡି ବର୍ଷାରେ ମୋ ଚାଳରୁ ପାଣି ଗଳିବନି, ଶୀତ କାକରରେ ମୋ ପିଲାଏ ହନ୍ତସନ୍ତ ହେବେନି କି ମୋ ପରିବାରର କେହିବି ରୋଗ ଯନ୍ତ୍ରଣା ଭୋଗି ଔଷଧ ଟୋପାଏ ନପାଇ ମରିବନି ସେଇଦିନ ଆସିବ ଭଲଦିନ । ସନିଆପାଇଁ ସେ ଭଲ ଦିନ କେବେ ଆସିବ ? ଏ ପ୍ରଶ୍ନ ମୋତେ, ଆପଣଙ୍କୁ, ମୋ ଦେଶର ଶହେକୋଟିରୁ ଅଧିକ ଜନତା ମୋ ଦେଶର ରାଜନେତାଙ୍କ ପାଇଁ ଏକ ଯକ୍ଷପ୍ରଶ୍ନ । ଯାହାର ସିଧାସଳଖ ଉତ୍ତର ଆମ କାହା ପାଖରେ ନାହିଁ । ସନିଆ କଣ ବହୁତ କିଛି ଆଶାକରି ବସିଛି ??


ସନାତନର ଛୋଟ ପରିବାରଟିଏ । ପରିବାର କହିଲେ, ବୁଢି ମାଆ, ସ୍ତ୍ରୀ ସୁମତି, ବଡପୁଅ ବିକାଶ, ଏଇ ଦୋଳକୁ ନଅ ପୁରି ଦଶ ଚାଲିଲା, ଗାଁ ପ୍ରାଇମରୀ ସ୍କୁଲରେ ପଞ୍ଚମରେ ପଢେ, ଝିଅ ସାନ, ଆଠ ବର୍ଷର କେତକୀ ତାର ନାଆଁ, ତୃତୀୟଶ୍ରେଣୀରେ ପଢେ । ସନିଆର ବାପା ତ ଯେତେବେଳେ ସେ ଛୋଟପିଲା ଥିଲା ସେବେ ମରି ଯାଇଥିଲା, ମାଆ ଥିଲା ବୋଲି ସନେଇ ମଣିଷ ହେଲା, ହାତକୁ ଦି ହାତ ହେଲା । ବୁଢିମାଆ ଖୁବ୍ ସମ୍ଭାଳି ଥିଲା ଘରକୁ । ସନିଆ ସେତେବେଳ ଆଠ ବରଷର ଥିଲା, ସନିଆର ବାପା କୋଉ ଅଜଣା ବେମାରୀରେ ମରିଗଲେ । ବଇଦେ କହୁଥିଲେ କୁଆଡେ ରାଜଯକ୍ଷ୍ମା ହେଇ ଯାଇଥିଲା ବୋଲି । ପ୍ରଥମେ ତ କାଶ ହେଲା, କାଶି କାଶି ନୟାନ୍ତ ହେଲାରୁ ବଇଦକୁ ଦେଖାଇଲେ, ଜମିବାଡିତ କିଛି ନଥିଲା, ମୂଲଚାଲ କରି ଘର ଚଳଉଥିଲା । ପଥି ପାଞ୍ଚଣ ପାଇଁ ରୁଣ କରଜ କିଏ ବା ଦେଇ ଥାଆନ୍ତା ! ବଡ କଷ୍ଟରେ କେଉଁଠୁ କେଉଁଠୁ ଧାର ଉଧାର କରି ସନେଇର ମାଆ ତା ବାପାକୁ ବଇଦ ପାଖକୁ ନେଇଥିଲା । ବଇଦେ କିଛି ଔଷଧ ଦେଲେ, ମାସ ଦିଟାରେ ହାଡ କଙ୍କାଳ ଦିଶିଗଲା ସନେଇ ବାପର । ତା'ପରେ କାଶରେ ରକ୍ତ ପଡିଲା, ଦିନ ପନ୍ଦରଟାରେ ସବୁ ଶେଷ ।


ସନେଇ ମାଆ ବହେ କାନ୍ଦିଲା, ଶେଷକୁ କପାଳ ଆଦରି ପଡି ରହିଲା, ସନେଇର ମୁହଁକୁ ଚାହିଁ । ଘର ଘର କାମ କରି, ସନେଇକୁ ବଡ କଲା । ସନେଇ ଟିକେ ପାରିବାର ହେଲାରୁ ମୂଲ ଲାଗିବା ଆରମ୍ଭ କରିଦେଲା । ମାଆ ପୁଅ ମିଶି କାମରେ ଲାଗିଗଲେ, ଦି ପଇସା ଅଧିକ ଘରକୁ ଆସିଲା । ଖାଇବାକୁ ଦି'ଜଣ ମଣିଷ, ଦୁନିଆର ସ୍କୁଲ, ଜୀବନ ବିଷୟରେ ବହୁତ କିଛି ଶିଖେଇ ଦେଇଥିଲା ବୁଢିକୁ ତା ଜୀବନକାଳ ଭିତରେ । ଆଗକଥାକୁ ଭାବି ବୁଢି ଦି ଦିପଇସା ଏକାଠି କରିବାରେ ଲାଗିଗଲା । ବରଷ ଦିଟାରେ ଏତିକି ତ ହୋଇଗଲା କି ଯୋଡିଏ ବଳଦ ଆଉ ହଳ ନଙ୍ଗଳ କିଣି ହୋଇଯିବ । ଭାବିଲା ହଳ ଲଙ୍ଗଳ ହୋଇଗଲେ ସନେଇ ଆଉ ଅଧିକ ଦିପଇସା ରୋଜଗାର କରି ପାରିବ । କିଛି କିଛି ଅଧିକ ଜୋଡିଲେ ସନେଇକୁ ହାତକୁ ଦି ହାତ କରିଦେଇ ଘରକୁ ବୋହୁ ଆଣିବ । ତେଣିକି ସନେଇର ସଂସାର ଦେଖି ନିଶ୍ଚିନ୍ତରେ ତା ଆଖି ବୁଜିବ, ନହେଲେ ଆର ପୁରକୁ ଯାଇ ସନେଇ ବାପାକୁ କଣ କହିବ !


ଭୋକ ହିଁ ମଣିଷର ପରମ ମିତ୍ର, ହିତୈଷୀ । ଭୋକ ନଥିଲେ ହୁଏତ ମଣିଷଜାତି କେଉଁ ଯୁଗରୁ ସମାପ୍ତ ହୋଇ ସାରନ୍ତାଣି । ମଣିଷର ସବୁ ପ୍ରେରଣାର ଧାରା ଭୋକରୁ ହିଁ ଆସେ, ଏଇ ଭୋକ ହିଁ ମଣିଷକୁ ଜୀବିତ ରଖିଛି । ଭୋକ ଖାଲି ପେଟରେ ନଥାଏ । ଭୋକ ପାଇଁ କିଏ ଦେହ ବିକୁଛି ତ କିଏ ନିଜ ଦେହର ଭୋକ ମେଣ୍ଟେଇବାକୁ ଦେହ କିଣୁଚି । ଭୋକ କ୍ଷମତା ପାଇଁ, ଭୋକ ନାଆଁ କରିବା ପାଇଁ, ଭୋକ ଜ୍ଞାନ ପାଇଁ, ବିଜ୍ଞାନ ପାଇଁ, ଭୋକ ଇଶ୍ୱର ଭକ୍ତି ପାଇଁ ଏମିତି ଅନେକ ଭୋକ । ଏଇ ଭୋକ ମଣିଷକୁ ସକାଳୁ ଉଠଉଚି ଆଉ ଦିନସାରା ବଦଳ ପରି ଖଟଉଚି । ଭୋକ ନ ଥିଲେ କିଏବା କାହିଁକି ସକାଳୁ ଉଠନ୍ତା କି ରାତି ରାତି ନଶୋଇ ଚବିଶଘଣ୍ଟା, ଘଡିର କଣ୍ଟା ପରି ଟିକ୍ ଟିକ୍ କରି କାମରେ ଲାଗି ଥାଆନ୍ତା ? ଯେତେବେଳେ ମଣିଷର ଭୋକ ସମାପ୍ତ ହୋଇଗଲା, ଜାଣ ସେତେବେଳେ ମଣିଷଟି ବି ସମାପ୍ତ ।


ସରକାର ଦିଟଙ୍କିଆ ଚାଉଳ କରି ଖଟିଖିଆ ଲୋକଙ୍କର ପେଟର ଭୋକକୁ ମାରିଦେଲେ ଆଉ ମାରିଦେଲେ କାମିକା ମଣିଷମାନଙ୍କର କାମ କରିବାର ଇଚ୍ଛା ଏବଂ ଆବଶ୍ୟକତାକୁ, ଆଉ ସେମାନଙ୍କର କାମ କରିବାର ଭୋକକୁ । ସରକାର ଗୁଡାଏ ନିକମ୍ମା ଅଳସୁଆ ଲୋକରେ ଭରିଦେଲେଣି ଦେଶଟାକୁ । ସରକାର ତ ରାଜନୀତି ଖେଳୁଛନ୍ତି । ଦାନା ଦେଖାଇ ଡେଣା କାଟି ଦେଉଛନ୍ତି । ଗୁଡାଏ କ୍ରୀତଦାସ ତିଆରି କରୁଛନ୍ତି ଦି ଟଙ୍କିଆ ଚାଉଳ ବଦଳରେ । କାଲି ପୁଣି ଭୋଟ ହେବ, ସେତେବେଳେ ଏଇ ନିକମ୍ମା ମାନେ ତ କାମରେ ଆସିବେ । ଜୟ ଜୟକାର କରିବେ ପୁଣି ଭୋଟ ଦେଇ ଜିତେଇ ଦେବେ । ଆଉ ଅନେଇ ବସିବେ ଚାତକଙ୍କ ପରି । ପୁଣି ମହାଭାଗ କେଉଁ ଦୟାର ବୃଷ୍ଟି କରିବେ । ମାଗଣାରେ ଅମୁକ ମିଳିବ ସମୁକ ମିଳିବ । ଗୁଡାଏ ମାଗଣାଖିଆ ନିକମ୍ମା ମଣିଷଙ୍କର ଦେଶ ବନିଯିବ, ଏବଂ ଏଇ ଶସ୍ୟ ଶ୍ୟାମଳା ଭୁଇଁ ଦିନେ ଟାଙ୍ଗରାଭୂଇଁ ପାଲଟି ଯିବ ।


ପେଟ ଚାଖଣ୍ଡଙ୍କ ପାଇଁ ସମସ୍ତେ ଅନେଇ ବସିଛନ୍ତି ଏଇ କୃଷକର ହାତକୁ । ସକାଳୁ ବ୍ୟାଗ୍ ଧରି ହାଟ ବଜାରରେ ବୁଲି ବୁଲି ଖୋଛୁଛନ୍ତି ବାଇଗଣ ଗଣ୍ଡେ କି ଶାଗ ବିଡାଟେ ପାଇଁ । ଚୁଲି ମୁଣ୍ଠରେ ଘରଣୀ ଅନେଇ ବସିଛି ଚାଉଳଗଣ୍ଡେ କି ଅଟା ଦିମୁଠା ପାଇଁ । ଖାଇଲା ବେଳେ କିଏ କଣ ମନେ ପକାଏ ସେହି ଅନ୍ନଦାତା 'ବିଚରା ଚାଷିଟିଏ'ର କଥା ? ହଁ ବେପାରୀ ବାପୁଡା ଖାଲି ଅନେଇ ବସିଛି । କେତେବେଳେ କ୍ଷେତରେ ଧାନ ପାଚିବ କି ପିଆଜ, ଟମାଟର ଫଳିବ । କ୍ଷେତ ମୁଣ୍ଡରୁ ଆଠଣି ଚାରଣି ଭାଉ ଦେଇ ପିଆଜ ଟମାଟର କିଣି ନେବ ଆଉ ବଜାରରେ ପଚାଷ ଶାଠିଏ ଟଙ୍କାରେ ବିକିବ । ବିଚରା ଚାଷି ଝାଳ ରକତ ନିଗାଡି ଦେଇ ଖାଲି ହାତରେ ଅନେଇ ବସିଥିବ, ରୁଣ କରଜ କେଉଁଠୁ ମିଳିବ ଆସନ୍ତା ଫସଲ ପାଇଁ । କରଜ ଶୁଝି ନପାରିଲେ ପାଞ୍ଚ ହାତର ଦଉଡିରେ ଗଛଡାଳରେ ଝୁଲେଇ ଦେବ ନିଜକୁ ।


ଯେତେବେଳେ ସନେଇର ସାଇ ଭାଇ ଭେଣ୍ଡିଆ ପଲକ ପିଣ୍ଡାରେ କି ଗାଆଁ ମୁଣ୍ଡ ବରଗଛ ଚବୁତରାରେ ବସି ତାସ ଖେଳରେ ମସଗୁଲ ହେଉଥାନ୍ତି, ସେତେବେଳେ ସନେଇ ଲାଗିଥାଏ ତା କାମରେ, ନିଜର ଜମି ବୋଇଲେ ତ ଖାଲି ଘରଡିହ ଖଣ୍ଡକ । ତେଣୁ ମାହାନ୍ତି ଘର ଜମି ଭାଗରେ ଚାଷ କରେ । ମାହାନ୍ତି ବୁଢା ଆଗରୁ ନିଜେ ଚାଷ କରୁଥିଲେ, ଦି' ଦିଟା ହଳିଆ କାମ କରୁଥିଲେ କ୍ଷେତରେ । ଦି ହଳ ବଳଦ ବନ୍ଧା ହେଉଥିଲେ ଗୁହାଳରେ ଆଉ ବଉଳା ଗାଈର ଗୁହାଳ ଅଲଗା । ପିଲାମାନେ ପାଠଶାଠ ପଢି ବଡ ବଡ ଅଫିସର ହେଲେ, ଏବେ ପିଲାଛୁଆଙ୍କୁ ନେଇ ସହରରେ ରହୁଛନ୍ତି । ବୁଢାକୁ ମନା କରିଦେଲେ ଚାଷବାସ କରିବାକୁ, ଆଜି କାଲି ଚାଷରେ କିଛି ଲାଭ ନାହିଁ । ବଜାରରେ ତ ସବୁକିଛି ମିଳି ଯାଉଛି କିଣିବାକୁ । ଚାଷକରି କାଦୁମାଟିରେ ଏତେ ହନ୍ତସନ୍ତ ହୋଇ ଲାଭ କଣ ? ଏକ୍ ତ ହଳିଆ ରହିବାକୁ ଲୋକ ମିଳିଲେନି, ଉପରେ ଆଜିକାଲି ମୂଲିଆ ବି ମିଳୁ ନାହାନ୍ତି କଣ ଗୋଟାଏ କାମ କରିବାକୁ । ହଳ ବଳଦ କଥା କିଏ ବୁଝିବ, ଜମିବାଡି ଚାଷ କିଏ କରିବ ? ତା ଉପରକୁ ଏତେ କଷ୍ଟକରି ପଇସା ଖର୍ଚ୍ଚ କରି ଚାଷ କରିବ, ଠିକ ସମୟରେ ଇନ୍ଦ୍ରଦେବତା ନାରାଜ ହେଲେ କି ପୋକ ଲାଗିଗଲେ ସବୁ ସରିଲା, ବର୍ଷ ଯାକର ମେହେନତ ଚୁଲିକୁ ଗଲା । ଚାଷରେ ଆଉ ମନ ବଳୁନି ମାହାନ୍ତି ବୁଢାର । ଏବେ ଜମିଯାକ ସବୁ ପଡିଆ ପଡିଛି ।


ଦି ବର୍ଷ ଆଗରୁ ଦୋଳ ମେଲଣ ଜାତରେ ମାହାନ୍ତି ବୁଢା ସାଙ୍ଗରେ ଦେଖା ହୋଇଗଲା ସନେଇର । ସନେଇ ଓଳଗି କରିଲା, ମାହାନ୍ତି ବୁଢା ଗାଆଁରେ ଜଣେ ପୁରୁଖା ଲୋକ, ସମସ୍ତଙ୍କୁ ଚିହ୍ନନ୍ତି, ଜାଣନ୍ତି । ଗାଆଁ ମାମଲତରେ ତାଙ୍କୁ ଡାକନ୍ତି ନ୍ୟାୟ ନିଶାପ କି ଭାଇଭାଗ ସମୟରେ । ସନେଇର ମାଆ ନାଆଁ ଧରି ପଚାରିଲେ ତୁ ପଞ୍ଚେଇ ପୁଅନା' ସନେଇ ହଁ କଲାରୁ ଦୁଃଖ ସୁଖ ସବୁ ପଚାରିଲେ, ତୋ ମାଆ କେମିତି ଅଛି ? ପୁଣି କହିଲେ, ବିଚାରି ଭାରି କାମିକା ମାଇପିଟାଏ, ସବୁବେଳେ ତୋଅରି କଥା କହେ ତୋଅରି ଚିନ୍ତା କରେ । ପୁଣି ପଚାରିଲେ, ଆଜିକାଲି କଣ କରୁଚୁ ତୁ ? ସନେଆ କହିଲା ତା ହଳ ବଲଦ କଥା, ଆଜି କାଲି କିଏ ଡାକିଲେ ଦିନ ମଜୁରୀରେ କ୍ଷେତ ଜୋଚି ଦଉଚି । ମାହାନ୍ତି ବୁଢା କହିଲେ, ଭଲ, ଭଲ, ତୁ ତୋ ମାଆ ପରି କାମିକା ପିଲାଟିଏ ! ଦେଖୁନୁ ଆଜିକାଲି ଜୁଆନ ଭେଣ୍ଡିଆ ଯାକ କେମିତି ନିକମ୍ମା ହେଇ ଗଲେଣି, ମାସରେ ଚାରି ଛ'ଦିନ କାମ କରିଦେଲେ ମାସକ ପାଇଁ ଟଙ୍କାକିଆ ଚାଉଳ ଯୋଗାଡ ହୋଇଗଲା । ବାକି ଦିନ ମାନ ସବୁ ଏଇ ବରଗଛ ମୂଳେ ବସି ତାସ ଖେଳରେ ବେସ୍ତ । ଭୋକ ଲାଗିଲେ ଘରୁ ପଖାଳ କଂସେ ଠୁଙ୍କି ଦେଇ ଆସିବେ । ଚିନ୍ତା କଣ, ସରକାର ତ ସବୁ ସୁବିଧା କରି ଦେଇଚି । ପିଲାଙ୍କୁ ବହିଠୁ ଡ୍ରେସ ଯାଏ ସବୁ ମାଗଣା ଉପରେ ମଧ୍ୟାହ୍ନ ଭୋଜନ, ବିପିଏଲ ହେଇଗଲେ ମାଗଣା କୋଠାଘର ମିଳିବ । ବେଶି କାମ କରିବା କଣ ଦରକାର ।

ଆରେ ତୋତେ ବି ତ ସବୁ ମିଳିଥିବ ଏମିତି । ସନେଇ କହିଲା, ନାଇମ ଆଜ୍ଞା, ଆମ କଥା କିଏ ପଚାରୁଚି, ଆମେ କୋଉ ଗାଈର ଗୋବର ଯେ । ମାମଲତକାର କରି ଶିଖି ପାରିଲିନି ଏଯାଏ । ବୁଢି ମାଆର ବିଧବା ପେନସନ ପାଇଁ ସରପଞ୍ଚଙ୍କୁ କେତେଥର କହିଲିଣି, କହିଲେ ଆଗଲା କୋଟା ଆସିଲେ କରିବେ । ଯାହା ଥିଲା ବଣ୍ଟା ସରିଲାଣି । ପଛରେ ଶୁଣିଲି କୁଆଡେ ଲେନଦେନ କଲେ କି ସୁପାରିଶ ଆଣିଲେ ମିଳୁଚି । ବଡ ବଡିଆ ଯାକ ତ ଗରୀବଙ୍କ ବିପିଏଲ ଖାଉଛନ୍ତି, ଆଉ ଆମ କଥା ବୁଝୁଛି କିଏ । ମହାନ୍ତି ବୁଢା ମୁଣ୍ଡ ହଲାଇଲେ, କହିଲେ ହଁ ହଁ ଜାଣେରେ ସବୁ କଥା । ଆଜିକାଲିକା ନେତା ସବୁ ଏମିତି, ଏମାନେ କଣ ଗାନ୍ଧି ନା ଗୋପବନ୍ଧୁ ହେଇଛନ୍ତି, ନା ହୋଇ ପାରିବେ ।


ମାହାନ୍ତି ବୁଢା ପୁଣି କହିଲେ, ଆରେ ସନେଇ ଗୋଟେ କଥା ଭାବୁଥିଲି, କରିବୁ ? ସନେଇ କହିଲା, କୁହନ୍ତୁ ଆଜ୍ଞା, ଆପଣଙ୍କ କଥା ଆଜିଯାଏ କିଏ ଟାଳିଲାଣି ? ମାହାନ୍ତିବୁଢା କହିଲେ, ଆରେ ସେମିତି କିଛି କଥା ନାହିଁମ, କଣ କହୁଥିଲି କି ତୁ ତ ଜାଣିଥିବୁ, ଦିବର୍ଷ ହେଲା ଚାଷ ବୁଡେଇ ବସିଛି । ହଳିଆ ମୂଲିଆ ମିଳୁ ନାହାନ୍ତି, ତା ଉପରକୁ ମୋର ଆଉ ଧାଁ ଧପଡ କରିବା ବୟସ ବି ଆଉ ନାହିଁ । ବାତ ବାହାରି ପଡିଲାଣି । ବେଶି ଚଲାବୁଲା କଲେ ଆଣ୍ଠୁ ଗଣ୍ଠି ଦରଜ ବାହାରି ପଡୁଛି । ପିଲାମାନେ ବି ମନା କରୁଛନ୍ତି ଚାଷ କରିବାକୁ । କହୁଛନ୍ତି ବଜାରରେ ତ ସବୁକିଛି କିଣିବାକୁ ମିଳି ଯାଉଛି, ଚାଷ କରିବା କଣ ଦରକାର । ତୁ କହିଲୁ, ସମସ୍ତେ ଯଦି ଏମିତି ଭାବି ଚାଷ ବନ୍ଦ କରିଦେବେ, ତାହେଲେ ବଜାରକୁ ଚାଉଳ ହେଉ କି ପରିବା ଗଣ୍ଡାକ ହେଉ କୋଉଠୁ ଆସିବ ? ଏ ସବୁ ମେସିନ୍ ରେ ତ ତିଆରି ହେବନି । ଯୋଉ ଦିନ ଚଷା ବାପୁଡା ଚାଷ ବନ୍ଦକରି ହାତବାନ୍ଧି ବସିଯିବ ସେଇଦିନ ସମସ୍ତଙ୍କର ଭାତଥାଳି ଶୂନ୍ୟ ହୋଇଯିବ । ମଣିଷ କଣ ଟଙ୍କା କି ସୁନା ରୂପା ଖାଇ ପେଟ ଭରିବ ?


ତୁ ଯଦି ପାରିବୁ ଆମ ଜମି ଯାକ ଭାଗରେ ଚାଷ କରନୁ ! ଯେତେବେଳେ ଯାହା ଯେମିତି ଦରକାର ହେବ ମୁଁ ସାହାଯ୍ୟ କରିଦେବି । ପୋଖରୀ ତଳିଆ ସାତ ଏକର ଅଉଲ ଜମି, ଟିକେ ମେହନତ କଲେ ସୁନା ଫଳିବ । କରିବୁ ? ସନେଇର ଆଖି ତାଳୁକୁ ଉଠି ଆସିଲା ଖୁସିରେ । ଇଏତ ବହୁତ ଭଲ ପ୍ରସ୍ଥାବଟିଏ, କିନ୍ତୁ ସାତ ଏକର ଜମି, ଇଏ ତ ବହୁତ ବେଶି ତା ପାଇଁ । ଆଗରୁ ନିଜେ ନିଜେ କେବେ ଚାଷ କରିନି । କହିଲା, ଆଜ୍ଞା ସାତ ଏକର ଜମିକୁ ଆଖି ପାଉନି, ଆପଣ ଟିକେ ବତେଇ ଦେଲେ ପ୍ରଥମେ ଏକର ଦି ଏକରରୁ ଆରମ୍ଭ କରିବି, ପରେ ପୁଣି ଆପଣେ ଯେମିତି କହିବେ । ମହାନ୍ତି ବୁଢା ଖୁସି ହେଇଗଲେ କହିଲେ, ଜାଣିବା ବୁଝିବା ପିଲାଟେ ତୁ । ଠିକ୍ କଥା କହିଚୁ, ଅଳ୍ପରୁ ଆରମ୍ଭ କରିବା ଭଲ । ମୁଁ ସବୁ ଶିଖେଇ ଦେବି ତୋତେ, କେବେ କଣ କେମିତି କରିବୁ ବୋଲି, ତୁ ଜମ୍ମାରୁ ଚିନ୍ତା କରିବୁନି । ଆରେ ଚାଷ କରି କରି ପରା ବାଳ ପାଚିଗଲା ମୋର । ଗୋଟିଏ ବର୍ଷରେ ତୁ ଚାଷ ବାସ ବିଷୟରେ ସବୁ ଜାଣିଯିବୁ, ତାପରେ ଦେଖିବା । ସଂଧ୍ୟାବେଳେ ଘରକୁ ଆସେ, ସବୁ କଥା ହୋଇଯିବା । ସେବେଠୁ ସନେଇ ଭାଗରେ ଚାଷ କରୁଛି ମହାନ୍ତି ବୁଢାର ଜମି । ଦୁଇ ଏକରରୁ ଆରମ୍ଭ କରିଥିଲା, ଗଲାବର୍ଷ ଚାରି ଏକର ଚାଷ କରିଥିଲା ଏବର୍ଷ ସବୁ ଯାକ ସାତ ଏକର ଚାଷ କରିବ ବୋଲି ଭାବିଛି ।


ସକାଳର ପହିଲି କାଉ କାଆ କରିବା ବେଳକୁ ସନେଇ ତା ବଦଳ ହଳକୁ ଖୋଇ ପେଇ କ୍ଷେତକୁ ବାହାରି ପଡେ, ଅଣ୍ଟିରେ ତାର ମୁଢି ଦିମୁଠା ବାନ୍ଧିନିଏ, ସେଇତକ ତାର ସକାଳ ଜଳଖିଆ । ଦି ପହର ବେଳକୁ ତା ଘରଣୀ ତା ପାଇଁ ପଖାଳ କଂସାଏ ନେଇ ପହଞ୍ଚିଯାଏ କ୍ଷେତରେ । ବେଳ ବୁଡିବା ଯାଏ ଯୁଟି ଯାଆନ୍ତି ଦିଜଣ ଯାକ ମାଟି ମାଆ ସାଙ୍ଗରେ ମାଟି କଦୁଅ ହୋଇ । ଧାନ ଉଠିଗଲା ପରେ କ୍ଷେତରେ ତାର ପରିବା ଚାଷ କରେ ସନେଇ, ବାଇଗଣ ଲଙ୍କା, ଶାଗ କାକୁଡି ଲାଉ ଠାରୁ ଆରମ୍ଭ କରି ଶୀତ ଦିନେ କୋବି ମୂଳା ଟମାଟର ମଟର ପିଆଜ ରସୁଣ ସବୁ । ସନେଇ କହେ, ଆପଣା ହାତ ଜଗନ୍ନାଥ । ଠାକୁରେ ହାତ ଦେଇଛନ୍ତି କାମ କରିବାକୁ, ମାଗିବାକୁ ନୁହେଁ । ତାରି ଝାଳରେ ଭିଜା ପରିବା, ଆମର ରୋଷେଇ ଘରେ ରନ୍ଧାଯାଏ, ଆମରି ଖାଇବା ଥାଳିରେ ପରଶା ଯାଏ । କେବେ ବି ମନେ ପଡେନା ସେଇ ମଳି ମଣ୍ଡିଆ ଚାଷିଟିର କଥା । ଦି ପହର ଖରାରେ ମୁଣ୍ଡରେ ଠେକାଟିଏ ଭିଡି ଉତପ୍ତ ସୂର୍ଯ୍ୟକିରଣକୁ ପିଠି ଦେଖେଇ ଝୁକି ପଡିଥିବ ଧାନ କିଆରୀରେ ଅବା କୋଉ ବାଇଗଣ ଗଛ ମୂଳରେ । କେବେ ବି ମନେ ପଡେନା ସେଇ ସନେଇ ! ଲଞ୍ଚ ଟେବ୍ଲରେ ଗରମ ଗରମ ଭାତଥାଳି ପାଖରେ ସୁଆଦିଆ କୋବି ଆଳୁ ଝୋଳର ସ୍ୱାଦ ନେଲାବେଳେ କେବେ କେହି ଭାବେନା ବିଚରା ସନେଇ ତା ଲଞ୍ଚରେ କଣ ଖାଇଥିବ ! ପଖାଳ କଂସା ସାଙ୍ଗରେ ବାଇଗଣ ପୋଡାଟିଏ କି ଶାଗଭଜା ଟିକିଏ !


ଦିନ ଦି'ପହରର ସେଇ ଉଦୁଉଦିଆ ଖରାରେ ହେଉ କି ଧାରା ଶ୍ରାବଣର ଝଡି ବର୍ଷାରେ ଭିଜି ଭିଜି କେତେ ସନେଇ ଏମିତି ମେହନତ କରୁଛନ୍ତି, ଆମ ଖାଇବା ଥାଳିର ଭାତ ମୁଠାକ ପାଇଁ କିମ୍ବା ରୁଟି ଦିପଟ ପାଇଁ । ଖାଇଲା ବେଳେ କେବେବି ମନେ ପଡେନା ଟାଙ୍ଗରା ଭୁଇଁକୁ ଶସ୍ୟ ଶ୍ୟାମଳା କରୁଥିବା ଆଉ ମାଟି କାଦୁଅରେ ପଚ ପଚ ଗାଧୋଇ ପଡିଥିବା ସେଇ ସନେଇର କଥା । ବର୍ଷା ରାତିରେ ପାଣି ଗଳୁଥିବା ତାର ସେଇ ଚାଳ ଛପର ତଳେ ଶୋଇ ଭାବୁଥିବ ତା ଜମିରେ ଘାଇ ହୋଇ ଯାଇନିତ ? ଫସଲ ଠିକ୍ ନହେଲେ ସାହୁକାର କରଜ କେମିତି ଶୁଝିବ । କେବେ ବି ହିସାବ ପାଏନା, ବେପାରି ଯେଉଁ ଟମାଟର ତାଠାରୁ କିଲୋ ଆଠଣି ଦେଇ କିଣୁଛି ତାହା କେତେ ଦାମରେ ବଜାରରେ ବିକୁଛି । ଆଠଣି ହାତରେ ନେଇ ଖାଲି ଏତିକି ଭାବେ, ଏଇ ଦାମରେ ଫସଲ ବିକିଲେ ତାର କରଜ କେମିତି ଶୁଝିବ ? ସେମିତି ଶୀତ ରାତିରେ ଗରମ ରେଜଇ ତଳେ ଶୋଇ ଶୋଇ ଆମର କେବେବି ମନେ ପଡେନା ସେହି ସୈନୀକଟିର କଥା । ଯିଏ ସିଆଚିନର ବରଫ ଗଦା ଭିତରେ ଅଧା ପୋତିହୋଇ ସାରା ରାତି ସେମିତି ପହରା ଦେଉଥାଏ । କିନ୍ତୁ କେବେ କେଉଁ ସଭାସମିତିରେ ବଡ ଜୋର ସୋରରେ 'ଜୟ ଜବାନ ଜୟ କିଶାନ'ର ସ୍ଳୋଗାନ ଦେଲା ବେଳକୁ ଆମ ପାଟି କେବେ ଖନିମାରି ଯାଏନି । ଆଜି ବି ଯାଆନ୍ତୁ ସନେଇର ଗାଆଁ, ସନେଇକୁ ଦେଖିବେ, ସେଇ ମାଟିର ମଣିଷଟି କିପରି ମାଟିରେ ସାଲୁବାଲୁ ହୋଇ ଆପଣଙ୍କ ଲଞ୍ଚ ଡିନରର ଥାଳି ପାଇଁ ଫସଲ ଅମଳ କରୁଛି ।




Rate this content
Log in

More oriya story from Binay Mohapatra

Similar oriya story from Tragedy